ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ପଲ୍ଲି ଚୂତତରୁ ଶାଖେ ରାବେ ବସି ପିକ
ଶୁଣନ୍ତି ସାନନ୍ଦମନେ, ବହୁଳ କୃଷକ।
ନିଶୀଥେ କ୍ଷୂଧାର୍ତ୍ତେ ଦିନେ କୋକିଳ ଦୁଃଖିତ,
ଗାଢ଼ ଅନ୍ଧକାରେ ବସି ରାବେ ଅତୃପତ।
ନିମ୍ନଦେଶେ ନିରେଖିଣ କି ଏକ ଆଲୋକ,
ଜାଣିଲା ନିଜ ବୁଦ୍ଧିରେ ଏ ଖଦ୍ୟୋତ ଏକ।
ସମ୍ବୋଧିଣ ହର୍ଷ ଭରେ କହେ ହେ ଖଦ୍ୟୋତ;
ତୁମ୍ଭ ସ୍ନିଗ୍ଧ ଆଲୋକେ ମୁଁ ହୁଏ ପ୍ରଫୁଲ୍ଲିତ।
ମିଳି ମୁହିଁ ତୁମ୍ଭ ସହ ଗାଇବି ସଙ୍ଗୀତ,
ଶୁଣି ତୁମ୍ଭେ ମୋର ଗୀତ ହୋଇବ ତୃପତ,
ତୁମ୍ଭ ଜ୍ୟୋତିରେ ମୁଁ ମୁଖେ ହେବି ଅଲୋକିତ।
ବିଭୁ କୃପାବଳେ ଦୁହେଁ ଯାପିବା ଜୀବନ,
ଖଦ୍ୟୋତ ଜାଣିଲା ତାର ମଧୁର କଥନ।
କହେ ମିତ୍ର ପିକବର ଶୁଣି ତୋର ଗୀତ,
ଯେସନେ ମୁଁ ବିମୋହିତ ତେସନେ ତୃପତ।
ଦେଖି ମୋ ଆଲୋକ ନାହିଁ ହିଂସା ତୁମ ହୃଦୟେ,
ରହିବା ତେବେ ଏକତ୍ରେ ଏ ସ୍ଥାନେ ଉଭୟେ।
ତୁମ୍ଭେ ତୁମ୍ଭ ଗୀତେ ମୁହିଁ ମୋର ଏ ଜ୍ୟୋତିରେ,
ପ୍ରଚାରିବା ବିଭୁ ଗୁଣ ଅତି ଆନନ୍ଦରେ ।
କୋକିଳ ବଚନ ଶୁଣି ଅତି ସୁମଧୁର,
ଅନ୍ୟ ଭକ୍ଷ୍ୟେ ପୂରାଇଲା ତାହାର ଉଦର
ସଂସାର ଶିଖିଲା ଏଥୁ ମହା ଉପଦେଶ,
ଭାତୃ କଳହ ବିବାଦ କରେ ସର୍ବନାଶ।
ଏକତା ସାଧନ ସିନା ପ୍ରଧାନ କରମ,
ଜାଣନ୍ତୁ ‘ସର୍ବେ ଅହିଂସା ପରମ ଧରମ’।