ନିରୋଳ ପଉଷ ସଂଧ୍ୟା, ଗହନ ବନାନୀ,
ପର୍ବତ ଉଢ଼ାଳେ ଖସେ ସାୟନ୍ତନ ରବି,
ଶୁଭେ ଖାଲି ଏଠି ସେଠି ପତତ୍ରୀର ବାଣୀ
ନିର୍ମେଘ ଗଗନ-ଏକ ସ୍ବର୍ଣ୍ଣ ଦୀପ୍ତ ଛବି।
ଆଗେ ପଥେ, ଚାରିଆଡ଼େ ବନସ୍ତ କେବଳ
ଅନାବୃତ ଖାଲି ଊର୍ଦ୍ଧ୍ୱେ ନର ସାୟନ୍ତନ;
ପ୍ରକୃତିର ଏ ସନ୍ନିଧି, ନିବିଡ଼ ନିଶ୍ଚଳ
ଅତୀନ୍ଦ୍ରିୟ ଭାବେ କରେ ମଗ୍ନ ମୋ ଚେତନ।
ଏକ ହେଲେ କବି, ଆଉ ପ୍ରକୃତି, ଆକାଶ,
ମନେହେଲା ସ୍ଥିତି ମୋର ସେହି ସେ ଈଶ୍ୱର-
ବିରାଟ ବ୍ରହ୍ମାଣ୍ଡମାଳେ ଯାହାଙ୍କ ପ୍ରକାଶ,
ଅଛନ୍ତି ସେ ପୁଣି ମୋର ପଦ ରେଣୁ ତଳେ।
ଆନନ୍ଦ ଲୋତକେ ତାଙ୍କୁ କଲି ନମୋନମ
ଭାବିଲି ମୁଁ, ସେହି ମୋର ସୌଭାଗ୍ୟ ପରମ।
-୦-
ଉକ୍ତ କବିତାଟି ବିଦ୍ୟା ପ୍ରକାଶନ ଦ୍ୱାରା ପ୍ରକାଶିତ ତଥା ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସଂକଳିତ ଓ ସମ୍ପାଦିତ- ‘ଆଧୁନିକ ଓଡ଼ିଆ କବିତା ସମ୍ଭାର’ (୨୦୦୬), ପୁସ୍ତକରୁ ଆନୀତ।
