ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତୁମେ ଯେବେ ଆସି କବାଟକୁ ମୋର
ଧଡ଼ଧାଡ଼ ପିଟୁଥିଲ,
ଖଟତଳେ ଲୁଚି ବସିଥିଲି ମୁଁ।
କାନେଇ କାନେଇ ଶୁଣି ପାରୁଥିଲି
ତୁମ ସକେଇ ସକେଇ କାନ୍ଦିବାର ଧ୍ୱନି।
କଣେଇ କଣେଇ ଦେଖି ପାରୁଥିଲି
ତୁମ ଆଲୁରୁ ବାଲୁରୁ କେଶ
କାଦଧୁଳି ବୋଳା ତୁମ ଅସଜଡ଼ା ବେଶ।
ଯେଇମିତି ଆସିଥିଲ, ସେଇମିତି ଚାଲିଗଲ
ଛାଡ଼ିଗଲ ପାଦ ଚିହ୍ନ,
ମୋ ଗାଁଦାଣ୍ଡରେ, ମୋ ଘରଦୂଆରେ, ମୋ ଛାତି ଉପରେ।
ତୁମେ କି ଜାଣିଛ,
ଆମ ଆଲୁଚା ପୀରତି କଥା
ବସାହରା ପକ୍ଷୀମାନେ ଆକାଶରେ ଆଙ୍କିଦେଲେ।
ତୁମେ ଯାଇଛକି ନାହିଁ,
ମୋତେ ବାସି ତୋରାଣିରେ ପଚାରୁ ନ ଥବା ଲୋକ ବି
କେତେ ଗେଲ କରି ଭଲମନ୍ଦ ବୁଝିଗଲେ।
ତୁମେ ଗଲ ଯେ ଗଲ,
ମୋ ଗାଲରେ ମେଞ୍ଚାଏ ଲୁଣ ଜମେଇ ଦେଇ
ତୁମ ପଛେପଛେ ଲୁହର ଲହରୀ ଭାସିଗଲା
ଅଧା ଗାଁଟାକୁ ବୁଡ଼େଇ ଦେଇ
ନଈର ସୁଅରେ ମିଶିଗଲା।
ତୁମେ ଯାହା କରିଛନା,
ପଚାରନା।
ଯଉ ଦିତଳ କୋଠାରୁ ଦିଶୁଥିଲା ଦିନେ
ସାରା ଗାଁ ତକ ଜମି
ତାକୁ ଗୋଟେ ଗୋଇଠାରେ ମାଟି କରି ଚାଲିଗଲ!
ଯଉ ସମ୍ପର୍କର ସେତୁ ଦାନ୍ତକାଠି ପରି
ଭାଙ୍ଗିଦେଲ ଚଲାପଥେ,
ପଅରଦିନ ତା ଲୋକାର୍ପଣ ହେଇଥିଲା।
ଯଉ ବିଜୁଳି ଖୁଣ୍ଟକୁ ବେତଧନୁ ପରି
ବଙ୍କାକରି ଚାଲିଗଲ,
ଆଉ କ’ଣ କେବେ ସଳଖି ପାରିବ ସିଏ।
ଯାଉଯାଉ ଖନା ଜେଜେଙ୍କର କାହାଣୀ ମୁଣାରେ
କେତେ ସତମିଛ ଗୁଲିଗପ ଖଞ୍ଜିଦେଲ।
ଆସିଥିଲ ପ୍ରଳୟର ବାର୍ତ୍ତା ନେଇ
ଚାଲିଗଲ ଆସ୍ଥାର ରାସ୍ତାରେ।
ଦେଇଗଲ ପୁଳାଏ ପ୍ରତିଶ୍ରୁତି,
ଗୁଡ଼ାଏ କମ୍ବଳ,
ବସ୍ତାଏ ଚାଉଳ,
ଡଜନେ ମହମବତୀ,
ଗୋଟେ ଓଦା ଦିଆସିଲି ସାଙ୍ଗରେ
ଖଣ୍ଡେ ଖଣ୍ଡିଆ ଖାବରା କବିତା।