ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
( ମିଶୁ ମୋର ଦେହ ଏ ଦେଶ ମାଟିରେ ସ୍ୱର )
ଏ ଦେଶ ଭାରତ ଦୁଇ ଶହ ବର୍ଷ,
ଇଂରେଜ ଶାସନେ ହୋଇଥିଲା ବଶ |
ବିଦେଶୀଙ୍କ ଅତ୍ୟାଚାରେ ଦେଶବାସୀ,
ଦୁର୍ଦ୍ଦିନରେ କାଳ କାଟୁଥିଲେ ବସି |
ନିଷ୍ଠୁର ଶାସନେ ହୋଇ ନିଷ୍ପେସିତ,
ଦୁଃଖ ଯନ୍ତ୍ରଣାରେ ପାଉଥିଲେ କଷ୍ଟ |
ସମଗ୍ର ଦେଶର କୋଣ ଅନୁକୋଣ,
କରୁଥିଲେ ସ୍ଵେଚ୍ଛାଚାରୀର ଶାସନ |
ପରାଧୀନ ଶୃଙ୍ଖଳରେ ହୋଇ ଛନ୍ଦି,
ଭାଗ୍ୟକୁ ଆଦରି ହେଉଥିଲେ ବନ୍ଦୀ |
ବିଦେଶୀ ଶାସନେ ହୋଇଲା ଅତିଷ୍ଠ,
ନେତୃବୃନ୍ଦ ସର୍ବେ ହେଲେ ଏକତ୍ରିତ |
ଦେଶବାସୀଙ୍କର ଦେଖି ଦୁଃଖ କଷ୍ଟ ,
ସ୍ଵରାଜ୍ୟ ପାଇଁ କି ହେଲେ ସତ୍ୟନିଷ୍ଠ |
ସ୍ଵାଧୀନ ନିମନ୍ତେ କଲେ ସତ୍ୟାଗ୍ରହ,
ସ୍ଵାଧୀନ ହୋଇଲା ଏ ଦେଶ ସମୂହ |
ମୋ ଉତ୍କଳ ମାତା ସୁଷମାର ରାଣୀ,
ସନ୍ତାନବତ୍ସଳା ଆଶିଷଦାୟିନୀ |
କଳା,ସଂସ୍କୃତି ଓ ଜ୍ଞାନର ଆଦର ,
ତା’ର ଖ୍ୟାତିଥିଲା ଭୁବନେ ଅପାର |
ଗଙ୍ଗାଠାରୁ ଗୋଦାବରୀ ପରିଯନ୍ତ,
ଏ ରାଜ୍ୟ ଉତ୍କଳ ଥିଲା ସୁବିସ୍ତୃତ |
ଇଂରେଜଙ୍କ ଶ୍ୟେନ ଦୃଷ୍ଟିରୁ ମୁକତି,
ନହୋଇ ଉତ୍କଳ ଲଭିଲା ଦୁର୍ଗତି |
ସର୍ବସମ୍ପଦରେ ଥିଲା ପରିପୂର୍ଣ୍ଣ,
ସର୍ବସ୍ଵ ଲୁଟିଣ କରିଲେ ଶ୍ରୀହୀନ |
ଇଂରେଜଙ୍କ ଅନ୍ତେ ବଙ୍ଗ ଓ ବିହାର,
ଆନ୍ଧ୍ର ଦ୍ୱାରା ରାଜ୍ୟ ହୋଇଲା ଅସ୍ଥିର |
ଭାଷା ଓ ଜାତିକୁ କଲେ ବ୍ୟତିବ୍ୟସ୍ତ,
ଉତ୍କଳଜନନୀ ହେଲା ସନ୍ତାପିତ |
ବଙ୍ଗୀୟଙ୍କ ଷଡଯନ୍ତ୍ରର ଶିକାର,
ଉତ୍କଳ ହୋଇଲା ଦୁଃଖରେ କାତର |
ଉତ୍କଳର ନାହିଁ ନିଜ ମାତୃଭାଷା,
“ଓଡିଆ” ବଙ୍ଗର ରୂପାନ୍ତର ଭାଷା |
ତତ୍କାଳ ଉତ୍କଳର ନେତୃବୃନ୍ଦ,
ସ୍ଵତନ୍ତ୍ର ଉତ୍କଳ ପାଇଁକି ଚିନ୍ତିତ |
ଜାତି ଓ ଭାଷାର ସୁରକ୍ଷା ନିମିତ୍ତ,
ନେତୃବୃନ୍ଦ ସର୍ବେ କରିଲେ ଶପଥ |
ସ୍ଵତନ୍ତ୍ର ଉତ୍କଳ ଗଠନ ସକାଶେ,
ମଧୁସୂଦନଙ୍କ ଅଦମ୍ୟ ସାହସେ |
ଗଢିଲେ ଉତ୍କଳ ଐକ୍ୟ ସଙ୍ଗଠନ,
ଉତ୍କଳ ରାଜ୍ୟର ରଖିବାକୁ ମାନ |
ଫକୀରମୋହନ,କବି ଗଙ୍ଗାଧର,
ଉତ୍କଳମଣି ଓ ନାଥ କବିବର |
ପାରଳାର ରାଜା କୃଷ୍ଣ ଗଜପତି,
ବାମଣ୍ଡାରାଜନ ବାସୁଦେବ ଆଦି |
ନୀଳକଣ୍ଠ ଦାସ ଓ ଭୁବନାନନ୍ଦ,
ସମବେତ ହେଲେ ମହାରଥୀ ବୃନ୍ଦ |
ଏହି ମହାତ୍ମାଙ୍କ ଦୃଢ ପ୍ରତିବାଦ,
ଗୋରା ଇଂରେଜଙ୍କୁ କରିଥିଲା ସ୍ତବ୍ଧ |
ମାଡ୍ରାସ ପ୍ରେସିଡେନ୍ସୀରେ ଅନଶନ,
ବଜ୍ର ନିର୍ଘୋଷରେ କରିଲେ ଗର୍ଜନ |
ଟଳମଳ ହେଲା ଇଂରେଜ ଆସନ,
ଆତଙ୍କିତ ହେଲେ ବଡଲାଟଗଣ |
ଉନବିଂଶ ଶତ ଛତିଶବର୍ଷରେ,
ଅପ୍ରିଲ୍ ମାସର ଏକ ତାରିଖରେ |
ଉତ୍କଳ ହୋଇଲା ସ୍ଵତନ୍ତ୍ର ପ୍ରଦେଶ,
ଓଡ଼ିଆ ଭାଷାର ବଢିଲା ସୁଯଶ |
ସ୍ୱାବଲମ୍ବୀ ହେଲା ଆତ୍ମବିଶ୍ଵାସରେ,
ଆତ୍ମପରିଚୟ ଦେଲା ଏ ରାଷ୍ଟ୍ରରେ |
ଶତ୍ରୁଙ୍କ ମୁଖରେ ଲେପି ଚୂନ -କାଳି,
ବନାଇଲା ବୋକା ହୋଇ ସିଂହଭଳି |
ସଂଗ୍ରାମ ବଳରେ ଜନନୀର ମୁକ୍ତି ,
ସଭିଏଁ ଲଭିଲେ ଅସୀମ ଶାନ୍ତି |
ଅଷ୍ଟଦଶନ୍ଧିର ଦୀର୍ଘ ବ୍ୟବଧାନ,
ତଥାପି ଉତ୍କଳ ଆଜି ବି ଶ୍ରୀହୀନ |
ଅବସାନ ହେଲା ବ୍ରିଟିଶ ଶାସନ,
ଦେଶ ତ୍ୟଜି ଶତ୍ରୁ କଲେ ପଳାୟନ |
=o=
ସର୍ବ ବିଭବରେ ହୋଇ ଭରପୂର,
ଉତ୍କଳ ବୋଲାଏ ଦରିଦ୍ର ମାତର |
ଅଣଓଡ଼ିଆଙ୍କ ଏଠି ପ୍ରାଦୁର୍ଭାବ,
ଓଡ଼ିଆ ନ ଜାଣି ବୋଲାନ୍ତି ନବାବ |
ଖଣିସମ୍ପଦକୁ ଶାଗ,ମାଛ ଦରେ,
ନେତା -ଅଫିସର ଲୁଟିଲେ ତତ୍ପର |
ଇଂରାଜୀ ଭାଷାର ହୁଏ ପ୍ରଚଳନ,
ଓଡ଼ିଆ ଭାଷାର ନାହିଁ ତ ସମ୍ମାନ |
ବିଧାନସଭା ଓ ସର୍କାରୀଦପ୍ତରେ,
ସର୍ବତ୍ର ଇଂରାଜୀର ରାଜ ଚାଲେ |
ଆପଣା ଭାଷା ଓ ସଂସ୍କୃତିକୁ ଛାଡ଼ି,
ପାଶ୍ଚାତ୍ୟ ଧର୍ମକୁ ଧରିଲେ ଜାବୁଡ଼ି |
ହେ ଉତ୍କଳ! ତବ ଏହି କି ଦୁର୍ଦଶା,
ସର୍ବତ୍ର କାହିଁକି ହୁଅ ଲୋକହସା |
ତୁମ ଦୁର୍ଭାଗ୍ୟର କେବେ ଅବସାନ,
ଅତୀତ ସୁନାମେ ପାଇବ ସମ୍ମାନ |
ମଧୁବାବୁଙ୍କର ସ୍ଵପ୍ନର ଉତ୍କଳ ,
ସ୍ମୃତି ପାଲଟିଛି ହୋଇ ଚୁରମାର |
ଦୁର୍ନୀତି ଓ ଭ୍ରଷ୍ଟାଚାରୀଙ୍କ ଶାସନ,
ପାଉଅଛି ବହୁ ନିନ୍ଦା ଅପମାନ |
ଅମଲାତନ୍ତ୍ରୀ ଓ ନେତା -ଟାଉଟର,
ଉତ୍କଳ ରାଜ୍ୟକୁ କଲେ ଛାରଖାର |
ପୂରୁବ ଗୌରବ ଅତୀତର ଶିରୀ,
ଏ ସବୁକୁ ଆମେ ଯାଇଛୁ ପାସୋରି |
ଉତ୍କଳର ନାଥ ପ୍ରଭୁ ଜଗନ୍ନାଥ,
କରୁଅଛୁ ସର୍ବେ ଭକ୍ତି ପ୍ରଣିପାତ |
ଏ ରାଜ୍ୟର ରିଷ୍ଟ କରିଣ ଖଣ୍ଡନ,
ଚିରସ୍ଥାୟୀ ହେଉ ଉତ୍କଳ ସମ୍ମାନ |
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. ନରେଶ କୁମାର ବେହେରା, ବ୍ରହ୍ମପୁର | ଅଗଷ୍ଟ୍ ୧୨, ୨୦୧୬ - ୮:୧୯ ପୂର୍ବାହ୍ନ
ସୁନ୍ଦର ଲେଖାଟିଏ ହୋଇଛି ପ୍ରବୋଧ ଚନ୍ଦ୍ର ମୁଦ୍ରାଙ୍କର। ଏଥିରେ ଓଡିଶାର ସମ୍ପୁର୍ଣ ଇତିହାସ ଯେପରି ପ୍ରତିଫଳିତ ହେଉଛି। ମୋ ପ୍ରସଂଶିତ ଧାଡିଗୁଡିକ ହେଲା:
“ମଧୁବାବୁଙ୍କର ସ୍ଵପ୍ନର ଉତ୍କଳ ,
ସ୍ମୃତି ପାଲଟିଛି ହୋଇ ଚୁରମାର |
ଦୁର୍ନୀତି ଓ ଭ୍ରଷ୍ଟାଚାରୀଙ୍କ ଶାସନ,
ପାଉଅଛି ବହୁ ନିନ୍ଦା ଅପମାନ |
ଅମଲାତନ୍ତ୍ରୀ ଓ ନେତା -ଟାଉଟର,
ଉତ୍କଳ ରାଜ୍ୟକୁ କଲେ ଛାରଖାର |”
ଧନ୍ୟବାଦ ଏତେ ସୁନ୍ଦର ଲେଖାଟିଏ ପାଇଁ।
୨. ସୁବ୍ରତ, uk | ଅଗଷ୍ଟ୍ ୧୨, ୨୦୧୬ - ୧୦:୧୧ ପୂର୍ବାହ୍ନ
ବହୁତ୍ ଭଲ ।
୩. ପୂର୍ଣ୍ଣଚନ୍ଦ୍ର ରଥ, ଖଲ୍ଲିକୋଟ, ଗଞ୍ଜାମ | ଅଗଷ୍ଟ୍ ୧୭, ୨୦୧୬ - ୯:୨୨ ଅପରାହ୍ନ
ପ୍ରବୋଧ ଚନ୍ଦ୍ର ମୁଦ୍ରାଙ୍କର ଏହି କବିତାଟି ଉତ୍କୃଷ୍ହ୍ଟ ହୋଇଛି। ମନେ ହେଉଛି ସତେ ଯେମିତି ଉତ୍କଳମଣି ଗୋପବନ୍ଧୁ ଆସି ଏହି କବିତାଟି ଲେଖି ଦେଇଯାଇଛନ୍ତି। ବହୁତ ବହୁତ ଅଭିନନ୍ଦନ!
୪. ଅକ୍ଷୟ କୁମାର ରଥ, ଗୁଣପୁର, ରାୟଗଡ, ଓଡିଶା | ଅଗଷ୍ଟ୍ ୨୨, ୨୦୧୬ - ୧୨:୫୪ ଅପରାହ୍ନ
ଯଦି ଏ ମାଟିର ଉନ୍ନତି ଚାହଁ
ଷଡଯନ୍ତ୍ର କରି ଅଗ୍ରସର ହୁଅ ।
ଅଣଓଡିଆର ଲୁଣ ଖାଇ ଖାଇ
ଓଡିଆର ଗୁଣ ନିତି ଗାଉଥାଅ ।
ଆତ୍ମନିର୍ଭରାର୍ଥେ ଅନ୍ୟ ରାଜ୍ୟ ପରି
ନିଜ ସ୍ୱାର୍ଥ ପାଇଁ ସ୍ୱାର୍ଥପର ହୁଅ ।
ବିଶାଳ ଛାତିକୁ ସଂକୁଚିତ କରି
ବକସମ ଖୋଜ ଷଡଯନ୍ତ୍ରକାରୀ
ପରାଧୀନ ପରଅନ୍ନ ନେବା ପରି
କାଙ୍ଗାଳ ପ୍ରବୃତ୍ତି ଛାଡିଦିଅ ।
୫. PRABODHA CHANDRA MUDRA, AT/PO-SANKUDA,VIA-SUMANDAL,DIST-GANJAM, PIN-761035ODISHA | ଅଗଷ୍ଟ୍ ୨୩, ୨୦୧୬ - ୯:୪୩ ପୂର୍ବାହ୍ନ
ସମ୍ମାନାସ୍ପଦ ସମ୍ପଦକ ମହୋଦୟ,
ସାନ୍ତର ଏବଂ ସଭକ୍ତିକ ପ୍ରଣାମ |ଗତ ଅଗଷ୍ଟ ଦି-୧୧-୦୮-୨୦୧୬ ନାଙ୍କରେ ମୋର ବହୁ ପ୍ରତିକ୍ଷିତ କବିତାଟି ଆପଣଙ୍କ ଓଡିଆ ସାହିତ୍ୟ ଡ଼ଟ୍ କମ୍ ଦ୍ଵାରା ପ୍ରକାଶିତ ହୋଇଥିବାରୁ,ଆପଣଙ୍କୁ ହାର୍ଦ୍ଦିକ ସାଧୁବାଦ ଜ୍ଞାପନସହ,ଏ ଅଧମ ଅପଣଙ୍କ ନିକଟରେ ଚିରକୃତଜ୍ଞ |ଆଗାମୀ ଦିନରେ ଅପଣଙ୍କ ଏକାନ୍ତ ସହଯୋଗ କାମନା କରୁଛି|ମୋରପ୍ରଶଂସକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛାଜ୍ଞାପନ କରୁଛି | “ଧନ୍ୟବାଦ”