ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଚୂଲିରେ ବସିଚି ଭାତହାଣ୍ଡି
ଫୁଟୁଚି ଭାତ
ଆଞ୍ଜୁଳେ ଦାନାର ଇନ୍ଦ୍ରଜାଲ
ଚୂଲି ତଳେ ନିଆଁ ଓ ପାଉଁଶ
ଆଞ୍ଜୁଳେ ଦାନା ଯୋଗାଡ଼ିବାକୁ
ଗଛତୋଳା, ଖଣିଖୋଳା,
ପୋଖରୀଖୋଳା
ପୁଣି ଭୂଇଁଦଳା
ଏଇ ଭାତହାଣ୍ଡିଟା ପାଇଁ ସବୁ
ଲାଞ୍ଚ ଲବି ଲେହନ
କୈଫିୟତ ଟିପଚିହ୍ନ
ନାଲିଆଖି ଉପଢ଼ୌକନ
ଅନଶନ କୀର୍ତ୍ତନ
ଭାତହାଣ୍ଡି ପରି ମୋର ଏଇ ପେଟ
ମୋର ମୁଣ୍ଡ
ମୋର ଯାବତୀୟ ହାଡ଼ ଲୁହ ରକ୍ତ ଝାଳ
ସବୁ ଟକ୍ମକ୍ ହୋଇ ଫୁଟୁଥାନ୍ତି,
ଭାତହାଣ୍ଡିଟା ନିଜର କରିବାକୁ
ମୁକୂଟ ଲୋଟିଯାଏ ଧୂଳିରେ
ସ୍ବପ୍ନକୁ ବସାଯାଏ ସନ୍ତାପର ସିଂହାସନର,
କଳା ଡାଆଣୀ ପରି ଦିଶେ ନାରୀ
ପୁରୁଷ ପାଲଟେ ସଇତାନ୍
ଭାତହାଣ୍ଡିରେ
ଟକ୍ମକ୍ ଦାନା ଫୁଟୁଥିବାର ଦିଶେ
ଦପ୍ତରରେ, ଦାରିସାହିରେ
ଯୁଦ୍ଧରେ, ଶେଯରେ, ସବୁଠି
ଭାତହାଣ୍ଡି ପୂର୍ଣ୍ଣ ତା ଜୀବନ ଲାଗେ
ଅସାର, ଅବାନ୍ତର
ଅପୂର୍ଣ୍ଣ ଭାତହାଣ୍ଡି ହିଁ କାରଣ ଜୀବନର
ଆଞ୍ଜୁଳେ ଦାନାର ଇନ୍ଦ୍ରଜାଲ ମତାଏ ସଂସାର,
ଯୁଗଯୁଗାନ୍ତର
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. Manmath Kumar Dalei, DEEPSHIKHA | ଅଗଷ୍ଟ୍ ୧୬, ୨୦୧୯ - ୪:୧୭ ଅପରାହ୍ନ
Wonderful creation. Enjoyed very line.