ଆଧୁନିକ ଓଡ଼ିଆ ସାହିତ୍ୟର କାହିଁକି ବହୁଳପ୍ରଚାର ହୋଇପାରୁ ନାହିଁ, ଏହାହିଁ ପ୍ରବନ୍ଧଟିର ଆଲୋଚ୍ୟ ବିଷୟ। ମୁଁ ଏ ଆଲୋଚନା ସାହିତ୍ୟକ ହିସାବରେ କରୁନାହିଁ, ପାଠକ ହିସାବରେ କରୁଛି। ଏହି ଦୁଇଟି କଥା ପ୍ରଥମରୁ ମନେ ରଖିଲେ ମୋର ପରବର୍ତ୍ତୀ ବକ୍ତବ୍ୟ ସ୍ପଷ୍ଟ ହେବ। କବି, ସାହିତ୍ୟକ, ଲେଖକ ଓ ସମ୍ପାଦକ ସମସ୍ତେ ଏକମୁଖରେ କହି ଆସିଛନ୍ତି ଯେ, ଓଡ଼ିଆ ସାହିତ୍ୟରେ ବକ୍ତାର ଯେତେ ଅଭାବ ନାହିଁ, ଶ୍ରୋତାର ଅଭାବ ତାଠାରୁ ଖୁବ୍ ବେଶୀ। ଜଗତର, ସମସ୍ତ ପ୍ରକ୍ଷ୍ମକଳା ଓ ବିଜ୍ଞାନ ବ୍ୟବସାୟ ହିସାବରେ ଚାଲିଚି। ଯାହାର ବ୍ୟବସାୟ ମୂଲ୍ୟନାହିଁ, ତାକୁ ଖାଲି କଳା ବା ବିଜ୍ଞାନ ହିସାବରେ ବେଶୀଦିନ କେହି ଚଳାଇପାରେ ନାହିଁ। ଓଡ଼ିଆ ସାହିତ୍ୟକୁ ବ୍ୟବସାୟ ହିସାବରେ ଚଳାଇ ହେଉନାହିଁ। ଅତଏବ ହାତରୁ ଖାଇ ନାମ ମୋହରେ କେତେଦିନ କାର୍ଯ୍ୟ କରିବା? ଏହାହିଁ ସମସ୍ତଙ୍କ ଅଭିଯୋଗର ମୂଳଭିତ୍ତି ହୋଇଛି।

ମୁଁ ଏ ଅଭିଯୋଗକୁ ଉଡ଼ାଇ ଦେଉନାହିଁ। ଏ ଯାନ୍ତ୍ରିକ ଓ ବାଣିଜ୍ୟିକ ଯୁଗରେ ଏହାକୁ ଉଡ଼ାଇ ଦେବାର ମଧ୍ୟ କାହାରି ସାଧ୍ୟ ନାହିଁ। ଉତ୍କଳର ପତ୍ରପତ୍ରିକା ଯେପରି ହଠାତ୍ ଲୋପ ପାଉଛି ଏବଂ କବି ଓ ଲେଖକମାନେ ଯେପରି ଲେଖା ଛାଡ଼ି ଦେଉଛନ୍ତି ବା ଉଦାସୀନ ହୋଇ ପଡୁଛନ୍ତି, ସେଥିରୁ ଏହି ଅଭିଯୋଗର ସାରବତ୍ତା ବରଞ୍ଚ ପ୍ରମାଣିତ ହେଉଛି। ତେବେ ଆଧୁନିକ ଓଡ଼ିଆ ସାହିତ୍ୟ ଯେ ବ୍ୟବସାୟ ହିସାବରେ ତିଷ୍ଠି ପାରୁନାହିଁ, ତାହା କେବଳ ପାଠକମାନଙ୍କ ଦୋଷରୁ ଘଟୁଛି ନା ଲେଖକମାନଙ୍କ ଦୋଷରୁ ମଧ୍ୟ ଘଟୁଛି? ଏହାହିଁ ବର୍ତ୍ତମାନ ପ୍ରଣିଧାନର ବିଷୟ।

ଉତ୍କଳରେ ଲେଖକ ଓ କବି ସଂଖ୍ୟା ଯେପରି ଅଳ୍ପ, ତାହାର ଜନସଂଖ୍ୟା, ଶିକ୍ଷିତ ଓ ପାଠକ ସଂଖ୍ୟା ମଧ୍ୟ ସେହିପରି ଅଳ୍ପ। ଅତଏବ ଲେଖକ ଓ ପାଠକ ମଧ୍ୟରେ ଅନୁପାତ ଠିକ୍‌ ରଖି ସାହିତ୍ୟ ବ୍ୟବସାୟରେ ଗତିକରିବା ଅତ୍ୟନ୍ତ ସ୍ବାଭାବିକ। ବେଶୀଦୂରକୁ ନଯାଇ ବଙ୍ଗଦେଶପ୍ରତି ଦୃଷ୍ଟିପାତ କଲେ ଦେଖାଯାଏ ଯେ, ସେଠାରେ ସାହିତ୍ୟ ବାଣିଜ୍ୟ ସୂତ୍ରରେ ଗତିକରୁଛି। ସେଠାର କୌଣସି ବିଶିଷ୍ଟ କବି ବା ଲେଖକ ଅନ୍ନ-ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି। ଅବଶ୍ୟ ବଙ୍ଗଦେଶର ଜନସଂଖ୍ୟା ଏବଂ ଶିକ୍ଷିତ ଓ ପାଠକସଂଖ୍ୟା ଉତ୍କଳଠାରୁ ଖୁବ୍ ବେଶୀ। କିନ୍ତୁ କବି ଓ ଲେଖକ ସଂଖ୍ୟାତ ସେ ତୁଳନାରେ କମ୍ ନୁହେଁ। ବଙ୍ଗରେ କବି ବା ଲେଖକ ହିସାବରେ ନାମ କରିବା ଖୁବ୍ ସହଜ ନୁହେଁ। ବହୁଲୋକ ସାହିତ୍ୟକୁ ବ୍ୟବସାୟ କରିବାକୁ ବିଫଳ ମନୋରଥ ହୋଇଛନ୍ତି, ତାହା କଲିକତାର ଫୁଟପାଥ୍‌ମାନଙ୍କରେ କାଗଜ-ଦରରେ ବହି ବିକ୍ରୀ ହେଉଥିବାର ଦେଖିଲେ ସହଜରେ ଅନୁମିତ ହୁଏ। ଉତ୍କଳରେ ଅବଶ୍ୟ ଏ ଅବସ୍ଥାର ସୃଷ୍ଟି ହୋଇନାହିଁ। ତେବେ କେବଳ ପାଠକମାନଙ୍କ ଦୋଷରୁ ସାହିତ୍ୟ ବାଣିଜ୍ୟ ହିସାବରେ ଚଳି ପାରୁ ନାହିଁ ବୋଲି ଧରାଯିବ କିପରି?

ବ୍ୟବସାୟ ହିସାବରେ ଚଳି ନପାରିବାର ପ୍ରଧାନ କାରଣ ଏହି ଯେ, ଏ ଯୁଗର ସାହିତ୍ୟ ଉତ୍କଳର ଜାତୀୟ ସମ୍ପତ୍ତିରୂପେ ପରିଣତ ହୋଇ ପାରିନାହିଁ। ସମାଜ ଓ ପାଠକକୁ ଛାଡ଼ି ସାହିତ୍ୟ ଗତି କରୁଛି। ଅତଏବ ତାହା ବାଣିଜ୍ୟ ହିସାବରେ ତିଷ୍ଠି ପାରିବ କିପରି? କୌଣସି ଯୁଗର ସାହିତ୍ୟ ଯେ ସମାଜ ଓ ପାଠକକୁ ଛାଡ଼ି ଗତି କରି ନ ଥିଲା, ତାହା ବର୍ତ୍ତମାନ ମଧ୍ୟ ପ୍ରମାଣ କରାଯାଇପାରେ। ଓଡ଼ିଆ ଭାଷା ଓ ସାହିତ୍ୟର ଜନ୍ମ କେବେ, ଏହି ଐତିହାସିକ ତଥ୍ୟ ବାଦ ଦେଲେ ମଧ୍ୟ, ଓଡ଼ିଆ ସାହିତ୍ୟର ତିନୋଟି ଯୁଗ ସମସ୍ତଙ୍କ ଆଖିରେ ପଡ଼ିଥାଏ। ସେ ଗୁଡ଼ିକ ହେଉଛି ଭଞ୍ଜଯୁଗ, ରାଥାନାଥଯୁଗ ଓ ଆଧୁନିକ ବା ସବୁଜଯୁଗ।

ଉତ୍କଳର ପୁସ୍ତକ-ଦୋକାନମାନଙ୍କରେ ଅନୁସନ୍ଧାନ କଲେ ଜଣାଯିବ ଯେ, ଭଞ୍ଜଯୁଗ ଓ ରାଧାନାଥ ଯୁଗର ଯେତେ ବହି ବିକ୍ରିହୁଏ, ଆଧୁନିକ ଯୁଗର ବହି ତା ତୁଳନାରେ କମ୍ ବିକ୍ରିହୁଏ। ଉଦାହରଣସ୍ବରୂପ କୁହାଯାଇପାରେ ଯେ, ବୈଦେହୀଶ-ବିଳାସ, ଲାବଣ୍ୟବତୀ, ବିଦଗ୍ଧ-ଚିନ୍ତାମଣି, ରସ-କଳ୍ଳୋଳ, ମଥୁରା-ମଙ୍ଗଳ, କିଶୋର ଚନ୍ଦ୍ରାନନ ଚମ୍ପୁ, ରାଥାନାଥ-ଗ୍ରନ୍ଥାବଳୀ, ଫକିରମୋହନଙ୍କ ଉପନ୍ୟାସମାନ, ମେହରଙ୍କ ଇନ୍ଦୁମତୀ, କୀଚକ ବଧ ଇତ୍ୟାଦି ଏବଂ ବଳଙ୍କ ନିର୍ଝରଣୀ ପ୍ରଭୃତି ବର୍ଷକ ମଧ୍ୟରେ ବହିଦୋକାନମାନଙ୍କରୁ ଯେତେଖଣ୍ଡ ବକ୍ରି ହୁଏ, ଆଧୁନିକ ସାହିତ୍ୟର ମୁଖ୍ୟଗ୍ରନ୍ଥମାନଙ୍କରୁ କୌଣସି ଗୋଟିଏ ସୁଦ୍ଧା ସେତେ ଖଣ୍ଡ ବିକ୍ରି ହୋଇପାରେନାହିଁ।

ଏହା ଯଦି ଅବିଶ୍ୱାସ ମନେହୁଏ, ତାହାହେଲେ ଦୋକାନମାନଙ୍କଠାରୁ ପ୍ରକୃତ ତଥ୍ୟ ସଂଗ୍ରହ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରେଁ। ଏ ବୈଷମ୍ୟର କାରଣ କଣ? ଯୁଗ-ସାହିତ୍ୟର ପ୍ରଧାନ ଲକ୍ଷଣ ଏହି ଯେ, ଯେ ଯୁଗରେ ତାର ଜନ୍ମ, ସେହି ଯୁଗରେହିଁ, ତାହାର ଆଦର ଓ ପ୍ରଚାର ସବୁଠାରୁ ବେଶୀ। ତାପରେ ତାର ଆଦର ଓ ପ୍ରସାର ସୀମାବଦ୍ଧ ହୋଇ ତାହା କ୍ରମଶଃ ଐତିହାସିକ ସାମଗ୍ରୀରେ ପରିଣତ ହୁଏ। ଅବଶ୍ୟ ସେଲି ଓ କିଟସ୍ ପ୍ରଭୃତିଙ୍କ ପରି କେତେକ ବିପ୍ଳବୀ କବି ସମସାମୟିକ ସମାଜ ଓ ପାଠକ ଦ୍ୱାରା ଉପେକ୍ଷିତ ହୋଇଥାନ୍ତି। କିନ୍ତୁ ସମୂହଦୃଷ୍ଟିରୁ ଦେଖିବାକୁ ଗଲେ ଏହାହିଁ ସାହିତ୍ୟ ସମ୍ବନ୍ଧରେ ସାଧାରଣ ନିୟମ। ଉତ୍କଳରେ ତ ସମସ୍ତ କବି ସେଲି ବା କିଟସ୍ ନୁହନ୍ତି। ତେବେ ଏହି ଅଚଳ ଅବସ୍ଥାର କାହିଁକି ସୃଷ୍ଟି ହେଉଛି, ତାହାହିଁ ବର୍ତ୍ତମାନ ଦେଖାଯାଉ।

ଭଞ୍ଜଯୁଗର ସାହିତ୍ୟର ବହୁଳ ପ୍ରଚାର କାହିଁକି ହୋଇଛି ବା ହୋଇପାରୁଛି? ବହୁଳ ପ୍ରଚାରର ପ୍ରଧାନ କାରଣ ଏହା ଯେ, ଭଞ୍ଜଯୁଗର ସାହିତ୍ୟ ଉତ୍କଳର ଜାତୀୟ ସମ୍ପତି। ଏ ଯୁଗରେ ଉପେନ୍ଦ୍ର ଭଞ୍ଜ ସୂର୍ଯ୍ୟପରି ଥିଲେ ଏବଂ ତାଙ୍କୁ କେନ୍ଦ୍ରକରି ଅନେକ ଗୁଡ଼ିଏ ଗ୍ରହ ଓ ଉପଗ୍ରହର ସୃଷ୍ଟି ହୋଇଥିଲା। ଭଞ୍ଜ କୌଣସି ସମସାମୟିକ ପ୍ରତିବେଶୀ ସାହିତ୍ୟର ଅନୁକରଣ ବା ଅନୁଶୀଳନରେ କବିତା ଲେଖି ଯାଇନାହାନ୍ତି। ସେ ଥିଲେ ସ୍ରଷ୍ଟା, କବି ଓ ଉଦ୍ଭାବକ। ତାଙ୍କ ସାହିତ୍ୟ ସମସାମୟିକ ବଙ୍ଗ, ଆନ୍ଧ୍ର ବା ହିନ୍ଦି ସାହିତ୍ୟର ପ୍ରତିଧ୍ୱନି ବା ନକଲ ସଂସ୍କରଣ ନୁହେଁ। ତାହା ତାଙ୍କର ମୌଳିକ-ସୃଷ୍ଟି। ଏ କଥାର ଯଦି କେହି ପ୍ରତିବାଦ କରନ୍ତି, ତାହାହେଲେ ମୁଁ ତାଙ୍କୁ ଅନୁରୋଧ କରେଁ ଯେ, ଭଞ୍ଜ ସମୟରେ କୌଣସି ପ୍ରତିବଶୀ ସାହିତ୍ୟରୁ ଉଦାହରଣ ଦେଇ ସେ ଦେଖାଇ ଦିଅନ୍ତୁ ଯେ, ଭଞ୍ଜେ ସେହି ସାହିତ୍ୟର ଆଦର୍ଶ ବା ଅନୁକରଣରେ କବିତା ଲେଖି ଯାଇଛନ୍ତି। ଅବଶ୍ୟ ସେ ଭାରବୀ ଓ ଶୀହର୍ଷ ପ୍ରଭୃତିଙ୍କ ଶବ୍ଦାଳଙ୍କାର, ବହୁଳ ସଂସ୍କୃତ ଗ୍ରନ୍ଥରୁ କିଛି ଆଦର୍ଶ ପାଇ ପାରିଥାନ୍ତି। କିନ୍ତୁ ସଂସ୍କୃତ ଭାଷାତ ସର୍ବଭାରତୀୟ ସମ୍ପତ୍ତି ଓ ସର୍ବ ଆର୍ଯ୍ୟ ଭାଷାର ଜନନୀ। ତାକୁ ଛାଡ଼ି କୌଣସି ଭାଷାର ଉତ୍ପତ୍ତି ବା ବିସ୍ତୃତି ହୋଇପାରି ନାହିଁ। ତା ଛଡ଼ା ଭଞ୍ଜେ ଭାରବୀ ଓ ଶୀହର୍ଷରୁ କିଛି ଆଦର୍ଶ ପାଇଛନ୍ତି, ସମସ୍ତ ନୁହେଁ। ତାଙ୍କ ଗ୍ରନ୍ଥମାନ ପଢ଼ିଲେ ଏହା ସହଜରେ ପ୍ରମାଣିତ ହୁଏ। ଶବ୍ଦାଳଙ୍କାର ଉତ୍କଳର ବୈଶିଷ୍ଟ୍ୟରୂପେ ବହୁ ପ୍ରାଚୀନ କାଳରୁ ଚାଲିଆସିଛି।

ଦରକାର ପଡ଼ିଲେ ତାମ୍ର ଶାସନ ଇତ୍ୟାଦିରୁ ଉଦାହରଣ ପ୍ରକାଶ କରିବି। ଅତଏବ ଭଞ୍ଜଯୁଗ ସାହିତ୍ୟ ସ୍ଥଳେ ସ୍ଥଳେ ଆଶ୍ଳୀଳ ହୋଇଥିଲେ ମଧ୍ୟ ବହୁ ଚିତ୍ର ସମ୍ବଳିତ ଓ କାରୁକଳାମଣ୍ଡିତ ଉତ୍କଳର କେଣାର୍କ ଓ ଭୁବେନଶ୍ବରର ମନ୍ଦିରମାନଙ୍କପରି ଏହା ବିରାଟ, ମୌଳିକ ଓ କେବଳ ଓଡ଼ିଆ ସନ୍ତାନର କୃତି। ଏହାହିଁ ତାହାର ଜୀବିତ ରହିବାର ପ୍ରଧାନ ଦାବି ଓ କାରଣ ହୋଇଅଛି।

ଭଞ୍ଜ-ଯୁଗ-ସାହିତ୍ୟ ଜନପ୍ରିୟ ହେବାର ଦ୍ୱିତୀୟ କାରଣ ଏହି ଯେ,ଏ ଯୁଗର ସମସ୍ତ କବିତା ଗ୍ରନ୍ଥ ଉତ୍କଳର ସୁପରିଚିତ ରାଗ-ରାଗିଣୀରେ ଲିଖିତ। ସେଗୁଡ଼ିକ କେବଳ ସାହିତ୍ୟ ନୁହେଁ, ସଙ୍ଗୀତ ମଧ୍ୟ। ଓଡ଼ିଆ ବଂଶ ପରମ୍ପରା ସାହିତ୍ୟ ଓ ସଙ୍ଗୀତକୁ ଏକ ଓ ଅଭିନ୍ନବସ୍ତୁ ବୋଲି ଧରି ଆସିଛି। ଏଣୁ କୌଣସି କବିତା-ଗ୍ରନ୍ଥ ପାଇଲେ ତାର ପ୍ରଥମ ଚେଷ୍ଟା ହୁଏ, ତାକୁ କିପରି ସଙ୍ଗୀତ ଆକାରରେ ଗାଇ ପାରିବ। ଏ ଯୁଗର କବିତା ଭୁଷଣ-ଭାରାକ୍ରାନ୍ତ ଓ ଆଦିରସ ବହୁଳ ହୋଇ ପାରିଥାଏ, କିନ୍ତୁ ସେ କବିତାରେ ସାହିତ୍ୟ ଓ ସଙ୍ଗୀତ ଏକାଧାରରେ ଅଛି ଏବଂ ଉତ୍କଳୀର ବଂଶ ପାରମ୍ପରିକ ରୁଚିମତେ ତାହାର ଉଭୟ ଲିପ୍‌ସା ଏକ ସଙ୍ଗରେ ମେଣ୍ଟାଇ ପାରୁଛି।

ଏ ଯୁଗର ସାହିତ୍ୟ ଜନପ୍ରିୟ ହେବାର ତୃତୀୟ କାରଣ ହେଉଛି, ତାର କଥାବସ୍ତୁ। ଭଞ୍ଜଙ୍କର କେତୋଟି ଗ୍ରନ୍ଥ ବାଦ୍ ଦେଲେ, ବାକି ସମସ୍ତ ଗ୍ରନ୍ଥର କଥାବସ୍ତୁ ମହାଭାରତ, ରାମାୟଣ ଓ ହରିବଂଶ ପ୍ରଭୁତିରୁ ସଂଗୃହୀତ ହୋଇଅଛି। ଏଣୁ ତାହା ଉତ୍କଳର ପୁରପଲ୍ଲୀର ସମସ୍ତ ବ୍ୟକ୍ତିଙ୍କର ଅକ୍ଲେଶରେ ହୃଦୟଙ୍ଗମ ହୋଇପାରେ। ଗ୍ରନ୍ଥର ଭାଷା ଓ ପ୍ରକାଶଭଙ୍ଗି ଜଟିଳ ହେଲେ ମଧ୍ୟ ମୋଟାମୋଟି ଭାବ ବୁଝିବାପାଇଁ ବା ବୁଝାଇ ହେବାପାଇଁ ବିଶେଷ ପାଣ୍ଡିତ୍ୟର ଆବଶ୍ୟକତା ହୁଏ ନାହିଁ। ତା ଛଡ଼ା ସୀତାରାମ ଓ ରାଧାକୃଷ୍ଣ ପ୍ରଭୃତିଙ୍କୁ ସବୁ ଦିନେ ହିନ୍ଦୁମାନେ ଦେବା ଦେବୀ ବୋଲି ମାନି ଆସିଛନ୍ତି। ଏଣୁ ଏ ଯୁଗର ସାହିତ୍ୟକୁ କେବଳ ସାହିତ୍ୟ ହିସାବରେ ସମସ୍ତେ ପଢ଼ି ନଥାନ୍ତି, ଅନେକ ଧର୍ମ ପୁସ୍ତକରୂପେ ମଧ୍ୟ ପଢ଼ିଥାନ୍ତି।

Pages: 1 2 3 4