ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
(ରାଗ-କୌଶିକ)
ଭାଇ ଭୋଟର, ଗୁପ୍ତ ଭୋଟ ଦେ ନ ଯା’ରେ;
କ୍ଷମତାଭିଳାଷୀ ପଦବୀଲାଳସୀ
ଦେଲେ ହେଲେ ତତେ ହଜାରେ। (ଘୋଷା)।
ମତବାଦୀ ଚିହ୍ନ ଘେନି ଭିନ୍ନ ଭିନ୍ନ-
ରଙ୍ଗେ ରଞ୍ଜିତ ଯା’ ଧଜା ରେ,
ସେ କେହ୍ନେ ଜାତୀୟ-ଏକତାର ପ୍ରିୟ?
ତା ଫାନ୍ଦେ ବୁଦ୍ଧି ନ ହଜା ରେ!
ଗୁପ୍ତ ଭୋଟେ ଜିତିବାକୁ ଯା ପ୍ରତୀତି
କୂଟନୀତି ତହିଁ ଖଞ୍ଜା ରେ;
ଭୋଟପ୍ରାର୍ଥୀ ହୋଇ ପାରିବକି କେହି
ଟଙ୍କାହୀନ ଦୀନ ପ୍ରଜା ରେ?
ନୁହେ ଦେଶସେବୀ ତଥାପି ମୋ ଦାବୀ
ଖେଳା ଯେଣୁ କଳାବଜାରେ,
ଜିଣିଯିବ ଭୋଟେ ଭୋଟ କିଣି ନୋଟେ
ପ୍ରଚାରକ ମୋ ଭଣଜା ରେ!
ସତ୍ୟ-ଅହିଂସାର ରକତେ ଯାହାର
ଗଢ଼ା ହୋଇଛି କଲିଜା ରେ,
ଛାର ପଦ ପାଇଁ ସେ’ କି ହେବ ଭାଇ
ଭୋଟଗଢ଼ା-ନାଟ-ରଜା ରେ?
ବିଚିତ୍ର ଦୁନିଆଁ କା’ର ପେଟେ ନିଆଁ
ଦହୁଛି ଜୀବନ-ଗଜା ରେ,
ପାଇ କେ’ ବେତନ କରୁଛି ନର୍ତ୍ତନ
ଖଜାଖିଆ ବାବୁ ମଜାରେ।
ଥାଉ ତୋ ଯୋଗ୍ୟତା କର୍ମତତ୍ପରତା
ତଙ୍କା ଯଦି ନାହିଁ ଲଜ୍ଜା ରେ,
ନଥିଲେ ବି’ ପଢ଼ି ପାରିବି ମୁଁ ଲଢ଼ି
ଶୋଇଥାଇ ଟଙ୍କା-ଶଯ୍ୟାରେ।
କା’ ସଙ୍ଗେ ଲଢ଼ିବା ଆସନେ ଚଢ଼ିବା
ଦମ୍ଭ ଥିଲେ ଟଙ୍କା-ବଜାରେ,
ଆଜି ତୁ ଭୋଟର, କାଲି ତୋ ମଟର
ଲାଗିବ ଲାଟ ଦରଜାରେ।
ଏହି କବିତାଟି ପ୍ରାୟ ୫୦ବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ରହିଛି।