ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
‘ପୁଅକୁ ପକା, ଝିଅ ଥିଲେ ମୋର ଷାଠିଏ ଟଙ୍କା’- ଏ ପ୍ରବାଦଟି ଆମ୍ଭେ ପିଲାବେଳେ ଗାଁର ଜଣେ ଦି’ ଜଣ ମାଉସୀ ସ୍ଥାନୀୟା ଭଦ୍ରମହିଳା କହିବାର ଶୁଣିଥିଲୁ। ଏହା କହିବାବେଳେ ସେମାନଙ୍କ ମୁହଁର ପ୍ରସନ୍ନତା ଏବେ ବି ମନେପଡ଼ୁଛି। ଅବଶ୍ୟ ସେତେବେଳେ ଏ ପ୍ରକାରର ଢଗଢମାଳି ଭିତରକୁ ଯାଇ ତନ୍ନ ତନ୍ନ କରି ପରୀକ୍ଷା କରିବା ଏବଂ ତା’ର ଅର୍ଥ ଓ ପ୍ରଭାବ ବୁଝିବା ଭଳି ମଗଜ ଆମ୍ଭର ନଥିଲା ବୋଲି ଏବେ କହିବାରେ କିଛି ସଙ୍କୋଚ ନାହିଁ। ପରେ ଯେତେବେଳେ ମଗଜରେ ମସଲା ଜାତୀୟ ପଦାର୍ଥ କିଛି ପରିମାଣରେ ପଶିଲା ସେତେବେଳେ ଏହି ଢଗଟିର ଅର୍ଥ ବୁଝିବାକୁ ଚେଷ୍ଟା କରନ୍ତେ ଜଣାପଡ଼ିଲା ଯେ, ପୁଅଠାରୁ ଝିଅକୁ ଅଧିକ ଗୁରୁତ୍ୱ ଦିଆଯାଇ ଏହା ବୋଲାଯାଇଥାଏ। ସାଧାରଣତଃ ପୁଅପିଲାମାନେ ପ୍ୟାଣ୍ଟସାର୍ଟ ପିନ୍ଧିବା ପାଇଁ ଜନ୍ମଗତ ଲାଇସେନ୍ସ ପାଇଥିବାର ଗର୍ବରେ ଉତଫୁଲ୍ଲ ହୋଇ ଏପରି ଅନେକ କାଣ୍ଡ ଘଟାଇଥାନ୍ତି, ଯଦ୍ୱାରାକି ସେମାନେ ଅନାୟାସେ ଅଭିଭାବକଙ୍କର ଜ୍ୱଳନ୍ତ ଦୃଷ୍ଟିର ଶିକାର ହୋଇଥାନ୍ତି। ଅନ୍ୟ ଦିଗରେ ଝିଅପିଲାମାନେ ସ୍ୱାଭାବତଃ ଶାନ୍ତ ଓ ସମୟତକ ମସଲା ବାଟିବା, ବାହାରେ ଗୋବରପାଣି ଦେବା, ସାନ ଭାଇଭଉଣୀମାନଙ୍କୁ ଖେଳାଇବା, ଇତ୍ୟାଦି କର୍ମରେ ବୋଉମାନଙ୍କୁ ଅକୁଣ୍ଠ ସାହାଯ୍ୟ କରିବାରେ ବିତାଉଥିବାରୁ ସେମାନଙ୍କୁ ଯତ୍କିଞ୍ଚିତ୍ ଉତ୍ସାହିତ କରିବାର ମହତ ଉଦ୍ଦେଶ୍ୟରେ ହିଁ ତଥା-ଉପକୃତା ବୋଉମାନେ ଏ ଧରଣର ଢଗମାନ ବୋଲିଥାନ୍ତି।
ଯେଉଁ କାଳରେ ଏ ପ୍ରବାଦ ସୃଷ୍ଟି ହୋଇଥିଲା, ସେ କାଳରେ ଷାଠିଏ ଟଙ୍କା ବୋଇଲେ ବହୁତ କିଛି ବୁଝାଉଥିଲା। ତେଣୁ ଏତେ ପରିମାଣର ଧନ ସହିତ ତୁଳନା କରି ଝିଅକୁ ପରିବାରରେ ଉଚ୍ଚ ମର୍ଯ୍ୟାଦା ଦିଆଯାଉଥିଲା। ବର୍ତ୍ତମାନ ଯୁଗରେ କିନ୍ତୁ ଏହା ଓଲଟା। ଅବଶ୍ୟ କେହି ବାପାବୋଉ ଆଜିକାଲି ଏ ଢଗଟି ଆଉ ବୋଲୁନାହାଁନ୍ତି। ବରଂ କନ୍ୟାଦାୟରେ ସନ୍ତୁଳିତ ହେଉଥିବା ଜଣେ କନ୍ୟାପିତା କହିବାର ଶୁଣାଯାଇଥିଲା ‘ଝିଅକୁ ପକା, ଝିଅଥିଲେ ଖର୍ଚ୍ଚ ଷାଠିଏ ହଜାର ଟଙ୍କା’। ସେ ଜଣେ ମାଷ୍ଟ୍ରିଆ ଲୋକ ହୋଇଥିବାରୁ, ଜଣେ ଶିକ୍ଷାକର୍ମୀ କିମ୍ବା ଅତିବେଶିରେ ପ୍ରାଥମିକ ଶିକ୍ଷଟିଏକୁ ଜୋଇଁ କରିବାର ଆଶା ରଖିଥିବାରୁ ଜୋଇଁର ଦାମ୍ ଷାଠିଏ ହଜାର ଟଙ୍କା ବୋଲି ଆନ୍ଦାଜ କରିଥିଲେ।
ଟିକିଏ ଉଚ୍ଚ ମଧ୍ୟବିତ୍ତ ପରିବାରରେ ଯେଉଁଠି ‘ପେଟେ ଭୋକ ମୁହେଁ ଲାଜ ଥାଏ, ସେଇଠି ଝିଅଟିଏ ବାହାହେଲେ ଷାଠିଏ ହଜାରରୁ ଅଧିକ ଖର୍ଚ୍ଚ ଅବଶ୍ୟ ହୁଏ। ପୁଣି ଠିକ୍ ସମୟରେ ଠିକଣା ପାତ୍ରକୁ ଝିଅଟି ବାହା ହୋଇପାରିବ ବୋଲି ଭରସା ନ ଥାଏ। ଏଥିପାଇଁ କେତେ ଗ୍ରାମ, ଜନପଦ ତଥା ସହରାଦି ଭ୍ରମଣ ପୂର୍ବକ ପକେଟ୍ରୁ କିଛି ରାଶି ଖର୍ଚ୍ଚ କରିବାକୁ ହୁଏ। ଅତଃ ଇଦାନିଂ ଝିଅ ପ୍ରତି ଯେତିକି ସାମାଜିକ ଦରଦ ପୂର୍ବରୁ ଥିଲା, ବହୁଧା କମିଯାଇଛି। ଏ ସମ୍ପର୍କରେ ବହୁତ କିଛି ପ୍ରବନ୍ଧ, ନିବନ୍ଧ, ଆଲୋଚନା ଓ ସମାଲୋଚନା ଖବରକାଗଜ ଓ ପତ୍ରପତ୍ରିକାଦିରୁ ପାଠ କରି ଆମ୍ଭର ଭାବାନ୍ତର ଜାତ ହେଲା। ଝିଅମାନଙ୍କ ପ୍ରତି ହେଉଥିବା ହତାଦର ଓ ଅନାଦର ସମ୍ପର୍କରେ ଜାଣି ଆମ୍ଭ ହୃଦୟ କନ୍ଦରରେ ଅସରପାଟିଏ ପଶିଯାଇ ଖୁଜୁରୁ ବୁଜୁରୁ ହେବା ଭଳି ଲାଗିଲା। ତେଣୁ ବହୁ ସମୟ ଭାବିବା ପରେ ଆମ୍ଭେ ଏହା ଲେଖୁଅଛୁ କି ଝିଅମାନଙ୍କ ପ୍ରତି ଏପରି ଭାବ ପୋଷଣ କରିବା ଆଦୌ ଠିକ୍ ହେଉନାହିଁ।
ଝିଅଟିକୁ ଯେତେ ହତାଦର କରନ୍ତୁ ପଛକେ ତା’ସହିତ ଏପରି କେତେକ ଉପମା ସଂଶ୍ଳିଷ୍ଟ ଯେ, ସେଗୁଡ଼ିକ ଏବେ ବି ବ୍ୟବହୃତ ହେଉଛି। ଝିଅଟିକୁ ବୋଲାଯାଏ ‘କନ୍ୟାରତ୍ନ’ ଓ ‘ସୁନାନାକୀ’। ପୁଅକୁ ଅତିବେଶୀରେ ବୋଉମାନେ ‘ମୋ ଧନରେ’ କହିଥାନ୍ତି। କିନ୍ତୁ ଝିଅକୁ ରତ୍ନ ବୋଲିଥାନ୍ତି। ଫରକ୍ କେତେ ଦେଖନ୍ତୁ। ପୁଅପିଲାମାନେ ଚାକିରି କରିବାଯାଏ ବାପାମାଆଙ୍କ କେବଳ ଅର୍ଥଶ୍ରାଦ୍ଧ କରିଥାନ୍ତି। ଛୋଟବେଳେ ସ୍କୁଲ୍ରେ ଓ ଘରେ ଦୁଷ୍ଟାମି କରନ୍ତି। ହାଇସ୍କୁଲ୍ରେ ପଢିବାବେଳେ ଅସମ୍ଭାଳ ହୁଅନ୍ତି ଏବଂ କଲେଜ୍ ପଢିବାବେଳେ ପାଠ ଅପେକ୍ଷା ଶାଠ ବହୁତ ଅଭ୍ୟାସ କରନ୍ତି। ଏହି ଶାଠ ମିଶା ପାଠ ସରିଯିବା ପରେ ଚାକିରି କରିବାଯାଏ ଦାଢି ଛାଡନ୍ତି, ପାନଦୋକାନ ନିକଟରେ ଠିଆହୋଇ ଗୁଲିଗପ ଜମାନ୍ତି। ଘରୁ ସବୁବେଳେ ମୁକ୍ତି ପାଇବାର ସୁଯୋଗ ଉଣ୍ଡୁଥାନ୍ତି। ଦୈବାତ୍ ବାପାଙ୍କ ସହ ଦେଖା ହୋଇଗଲେ ଗାରଡେଇ କରି ଚାହାନ୍ତି ଓ ବୋଉଠାରୁ ନେହୁରା ହୋଇ ପଇସା ନେଇ ଉଡ଼ାନ୍ତି। ଫଳତଃ ବାପାଙ୍କ ରକ୍ତଚାପ ବଢ଼େ ଓ ପଚାଶ ଛୁଇଁବା ପୁର୍ବରୁ ସମସ୍ତ କେଶ ଧଳା ହୋଇ ସାରିଥାଏ।
କିନ୍ତୁ ପରିବାରରେ ଝିଅଟିର କଥା ଅଲଗା। ପଢ଼ାପଢ଼ି ସହ ବୌଉଙ୍କୁ ଦୈନନ୍ଦିନ କାର୍ଯ୍ୟରେ ସାହାଯ୍ୟ କରିଥାଏ। ଝିଅଟିର ବୟଷ ବଢିବା ସହ ବୋଉମାନଙ୍କ କାମ କମି କମି ଯାଉଥାଏ। ଫଳତଃ ଘରେ ଯଦି ବଢ଼ିଲା ଝିଅଟେ ଅଛି, ତେବେ ସ୍ଥଳ ବିଶେଷରେ ଚାକରାଣୀ ଆଉ ରଖିବାକୁ ପଡ଼େନାହିଁ। ଅଧିକାଂଶ କାର୍ଯ୍ୟ ଝିଅମାନଙ୍କ ମୁଣ୍ଡରେ ଲଦିଦେଇ ବୋଉମାନେ ପଡ଼ିଶା ଘରର ସ୍ତ୍ରୀ ସଙ୍ଗରେ ‘ହଇହେ କୁନାବୋଉ…..ଆଜି ଟୁନା ବାପା କହୁଥିଲେ କି…., ଜାତୀୟ ବାର୍ତ୍ତାଳାପରେ ସମୟ ବିତାଇବାକୁ ଭୁଲି ନ ଥାନ୍ତି। ଅତଃ ଝିଅମାନେ ସେମାନଙ୍କ ପାଇଁ ଯାହା ଖର୍ଚ୍ଚ ହୁଏ ତା’ର ବହୁ ଅଂଶ କାମକରି ଶୁଝିଦିଅନ୍ତି। ଏହା ହେଲା ଝିଅମାନଙ୍କଠାରୁ ଲବ୍ଧ ସୁବିଧାର ଅର୍ଥନୈତିକ ଦିଗ। ବାହାହୋଇ ଯିବାପରେ ବି ଝିଅଟିଏ ବାପାବୋଉଙ୍କ ପ୍ରତି ଭକ୍ତି ଓ ପ୍ରେମ ଅତୁଟ ରଖିଥାଏ। ଶାଶୁ ଘରେ ‘ମୋ ବୋଉ ଏମିତି କରେ….ମୋ ବାପା ସେମିତି କହନ୍ତି….’ ଇତ୍ୟାଦି କହି ଫି କଥାରେ ବାପାବୋଉଙ୍କୁ ସ୍ମରଣ କରିବା ଏବଂ ସ୍ୱାମୀ ନିକଟରେ ରାଜଭୋଗ ପାଇ ଚଳୁଥିଲେ ହେଁ, ବାପର କୁଡ଼ିଆ ଘରକୁ ଆସିଲେ ସ୍ୱର୍ଗସୁଖ ଅନୁଭବ କରୁଥିବା ଏହାର ଜ୍ୱଳନ୍ତ ଉଦାହରଣ।
ପୃଷ୍ଠା ସଂଖ୍ୟା : 1 2