(ରାଗ-ମାୟାମାଳବଗୌଡ଼ା-ରୂପକ ତାଳ)

ଉଠିଲୁ ଏଡ଼େ ବେଗି କାହିଁକି ରେ ଦୁଖିଧନ
ଦଧି ମନ୍ଥାଈ ଦେବୁ ନାହିଁଇ କି ରେ ।ପଦ।

ଦେହ ପାସୋରି ଦଣ୍ଡେ, ନିଦ ନଗଲୁ ଏଡ଼େ,
ବିଟୋଳ ହେଲୁ ମୋର ପାଇଁକି ରେ। ।୧।

ଖେଳିବୁ ରାମ ତୁଲେ, ପଛେ ରାତି ପାଇଲେ,
ସୁଆଇ ଦେବି ଗୀତ ଗାଇକି ରେ। ।୨।

ମନ୍ଥିବି ମୁଁ କେମନ୍ତ, ଖୁଆଦଣ୍ଡରୁ ହାତ
ଛାଡ଼, ଦେଉଛି ସର ଖୋଇକି ରେ। ।୩।

ଆହା ଏ କି ପ୍ରମାଦ, ଛନ୍ଦ ନା ବାବୁ ପାଦ,
ଡାକ ଯା ବଳରାମ ଭାଇକି ରେ। ।୪।

ମଥନଘଟେ ହାତ, ପୂରାଇ ନବନୀତ,
କାଢ଼ୁ ବୋଲନ୍ତି ହେଲୁ ବାଇ କି ରେ। । ୫।

ତୁଛା ହାତଟା ଖାଇ, ନାଚୁଛୁ କାହିଁ ପାଇଁ,
ସୁଖିଯିବୁ ନ ଚାହାଁ ଛାଇକି ରେ। । ୬।

ଗୃହକୁତ୍ୟ ପକାଇ, ବସିଥିବି ଏକାଇ
ନିଶିଦିନ ତୋତେ କାଖେଇ କି ରେ ।୭।

ପଣନ୍ତରେ ବଦନ, ପୋଛି ଦେଲେ ଚୁମ୍ବନ,
ଗୋପାଳକୃଷ୍ଣ ଚିନ୍ତେ ଦୁହିଁକି ରେ। ।୮।