ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ
ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ର
ଗଛଟା ସାରା ଚଢେଇରେ ଭର୍ତ୍ତି
ଯେତିକି ପତ୍ର ଗଛରେ
ସେତିକି ହିଁ ପକ୍ଷୀ
ପ୍ରତିଟି ପକ୍ଷୀର କିଚିରିମିଚିରିରେ
ଦୋହଲୁଥାଏ ନିକଟତମ ପତ୍ର
ଗଛଟାଯାକ ପବନରେ ଭରପୁର
ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ରର ମୁହଁକୁ
ଲକ୍ଷ୍ୟ କରି ଫିଙ୍ଗିଲି ମୁଁ
ଗିଲାସରୁ ବାକିତକ ମଦ
ଝରକା ରେଲିଂରେ ବାଜି ସଶଦ୍ଦରେ
ଖସିପଡ଼ିଲା ମଦର ଟୁକୁଡ଼ା
ସେ ଶଦ୍ଦ, ମନେ ହେଲା,
ଆସୁଥିବା ଭଳି ଅନେକ ଦୂରରୁ
ଏମିତି କି ହୋଇପାରେ ବି, ଚନ୍ଦ୍ରରୁ
ସବୁଆଡେ କିଛି କିଛି ଶବ୍ଦ ସବୁବେଳେ
କେଉଁଠି କାନ୍ଥ ଭାଙ୍ଗୁଥିବା ଶବ୍ଦ, ଡୋଜର୍ର
ତ କେଉଁଠି କାନ୍ଥ ଗଢୁଥିବା
କିଶୋରୀ ରେଜାର ଗୀତ
ସବୁଠାରୁ କିଛି କିଛି ଶବ୍ଦ ଶୁଣିହୁଏ
ଚେତନାକୁ ନୀରବ ରଖିଲେ
ଝରକା ଏପାଖେ ମୁଁ ଏକୁଟିଆ
ଚଉକି ଉପରେ ଚୁପ୍ଚାପ୍
ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ
ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?
୧. dilu | ଅଗଷ୍ଟ୍ ୭, ୨୦୧୦ - ୬:୧୫ ପୂର୍ବାହ୍ନ
ବହୁତ ମନ ଛୁଆଁ ହୋଇଛି
୨. dilu | ଅଗଷ୍ଟ୍ ୮, ୨୦୧୦ - ୩:୩୨ ପୂର୍ବାହ୍ନ
ବହୁତ ମନଛୁଆଁ ହୋଇଛି | କବିଙ୍କୁ ବହୁତ ଧନ୍ୟବାଦ | ଆପଣଙ୍କ “ଦର୍ପଣ” କବିତା ଟି ପଢିଲି, ବହୁତ ହୃଦୟ ସ୍ପର୍ଶି ହୋଇଛି |
୩. ତରୁଣକାନ୍ତି ମିଶ୍ର | ଅକ୍ଟୋବର୍ ୩, ୨୦୧୧ - ୯:୨୫ ପୂର୍ବାହ୍ନ
କବିତାଟି ଭଲ ଲାଗିଲା, ଏଇ ନିରୋଳା ସମୟର ଚୁପଚାପ୍ ନିର୍ଜନତା ଭିତରେ
୪. ମନ୍ମଥ କୁମାର ଦଳେଇ | ସେପ୍ଟେମ୍ବର୍ ୧୫, ୨୦୧୬ - ୬:୩୯ ପୂର୍ବାହ୍ନ
ଅତି ସୁନ୍ଦର କବିତା । ପଢି ଭଲ ଲାଗିଲା । କବିତାଟି ଆମୂଳଚୂଳ ଭଲ ହେଇଛି । ପୁରା ୧୦ ରୁ ୧୦ ।