ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ର ଧାରୀ ॥
ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ॥
ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ॥
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ॥
ନନ୍ଦନନ୍ଦନ ଗୋପୀନାଥ । ନିସ୍ତରିଯିବ ନରେ ଚିନ୍ତ ॥
ଚନ୍ଦ୍ରମା ପ୍ରାୟେକ ବଦନ । ଚାହିଁଲେ ଖଣ୍ଡେ ଦୁଃଖମାନ ॥
ଛତ୍ରୀ ଉତ୍ତମ ଶିରୋମଣି । ଛଟକେ ଆଣିଲେ ରୁକ୍ମିଣୀ ॥
ଜଗଜ୍ଜୀବନ ଦାଶରଥି । ଜାନକୀ ଦେବୀ ପ୍ରାଣପତି ॥
ଝୀନ ପତନୀ ଅଙ୍ଗେଶୋଭା । ଝଟକେ ବିଦ୍ୟୁ ପ୍ରାୟେ ଆଭା ॥
ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି । ନିସ୍ତରିଯିବା ନରେ ଦେଖି ॥
ଟେକିଲେ ଦୂବ କରେ ଦାରୁ । ଟାଣପଣରେ ଭାଙ୍ଗେ ମେରୁ ॥
ଠଣ ସୁନ୍ଦର ଶିରୋମଣି । ଠିକେ କମଳା ଯାର ରାଣୀ ॥
ଡମ୍ବରୁଧର ଯାକୁ ସେବା । ଡରେ ଖଟନ୍ତି ସର୍ବ ଦେବା ॥
ଢମ ଯେ କଲା ରାୟେକଂସ । ଢାଳେ ଅସୁର ଗଲାନାଶ ॥
ଅନନ୍ତ ନାମେ ଅନ୍ତ ନାହିଁ । ଅଣ ଅକ୍ଷରେ ଯାର ଦେହୀ ॥
ତପନ କୁଳେ ଅବତରି । ତାରିଲେ ଗଉତମ ନାରୀ ॥
ଥବିରପଣେ ମାୟାଗତି । ଥୟ ନ ଜାଣେ ବେଦପତି ॥
ଦରିଦ୍ର ଦାମୋଦର ମିତ୍ର । ଦଣ୍ଡକେ ଦେଲେ କୋଟି ଅର୍ଥ ॥
ଧରଣୀଧର ଶିରୋମଣି । ଧ୍ରୁବଙ୍କୁ ନିସ୍ତାରିଲେ ପୁଣି ॥
ନୃସିଂହମାଧବ ମୁରାରୀ । ନଖରେ ହିରଣ୍ୟ ବିଦାରି ॥
ପରମାନନ୍ଦ ପଦ୍ମନାଭ । ପୂରି ରହିଛ ସର୍ବ ଜୀବ ॥
ଫୁଲପଣକୁ ନୋହେ ସରି । ଫୁଲ ମାଳରେ ଦେହ ଭରି ॥
ବାଳିକି ବଧକଲ ହେଳେ । ବନ୍ଧ ବାନ୍ଧିଲ ସିନ୍ଧୁଜଳେ ॥
ଭାଙ୍ଗିଲ ରତ୍ନମୟ ପୁର । ଭ୍ରାନ୍ତି ଛାଡ଼ିଲା ଦେବଙ୍କର ॥
ମାଇଲ ଅକ୍ଷୟ ରାବଣ । ମହିମା କେ କରୁ ବଖାଣ ॥
ଯାଦବ ବଂଶେ ଜାତହୋଇ । ଜଗତ ଉଦ୍ଧାରିବା ପାଇଁ ॥
ରଖିଲ ଜଳରେ ଗଜକୁ । ରାଗେଣ ଛେଦିଣ ଗ୍ରାହକୁ ॥
ଲାବଣ୍ୟ ମୂର୍ତ୍ତି ଲକ୍ଷ୍ମୀଧର । ଲୟ କରନ୍ତି ସୁର ନର ॥
ଶ୍ରୀପତି ଶ୍ରୀକର ଶ୍ରୀଧର । ଶ୍ରିୟା ଦେବୀଙ୍କ ମନୋହର ॥
ସଂସାର ଭିତରେ ଉତ୍ତମ । ସାଧୁଙ୍କ ହିତରେ ଜନମ ॥
ଶ୍ୟାମସୁନ୍ଦର କଳେବର । ସକଳ ଦେବେ ପରିଚାର ॥
ହରି ବୋଇଲେ ହରେ ଦୁଃଖ । ହରି ଆନନ୍ଦ ମହାସୁଖ ॥
କ୍ଷମା ସାଗର ପୀତବାସ । ଭଣିଲେ ବଳରାମ ଦାସ ॥
କମଳ ଲୋଚନ ଚଉତିଶା କବିଙ୍କର ଏକ ଅନବଦ୍ୟ କୃତି, ଯେଉଁଥିରେ ବଳରାମ ଦାସ ‘କ’ ରୁ ‘କ୍ଷ’ ପର୍ଯ୍ୟନ୍ତ ଧାରାରେ ଶ୍ରୀବିଷ୍ଣୁଙ୍କ ରୂପ,ଗୁଣ, ସାମର୍ଥ୍ୟ ଓ ଆପଣାର ଭକ୍ତିଭାବ ପ୍ରକଟ କରିଛନ୍ତି।
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. ସୁବ୍ରତ ଭୋଇ, ଭୁବନେସ୍ୱର୍ | ଜାନୁଆରୀ ୯, ୨୦୨୦ - ୧:୧୯ ଅପରାହ୍ନ
ଅନେକ ଦିନରୁ ଏହି ପଦ୍ୟ ଖୋଜୁଥିଲି । ଅଶେସ ଅଶେସ୍ ଧନ୍ୟବଦ୍।
୨. ମନ୍ମଥ କୁମାର ଦଳେଇ | ମାର୍ଚ୍ଚ୍ ୧୧, ୨୦୨୦ - ୩:୦୨ ପୂର୍ବାହ୍ନ
ବହୁତ ଦିନ ପରେ ଚଉତିଶାଟି ପଢ଼ିବାର ସୁଯୋଗ ମିଳିଲା l ପିଲାଦିନ ତଥା ଜେଜେବାପାଙ୍କ କଥା ମନେ ପଡିଗଲା l ଅତ୍ୟନ୍ତ ଖୁସି ଲାଗିଲା l ଓଡ଼ିଆ ସାହିତ୍ୟ ପରିବାରକୁ ଅଶେଷ ଧନ୍ୟବାଦ l