ଭାବ-ଭାବର ପ୍ରକାଶଭଙ୍ଗି ଅନେକ କବିତାରେ ଏଡ଼େ ଜଟିଳ ହୋଇ ପଡ଼ିଛି ଯେ, କବି କେଉଁ ଭାବର ଅବତାରଣା କରିଛନ୍ତି, ତାହା ସହଜରେ ବୁଝାଯାଏ ନାହିଁ। କୌଣସି ସରଳ ସୁକ୍ଷ୍ମ ଚିନ୍ତାକୁ ବକ୍ର ଭାବରେ ପ୍ରକାଶ କରିବା ଅନେକେ ଶ୍ଳାଘ୍ୟ ମନେ କରିଛନ୍ତି। ଫଳତଃ ଏହାହିଁ ସବୁଜ ସାହିତ୍ୟର ଗୋଟିଏ ପ୍ରଧାନ ବିଶେଷତ୍ୱ ହୋଇପଡ଼ିଛି। ଯେଉଁମାନେ ରବୀନ୍ଦ୍ର କବିତା ଓ ଉତ୍କଳର ସବୁଜ କବିତା ପଢ଼ିଛନ୍ତି, ସେମାନେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ ରବୀନ୍ଦ୍ର କିବିତା ବୁଝିବା ବରଞ୍ଚ ଅପକ୍ଷାକୃତ ସହଜ, କିନ୍ତୁ ଅନେକ ସବୁଜ-କବିତା ବୁଝିବା ସହଜ ନୁହେଁ। କବିମାନେ କବିତା ଲେଖିବାବେଳେ ଯେଉଁ ଭାବର ଅବତାରଣା କରିଛନ୍ତି, ସେ ସମ୍ବନ୍ଧରେ ନିଜେ ନିଶ୍ଚିତ ନୁହନ୍ତି ବୋଲି ଅନକ ସମୟରେ ମନେ ହୁଏ। ଅଧିବାଂଶ କବିତାର ଧର୍ମ (Religion) ଏବଂ ଭାବ ସାର୍ବଜନିନ (Cosmopolitan)। ସେଥିରେ ଓଡ଼ିଆର ଯଦି କୌଣସି ଭାଗ ଥାଏ, ତାହାହେଲେ ସେ ଯେ ପୃଥିବୀର ଲୋକମାନଙ୍କ ମଧ୍ୟରୁ ଜଣେ ଏବଂ ଓଡ଼ିଶା ଯେ ପୃଥିବୀର ଅନେକ ଦେଶ ମଧ୍ୟରୁ ଗୋଟିଏ ଦେଶ, ଏହି ହିସାବରେ କେବଳ ଅଛି। କିନ୍ତୁ ପ୍ରାଚୀନ ଓଡ଼ିଆ କବିତା ତାର ଷୋଳପଣ ଭାଗ ନ ଥିଲେ ମଧ୍ୟ ବାରପଣ ବା ଆଠପଣରୁ କମ୍ ଭାଗ ନ ଥିଲା। ଧରନ୍ତୁ ରାଧାନାଥଙ୍କ ଚନ୍ଦ୍ରଭାଗା, ଏଥିରେ ଓଡ଼ିଆର ହିନ୍ଦୁଧର୍ମ, ତାର କୀମ୍ବଦନ୍ତୀ, ତାର ଦେବ ଦେବୀ, ତାର ମନ୍ଦିର, ବୃକ୍ଷଲତା, ବେଳାଭୂମି, ସମୁଦ୍ର ଓ ଓଡ଼ିଶାର ଉଚ୍ଚକୂଳ କନ୍ୟାର ବେଶଭୂଷା ଓ ଲଜ୍ଜାଶୀଳତା ଇତ୍ୟାଦି ଷୋଳପଣ ଜିନିଷ ତା ପାଇଁ ଅଛି। ସବୁଜ-କବିତାରେ କିନ୍ତୁ ଏହା ମିଳେ ନାହିଁ।

ଉଲ୍ଲିଖିତ କାରଣମାନଙ୍କ ଯୋଗୁଁ ଆଧୁନିକ ଯୁଗର କବିତା ଉତ୍କଳର ସର୍ବଶ୍ରେଣୀ ପାଠକଠାରୁ ବିଛିନ୍ନ ହୋଇ ରହିଛି। ଉଚ୍ଚ ଶିକ୍ଷିତ ପାଠକ ଭାବେ ଆଧୁନିକଯୁଗର ଅଧିକାଂଶ କବିତା ତ ବଙ୍ଗ କବିତାର ଅନୁକରଣ ବା ଅନୁଶୀଳନରେ ଲେଖା, ତେବେ ମୌଳିକ ବଙ୍ଗ କବିତା ନ ପଢ଼ିବି କାହିଁକି? ଯେବେ ଦେଶ ସାହିତ୍ୟରେ ବିଦେଶର ସ୍ୱାଦ ଓ ଗନ୍ଧ ମିଳିଲା, ତେବେ ବିଦେଶୀୟ ସାହିତ୍ୟ ପଢ଼ିଲେ କ୍ଷତି କଣ? ଏହାହିଁ ତାର ମନୋଭାବ ହୋଇଥାଏ। ଅର୍ଦ୍ଧଶିକ୍ଷିତ ପାଠକ ଏପରିକି ତାର ଶିକ୍ଷକମାନେ ମଧ୍ୟ ଏହାକୁ ବୁଝି ପାରନ୍ତି ନାହିଁ, ପରୀକ୍ଷା ସ୍ୱରୂପ ପ୍ରାଇମେରୀ, ମାଇନର ଓ ହାଇସ୍କୁଲର ପଣ୍ଡିତମାନଙ୍କୁ ଏ କବିତା ପଢ଼ି ବୁଝାଇ ଦେବାକୁ କୁହାଯାଉ, ଦେଖିବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅକୃତକାର୍ଯ୍ୟ ହେବେ। ଅଳ୍ପ ଶିକ୍ଷିତ ପାଠକକୁ ଏହା ବେଦପରି ଦୁର୍ବୋଦ୍ଧ୍ୟ ହୁଏ।

ଭାରତର ଜଳବାୟୁ ପ୍ରଭାବରୁ ଊନବିଂଶ ଓ ବିଂଶ ଶତାବ୍ଦୀରେ ପାଠ ଅନୁସାରେ ଜାତିର ସୃଷ୍ଟି ହୋଇ ସାରିଲାଣି। ସବୁଜ-ସାହିତ୍ୟ ଏହି ପାଠୁଆ ଜାତିର ଉଚ୍ଚତମ ଶ୍ରେଣୀର ବେଦ। କିନ୍ତୁ ଏ ସାହିତ୍ୟର ସ୍ରଷ୍ଟାମାନ ପ୍ରାଚୀନ ସାହିତ୍ୟରେ କେବଳ ଦେବାଦେବୀ ରାଜା ରାଣୀଙ୍କ କଥା ଥିବାରୁ କ୍ଷୁବ୍ଧ ହୋଇଛନ୍ତି। ଏଣୁ ଏମାନଙ୍କ ଲେଖାମାନଙ୍କରେ ଜନ ସାଧାରଣ ନାୟକ-ନାୟିକା ହୋଇ ପାରିଛନ୍ତି, ଦରିଦ୍ରର ଦୁଃଖ ଦୁର୍ଦ୍ଦଶାର ବର୍ଣ୍ଣନା ଅଛି, ସମାଜର ଅନ୍ୟାୟ ଅତ୍ୟାଚାର, ଅନ୍ଧ ବିଶ୍ୱାସ ଓ କୁସଂସ୍କାର ପ୍ରତି କଟାକ୍ଷ ମଧ୍ୟ କରାଯାଇଛି। ମୋଟ ଉପରେ ସମାଜର ସମସ୍ୟା ସାହିତ୍ୟରେ ପ୍ରତିଫଳିତ ହୋଇଛି। କିନ୍ତୁ ସାହିତ୍ୟ ନ ପଢ଼ି ସୁଦ୍ଧା ଯେଉଁମାନଙ୍କର ସମାଜର ସମସ୍ୟା ବୁଝିବାର କ୍ଷମତା ଅଛି, ଆଧୁନିକ ଯୁଗର କବି ସେହି ଉଚ୍ଚଶିକ୍ଷିତ ବ୍ୟକ୍ତିମାନଙ୍କରହିଁ ଶିକ୍ଷକତାର ଭାର ନେଇଛନ୍ତି।

ଭୋଗ ଦେବତା ନାମରେ ଉଦ୍ଦିଷ୍ଟ ହେବାପରି, ଏ ସାହିତ୍ୟ ଗଣଦେବତା ନାମରେ ଉଦ୍ଦିଷ୍ଟ ହୋଇଅଛି ମାତ୍ର, ଏଣୁ କିଞ୍ଚିତ୍ ଶିକ୍ଷିତ, ଉଚ୍ଚ ଶିକ୍ଷିତମାନଙ୍କର ସାହିତ୍ୟରୁ ବଞ୍ଚିତ ହୋଇ ଉତ୍କଳର ପଲ୍ଲିମାନଙ୍କରେ ବୈଷ୍ଣବ ପାଣି, ବାଳକୃଷ୍ଣ ଓ ହମିଦ୍ ପ୍ରଭୃତି ଗ୍ରାମ୍ୟ କବିମାନଙ୍କର ଏବଂ କୌଣସି କୌଣସି ପ୍ରାଚୀନ କବିମାନଙ୍କର ସାହିତ୍ୟ ଆସ୍ୱାଦନରେ ଲାଗି ପଡ଼ିଛନ୍ତି। ଅନୁସନ୍ଧାନ କଲେ ଦେଖାଯିବ ଯେ, ବୈଷ୍ଣବ ପାଣି ଓ ବାଳକୃଷ୍ଣ ପ୍ରଭୃତି କବିମାନଙ୍କର କବିତାର ପ୍ରଚାର ଉତ୍କଳରେ କମ୍ ନୁହେଁ। ଏମାନଙ୍କ ସାହିତ୍ୟ ବ୍ୟବସାୟ ହିସାବରେ ମଧ୍ୟ ବେଶ୍ ଚାଲିଛି। ଏମାନେ ପଲ୍ଲିମାନଙ୍କରେ ସାକ୍ଷରତା ବୃଦ୍ଧି କରିବାର ଯଥେଷ୍ଟ ସାହାଯ୍ୟ କରିଅଛନ୍ତି। ଉଚ୍ଚ ଶିକ୍ଷିତମାନଙ୍କ ମଧ୍ୟରୁ କେହି କେହି ଏମାନଙ୍କ କବିତାକୁ ଆବର୍ଜନାପୂର୍ଣ୍ଣ ବୋଲି ନିନ୍ଦା ପ୍ରଚାର କରିଛନ୍ତି, କିନ୍ତୁ ଆବର୍ଜନାହୀନ କବିତା କିପରି ପଲ୍ଲିରେ ପ୍ରଚଳିତ ହେବ, ତାର ଆଦର୍ଶ କେହି ଦେଖାଇ ନାହାନ୍ତି କିମ୍ବା ଚେଷ୍ଟାମଧ୍ୟ କରିନାହାନ୍ତି।

ଅତଏବ, ବନ୍ଧୁଗଣ, ଆଧୁନିକ ସାହିତ୍ୟର ସମ୍ପୂର୍ଣ୍ଣ ଅଭିନବତ୍ୱ, ଏହାର ଆଧୁନିକ ଓ ପ୍ରାଚୀନ ଉତ୍କଳ ସାହିତ୍ୟ ସମ୍ପୂର୍ଣ୍ଣ ସମ୍ପର୍କଶୂନ୍ୟତା ଏବଂ ଏହାର ଆଭିଜାତ୍ୟ ଓ ନିରାକରଣ ଧର୍ମ ଏହାକୁ ସର୍ବଶ୍ରେଣୀ ପାଠକ ଠାରୁ ବିଛିନ୍ନ କରି ରଖିଛି। ଏଣୁ ଏହା ବାଣିଜ୍ୟ ହିସାବରେ ଚଳିବ କିପିର? ଯଦି ଉତ୍କଳ ବଙ୍ଗପରି ହୋଇଥାନ୍ତା ଏବଂ ଯଦି ଉତ୍କଳର ଆଧୁନିକ କବି ରବୀନ୍ଦ୍ରନାଥଙ୍କର ପରି ସ୍ୱଦେଶରେ ଓ ପୃଥିବୀର ସର୍ବ ଅଞ୍ଚଳେର ବହୁ ପାଠକ ସୃଷ୍ଟି କରିପାରିଥାନ୍ତେ, ତାହାହେଲେ ସାହିତ୍ୟ ବାଣିଜ୍ୟ ସୂତ୍ରରେ ନ ଚଳିବାର କୌଣସି କାରଣ ନ ଥିଲା। ଯେଉଁମାନେ ଭାବୁଛନ୍ତି ଯେ, ସମୟ ଅତୀତ ହେବା ସଙ୍ଗେ ସଙ୍ଗେ ସେମାନଙ୍କର କବିତାର ଆଦର ବଢ଼ିବ, ସେମାନଙ୍କର ସେହି ଆଶ୍ୱାସନାର କାର୍ଯ୍ୟ କରିଯିବା ଉଚିତ। କିନ୍ତୁ ସାରାଭାରତରେ ଦେଖାଯାଏ ଯେ, ଯେଉଁ କବିତାର ଯେଉଁ ଯୁଗରେ ଜନ୍ମ, ସେହି ଯୁଗରେହିଁ ତାର ବେଶୀ ପ୍ରଚାର। ଭଞ୍ଜ ଯୁଗରେ ଭଞ୍ଜ କବିତାର କିପରି ପ୍ରସାର ଥିଲା, ତାହା ଜାଣିବା ବର୍ତ୍ତମାନ ସହଜ ନୁହେଁ। କିନ୍ତୁ ରାଧାନାଥ ଜୀବିତ ଥିବା ବେଳେ ଯେ, ତାଙ୍କର କବିତାର ସବୁଠାରୁ ବେଶୀ ଆଦର ଥିଲା, ଏହା ନିଃସେନ୍ଦହ। ବଙ୍ଗରେ ମଧ୍ୟ ଏହାହିଁ ଦେଖାଯାଏ। ମାଇକେଲ ମଧୁସୂଦନ ପ୍ରଭୃତିଙ୍କ କବିତାର ପୂର୍ବେ ଯେଉଁ ଆଦର ଥିଲା, ବର୍ତ୍ତମାନ ସେ ଆଦର ନାହିଁ।

ପରିଶେଷରେ ସାହିତ୍ୟର ଗତିକୁ ବର୍ତ୍ତମାନ ଫେରାଇବାକୁ ହେଲେ କଣ କରାଯିବା ଉଚିତ୍, ସେ ସମ୍ବନ୍ଧରେ ସାମାନ୍ୟ କିଛି କହି ପ୍ରବନ୍ଧର ଉପସଂହାର କରୁଛି। ମୋର ବୟସ, ଜ୍ଞାନ ବା ସାହିତ୍ୟ ଚର୍ଚ୍ଚା ମୋତେ ଉତ୍କଳ ସାହିତ୍ୟରେ ଉପଦେଷ୍ଟାର ଆସନ ଦେଇ ନାହିଁ। ମୋର ଗତି ମଧ୍ୟ ଅନ୍ୟ ଦିଗରେ । ଅତଏବ ନିମ୍ନରେ ଯାହା କହୁଛି, ତାହା ପାଠକ ହିସାବରେ କହୁଛି।

କବି-ସମ୍ମିଳନୀ ଓ ସାହିତ୍ୟ-ସମାଜର ଅଧିବେଶନମାନଙ୍କରେ ଆଧୁନିକ ସାହିତ୍ୟର ଆଭିମୁଖ୍ୟ ବଦଳାଇବା ପାଇଁ ସମାଲୋଚନା ଚାଲୁ।

ପ୍ରାଚୀନ ସାହିତ୍ୟ ସହିତ ଆଧୁନିକ ସାହିତ୍ୟର ଅନ୍ତତଃ କେତୋଟି ବିଷୟରେ ସମ୍ବନ୍ଧ ରହୁ। କେଉଁ କେଉଁ ବିଷୟରେ ସମ୍ବନ୍ଧ ରହିବ, ତାହା କବି ବିଶେଷଙ୍କ କ୍ଷମତା ଓ ବିଚାର ଶକ୍ତି ଉପରେ ନିର୍ଭର କରେ। ତେବେ ପ୍ରାଚୀନ-ରାଗ-ରାଗିଣୀ ପୁଣି ପ୍ରଚଳିତ ହେଲେ ଭଲ ହୁଅନ୍ତା। କବିତାର ବିଷୟ ବସ୍ତୁର ନାମ ପରେ ପରେ ରାଗ ରାଗିଣୀର ନାମ ଉଲ୍ଲେଖ ରହିବା ଉଚିତ। ଯେଉଁମାନେ ନୂତନ ଛନ୍ଦ ଆହରଣ କିମ୍ବା ଉଦ୍ଭାବନ କରୁଛନ୍ତି, ସେଗୁଡ଼ିକର ପ୍ରଚାର ଭାର ସେମାନଙ୍କ ଉପରେହିଁ ରହିବ। ପ୍ରାଚୀନତାର ଆବରଣରେ ନୂତନତ୍ୱ ତାର ମୂଲ୍ୟ ହରାଏ ନାହିଁ। ପକ୍ଷାନ୍ତରେ ପୃଥିବୀର ସମସ୍ତ ନୂତନତ୍ୱ, ପ୍ରାଚୀନତାର ଆବରଣ ତଳେ ପ୍ରଥମେ ଆତ୍ମଗୋପନ କରି ଶକ୍ତିଶାଳୀ ହୋଇପାରିଛି। ରବୀନ୍ଦ୍ରନାଥଙ୍କ ବିରାଟ ପ୍ରତିଭା ପ୍ରଥମେ ପ୍ରାଚୀନତାର ଆବରଣ ତଳେ ଆତ୍ମ-ଗୋପନ କରି ଶକ୍ତିଶାଳୀ ହୋଇଥିଲା। “ଭାନୁ-ସଂହେର ପଦାବଳୀ” ନାମକ ତାଙ୍କର ପ୍ରଥମ ଲେଖାମାନ ଏହାର ଜ୍ୱଳନ୍ତ ପ୍ରମାଣ।

ଯେଉଁମାନ କବି ଓ ଲେଖକ ହେଉଛନ୍ତି, ସେମାନେ ଓଡ଼ିଆ-ସାହିତ୍ୟର କ୍ରମବିକାଶ ଲକ୍ଷ୍ୟ କରନ୍ତୁ। ଓଡ଼ିଆ କବିତା ନିର୍ଝରଣୀରୂପେ କେବେ ପ୍ରଥମେ ଉତ୍ପତ୍ତି ହେଲା, ତାହା କହିବା ସହଜ ନୁହେଁ। କିନ୍ତୁ ଅଷ୍ଟମ-ଶତାବ୍ଦୀରୁ ଏହା କୃଷ୍ଣାଚାର୍ଯ୍ୟଙ୍କ ବୌଦ୍ଧଗାନ ଓ ଦୋହାମାନଙ୍କରେ ପ୍ରଥମେ ସ୍ରୋତରୂପ ଦେଖାଯାଏ। ତାପରେ ଏହା କ୍ରମବର୍ଦ୍ଧମାନ ସ୍ରୋତରେ ଚାଲି ଆସିଅଛି। ଆଧୁନିକ-ସାହିତ୍ୟ ଏହି ସ୍ରୋତକୁ ଆହୁରି ବୃଦ୍ଧି କରିବ। କିନ୍ତୁ ଏହାଠାରୁ ସମ୍ପୂର୍ଣ୍ଣ ବିଛିନ୍ନ ହେବାକୁ ଚେଷ୍ଟା କଲେ ଲୁପ୍ତ-ସ୍ରୋତା ସରସ୍ୱତୀର ଦଶା ଭଜିବ।

ଉତ୍କଳର ଧନୀ ଓ ରାଜନ୍ୟମଣ୍ଡଳି ସହିତ କବିମାନଙ୍କର ସମ୍ବନ୍ଧ ରହୁ। ଏ ସମ୍ବନ୍ଧ ରାଧାନାଥ ଯୁଗ ପର୍ଯ୍ୟନ୍ତ ଚାଲି ଆସିଥିଲା। ଉଦାହରଣ ଦେବା ଅନାବଶ୍ୟକ। କେବଳ ଆଧୁନିକ ସାହିତ୍ୟହିଁ ଏ ସମ୍ବନ୍ଧ ହରାଇଛି। ଭାଷା ଓ ସଭ୍ୟତାରେ ପ୍ରାକୃତିକ-ଉତ୍କଳ ଏକ। ରାଜନୀତିକୁ ସାହିତ୍ୟ କ୍ଷେତ୍ରକୁ ଟାଣି ଆଣିବା ସୁବୁଦ୍ଧିର କାର୍ଯ୍ୟ ନୁହେଁ।

ଯେଉଁମାନେ ଓଡ଼ିଶାର ବଂଶପରମ୍ପରା ଶିକ୍ଷା, ସଭ୍ୟତା ଓ ରୁଚିମତେ କବିତା ଲେଖିବାକୁ ଅକ୍ଷମ, ସେମାନ ଇଂରାଜୀ କିମ୍ବା ବଙ୍ଗଳାରେ ଲେଖନ୍ତୁ। ଏଥିରେ ଓଡ଼ିଆର କ୍ଷୁବ୍ଧ ହେବାର କାରଣ ନାହିଁ। କାହିଁକି ନା ବର୍ତ୍ତମାନ ଜଣେ ଓଡ଼ିଆ ପୁଅ ଦେଶ ଭିତରେ ନାମ କରିବାଠାରୁ ବିଦେଶରେ ନାମ କରିବା ଓଡ଼ିଶା ପକ୍ଷରେ ବେଶୀ ଦରକାର ହୋଇ ପଡ଼ିଛି।
-0-

ବି.ଦ୍ର.:- ଏହି ଆଲେଖ୍ୟଟି ସେହି ସମୟରେ ଲେଖକଙ୍କ ଦ୍ୱାରା ସମ୍ବଲପୁରରେ ୧୯୪୪-୪୫ ମସିହା ସମୟରେ ହୋଇଥିବା ନବଗୁଞ୍ଜର ସାହିତ୍ୟ ସମିତିର ଏକ କାର୍ଯ୍ୟକ୍ରମରେ ପଠିତ ହୋଇଥିଲା।

ମାୟାଧର ମାନସିଂହଙ୍କ ଦ୍ୱାରା ସମ୍ପାଦିତ ‘ଶଙ୍ଖ’ ସାହିତ୍ୟ ପତ୍ରିକାର ପ୍ରଥମ ସଂଖ୍ୟାରେ (ଯାହା ୧୯୪୫ ମସିହାରେ ଆରମ୍ଭ ହୋଇଥିଲା) ଏହି ଲେଖାଟି ପ୍ରକାଶିତ ହୋଇଥିଲା।

Pages: 1 2 3 4