ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଆରେ ବାବୁ ଚାପଧାରୀ
କି ଦଣ୍ଡ ଦେଲା ତୋହରି
କାନ୍ଦି କଉଶଲ୍ୟା ବୋଲନ୍ତି କୈକେୟୀ ଅରଜିବ କେଉଁ ଶିରୀ ଲୋ।
କୋଇଲି ଶୁଣ ଲୋ।(୧)
ଏହି ମଗୁଶିର ମାସ
କାକର ପଡ଼େ ବିଶେଷ
ଶୀତଳ ପବନ ବହେ ଘନ ଘନ ମୋ ପୁତ୍ର କରିବ କିସ ଲୋ
କୋଇଲି ଶୁଣ ଲୋ (୨)
ପୁଷମାସେ ବଡ଼ ଶୀତ
କଷ୍ଟ ଦିଏ ଅପ୍ରମିତ
ବିନା ବସନରେ ବୃକ୍ଷବକଳରେ କି ଦୁଃଖ ନ ହେବ ଜାତ ଲୋ।
କୋଇଲି ଶୁଣ ଲୋ (୩)
ମାଘରେ ତହୁଁ ଅଧିକ
ଗରିବ ଦୁଃଖଦାୟକ
ଅମୂଲ୍ୟ ସୁପାତି ତେଜି ରଘୁପତି ବୁଲଇ କାନନଯାକ ଲୋ।
କୋଇଲି ଶୁଣ ଲୋ (୪)
ଫଗୁଣେ ଫଗୁଖେଳରେ
ମାତିଛନ୍ତି ଘରେ ଘରେ
ମୋ ଅନ୍ଧୁଣୀଧନ ମୋଠୁ ହୋଇ ଭିନ୍ନ ଭସାଇଲା ଶୋକନୀ ଲୋ
କୋଇଲି ଶୁଣ ଲୋ (୫)
ଚଇତ୍ର ମାସରେ ଖରା
ନୀରସ କରଇ ଧରା
ଶରୀରରୁ ଝାଳ ବହେ ଅନର୍ଗଳ ପରାଣ ହୋଏ ଘାବରା ଲୋ।
କୋଇଲି ଶୁଣ ଲୋ (୬)
ବଇଶାଖ ଖରା ଚାହିଁ
ବାହାରକୁ ନୋହେ ଯାଇ
କେଉଁ ବୃକ୍ଷମୂଳେ ଜୀବନ ବିକଳେ ଥିବ ମୋର ପୁତ୍ର ରହି ଲୋ।
କୋଇଲି ଶୁଣ ଲୋ (୭)
ଜ୍ୟେଷ୍ଠେ ମୋ ଜ୍ୟେଷ୍ଠ ନନ୍ଦନ
ଜାନକୀ ସହ ଲକ୍ଷ୍ମଣ
ନାନା ପକ୍ୱଫଳ ଖୋଜି ବୁଲୁଥିବ ବିଧିର ଏ ବିଡ଼ମ୍ବନା ଲୋ
କୋଇଲି ଶୁଣ ଲୋ (୮)
ଆଷାଢ଼ ମାସରେ ମେଘ
ଗରଜଇ ଯେହ୍ନେ ବାଘ
ବେଳେବେଳେ ଦୃଶ୍ୟ ହୁଅଇ ଅଦୃଶ୍ୟ ଘୋଟିଯାଏ ଚଉଦିଗ ଲୋ।
କୋଇଲି ଶୁଣ ଲୋ (୯)
ଦେଖ ଧାରା ଶିରାବଣ
ଜଳ ପଡ଼େ ଅନୁକ୍ଷଣ
ଘର ଘାଟ ନାହିଁ ମୋ ଦୁଃଖିସଙ୍ଖାଳି କି ରୂପେ କାଟିବ ଦିନ ଲୋ।
କୋଇଲି ଶୁଣ ଲୋ (୧୦)
ଭାଦ୍ରବ ହେଲେ ପ୍ରବେଶ
ସୁନିର୍ମଳ ଦଶ ଦିଶ
ଅତି ସୁକୁମାରି ଜନକ କୁମାରୀ ମନେ ଭାଳୁଥିବ କିସ ଲୋ।
କୋଇଲି ଶୁଣ ଲୋ (୧୧)
ଆଶ୍ୱିନେ ଚନ୍ଦ୍ର କିରଣ
କରଇ ମନ ହରଣ
କେତେମତେ କେତେ ଉତ୍ସବ କରନ୍ତା ଘରେ ଥିଲେ ରଘୁରାଣ ଲୋ।
କୋଇଲି ଶୁଣ ଲୋ (୧୨)
ଏ ମହା କାର୍ତ୍ତିକ ମାସ
ଭଣିଲେ ଶଙ୍କର ଦାସ
ସୀତା ସଙ୍ଗେ ଘେନି ରଘୁକୁଳମଣି ଭୋଗ କଲେ ବରମାସ ଲୋ
କୋଇଲି ଶୁଣ ଲୋ (୧୩)