ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୂଳ ଲେଖା – କେ.ଶିବରାମ କରନ୍ଥ
ଅନୁବାଦ – ଅସିତ୍ ମହାନ୍ତି
ସୋନାଲି ପତ୍ରିକା ଦୁଇଟି ପଢ଼ିସାରି ଗୋଟାଏ କଡ଼କୁ ରଖିଦେଲା ପତ୍ରିକା ଦୁଇଟି ଥିଲା ‘ପ୍ରଭାତ’ ଓ ‘ସ୍ବଦେଶାଭିମାନ’ ଇତିମଧ୍ୟରେ ପତ୍ରିକା ଦୁଇଟିକୁ ସିଏ ପାଞ୍ଚପାଞ୍ଚଥର ପଢ଼ି ସାରିଲାଣି ତଥାପି ବି ସମୟ ନକଟିବାରୁ ସପ୍ତାହେ ତଳର ପୁରୁଣା ଖବରକାଗଜଗୁଡ଼ାକ କାଢ଼ି ସେ ସବୁକୁ ଓଲଟପାଲଟ କରି ଆଖି ପକେଇବାରେ ଲାଗିଲା ସୋନାଲିର ଖବରକାଗଜ ପଢ଼ା ଦେଖି ଶାଶୁ ରାଜିବୀ ଯେମିତି ଗୋଟାପଣେ ତାତି ଉଠିଲା ସମୟ କାଟିବାର ଆଉ କି ଉପାୟ ବା ତା’ର ଥିଲା ! ଶାଶୁଙ୍କୁ ରୋଷେଇବାସରେ ସାହାଯ୍ୟ କଲା, ଡାଲି ବଘାରି ଦେଲା, ଅଟା ଚକଟି ରୁଟି ବେଲିଦେଲା, ରୋଷେଇ ସରିବା ପରେ ସବୁ ସଜଡ଼ାସଜଡ଼ି କରି ଥୋଇଦେଲା ତଥାପି ବି ସମୟ କଟୁନାହିଁ ପଡ଼ିଶା ଘରୁ ମାଗି ଆଣିଥିବା ‘ସଣ୍ଡେ ଟାଇମ୍ସ’ ବି ଓଲଟପାଲଟ କରି ଦେଖିଲା ଯେତେବେଳେ ମନରେ ଶାନ୍ତି ନାହିଁ, ସେତେବେଳେ ଏଇ ଖବରକାଗଜଗୁଡ଼ାକ ବା କ’ଣ କରିପାରିବ ? ‘ହିନ୍ଦୁ’ ଯଦି ଆସୁଥାଆନ୍ତା, ତା’ହେଲେ ଅବା ଆଉ କିଛି ସମୟ କଟିଯାଇ ପାରୁଥାଆନ୍ତା ମାତ୍ର ମାସକୁ ମାସ ସେଥିପାଇଁ ପଇସା ଦେବା କଥା ଉଠିଲେ ତାର ସ୍ବାମୀ ଆପ୍ପଣା କମ୍ତୀର ଛାତିରେ ଯେମିତି ଛନକା ପଶିଯାଏ
ରାତି ଆଠଟା ବାଜି ସାରିବା ପରେ ମିନିଟ୍ କଣ୍ଟା ଆହୁରି ଘେରାଏ ବୁଲି ଆସିଲାଣି ସ୍ବାମୀ ନଆସିବା ଆଗରୁ ଖାଇ ପାରିବ ନାହିଁ ନିଦ ଲାଗୁଥିଲେ ସୁଦ୍ଧା ଶୋଇ ବି ପାରିବ ନାହିଁ ଦୋକାନ ବନ୍ଦ କରି ଘରକୁ ଆସୁଆସୁ ଆପ୍ପଣା କମ୍ତୀର ଦଶଟା ହେଇଯାଏ ସକାଳ ଆଠଟାରୁ ରାତି ଦଶଟା ଯାଏ ତାର ଦୋକାନ ଖୋଲା ଏମିତି କିଛି ଜିନିଷ ନାହିଁ, ଯାହା ତା’ ଦୋକାନରେ ନମିଳିବ ଧାର୍ କରଜ ଦେବାର ସାହସ ବି ତାର ଅଛି ଆଖପାଖର ସାରା ଗାଆଁ ପାଇଁ ସେଇଟା ଖାଲି ଗୋଟାଏ ତେଜରାତି ଦୋକାନ ନ ଥିଲା; ଥିଲା ଗାଆଁର ପଞ୍ଚାୟତ ଆଉ ଜନତା ଜନାର୍ଦ୍ଦନଙ୍କ କଚେରୀ ବି
ଆପ୍ପଣା ଗାଆଁର ଟିକିନିଖି ଖବର ରଖେ ତେଣୁ ନିଜର ପରି ସେ ସେଇସବୁ କଥା କହୁ କହୁ ଭୁଲେଇ ଦଣ୍ଡି ମାରିଦିଏ ବା ପଳାରେ କମ୍ ମାପି ଜିନିଷ ଦେଇଦିଏ ମୂର୍ଖ ଗରାଖ ବିଚରା ସେକଥା ଜାଣି ପାରେ ନାହିଁ ଏଣୁ, ଏମିତିରେ ଦେଖିଲେ ସଞ୍ଜ ଗଡ଼ିଯିବା ପରେ ବେପାରରେ ଯୋଉ ଲାଭ, ଅନ୍ୟବେଳେ ସେ ଲାଭ ସହଜ ନଥିଲା ସଞ୍ଜବତୀ ଲାଗିବା ପରେ ତିନିବର୍ଷର ପୁରୁଣା ଫିମ୍ପିମରା ଧୂଆଁପତ୍ର ବି ‘ବଢ଼ିଆ’ ନମ୍ବରୀ ବରାଦୀ ମାଲ୍ ବନିଯାଉଥିଲା ‘ମୁଁ କହୁଚି ପରା, ନେଇ ଦେଖ ଆଗ ! ଏ କୋଳଥ ସିଝେଇ ବଳଦ ଆଗରେ ଥୋଇଦିଅ, ଦେଖିବ, ବଳଦ କେମିତି ତାଟିଆ ଚାଟି ଖାଇବେ; ଏ ଡାଲି ସିଝଉ ସିଝଉ ତାର ବାସ ତିନିମାଇଲ ଯାଏ ଚହଟିଯିବ; ହଳଦି ମଚମଚ ଏ ହରଡ଼ ଫାଳକୁ ତୁ ପୁଣି ବାଜେ ବୋଲି କହୁଚୁ !’ ଏମିତି ଗରାଖମାନଙ୍କୁ ମୂର୍ଖ ବନେଇବାରେ ତାର ଆଦୌ କୁଣ୍ଠା ନଥିଲା କଥାବର୍ତ୍ତାରେ ସେ ଏପରି ଧୂରନ୍ଧର ଆଉ ଚତୁର ଥିଲା ଯେ ବାରମ୍ବାର ଧୋକା ଖାଇବା ପରେ ବି ଗରାଖମାନେ ଆପ୍ପଣା କମ୍ତୀର ଦୋକାନକୁ ହିଁ ଆସୁଥିଲେ
‘‘କମ୍ତୀ ଭାଇ, ସେଦିନ ତୁ ଯୋଉ ହରଡ଼ ଡାଲି ଦେଇଥିଲୁ ନା, ତାକୁ ମଇଁଷି ବି ଛୁଇଁଲେ ନାଇଁ ପୂରାପୂରି ପୋକରା- ଖାଲି ଯେମିତି ଅଟା ଝରୁଚି !’’ ଗରାଖର ଅଭିଯୋଗ ଶୁଣିବା ମାତ୍ରେ ସେ କହୁଥିଲା, ‘‘ଆଚ୍ଛା, ଆଚ୍ଛା, ଛାଡ଼ ସେକଥା ମୁଁ ତାର ଭାଉ ଅଢ଼େଇଅଣା କହିଥିଲି ନା, ଏବେ ଦି’ଅଣା କରିଦଉଚି; ହେଲା ! ତମ ପରି ଲୋକ କ’ଣ କେବେ ମିଛ କହିବ !’’ ଏମିତି ଭାବେ ଗରାଖଙ୍କୁ ବୋଧଦେଇ ସେଥର ବି ସେଇ ଏକା ପୋକରା ଡାଲି ଗରାଖ ମୁଣ୍ଡରେ ସେ ଥାପି ଦେଉଥିଲା ଦୋକାନକୁ ଯୋଉ ଗରାଖ ଆସୁ ପଛକେ, ସିଏ ସବୁବେଳେ ସେଇ ଗୋଟିଏ କଥା କହୁଥିଲା- ’‘ଆପଣଙ୍କ ଅଜାଙ୍କ ଅମଳରୁ ପରା ମୋ’ଦୋକାନରୁ ସଉଦା ଯାଉଚି ପିତୃପୁରୁଷଙ୍କ ଋଣାନୁବଦ୍ଧତା କହିଲେ ଅସଲରେ ଏଇଆ’’
କମ୍ତୀ ରାତିରେ ଡେରି କରି ଘରକୁ ଆସୁଥିଲା, ଆଉ ତୁରନ୍ତ ହାତଗୋଡ଼ ଧୋଇ ଖାଇବାକୁ ବସିଯାଉଥିଲା ତାର ମାଆ ବି ତା’ ସାଙ୍ଗେ ଖାଇବାକୁ ବସୁଥିଲା ସୋନାଲି ପରଷି ଦେଉଥିଲା ଖାଇ ସାରିବା ପରେ କମ୍ତୀ ସାଙ୍ଗେ ସାଙ୍ଗେ ଶୋଇବାକୁ ଚାଲିଯାଉଥିଲା ସୋନାଲି ଖିଆପିଆ, କାମଦାମ ସାରି ଆସିଲା ବେଳକୁ ଆପ୍ପଣା ଶୋଇପଡ଼ୁଥିଲା ନିଘୋଡ଼ ନିଦରେ ତା’ର କୁମ୍ଭକର୍ଣ୍ଣ ନିଦ ଯାଇ ସକାଳେ ଭାଙ୍ଗୁଥିଲା, ଆଉ ତରବର ହେଇ ନିତ୍ୟକର୍ମ ସାରିଦେଇ ସିଏ ଦୋକାନକୁ ବାହାରି ଯାଉଥିଲା ସୋନାଲି ବି ଘରର କାମଦାମରେ ଲାଗିଯାଉଥିଲା ଦି’ପହରରେ ଦି’ଟା ବାଜିବା ଆଗରୁ କମ୍ତୀ କେବେ ଘରକୁ ଫେରୁ ନଥିଲା ସିଏ ଘରକୁ କେତେବେଳେ ଆସୁଥିଲା ଆଉ ଘରୁ କେତେବେଳେ ଯାଉଥିଲା, ତାହା ଜାଣିବା ମୁସ୍କିଲ୍ ଥିଲା
ସୋନାଲି ଯଦି ଜିଦ୍ କରି ଘଣ୍ଟାଏ ପହରେ ଆରାମ କରିବାକୁ କହୁଥିଲା ତ କମ୍ତୀ ବିରକ୍ତ ହେଇ କହୁଥିଲା- ‘‘ଗରାଖ କ’ଣ ଆଉ ରଖିବେ ! ଧୂଆଁପତ୍ର ବେପାରୀ ଆସିଚି ତା’ସାଙ୍ଗେ ମୂଲଚାଲ କରି ଦେଇ ଆସିଚି ମାଲ୍ ଏଯାଏ ଓଜନ ବି ହେଇନାଇଁ ଯଦି ସିଏ ନିଜେ ଓଜନ କରିଦେଇ ଚାଲିଯାଏ ତା’ହେଲେ ମହଣକ ତିରିଶି ସେର ହବ ଜାଣି ଥା’ ’’ ଏମିତି କିଛି କହୁ କହୁ ସିଏ ଅସମ୍ଭାଳ ହେଇ ଘରୁ ବାହାରି ଚାଲିଯାଉଥିଲା
ଦିନେ ଦିନେ ରାତିରେ, ସୋନାଲି ଭଗୀରଥ ପରି ଯତ୍ନ କରି ଯଦି କମ୍ତୀ ସାଙ୍ଗେ କଥା ହେବାକୁ ଚେଷ୍ଟା କରୁଥିଲା, ତା’ହେଲେ ସିଏ ଠିକ୍ କରି ପାରୁନଥିଲା ଯେ ତା’ ସାଙ୍ଗେ କି କଥା ହେବ ଆପ୍ପଣା ଯଦିବା କେବେ ମୁହଁ ଖୋଲୁଥିଲା, ‘‘ଏ ବର୍ଷ ଭଲ ପାଳକ ହବ’’ ବା ‘‘ପାର୍ବତୀ ଷ୍ଟିମର, ବନ୍ଦରରେ ଆସି ପହଞ୍ଚି ପାରିଲା ନାହିଁ’’ ଆଦି ହିଁ କହୁଥିଲା ‘‘ସେଦିନ ଷ୍ଟିମର୍ ଆସିବା ଖବର ଆସିଲା, ହେଲେ ଏଥର ‘ପାର୍ବତୀ’ ଆସି ନାଇଁ ପାର୍ବତୀ ତ ଖୁବ୍ ଛୋଟ ଏବେ ଯୋଉ ‘ଦମୟନ୍ତୀ’ କାର୍ଗୋ ବୋଟ୍ ଆସୁଚି, ତାହା ବନ୍ଦରକୁ ତିନିଥର ଆସି ଲେଉଟି ଗଲାଣି ଦୋକାନରେ ଦାନାଏ ହେଲେ ଚିନି ନାହିଁ ଦମୟନ୍ତୀରେ ୩୦୦ବସ୍ତା ଲଦା ହେଇଚି; ହେଲେ ଏ ବଦମାସ୍ ତୋଫାନ୍ଟା ଜମା ପିଛା ଛାଡ଼ୁନାହିଁ କଲମ୍ବୋରେ ତ ବର୍ଷା ଆସିଗଲାଣି’’
ଆପ୍ପଣାର ଏ ଲମ୍ବା ଭାଷଣ ଶୁଣି ସୋନାଲି ଚିଡ଼ିଯାଏ ସାରା ମାସରେ ଦିନଟିଏ ହେଲେସେ ତାର ଦୁଃଖସୁଖ ବୁଝନ୍ତା ! ହଠାତ୍ ତାର ମୁହଁରୁ ବାହାରି ଗଲା-‘‘ଦମୟନ୍ତୀ ଆସୁ କି ନଆସୁ, ମୋର କି ଗରଜ ପଡ଼ିଚି ତମ ଷ୍ଟିମର ତ କୋଉଦିନ ବନ୍ଦ ହବାର ନାଇଁ ଚିନି ନମିଳିଲା ନାଇଁ, ମିଠା କଥାର ବି କ’ଣ ଅଭାବ ପଡ଼ିଚି ? ଯାହାର କଥାବାର୍ତ୍ତା ହବାକୁ ବି ତର ନାଇଁ, ତାର ବାହା ହବା କି ଦରକାର ଥିଲା !!’’
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ରୂପଧର, ହାଇଦ୍ରାବାଦ | ନଭେମ୍ବର୍ ୧୮, ୨୦୧୩ - ୭:୧୦ ପୂର୍ବାହ୍ନ
ଦୁଇଟି ଭିନ୍ନ ଭାଷା ଏବଂ ପରିବେଶଗତ ଭିନ୍ନତା ମଧ୍ୟରେ ଜୀବନର ସମସ୍ୟା ଭିନ୍ନ ନୁହଁ । ଯାହା ଏହି ଅନୁଦିତ ରଚନାର ପ୍ରାସଙ୍ଗିକତା ଆଧୁନିକ ଜୀବନରେ ପରିଲକ୍ଷିତ ହୁଏ । ମହାନ ରଚନାକାରଙ୍କ କୃତିର ଏହା ବିଶିଷ୍ଟତା । ସ୍ବାଗତଯୋଗ୍ୟ ଅନୁଦିତ ରଚନା ।ଧନ୍ୟବାଦ