ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଉଚ୍ଚ ଉଚ୍ଚ କାନ୍ଥଦିଆ ଘରେ ବି ଚୋର ଭୟ ଥାଏ। ସେଇ ଉଚ୍ଚ କାନ୍ଥରେ ଭଙ୍ଗାକାଚ ଦେଇ ମାଲିକ ନାକରେ ଶୋରିଷ ତେଲ ପକାଇ ଶୁଏ। ସେଇ କାଚ ଯୋଗାଇ ଥାଏ ଭଙ୍ଗାକାଚ ବ୍ୟବସାୟୀ। ସେ ଯୋଗାଡ଼ କରେ ଏଇ ଭଙ୍ଗାକାଚ, ଏଣୁତେଣୁ କିନ୍ତୁ ବ୍ୟବସାୟୀ କହେ ବାରଦାଣ୍ଡ ଶୁଣ୍ଢିପିଣ୍ଡା ହେବାଠୁଁ ‘ମଦଭକ୍ତା ଯନ୍ତ୍ର ଗାବନ୍ତି’ ସେଇଠି ଏହି କଞ୍ଚାମାଲର ଖଣି ପରା ଥାଏ।
ଏମିତି ଗୋଟିଏ ଭଙ୍ଗାକାଚ ବ୍ୟବସାୟୀର ଘର ସାମ୍ନାରେ ଅନେକ କାଚ ଶିଶି ବୋତଲକୁ ମୁଁ ଏକ ନିଝୁମ ସନ୍ଧ୍ୟାରେ ଦେଖିଥିଲି। ସହକାର ବୃକ୍ଷରେ ସେତେବେଳେ ପେଚକ ସୁମଧୁର ସ୍ୱରରେ ବସନ୍ତ ବିରହ ଗାଉଥିଲେ। ତୁମକୁ ମିଛ ମତେ ସତ ସେମାନେ କଥାବାର୍ତ୍ତା କରୁଥିଲେ, ମୁଁ ବେତାଲ ସାଧିନି ଯେ ପଶୁପକ୍ଷୀଙ୍କ କଥା ବୁଝିପାରିବି କିନ୍ତୁ ତମ ରାଣ ପାଠକେ, ମୁଁ ବୋତଲ ସାଧିଛି ତେଣୁ ତାଙ୍କ କଥା ବୁଝିପାରେଁ।
କହିଲ ପରା ବୋତଲ ଓ ବୋତଲିଆ ଦୁହେଁ ପରା ବନ୍ଧୁତାରେ ଗୋଳିପାଣି ଓ କିମ୍ଭୀର ପରିକା।
ଶୁଣିବ?
ବନ୍ଧୁହେ ଅଭ୍ୟାସ ଯଦି ନାହିଁ ତେବେ ଶୁଣ, ଅଭ୍ୟାସ ଥିଲେ ତୁମକୁ ପାଠକ କିଏ କହିବ।
* * * * * * * *
ଗଭୀର ରାତ୍ରି
ଗୋଟିଏ ପତର କୁଡ଼ିଆ। ତାହାରି ଆଗରେ ଜମା ହୋଇ ରହିଚି ନାନା ପ୍ରକାର, ନାନା ଜାତିର ବୋତଲ, ଠିକ୍ ଆମ ରିପବ୍ଲିକର ଜନତା ପରି।
ହଠାତ୍ ଗୋଟିଏ ଲମ୍ବ ମୁହଁ ନେଳୀରଙ୍ଗର ବୋତଲଟି ଦୀର୍ଘ ନିଃଶ୍ୱାସ ପକାଇ କହିଲା-
‘‘ ଭାଇମାନେ କାଲି ସକାଲେ ତ ଆମକୁ ବୋତଲ ନୀଳା ସମ୍ବରଣ କରିବାକୁ ହେବ, ତେବେ ଆପଣମାନେ ଯଦି ଏକମତ ହୁଅନ୍ତି ତାହା ହେଲେ ମୁଁ ମୋର ଜୀବନୀ କହିବି।’’
ଶବ୍ଦ ଦ୍ୱାରା ସମ୍ମତି ଜଣାଇଲେ ଅନ୍ୟାନ୍ୟ ବୋତଲଗଣ। ଲମ୍ବ ବୋତଲ ଆରମ୍ଭ କଲେ…
ମୁଁ ଥିଲି ଗୋଟାଏ ଶୁଣ୍ଢି ଦୋକାନରେ। ଆସନ୍ନ ସନ୍ଧ୍ୟାରେ ହଠାତ୍ ଦିନେ ଗୋଟାଏ ଦିନ ମଜୁରିଆ ଆସି ମୋତେ କିଣି ନେଲା।
ମୋ ଭିତରେ ଥିଲା ମଦ।
ମୋତେ ଲୋକଟା ପିଇ ତା’ର କି ଆନନ୍ଦ, ଏଇ ଗୀତ ଗାଉଛି, ଏଇ ନାଚୁଛି, ଏଇ ତାଳି ମାରୁଛି। ଏଇ ଚାଲୁଛି, ଏଇ ପଡ଼ିଯାଉଛି, ମାଟିରେ ଗୁରୁଣ୍ଡୁଛି। ଥରେ ବଡ଼ ପାଟିରେ କହି ଉଠିଲା, ‘‘ ଏ କେ ଅଛ, ଆସ ମୁଁ ଦିଲ୍ଲୀ ବିକି ଦେବି, କିଏ କିଣିବ; ଆସ ଆସ ଅତି ଶସ୍ତା ଦରରେ ବିକୁଛି ଯେ ଆସ।’’
ପାଟି ଶୁଣି ଗୋଟାଏ ପୋଲିସ ଧାଇଁ ଆସିଲା। ପୋଲିସଟା ପଚାରିଲା-
‘‘ପିଇଛୁ? ଥାନାକୁ ଯିବୁ ନା ଏଇଠି ଫଇସଲା ହେବ।’’