ଏ ସାହିତ୍ୟ ଜାତୀୟ ସମ୍ପତ୍ତିରୂପେ ପରିଣତ ହୋଇପାରିବାର ଚତୁର୍ଥ କାରଣ ଏହି ଯେ, ଏହା ଉଚ୍ଚ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଅଳ୍ପ ଶିକ୍ଷିତ ଏହି ତିନ ଶ୍ରେଣୀ ପାଠକର ଉପଭୋଗ୍ୟ ହୋଇ ପାରିଥିଲା ଓ ବର୍ତ୍ତମାନ ମଧ୍ୟ ହୋଇ ପାରୁଛି। ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଓ ଅଭିମନ୍ୟୁ ପ୍ରଭୃତିଙ୍କ କବିତା କେବଳ ପଣ୍ଡିତମାନଙ୍କ ପାଇଁ ଉଦ୍ଦିଷ୍ଟ। ଏ କଥା ସେମାନେ ସ୍ପଷ୍ଟ କହି ଯାଇଛନ୍ତି। କିନ୍ତୁ ପ୍ରକୃତରେ ସେମାନଙ୍କ କବିତା କେବଳ ପଣ୍ଡିତମାନଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ; ଅର୍ଦ୍ଧ ଶିକ୍ଷିତ, ଅଳ୍ପ ଶିକ୍ଷିତ ଓ ଅଶିକ୍ଷିତମାନଙ୍କ ମଧ୍ୟରେ ସୁଦ୍ଧା ତାହା ବହୁଳଭାବରେ ପ୍ରଚାରିତ ହୋଇପାରିଛି। କାବ୍ୟଗୁଡ଼ିକର ସୁପରିଚିତ ରାଗ-ରାଗିଣୀ ଓ ସୁପରିଚିତ ନାୟକ ନାୟିକାମାନଙ୍କ ଦ୍ୱାରା ଆକୃଷ୍ଟ ହୋ॑ଇ ଏପରିକି ମୂର୍ଖ ଲୋକମାନ ସୁଦ୍ଧା ସେଥିରୁ କିଛି କିଛି ଶିଖି ଯାଇଛନ୍ତି। ତା ଛଡ଼ା ଗ୍ରାମ ଚତୁଷ୍ପାଠୀରେ ଓ ପାଲା ପୂଜାରେ ପଣ୍ଡିତମାନେ ଏ ସାହିତ୍ୟର ବହୁଳ ଚର୍ଚ୍ଚା କରିଥାନ୍ତ। ପଣ୍ଡିତ ପଣ୍ତିତ ମଧ୍ୟରେ ବିତଣ୍ଡା ହୋଇ ସାହିତ୍ୟର କସରତ ହୁଏ। ଅଶିକ୍ଷିତ, ଅଳ୍ପ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ସେସବୁ ଶୁଣନ୍ତି, ବୁଝନ୍ତି ଓ ଉପଭୋଗ କରନ୍ତି।

ଏ ଯୁଗର ସାହିତ୍ୟର ଶବ୍ଦାଳଙ୍କାର ବହୁଳତା ତାର ଅପକର୍ଷ ସାଧନ କରୁଥିଲେ ମଧ୍ୟ, ତାକୁ ଜନପ୍ରିୟ କରିଥିବାର ପଞ୍ଚମ କାରଣ ବୋଲି ଧରାଯାଇପାର। ସମାଜରେ ଏପରି ଦଳେ ପାଠକ ଥିଲେ ଓ ବର୍ତ୍ତମାନ ମଧ୍ୟ ଅଛନ୍ତି, ଯେଉଁମାନେ କି ଶବ୍ଦାଳଙ୍କାରକୁ ଭଲ ପାଆନ୍ତି ଓ ତାହାରି ଦ୍ବାରା ଆକୃଷ୍ଟ ହୋଇ ସାହିତ୍ୟ-ଚୀଚ୍ଚା କରିଥାନ୍ତି। ଉତ୍କଳରେ ଶବ୍ଦାଳଙ୍କାର ଚର୍ଚ୍ଚା ଅନ୍ତତଃ ୭ମ ଓ ୮ମ ଶତାବ୍ଦୀରୁ ପ୍ରଚଳିତ ହୋଇ ଆସୁଥିବାର ତାମ୍ର ଳିପିମାନଙ୍କରୁ ପ୍ରମାଣିତ ହୁଏ। ଭଞ୍ଜ-ଯୁଗରେ ଏହାର ଚରମୋତ୍କର୍ଷ ହୋଇଥିଲା।

ଏହି ସବୁ କାରଣରୁ ଭଞ୍ଜ-ଯୁଗ-ସାହିତ୍ୟ ବର୍ତ୍ତମାନ ମଧ୍ୟ ଜୀବିତ ଅଛି। ପଲ୍ଲିଉତ୍କଳ, ରାଧାନାଥ ଯୁଗ କେବେ ଆସିଲା ଓ କେବେ ଗଲା ବା ସବୁଜଯୁଗ କେବେ ଆସିଛି ବା କଣ କରୁଛି, ଏ କଥାର ଖବର ମୋଟେ ଜାଣେ ନାହିଁ। ସେଠାରେ ଭଞ୍ଜ-ଯୁଗ ବର୍ତ୍ତମାନ ସୁଦ୍ଧା ଚାଲିଛି। ଅତଏବ ଏ ସାହିତ୍ୟର ବହୁ ନାନ୍ଦବାଦ କରି ଯେଉଁମାନେ ତାକୁ ମାରିଦବା ପାଇଁ ଚାହିଁଛନ୍ତି, ସେମାନେ ସ୍ୱ ସ୍ୱ କ୍ଷମତା ସମ୍ବନ୍ଧରେ ସଚେତନ ହେବା ଉଚିତ।

ପ୍ରାଚୀ ସମିତି ପରି ସମିତି ଗଢ଼ାହୋଇ ଆଧୁନିକ ଯୁଗର ଅନେକ କବିତାର ଶବକୁ ଖୋଜା ହେଲାବେଳକୁ ଭଞ୍ଜ-ଯୁଗ-ସାହିତ୍ୟ ହୁଏତ ଏହିପରି ଜୀବିତ ରହିଥିବ। ଉତ୍କଳ ସାହିତ୍ୟରେ ଆଉ ଜଣେ ମୌଳିକ ସ୍ରଷ୍ଟା ଜନ୍ମ ନ ହେବା ପର୍ଯ୍ୟନ୍ତ, ଏ ସାହିତ୍ୟ ତାର ବହୁ ତ୍ରୁଟି ବିଚ୍ୟୁତି ସତ୍ତ୍ୱେ ଜୀବିତ ରହିବାର ନିତାନ୍ତ ସମ୍ଭବ।

ଭଞ୍ଜଯୁଗ ପରେ ରାଧାନାଥ ଯୁଗ ଆସିଲା। ରାଥାନାଥ କୌଣସି ନୂତନ ଶୈଳୀର ସ୍ରଷ୍ଟା ନୁହନ୍ତି, ପ୍ରବର୍ତ୍ତକ ମାତ୍ର। ଉତ୍କଟ ଶବ୍ଦାଳଙ୍କାର ଶୂନ୍ୟତା, ସରଳ ତତ୍ସମ ଶବ୍ଦର ପ୍ରୟୋଗ, ପୂର୍ଣ୍ଣ ଯତିପାତ, ଉପାଧା ମିଳନ, ଯଥାଯଥ ଉପମା ଓ ଆମିତ୍ରାକ୍ଷର ଛନ୍ଦ ପ୍ରଭୃତି ଯେଉଁ କେତୋଟି ବିଶେଷତ୍ୱ ରାଥାନାଥ-ଯୁଗ-କବିତାରେ ଦେଖାଯାଏ, ସେ ସବୁରୁ ସ୍ରଷ୍ଟା ରାଧାନାଥ ନୁହଁନ୍ତି। ରାଧାନାଥ କବିତା ଲେଖିବାବେଳକୁ ଏ ସମସ୍ତ ବିଶେଷତ୍ୱ ବଙ୍ଗ-ସାହିତ୍ୟରେ ମାଇକେଲ ମଧୁସୂଦନ, ହେମଚନ୍ଦ୍ର ଓ ନବୀନଚନ୍ଦ୍ର ପ୍ରଭୃତିଙ୍କ କବିତାରେ ବିକାଶ ହୋଇ ସାରିଥିଲା। ରାଧାନାଥ ଏ ସବୁ ବିଶେଷତ୍ୱ ଓଡ଼ିଆ ସାହିତ୍ୟରେ ପ୍ରଥମେ ପ୍ରବର୍ତ୍ତନ କଲେ। ତଥାପି ଭଞ୍ଜଯୁଗ ସହିତ ଏ ଯୁଗର ଯୋଗସୁତ୍ର ବିଚ୍ଛିନ୍ନ ହେଲା ନାହିଁ। ଏଥିରେ ଓଡ଼ିଶାର ପୂରାତନ ରାଗରାଗିଣୀ ରହିଲା ଏବଂ ରାମାୟଣ ମହାଭାରତ ପ୍ରଭୃତିର ଗଳ୍ପାବଳୀ ଅନେକ ସମୟରେ କାବ୍ୟମାନଙ୍କର କଥାବସ୍ତୁ ରୂପେ ଗୃହୀତ ହେଲା। ଉତ୍କଟ ଶବ୍ଦାଳଙ୍କାର ପରିତ୍ୟକ୍ତ ହେଲେହେଁ, ଯମକ ଇତ୍ୟାଦି ସରଳ ଶବ୍ଦାଳଙ୍କର ମଧ୍ୟ ଏଥିରେ ରହିଲା। କୌଣସି କୌଣସି ସମୟରେ ଦ୍ୱି-ଅର୍ଥକ ଶବ୍ଦାଳଙ୍କାର ମଧ୍ୟ ବ୍ୟବହୃତ ହେଲା। ଉଦାହରଣ ସ୍ବରୂପ ମେହେରଙ୍କ କୀଚକ ବଧ ୫ମ ସର୍ଗରେ ଥିବା “ଧର୍ମ-ରଙ୍କ କଙ୍କ ତହିଁ ନିଶଙ୍କ ବଚନେ” ର ପରବର୍ତ୍ତୀ ଦ୍ୱିଅର୍ଥକ ପଦଗୁଡ଼ିକ ବୈଦେହୀର-ବିଳାସର “ବାବୁ ନାକ-ଦାନ-ଯୋଗ୍ୟ ଯୋଷାକୁ, ବିହରି କାନନ ଦିଅ ଆଲିଙ୍ଗନକୁ” ର ଅନୁସରଣରେ ଲେଖା ଛଡ଼ା ଆଉ କିଛି ନୁହେଁ।

ସ୍ୱୟଂ ରାଧାନାଥ ବିଦେଶୀୟ ସାହିତ୍ୟରୁ ତାଙ୍କର କାବ୍ୟର କଥା ବସ୍ତୁମାନ ଆହରଣ କରିଥିଲେହେଁ, ସେ ସବୁକୁ ଉତ୍କଳର କିମ୍ବଦନ୍ତୀ ବା ଐତିହାସିକ ଘଟନା ଏବଂ ଉତ୍କଳର ଜନପଦ ଓ ପ୍ରକୃତି-ଶୋଭା ସହିତ ସଂଶ୍ଳିଷ୍ଟ କରି ଏପରି ନୂତନ ଭାବରେ ଗଢ଼ିଗଲେ ଯେ, ସେଗୁଡ଼ିକ ସମ୍ପୂର୍ଣ୍ଣ ନୂତନ ବୋଲି ପ୍ରତିଭାତ ହୁଏ। ତା’ଛଡ଼ା ଉତ୍କଳର ନିସର୍ଗ-ସମ୍ପଦକୁ ସୁନିପୁଣ ଭାବରେ ଚିତ୍ର କରିବାରେ ସେ ସିଦ୍ଧହସ୍ତ ଥିଲେ। ଦେଶ-ପ୍ରୀତି ତାଙ୍କ କବିତାମାନଙ୍କରେ ଗୋଟିଏ ସମ୍ପୂର୍ଣ୍ଣ ନୂତନ ଉପାଦାନ। ତାଙ୍କ କବିତାଗୁଡ଼ିକ ପଢ଼ିଲେ, ଉତ୍କଳ ଦେଶପ୍ରତି, ଜାତିପ୍ରତି ତାର ଗିରି-ନଦ-ନଦୀ-ହ୍ରଦ ଓ ଅରଣ୍ୟାନୀ ପ୍ରତି ତାଙ୍କର ଅସୀମ ପ୍ରୀତି ଓ ଶ୍ରଦ୍ଧା ସହଜରେ ଅନୁମିତ ହୁଏ। ତାଙ୍କୁ ଗୁରୁକରି ମେହେର ଓ ବଳ ପ୍ରଭୃତି ଯେଉଁ କବିତା ଲେଖିଛନ୍ତି, ସେଥିରେ ମଧ୍ୟ ଏହି ଦେଶ-ପ୍ରୀତି ସ୍ପଷ୍ଟ ପ୍ରକାଶିତ ହୋଇଛି। କବି ରାଧାନାଥଙ୍କ ଉତ୍କଳ-ପ୍ରୀତି ବୃଦ୍ଧ ବୟସରେ ପ୍ରସାରିତ ହୋଇ ସର୍ବ ଭାରତୀୟ ପ୍ରୀତିରେ ପରିଣତ ହୋଇଥିଲା। ଏହି ସର୍ବ ଭାରତୀୟ ପ୍ରୀତି ମହାଯାତ୍ରାରେ କେତେକାଂଶରେ ପ୍ରକାଶିତ ହୋଇଛି, କିନ୍ତୁ ନାନା କାରଣରୁ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଅତଏବ ରାଧାନାଥ ଯୁଗର କବିତା ପ୍ରାଚୀନ ଓ ନୂତନ ଉପାଦାନର ଅଭିନବ ସମନ୍ୱୟ। ଏହାର ପ୍ରାତୀନ-ସାହିତ୍ୟ ସହିତ ଘନିଷ୍ଠ ସମ୍ବନ୍ଧ ଅଛି ଏବଂ ଯେଉଁ ସବୁ ନୂତନ ଉପାଦାନ ଗୃହୀତ ବା ଆନୀତ ହୋଇଛି, ସେଗୁଡ଼ିକ ମଧ୍ୟ ଉତ୍କଳର ନିଜସ୍ୱ ସଙ୍ଗେ ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ ହୋଇଛି। ଏହାହିଁ ତାକୁ ଜାତୀୟ ସମ୍ପତ୍ତି କରି ଉଚ୍ଚ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଏହି ଦୁଇ ଶ୍ରେଣୀର ପାଠକ ମଧ୍ୟରେ ପ୍ରଚାରିତ ଓ ଆଦୃତ କରି ପାରିଛି। କେବଳ ଅଳ୍ପ ଶିକ୍ଷିତମାନେ ଏଥିରୁ ବଞ୍ଚିତ ହୋଇଛନ୍ତି।

ରାଧାନାଥଯୁଗର ଅବସାନ ହୋଇ ତାର ସ୍ୱାଭାବିକ ପରିଣତକୁ ଆସିବା ପୂର୍ବରୁ ସବୁଜ-ଯୁଗର ଅଭ୍ୟୁଦୟ ହେଲା। ଶ୍ରୀଯୁକ୍ତ ଅନ୍ନଦାଶଙ୍କର ରାୟ ପ୍ରମୁଖ କେତେଜଣ ଉତ୍ସାହୀ ଯୁବ ସବୁଜ-ସମିତି ନାମକ ସମିତି ସ୍ଥାପନ କରି ଏହି ଯୁଗର ଅଗ୍ରଦୂତ ହେଲେ। ଏ ସାହିତ୍ୟର ରଚନା ଭଙ୍ଗି ଏମାନଙ୍କ ମଧ୍ୟରୁ କାହାରି ମୌଳିକ-ସୃଷ୍ଟି ନୁହେଁ। ସମସାମୟିକ ବଙ୍ଗ-ସାହିତ୍ୟର ଦୂର ପ୍ରତିଧ୍ୱନିସ୍ୱରୂପ, ଏ ସାହିତ୍ୟର ଜନ୍ମ ହେଲା ଏବଂ ଏହା ପ୍ରାଚୀନ ସାହିତ୍ୟ ସହିତ ଯୋଗ-ସୂତ୍ର ସମ୍ପୂର୍ଣ୍ଣରୂପେ ଛିନ୍ନ କରି ଉଦ୍ଦାମ ଗତିରେ ଚାଲିବାକୁ ଆରମ୍ଭ କଲା। ଏଥିରୁ ପ୍ରାଚୀନ ରାଗ-ରାଗିଣୀ ବିଦାୟ ନେଲେ, ରାମାୟଣ, ମହାଭାରତ ଓ ପୁରାଣ ପ୍ରଭୃତିର ସୁପରିଚିତ ନାୟକ ନାୟିକାମାନେ ଆଉ ଦେଖା ଦେଲେ ନାହିଁ, ସର୍ବଜନ ବୋଧଗମ୍ୟ ଧର୍ମ ଭାବ, ଉତ୍କଳର କିମ୍ବଦନ୍ତି ବା ଐତିହାସିକ ଘଟନା କିମ୍ବା ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନା ଏଥିରେ କ୍ୱଚିତ ଦେଖାଗଲା। ବିକ୍ଷିପ୍ତ ଚିନ୍ତା ଖଣ୍ଡ କବିତାରେ ପ୍ରକାଶ କରିବା ଏହାର ପ୍ରଧାନ ବିଶେଷତ୍ୱ ହେଲା, କାବ୍ୟ ଯୁଗର ଏକାବେଳେକ ଅବସାନ ଘଟିଲା। ଉତ୍କଳରେ ସମ୍ପୂର୍ଣ୍ଣ ନୂତନ ମାତ୍ରା ବୃତ୍ତଛନ୍ଦ ପ୍ରଚଳିତ ହେଲା! ଛନ୍ଦ କୌଣସି ନିୟମର ବଶବର୍ତ୍ତୀ ହେଲା ନାହିଁ। ରାଥାନାଥ ଯୁଗର ତତ୍‌ସମ ବହୁଳ ଶବ୍ଦ ଯୋଜନା ପରିବର୍ତ୍ତେ ଅପେକ୍ଷାକୃତ ସରଳ ଶବ୍ଦ ଯୋଜନାର ପ୍ରଚେଷ୍ଟା ହେଲା। କେତେଗଡ଼ିଏ ନୂତନ ଶବ୍ଦର ସୃଷ୍ଟି ଓ ଆମଦାନୀ ମଧ୍ୟ ହେଲା। ଅଳ୍ପ ଦିନ ଭିତେର ଏତେଗୁଡ଼ିଏ ପରିବର୍ତ୍ତନକୁ ହୃଦୟଙ୍ଗମ କରିବା ବା ମାନିନେବାକୁ ଓଡ଼ିଆ ପାଠକ ପ୍ରସ୍ତୁତ ନ ଥିଲା।

ମୁଁ କହୁନାହିଁ ଯେ ଉତ୍କଳ ସାହିତ୍ୟ ଗତାନୁଗତିକ ପନ୍ଥାଧରି ସବୁ ଦିନେ ଚାଲିଥାନ୍ତା। ପ୍ରାଚୀନପନ୍ଥାକୁ ସର୍ବତୋ ଭାବରେ ଧରି ଚାଲିବା କେବଳ ଦୁର୍ବଳ ଜାତିର ଲକ୍ଷଣ। ତେବେ ଜାତୀୟ ଜୀବନରେ, ରାଜନୀତି କ୍ଷେତ୍ରରେ ବା ସାହିତ୍ୟ କ୍ଷେତ୍ରରେ ମହାପରିବର୍ତ୍ତନ ଆଣିବାକୁ ହେଲେ ଗୋଟିଏ କି ଯୋଡ଼ିଏ ପ୍ରତିଭାଶାଳୀ ସନ୍ତାନର ଜନ୍ମ ଏକାନ୍ତ ଦରକାର। ଏମାନେ ଭଗୀରଥ ପରି ଷାଠିଏ ସହସ୍ର ସନ୍ତାନର ଭାଗ୍ୟ ପରିବର୍ତ୍ତନ କରି ଦିଅନ୍ତି। ଜନ ସାଧାରଣ ସବୁ ଦେଶରେ କୌଣସି ଗୋଟାଏ ବଡ଼ ପରିବର୍ତ୍ତନ ମାନି ନେବାକୁ ପ୍ରଥମେ ନାରାଜ ହୋଇଥାନ୍ତି। କିନ୍ତୁ ପରିବର୍ତ୍ତକାରୀମାନଙ୍କ ପ୍ରତିଭା ଓ ସାଧନା ଏତେ ବେଶୀ ହୋଇ ପଡ଼େ ଯେ, ଜନ ସାଧାରଣ ସେହି ପରିବର୍ତ୍ତନକୁ ମାନି ନେବାପାଇଁ ବାଧ୍ୟ ହୁଅନ୍ତି। ବର୍ଣ୍ଣାଡ଼’ଶ ନୂତନ ଧରଣର ସାହିତ୍ୟ ସୃଷ୍ଟି କରିବାବେଳେ ନିର୍ଯ୍ୟାତନା ଭୋଗକରିଥିଲେ। ରବୀନ୍ଦ୍ରନାଥ ନୂତନ ଶୈଳୀ ପ୍ରବର୍ତ୍ତନ କଲାବେଳେ ବ୍ୟଙ୍ଗ ଓ ବିଦ୍ରୁପର ପାତ୍ର ହୋଇଥିଲେ। କିନ୍ତୁ ସେମାନଙ୍କ ପ୍ରତିଭା, ସାଧନା ଓ ବହୁଶାସ୍ତ୍ରଦର୍ଶିତା ଦ୍ୱାରା ଜନସାଧାରଣକୁ ସେମାନଙ୍କ ମତରେ ଦୀକ୍ଷିତକରି ସେମାନଙ୍କ ସାହିତ୍ୟକୁ ଜାତୀୟ ସମ୍ପତିରୂପ ପରିଣତ କରିପାରିଲେ।

ଉତ୍କଳରେ ଏ ଯେଉଁ ସବୁଜଯୁଗ ସୃଷ୍ଟି ହେଲା, ତାହା କୌଣସି ଉତ୍କଳ ସନ୍ତାନର ପ୍ରତିଭା, ସାଧନା ଓ ମୌଳିକତାର ପ୍ରସ୍ତୁତି ନୁହେଁ। ରବୀନ୍ଦ୍ରଙ୍କ ପ୍ରତିଭା ସାଧନାର ଅନୁକରଣ ବା ଅନୁଶୀଳନରେ ଏହି ସାହିତ୍ୟର ଜନ୍ମ ହେଲା। ବଙ୍ଗ ଓ ଉତ୍କଳ ମଧ୍ୟରେ ଶିକ୍ଷା ଓ କୃଷ୍ଠିଗତ ପ୍ରଭେଦକୁ କେହି ଲକ୍ଷ୍ୟ କଲେ ନାହିଁ। ଶିକ୍ଷା ଓ ସଭ୍ୟତାରେ ଯେତେବେଳେ ଉତ୍କଳ ବଙ୍ଗର ବହୁପଛରେ ପଡ଼ିଛି, ସେତେବେଳେ ତାର ସାହିତ୍ୟ ମଧ୍ୟ ଧୀର ଓ ମନ୍ଥର ଗତିରେ ଚାଲିବା ନିତାନ୍ତ ସ୍ୱାଭାବିକ। ବଙ୍ଗରେ ସାହିତ୍ୟଯୁଗ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଉତ୍କଳରେ ମଧ୍ୟ ସାହିତ୍ୟଯୁଗ ପରିବର୍ତ୍ତିତ ହେବ, ଏହା ବାଞ୍ଛନୀୟ ବା ସମ୍ଭବପର ନୁହେ। ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ମହାରାଷ୍ଟ୍ରର ବହୁ ସୁସନ୍ତାନର ପ୍ରତିଭା ଓ ବୀରତ୍ୱ ଯେପରି ମହାରାଷ୍ଟ୍ରର ଜାତୀୟ ଜୀବନ ବିକାଶ କରି ତାକୁ ଭାରତର ରଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ କରିପାରିଥିଲା, ଊନବିଂଶ ଓ ବିଂଶ ଶତାବ୍ଦୀରେ ବଙ୍ଗର ବହୁ କୃତୀସନ୍ତାନର ଜନ୍ମ ଏବଂ ସେମାନଙ୍କ ପ୍ରତିଭା ଓ କର୍ମ ସେହିପରି ବଙ୍ଗକୁ ଶିକ୍ଷା ଓ ସଭ୍ୟତା କ୍ଷେତରେ ପ୍ରତିଷ୍ଠିତ କରିପାରିଛି। ଉତ୍କଳ ସାମ୍ରାଜ୍ୟର ପତନ ପରେ, ଉତ୍କଳରେ ଏପରି କିଛି ଉପାଦାନର ସୃଷ୍ଟି ହୋଇନାହିଁ, ଯଦ୍ୱାରା କି ତାର ଜାତୀୟ ଜୀବନର ବିକାଶ ହୋଇପାରେ। ବରଞ୍ଚ ତାର ଜାତୀୟ ଜୀବନର ଅଧଃପତନ ପାଇଁ ବହୁଘଟନାର ସୃଷ୍ଟି ହୋଇଛି। ମୁଁ ଏଠାରେ ସେସବୁ ଘଟନାର ଅବତାରଣା କରୁନାହିଁ।

Pages: 1 2 3 4