ବ୍ରଜକୁ ଚୋର ଆସିଛି ଘେନିଯିବ,
ଶୁଅ ତୁନି ହୋଇରେ।
ରଙ୍କର ଧନ ମୋ’ ଗୋକୁଳ-ଚନ୍ଦ୍ରମା,
ନିଶି ପାଇ ନାହିଁରେ। ।୧।
ରାତି ଗୋଟାଯାକ ମାତିଲୁ ନାଟରେ,
ପଲକ ନ ପକାଇରେ।
ଗ୍ରାମ ନିଶବଦ ହେଲାନି କି ତୋତେ,
ନିଦ୍ରା ଆସୁ ନାହିଁରେ। ।୨।
କେ ଶିଖାଇ ଦେଲା ଡୋଳା ଢାଳିବାର,
ତାଳ ଉକୁଟାଇରେ।
ପାଦ ବଥାଇବ ପରା ଆଉରିକି
ନାଟ ଅଣ୍ଟିନାହିଁରେ। ।୩।
ନିର୍ମଞ୍ଚନ ଯିବି କେତେ ଝାଳବହି-
ଗଲା କ୍ଷୁଧା ପାଇରେ।
ଆସ ଆସ ସ୍ତନ୍ୟପାନ କରାଇବି
ବାବୁ କାଖିଆଇରେ। ।୪।
ପଶୁପେନ୍ଦ୍ରକୁଳ-ପ୍ରଦୀପ ତୁ ଦେଖ
ଖେଳ ଛାଡ଼ି ଦେଇରେ।
କେତେବେଳ ହେଲା ଶୟନ କଲାଣି
ବଳରାମ ଯାଇରେ। ।୫।
ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା
ହୃଦରେ ଲଗାଇଯେ।
କର୍ଣ୍ଣମୂଳେ ଧୀରେ ଧୀରେ କରମାରି
ଦେଲେ ପହୁଡ଼ାଇଯେ। ।୬।
ନିମ୍ବପର୍ଣ୍ଣ ହରିଦ୍ରାଚୂର୍ଣ୍ଣ ହସନ୍ତୀ
ଅନେକ ପକାଇଯେ।
ଗୋପାଳକୃଷ୍ଣ କହଇ ଧୂପଦେଲେ
ଧନିଷ୍ଠିକା ନେଇଯେ। ।୭।
-O-
ଉକ୍ତ କବିତାଟି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୧୯୮୩ ମସିହାରେ ନବମ ଓ ଦଶମ ଶ୍ରେଣୀ ନିମନ୍ତେ ପ୍ରକାଶିତ ‘ସାହିତ୍ୟ’ ପୁସ୍ତକରୁ ଆନୀତ।

