ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କାଲି ରାତି ଅନ୍ଧାରରେ
ମୁଁ ତୁମ ଉପରେ
ସନ୍ତର୍ପଣରେ ହାତ ରଖିଲି
କାଳେ ଚମକିପଡି
ତୁମ ନିଦ ଭାଙ୍ଗିଯିବ ବୋଲି
ତୁମେ କିନ୍ତୁ ନିଘୋଡ ନିଦରେ
ଅଚେତ ଥିଲ
ଦିନଯାକର ଖେଳକୁଦ ପରେ
କ୍ଲାନ୍ତ ଶିଶୁଟିଏ ପରି
ତୁମ ଶ୍ବାସ ପ୍ରଶ୍ବାସର
ଗଳିକନ୍ଦିରେ
ତୁମ ସ୍ପନ୍ଦନର ଗିରି କାନ୍ତାରରେ
ମୁଁ ବୋଧହୁଏ ଖୋଜିଲି
ତୁମ ଆତ୍ମାକୁ
ଜାଣେ, କାଲି ସକାଳକୁ
କାହାରି ହେଲେ
ମନେ ନ ଥିବ
ଯେ ଆମେ କାଲି ପୂରା ଦିନଟା
ସାଙ୍ଗ ହୋଇ ବିତାଇଥିଲେ,
ଘର ସଜାଡି, ପରସ୍ପରର
ଝାଳ ପୋଛି, ଗୀତ ବୋଲି
ହସି କାନ୍ଦି ଗପି ଖେଳି
ପୃଥିବୀର
କାହାରି ମନେ ନ ଥିବ
ଯେ ଆମେ କାଲି
ଏଇ ଘରେ
ସାଙ୍ଗ ହୋଇ ଥିଲେ !
ଏପରିକି ତୁମର ବି ମନେ ନ ଥିବ
ଯେ ତୁମ ପାଖରେ ସାରାରାତି
କାଲି ମୁଁ ଶୋଇଥିଲି
ଓ ତୁମ ଆତ୍ମାକୁ
କେତେଥର ଛୁଇଁଥିଲି
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. ତରୁଣକାନ୍ତି ମିଶ୍ର | ଅକ୍ଟୋବର୍ ୩, ୨୦୧୧ - ୯:୧୧ ପୂର୍ବାହ୍ନ
ସୁନ୍ଦର କବିତା, ମନକୁ ଛୁଇଁଯାଏ, ଭିଜାଭିଜା ହାଲୁକାଏ ପବନ ପରି
୨. ରଞ୍ଜନ କୁମାର ପାଣିଗ୍ରାହୀ | ଜୁଲାଇ ୧୮, ୨୦୧୨ - ୨:୫୮ ପୂର୍ବାହ୍ନ
ଅତି ସୁନ୍ଦର କବିତା, େବଶ ମନଛୁଅାଁ