ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ନ୍ୟାୟ ନିଶାପ ସରିଲା
ଚଉପାଢ଼ିରେ ଭାଗ ହୋଇଗଲା ଜୀବନ
ଚା ପାନ ଖାଇ ହିସାବ ଦେଲେ ସାଆନ୍ତମାନେ
ବର୍ଷ ବର୍ଷର ଶ୍ରଦ୍ଧାର ଦୁଆରେ
ଉଠିଲା ଈର୍ଷାର ପାଚେରି
ଘର କଣର ଗୋଟି ଗୋଟି ଜିନିଷ
ଥୁଆଗଲା ଦାଣ୍ଡରେ
ଫିତା ପଡ଼ିଲା
ସୂତେ ସୂତେରେ ମାପ ହେଲା
ଜମିବାଡି, ଘରଡିହ, ହୃଦୟ
ବହୁ ଦିନରୁ ବାପାଙ୍କ ସଞ୍ଚିତ ସିନ୍ଧୁକ
ହରକୁଲେସ୍ ସାଇକେଲ, ହାତଘଡ଼ି
ଅନେକ ଆଶା, ଆକାଙ୍କ୍ଷା
ସବୁକିଛି ମଝିରୁ ଦି ଭାଗ ହେଲା
ଭଲରେ ଭଲରେ ଚାଲିଥିବା ଜୀବନ
ବେଳେବେଳେ ଲଘୁଚାପ ପରି ଦିଗ ବଦଳାଏ
କପାଳର ବଳିରେଖା କୁଞ୍ଚିତ ହୁଏ
ମନ ଚାହେଁ ସମୁଦ୍ରରୁ ଦୁଇ ଆଞ୍ଜୁଳା ଜଳ
ଇଚ୍ଛା ହୁଏ ଚାଳରୁ ଗଡୁଥିବା ବର୍ଷାପାଣିରେ
ଘଷି ମାଜି ଧୋଇ ଦେବାକୁ ହୃଦୟ
କିନ୍ତୁ ଏସବୁ ସ୍ବପ୍ନର ଧାର୍ ଧାରନ୍ତି ନାହିଁ ସାଆନ୍ତେ
ଚଉପାଢ଼ିରେ ଚା-ପାଣି ଖାଇ
ସାହି ମାମଲତକାର ଉଠାଇଲେ ବୁଝାମଣାର ନୂଆ ପାଚେରି
କିନ୍ତୁ ସମସ୍ତେ ତାଟକା
ଶେଷରେ ବଳିଲା ଗୋଟିଏ ଜିନିଷ
ଆରେ ! ଇଏ କୋଉଠି ଥିଲା ?
ମାପ.. ମାପ.. ଫିତା ପକାରେ..
କିଛି ଦୂରରେ ଦାଣ୍ଡପିଣ୍ଡାର
ଠିକ୍ ସେଇ ଜାଗାରେ
କାନ୍ଥକୁ ଆଉଜି ବସିଥିଲା ବୋଉ
ଯେଉଁଠି ଉଠିବାର ଥିଲା ଈର୍ଷାର ପାଚେରି |
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. ଅରୁନ୍ଧତି ମିଶ୍ର ପଟନାୟକ | ଅକ୍ଟୋବର୍ ୧୯, ୨୦୧୨ - ୧୧:୨୯ ଅପରାହ୍ନ
ଏତେ ସୁନ୍ଦର୍ ଲେଖା, ପଢି ମନ ଭରି ଗଲା, ସତେ ଯେମିତି ଆଖି ଆଗରେ ଉଭା ହେଇଗଲା ପିଲା ଦିନ… ହୃଦୟ ଭାରି ହୋଇଗଲା…
୨. ସୁନ୍ଦର୍ କବିତ, ଭଞ୍ଜନଗର୍ | ଅକ୍ଟୋବର୍ ୨୭, ୨୦୧୨ - ୧୧:୧୯ ପୂର୍ବାହ୍ନ
ଅତି ସୁନ୍ଦର୍
୩. sannyasi nayak, ମନମୁ | ଏପ୍ରିଲ୍ ୧୮, ୨୦୧୩ - ୪:୨୪ ଅପରାହ୍ନ
ଖୁବ୍ ସୁନ୍ଦର
୪. deepsha | ମେ ୧୭, ୨୦୧୩ - ୬:୫୬ ଅପରାହ୍ନ
it is a good poem. earlier I remember I had read it. what I really like about it is the smoothness in presenting such a sentimental issue. very strong indeed. regards
୫. Sangram Keshari Behera, cuttack | ମେ ୨୧, ୨୦୧୩ - ୬:୨୧ ପୂର୍ବାହ୍ନ
I read and it is very good and real reflection of society
୬. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା : ରାୟଗଡ, ଓଡିଶା | ମାର୍ଚ୍ଚ୍ ୭, ୨୦୧୬ - ୧୦:୨୬ ପୂର୍ବାହ୍ନ
ପୈତୃକ ଭାଗ ଶ୍ମଶାନର ଜୁଇ
ଝାଳବୁହା ଭାଗ ଯେ କୋରାଖଇ
ଆଜିର ଶିକ୍ଷିତ ସନ୍ତାନ ପାଇଁ
ମା’ ଭାଗ କିଛି ଅସମ୍ଭବ ନାହିଁ ॥
୭. ମନ୍ମଥ କୁମାର ଦଳେଇ, NTPC, kaniha | ସେପ୍ଟେମ୍ବର୍ ୧୪, ୨୦୧୬ - ୧୧:୪୫ ଅପରାହ୍ନ
କବିତାଟି ଏକ ବଳିଷ୍ଠ ବାର୍ତ୍ତା ପ୍ରଦାନ କରୁଛି । ଅତି ଚମତ୍କାର ଉପସ୍ଥାପନା । ଆପଣଙ୍କ କଲମ ଆଗକୁ ଆହୁରି ଅନେକ କବିତା ଲେଖୁ, ଏହା ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା ।