ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ବରଷା ରାତିରେ ଯେ ଯାହାର ଘରେ
ଶୁଅନ୍ତି ସମସ୍ତେ ଯାଇଁ,
କେଉଁଠାରେ କିଏ ଗୀତ ଗାଉଥାଏ
ପିଲା ଶୁଆଇବା ପାଇଁ
ପହିଲି ଆଷାଢ଼େ ବରଷଇ ମେଘ
ଆଣ୍ଠୁଆଣି ହୁଏ ପାଣି,
ପାଣିରେ ଡିଅଁନ୍ତି ଫକର ଫକର
ବେଙ୍ଗ ଆଉ ବେଙ୍ଗରାଣୀ
ଗହନେ ବାଜଇ ଯୋଡ଼ି ମହୁରୀ ଲୋ
ଘନ ଘନ ରାବେ କାକ,
ବୋହୂ ବାପଘରୁ ଭାର ଆସୁଛି ହୋ
ଶୁଭଇ ଉଠିଆ ଡାକ
ଆକାଶରେ ଚାଲେ କଳା ବଉଦ ଲୋ
ସୁଲୁ ସୁଲୁ ବହେ ବାଆ,
ବସା ଗଛ ଆଡ଼େ ଉଡ଼ିଯାଏ କାଉ
ରାବ ଦେଇ କାଆ କାଆ
ଜୁଳୁ ଜୁଳୁ ଜଳେ ଜୁଳୁଜୁଳିଆ ଗୋ
ଶାଶୁଘରେ ଗଲେ ତରା,
ମାଆ ଯାଇଛନ୍ତି ମାମୁଁ ଘରକୁ ଗୋ
ତୁରିତେ ଆସିବେ ପରା
ହୁଙ୍କା ଚାରିପିଠି ଫୁଟିଛି ଛତୁ ଗୋ
କିଏ ସେ ଛତୁ ତୋଳିଲା,
ଦୁଇକୂଳ ଖାଇ ପର୍ବତ ପ୍ରମାଣେ
ନଈ ତ ମାଡ଼ି ଆସିଲା
ଅକାତ ପାଣିରେ ଶାଶୁ ନଣନ୍ଦଙ୍କ
ଗଞ୍ଜଣା ସହି ନ ପାରି,
ବିସର୍ଜନ ଦେଲା ସୁବର୍ଣ୍ଣ ପ୍ରତିମା
କାହାର ଏ ନବନାରୀ ?
ଶ୍ରାବଣର ଧାରା ଶୋକପସରା ଗୋ
ବାଟ ଚାଲେ ବଳଦିଆ,
କେଣେ ଯାଉଛ ରେ ବଳଦିଆ ଭାଇ
ମେଘ ତ କଳାହାଣ୍ଡିଆ
ଗାଆଁ ତଳ ବିଲେ ମଇଁଷି ପଲ ଗୋ
କୁହାଟେ ମଇଁଷିଆଳ,
ମଇଁଷି ଦୁଧକୁ ବାସ ଚାଉଳ ଗୋ
ଜାଳିବାକୁ ଘଷି ଫାଳ
ପୋଖରୀ ହୁଡ଼ାରେ ଘୁଷୁରୀ ପଲ ଗୋ
କିଏ ସେ କଣ୍ଟା ମାଡ଼ିଲା,
ଗହୀର ବିଲରେ ଗୀତ ଗାଏ ଚଷା
ପବନ ଖରେ ବହିଲା
ନଈ ସେପାରିରେ ଘୋର ଅନ୍ଧାର ଗୋ
କିଏ ସେ ଗୀତ ଗାଉଛି,
ରହ ରହ ଆହେ ବିଦେଶୀ ବାଟୋଇ
ମେଘ ତ ମାଡ଼ି ଆସୁଛି
ଶ୍ରାବଣ ମାସରେ ଘୋର ବରଷା ହୋ
ଶୁଭେ ଘନ ଗରଜନ,
ପର୍ବତ ନାସୀର ମହାବଳ ବାଘ
କ୍ଷେପି ବୁଲେ ଗ୍ରାମ ବନ
ଗିରି ଗହନରେ ଝରଇ ଝରଣା
ମୟୂର ରାବ ଦିଅଇ,
ପର୍ବତ କୋଳକୁ ତେଜି ଯାଏ ନଈ
ଦୂର ସିନ୍ଧୁ ପାଶେ ବହି
ପଶୁ ପକ୍ଷୀ ନର ଗଛ ଘରଦ୍ବାର
ଭାସିଯାଏ ଜଳ ସଙ୍ଗେ,
ଜଳମୟ ଦିଶେ ଚଉଦିଗ ଯାକ
ପିଲା ଗୀତ ଗାନ୍ତି ରଙ୍ଗେ
ମେଘ ବରଷିଲା ଟପର ଟପର
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା
ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?
୧. ଦାମୋଦର ବେହେରା, ଗୋହିରିବାଡ଼ି,ଗଂଜାମ | ଡିସେମ୍ବର୍ ୨୨, ୨୦୧୩ - ୧:୪୯ ପୂର୍ବାହ୍ନ
ଗିତ ଟି ଭଲ
୨. ଦଣ୍ଡପାଣୀ ସତପଥି, ଛତ୍ରପୁର, ଗଞ୍ଜାମ | ଫେବୃଆରୀ ୧୭, ୨୦୧୪ - ୮:୫୩ ପୂର୍ବାହ୍ନ
ପ୍ରକାଶିତ କରିଥିବାରୁ ଧନ୍ୟବାଦ
୩. ଡାକ୍ତର କୈଳାଶ୍ ଚନ୍ଦ୍ର ଦେହୁରୀ, Bhubaneswar | ମେ ୧୪, ୨୦୧୪ - ୪:୧୪ ପୂର୍ବାହ୍ନ
ପଲ୍ଲୀ କବୀ ନନ୍ଦ କିଶୋର୍ ବଳଂକୁ ମୋର ଭକ୍ତିପୁତ୍ତ ଶ୍ରଧାନଜଲୀ
୪. ସିଦ୍ଧେଶ୍ବର ସ୍ବାଇଁ, ଡିମିରିସେଣା | ଜୁନ୍ ୮, ୨୦୧୬ - ୯:୩୮ ପୂର୍ବାହ୍ନ
ଏହି ଗୀତକୁ ପଠାଇ ଥିବାରୁ ବହୁତ ବହୁତ ଧନ୍ୟବାଦ , ବହୁତ ଖୁସି ଲାଗିଲା ଏବଂ ଏହି ଭଳି ଗୀତ online ରେ ପଠାଇବାକୁ ଅନୁରୋଧ
୫. ମାର୍କଣ୍ଡେଶ୍ୱର୍ ପଣ୍ଡା, ସାନ୍ ଆନ୍ତୋନିଓ, ଟେକ୍ସାସ୍ | ଅଗଷ୍ଟ୍ ୧୪, ୨୦୧୬ - ୮:୩୦ ଅପରାହ୍ନ
ଅତି ସୁନ୍ଦର୍ ଓଡିଆ କବିତା!
୬. ଅମରେନ୍ଦ୍ର କର, ସାଲେପୁର | ଡିସେମ୍ବର୍ ୧୨, ୨୦୧୬ - ୧୦:୨୫ ପୂର୍ବାହ୍ନ
ଅତି ସୁନ୍ଦର ଲେଖା ପଢିବାକୁ ବହୁତ୍ ମଜା ଲାଗିଲା.ମୁଁ ଇଛା କରୁଥିଲି ପଢିବାକୁ ନିର୍ଝରିଣୀ କବିତା .ତା ସହିତ ନନ୍ଦ କିଶୋର ବଳଙ୍କର ଅନ୍ୟ କବିତା.
୭. ଅଜିତ୍ ଦାଶ୍, At-jokabandha,po-gochhabadi,ps-polasara,pin-761105 | ଫେବୃଆରୀ ୩, ୨୦୧୭ - ୧୨:୦୧ ପୂର୍ବାହ୍ନ
ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା | ଓଡ଼ିଆ ଭାଷାକୁ ଗୁରୂତର ଭାବେ ନିଆଯାଉ|
୮. ଧୀରେନ୍ କୁମାର ବେହେରା, ତାଳସଙ୍ଗା ଜିଲ୍ଲା-କେନ୍ଦ୍ରାପଡା ୭୫୪୨୧୩ | ମାର୍ଚ୍ଚ୍ ୫, ୨୦୧୮ - ୧:୩୦ ଅପରାହ୍ନ
ପ୍ରକାଶିତ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆଗକୁ ସମସ୍ତ ସଙ୍କଣନକୁ ଗୋଟିଏ ଜାଗାରେ ରଖିପାରିଲେ ଭଲ ହୁଅନ୍ତା ।
ଧୀରେନ୍