ଏହାହିଁ କହିଲେ ଯଥେଷ୍ଟ ହବ ଯେ, ସାହିତ୍ୟ ଜାତୀୟ ଜୀବନର ପ୍ରଗତି ସଙ୍ଗେ ଗତିକରି ଚାଲେ। ଯେଉଁ ଦେଶର ଶିକ୍ଷା ଓ ସଭ୍ୟତା ଯେଉଁ ସ୍ତରରେ ଥାଏ, ସେହି ଦେଶର ସାହିତ୍ୟ ସେହି ସ୍ତରର ଅଭିବ୍ୟକ୍ତି ହୋଇଥାଏ। ଉଦାହରଣସ୍ୱରୂପ କୁହାଯାଇ ପାରେ ଯେ, ଇଂଲଣ୍ଡରେ ଖଣ୍ଡ କବିତା ଯୁଗ ବହୁଦିନ ଚାଲିବାପରେ ବଙ୍ଗରେ ଖଣ୍ଡକବିତା ଯୁଗର ଆରମ୍ଭ ହେଲା। ଯଦି ରବୀନ୍ଦ୍ରନାଥଙ୍କ ପରି ମହାପ୍ରତିଭାଶାଳୀ ସନ୍ତାନର ଜନ୍ମ ହୋଇ ନ ଥାନ୍ତା, ତାହାହେଲେ ଏପର୍ଯ୍ୟନ୍ତ ସୁଦ୍ଧା ବଙ୍ଗରେ ଖଣ୍ଡ କବିତା ଯୁଗ ପ୍ରଚଳିତ ହୋଇଥାନ୍ତା କି ନା ସନ୍ଦେହ। ଉତ୍କଳ ସାହିତ୍ୟରେ ମଧ୍ୟ ଏହି ସ୍ୱାଭାବିକ ଗତିରେ ଚାଲିବାର ଥିଲା। କିନ୍ତ କେତେଗୁଡ଼ିଏ ଯୁବକ ମିଳି ଜବରଦସ୍ତି ସବୁଜ ଯୁଗ ପ୍ରବର୍ତ୍ତନ କଲେ, ଫଳରେ ଅକାଳଜନ୍ମ ଶିଶୁପରି ସମସ୍ତ ଅସ୍ୱାଭାବିକତା ଓ ଦୁର୍ବଳତାର ଚିହ୍ନ ନେଇ ଏ ସାହିତ୍ୟ ଯୁଗର ଜନ୍ମ ହେଲା। ଗୋଟିଏ ସମିତି ଦ୍ୱାରା ଯେ ଏଯୁଗର ଜନ୍ମ ହେଲା, ଏହାହିଁ ତାର ଅସ୍ୱାଭାବିକତାର ପ୍ରଧାନ ପ୍ରମାଣ। ସମିତି ଗଢ଼ା ହୋଇ ଗବେଷଣା, ସହିତ୍ୟ ଚର୍ଚ୍ଚା ବା ପ୍ରଚଳିତ-ଯୁଗ ସାହିତ୍ୟରେ ଶ୍ରୀବୃଦ୍ଧି କରାଯାଇ ପାରେ। କିନ୍ତୁ ସାହିତ୍ୟରେ ଯୁଗ ପରିବର୍ତ୍ତନ କେବଳ ବ୍ୟକ୍ତି ବିଶେଷଙ୍କ ପ୍ରତିଭା ଦ୍ୱାରା ହିଁ ସଂଘଟିତ ହୋଇଥାଏ।
ସଭ୍ୟବୃନ୍ଦ! ମୁଁ ଏ କ୍ଷୁଦ୍ର ପ୍ରବନ୍ଧଟିରେ ଯଥାସାଧ୍ୟ ନିର୍ଦ୍ଦିଷ୍ଟ ଭାବରେ ମୋର ବକ୍ତବ୍ୟ ପ୍ରକାଶ କରିବାକୁ ଚେଷ୍ଟା କରୁଅଛି। ଢ଼ୁଆବାଣ ମାରିବା ମୋର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ମୁଁ କାବ୍ୟ କବିତାରୁ ଉଦାହରଣ ଦେଉନାହିଁ। ସେଥିରେ ପ୍ରବନ୍ଧର କଳେବର ଅଯଥା ବୃଦ୍ଧି ପାଇବ। ତା ଛଡା ବ୍ୟକ୍ତି ବିଶେଷଙ୍କ ପ୍ରତି ଆକ୍ରମଣ ଅନିବାର୍ଯ୍ୟ ହୋଇ ପଡ଼ିବ। ମୁଁ ଏହି ବ୍ୟକ୍ତିଗତ ଆକ୍ରମଣ ଏଡ଼ାଇବାକୁ ଚାହେଁ। ଏଣୁ ଏହି ସବୁଜ-ଯୁଗ-ସାହିତ୍ୟର ଦୁର୍ବଳତା ଓ କୁତ୍ରିମତା(artificiality) କେଉଁ କେଉଁ ବିଷୟରେ ଓ କିପରି ଭାବରେ ପ୍ରକାଶ ପାଇଛି, ତାହା ମୁଁ କବିତାମାନଙ୍କରୁ ଉଦାହରଣ ଦେବାକୁ ନାଚାର କରେ, ଯଦି ଆବଶ୍ୟକ ତାହାହେଲେ ଦେବାପାଇଁ ପ୍ରସ୍ତୁତ ରହିଲି। ଏ ଯୁଗର ସ୍ରଷ୍ଟାମାନେ ରାଧାନାଥଯୁଗର କବିତାଠାରୁ ସେମାନଙ୍କ କବିତା ଆହୁରି ସରଳ ଓ ସୁବୋଧ୍ୟକର ଓ ସର୍ବ ସାଧାରଣଙ୍କ ସମ୍ପତି କରିବେ ବୋଲି ବାରମ୍ବାର ପ୍ରକାଶ କରିଅଛନ୍ତି । କିନ୍ତୁ ଏହି ସରଳତା ଓ ସୁବୋଧ୍ୟତାର ଆବରଣ ତଳେ କୃତ୍ରିମତା ଏତେ ବେଶୀ ହୋଇପଡ଼ିଛି ଯେ, ସେମାନଙ୍କୁ ମୂଳଗତ ଉଦେଶ୍ୟ ଏକାବେଳେ ବ୍ୟର୍ଥ ହୋଇଛି। ଏ କବିତା ‘ଟଭାଫଳ’ ପରି ଖୋସା ଖୋସିନାହିଁ, ‘ଗୋଟି ଚମ୍ପା’ ଖଞ୍ଜି ନାହିଁ କିମ୍ବା ଏ ‘ନାଗ-ନାଗରୀ-ଟିକା’ ନୁହେଁ ଯେ, ଏହାର କୃତ୍ରିମତା ଗୋଟି ଗୋଟି ହୋଇ ହଠାତ୍ ଆଖିରେ ପଡ଼ିବ। ଅତି ଆଧୁନିକା ଯୁବତୀ ପରି ଏ କବିତା ସାରଲ୍ୟର ଆବରଣ ତଳେ, ଏହାର ଭାଷା, ସ୍ବର, ପଦ-ବିନ୍ୟାସ ଭାବ ଓ ଭୂଷଣରେ କୃତ୍ରିମତାକୁ ଏପରି ଘୋଡ଼ାଇ ରଖିଛି ଯେ, ତାହା ଧରିବା ବା ବୁଝିବା ସହଜ ହୁଏ ନାହିଁ।
ପ୍ରଥମେ ଏହାର ଭାଷା ବିଷୟ ବିଚାର କରାଯାଉ। କବିତାର ଭାଷାକୁ ସମସ୍ତେ ସରଳ ଓ କୋମଳ କରିବାକୁ ଚେଷ୍ଟା କରିଛନ୍ତି। ଏଥିପାଇଁ ଓଡ଼ିଆ ଭାଷାରେ ଅସାଧରଣ ଦକ୍ଷତା ଓ ପ୍ରୟୋଗ କ୍ଷମତା ଆବଶ୍ୟକ। ବଙ୍ଗ ଭାଷାରେ ରବୀନ୍ଦ୍ରଙ୍କ ଏହି ଅସାଧାରଣ ଦକ୍ଷତାହିଁ ତାଙ୍କୁ କୃତକାର୍ଯ୍ୟ କରିପାରିଥିଲା। ସବୁଜ-କବିତାରେ ଏ ଦକ୍ଷତାର ପ୍ରମାଣ ମିଳେ ନାହିଁ। ବରଞ୍ଚ ଡ,ଶ ଓ ଳ ବହୁଳ ଓଡ଼ିଆ ଭାଷା କଡ଼ା ମନେ ହେବାରୁ ଅନେକ ସେମାନଙ୍କ କବିତାକୁ ବଙ୍ଗ-କବିତା ଛାଞ୍ଛରେ ଏପରି ଢ଼ାଳି ଦେଇଛନ୍ତି ଯେ, ସାମାନ୍ୟ ପରିବର୍ତ୍ତନରେ ସେଗୁଡ଼ିକ ବେଶ୍ ବଙ୍ଗ କବିତା ହୋଇଯିବ। ପ୍ରାଚୀନ ଓଡ଼ିଆ କବିତାମାନଙ୍କ ମଧ୍ୟରୁ ଯେଉଁମାନଙ୍କରେ ତଭବ ଓ ଦେଶଜ ଶବ୍ଦର ବହୁଳ-ପ୍ରୟୋଗ ଅଛି, ସେଗୁଡ଼ିକ ବଙ୍ଗଳା କରିବା ତ ଏକାବେଳକେ ଅସମ୍ଭବ, ତାଛଡ଼ା ଯେଉଁମାନଙ୍କରେ ତତ୍ସମ ଶବ୍ଦର ବହୁଳ ପ୍ରୟୋଗ ଅଛି, ସେଗୁଡ଼ିକ ମଧ୍ୟ ବଙ୍ଗଳା କରିବା ସହଜ ନୁହେଁ। ଗୋଟିଏ ଉଦାହରଣ ଦେଉଛି:-
“ପଡ଼ି ଜଡ଼ି ଯାଇଥିଲା ଧୂଳି ଲପନରେ,
ଲୁଚିଯାଏଁ ବୋଲି ପୋଛିଦେଲା ବସନରେ।
ଦୂତୀଗୋ କହିବୁ ରାଧାକୁ।
କିପରି ପାଶୋରି ଦେଲା ତେଡ଼େ ଶରଧାକୁ”।
ଏଠାରେ କବି ଯେଉଁଠାରେ ସୁବିଧା ପାଇଛନ୍ତି, ସେଠାର ଗୋଟିଏ ତତ୍ସମ ଶବ୍ଦ ପ୍ରୟୋଗ କରିଛନ୍ତି। ଅଥଚ ଏହାର କ୍ରିୟା ଓ ପ୍ରକାଶ ଭଙ୍ଗି (idiom) ଏପରି ହୋଇଚି ଯେ, ଏହାକୁ ସମ୍ପୂର୍ଣ୍ଣ ନ ବଦଳାଇଲେ ଏହା କଦାପି ବଙ୍ଗଳାରେ ରୂପାନ୍ତରିତ ହୋଇପାରିବ ନାହିଁ। ସବୁଜ କବିତାର ତଭଦ ଓ ଦେଶଜ ଶବ୍ଦର ବହୁଳ ପ୍ରୟୋଗ ଥିବା ସତ୍ତ୍ୱେ ତାହା ସହଜରେ ବଙ୍ଗଳା ହୋଇଯିବାର ସମ୍ଭାବନା କାହିଁକି ରହୁଛି? ଏହାର କାରଣ ଏହି ଯେ, ଅନେକେ ରବୀନ୍ଦ୍ର କବିତାକୁ ବାରମ୍ବାର ପଢ଼ି, ତାର ଭାବ, ଭାଷା ଓ ପ୍ରକାଶ ଭଙ୍ଗିରେ ମୁଗ୍ଧ ହୋଇ ସେମାନଙ୍କ କବିତା କିପରି ଠିକ୍ ସେହିପରି ହୋଇପାରିବ, ଏହି ଚେଷ୍ଟାରେ କବିତା ଲେଖିଛନ୍ତି। ଏଣୁ ମସ୍ତିସ୍କ ତାର ସ୍ୱାଭାବିକ ଧର୍ମ ଅନୁସରଣ କରିଛି। ଫଳରେ କବିତା ସବୁ ରବୀନ୍ଦ୍ର କବିତାପରି ହୋଇପାରି ନାହିଁ, କିନ୍ତୁ ବଙ୍ଗଳା ଓ ଓଡ଼ିଆ ମଧ୍ୟରେ ଯେଉଁ ସୂକ୍ଷ୍ମ ପାର୍ଥକ୍ୟ ଅଛି, ତାହା ଏହି କବିତାମାନଙ୍କରେ ସୂକ୍ଷ୍ମତର ହୋଇ ପଡ଼ିଛି ।
ବଙ୍ଗଳା ଓ ଓଡ଼ିଆ ମଧ୍ୟରେ ପ୍ରକାଣ୍ଡ ବ୍ୟବଧାନ ନାହିଁ। ଶୈଳୀ ଓ କଥନ ଭଙ୍ଗି(Style and Phonetics) ହିଁ ଉଭୟ ଭାଷା ମଧ୍ୟରେ ସାମାନ୍ୟ ବ୍ୟବଧାନ ସୃଷ୍ଟି କରିଛି। ଓଡ଼ିଆ ଓ ବଙ୍ଗଳା ମଧ୍ୟରେ ପ୍ରକାଣ୍ଡ ବ୍ୟବଧାନ ଥିଲେ, ପ୍ରାୟ ଏକ ଶତାବ୍ଦୀ ମଧ୍ୟରେ ଓଡ଼ିଆ ଭାଷା ମେଦିନୀପୁରରୁ କଦାପି ଲୋପ ପାଇ ନଥାନ୍ତା। କାହିଁ ସେହି ସମୟ ଭିତରେତ ଗଞ୍ଜାମରୁ ଓଡ଼ିଅ-ଭାଷା ଲୋପ ପାଇଲା ନାହିଁ? ଅତଏବ ଯେଉଁମାନେ ଓଡ଼ିଆ ଓ ବଙ୍ଗଳା ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟକୁ ସୂକ୍ଷ୍ମତର କରୁଛନ୍ତି, ସେମାନେ ଓଡ଼ିଆ ଭାଷାର ଯେ କେବଳ ବୈଶିଷ୍ଟ୍ୟ ନଷ୍ଟ କରୁଛନ୍ତି ତାହା ନୁହେଁ, ତା ଛଡ଼ା ସେମାନଙ୍କ କବିତାର ବ୍ୟବସାୟ ମୂଲ୍ୟ (Selling capacity) ମଧ୍ୟ ନଷ୍ଟ କରୁଛନ୍ତି। କାରଣ ଶିକ୍ଷିତ ଓଡ଼ିଆ ମାତ୍ରେ ବଙ୍ଗଳା ପଢ଼ିପାରେ ଓ ବୁଝିପାରେ।
କେତେଗୁଡ଼ିଏ ଆମଦାନୀ ଶବ୍ଦପ୍ରତି ସବୁଜ କବିମାନେ ଏପରି ଆକୃଷ୍ଟ ହୋଇ ପଡ଼ୁଛନ୍ତି ଯେ, ସେଗୁଡ଼ିକୁ ବାରମ୍ବାର ସ୍ଥାନ ଅସ୍ଥାନରେ ପ୍ରୟୋଗ କରିଛନ୍ତି। ଅନ୍ୟ ଭାଷାରୁ ଶବ୍ଦ-ସଂଗ୍ରହ କରିବା ଯେତେ ଦୋଷାବହ ନୁହେଁ, ସଂଗୃହୀତ ଶବ୍ଦମାନଙ୍କ ପ୍ରତି ଅତିରିକ୍ତ ପ୍ରଦର୍ଶନ କରିବା ଓ ସେମାନଙ୍କ ପାଇଁ ଭାବକୁ ଭାଷାର ଅନୁସରଣକାରୀ କରିବା, ତାହାଠାରୁ ବେଶୀ ଦୋଷାବହ।
ପ୍ରଚୀନ ଓଡ଼ିଆ ସାହିତ୍ୟର ପ୍ରଧାନ ବୈଶିଷ୍ଟ୍ୟ ଥିଲା, ତାର ଛନ୍ଦ, ଚୋଖି, ତୋଡ଼ି, କାମୋଦୀ, ଆଷାଢ଼-ଶୁକ୍ଳ ଇତ୍ୟାଦି। ଏହିସବୁ ସମସ୍ତ ଛନ୍ଦିତ ଲେଖା ସବୁଜ ସାହିତ୍ୟରୁ ଏକାବେଳକେ ଲୋପ ପାଇଲା, ତା ଛଡ଼ା ଯେଉଁ ସବୁ ନୂତନ ଛନ୍ଦ ଆମଦାନୀ ହେଲା ବା ଉଦ୍ଭାବିତ ହେଲା, ତାହାର ରୂପ ଯେ କ’ଣ ? ତାହା ଓଡ଼ିଆ ପାଠକ ଜାଣିବାର କୌଣସି ସୁବିଧା ପାଇଲା ନାହିଁ। ବଙ୍ଗରେ କବିନ୍ଦ୍ର, ରବୀନ୍ଦ୍ର ଓ ନଜରୁଲ କେବଳ ନୂତନ ଛନ୍ଦ ଉଦ୍ଭାବନ କରି ନିଶ୍ଚିନ୍ତ ହୋଇ ନ ଥିଲେ। ଉଭୟ କବି ସୁଗାୟକ ଥିଲେ ଏବଂ ସେମାନଙ୍କ ନବ-ପ୍ରବର୍ତ୍ତିତ ଛନ୍ଦକୁ ରୂପ ଦେଇ ପାରିଥିଲେ। ବଙ୍ଗଳାର ଥିଏଟର୍, ସିନେମା, ରେଡିଓ, ଗ୍ରାମ୍ଫୋନ୍ ରେକଡ୍ ଓ ସଙ୍ଗୀତ-ବିଦ୍ୟାଳୟମାନଙ୍କରେ ପ୍ରତ୍ୟହ ରବୀନ୍ଦ୍ର ଓ ନଜରୁଲଙ୍କ ନୂତନ ଛନ୍ଦ ସଙ୍ଗୀତ ଆକାରରେ ଗୀତ ହେଉଅଛି। ସ୍ୱୟଂ କବିମାନେ ସେମାନଙ୍କ ନୂତନ ଛନ୍ଦମାନଙ୍କୁ ଗୀତ ଆକାରରେ ଗାଇ ଶୁଣାଇଛନ୍ତି।
ଉତ୍କଳର ସବୁଜ କବିମାନଙ୍କ ମଧ୍ୟରୁ କେହି କେହି ସୁଗାୟକ ଅଛନ୍ତି କି ନା ମୁଁ କହିପାରିବି ନାହିଁ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଯେ ତାଙ୍କ ନୂତନ ଛନ୍ଦକୁ ସଙ୍ଗୀତ ଆକାରରେ ଶୁଣାଇ ନାହାନ୍ତି, ଏ ବିଷୟରେ ମୁଁ ନିଃସନ୍ଦେହ। ଛତିଶ ରାଗ-ରାଗିଣୀ ଛଡ଼ା ଅନ୍ୟ ଛନ୍ଦ ଉଦ୍ଭାବନ କରିବା କିମ୍ବା ଆହରଣ କରିବା ଦୋଷାବହ ନୁହେଁ। କବି ସୂର୍ଯ୍ୟ ବଳଦେବ ଓ ଗୋପାଳକୃଷ୍ଣ ଏହାହିଁ କରିଥିଲେ। ଏମାନଙ୍କ କବିତାକୁ ଆପଣ ଖଣ୍ଡ-କବିତା କହି ପାରନ୍ତି, ନଚେତ୍ ସଙ୍ଗୀତ ଆଖ୍ୟା ମଧ୍ୟ ଦେଇପାରନ୍ତି। କିନ୍ତୁ ଉଭୟ କବି ସେମାନଙ୍କ ନୂତନ ଛନ୍ଦମାନଙ୍କୁ ସଙ୍ଗୀତ ଆକରରେ ଗାଇ ଶୁଣାଇଯାଇଛନ୍ତି। ଏଣୁ ଉତ୍କଳର ପୁର-ପଲ୍ଲୀରେ ପ୍ରତ୍ୟହ ଗୀତ ହୋଇ ତାହା ଜୀବିତ ରହିଛି। ସେହି ଛନ୍ଦଗୁଡ଼ିକ କବିମାନଙ୍କର ସମ୍ପୂର୍ଣ୍ଣ ନିଜସ୍ୱ କିମ୍ବା ସେଗୁଡ଼ିକ ପ୍ରତିବେଶୀ ସାହିତ୍ୟରୁ ସଂଗୃହୀତ, ଏ କଥା ଜାଣିବାପାଇଁ ଆଜି କେହି ମୁଣ୍ଡ ଘୂରାଉ ନାହିଁ। ସେଗୁଡ଼ିକ ଉତ୍କଳର ଜାତୀୟ ସମ୍ପତ୍ତି ହୋଇଯାଇଛି। କିନ୍ତୁ ସବୁଜ-ସାହିତ୍ୟର ଛନ୍ଦ, ମୂକ। ଏଥିପାଇଁ ପାଠକ ତାକୁ ବୁଝିପାରେ ନାହିଁ।
ସର୍ବୋପରି ମାତ୍ରବୃତ୍ତ ଛନ୍ଦ ତାକୁ ମହା ଗୋଳମାଳରେ ପକାଇ ଦିଏ। ଚୁମ୍ବନ, ରକ୍ତ, ଆଙ୍କି ଇତ୍ୟାଦିକୁ ସେ କେବେ ଚମ୍ବନ, ରକ୍ତ ଓ ଆଙ୍କି ବୋଲି ଏପରି ଦୀର୍ଘ କରି କୌଣସି ପ୍ରାଚୀନ ସାହିତ୍ୟରୁ ପଢ଼ି ନ ଥିଲା, କିମ୍ବା ତାର ପୂର୍ବ ପୁରୁଷର ମୁହଁରୁ ଶୁଣି ନ ଥିଲା। ବଙ୍ଗ-ସାହିତ୍ୟ ଅନୁକରଣରେ ମାତ୍ରାବୃତ୍ତ ଛନ୍ଦ ଉତ୍କଳକୁ ଆସିଲା। କିନ୍ତୁ ଉଭୟ ଭାଷାର ଧ୍ୱନିଗତ ପାର୍ଥକ୍ୟକୁ କେହି ଲକ୍ଷ୍ୟ କଲେ ନାହିଁ। ବଙ୍ଗୀୟମାନେ ପ୍ରକୃତରେ ଯୁକ୍ତାକ୍ଷରକୁ ଦୀର୍ଘ କରି ଉଚ୍ଚାରଣ କରନ୍ତି, କିନ୍ତୁ ଉତ୍କଳୀୟମାନେ କରନ୍ତି ନାହିଁ। ପ୍ରାଚୀନ ଓଡ଼ିଆ ସାହିତ୍ୟର କୌଣସି ପୁସ୍ତକ ବିଶେଷରେ ମାତ୍ରାବୃତ୍ତ ଛନ୍ଦ ଥାଇପାରେ। କିନ୍ତୁ ତାହା ସଂସ୍କୃତର ଅନୁକରଣରେ ଲେଖା, ଓଡ଼ିଆ ଭାଷାର ଧ୍ୱନିତତ୍ତ୍ୱ ଅନୁସରଣରେ ନୁହେଁ। ସଂସ୍କୃତ ଅନୁକରଣରେ କବିସୂର୍ଯ୍ୟ “ନିକଟ ପବନ ପରଶରୁ ଯେବେ ଡର” କିମ୍ବା “ଡର ନାହିଁ କି ହେ ପର ରମଣୀ ହରଣୁ” ଲେଖିଲେ ବୋଲି ଡର ବା ଭୟ ଶବ୍ଦ ଯୋଗେ ଓଡ଼ିଆ ଭାଷାରେ ପଞ୍ଚମୀ ବିରକ୍ତି ହୁଏ ନାହିଁ, ଦ୍ୱିତୀୟାହିଁ ହୋଇଥାଏ। ଅତଏବ ସବୁଜ ଯୁଗର ବହୁ କବିତାର ଅନାଦରର କାରଣ ହେଉଛି ସେମାନଙ୍କର ରୂପହୀନ ଓ ତାଳହୀନ ଛନ୍ଦ।