ପ୍ରଦୀପ ଜଳୁଛି କିପାଁ? ଲିଭାଅ ତାହାରେ
ତବ ରୂପ-ଶିଖା ଜଳ ଘନ ଅନ୍ଧକାରେ।
ଠିଆ ହୁଅ କକ୍ଷ ମଧ୍ୟେ, ଧୀରେ ଧୀରେ ଧୀରେ
ଅଙ୍ଗ ଆବରଣ ଅଙ୍ଗ ତେଜି ଏ ମହୀରେ
ପଡ଼ୁ ଶାନ୍ତ ଊର୍ମି ସମ। ସ୍ଫୁଟିତ ପୁଷ୍ପରେ
ବୃନ୍ତ-ଆବରଣ ଦେଇ ମୁର୍ଖତା କେ କରେ,
ଦେଖିଛ କେଉଁଠି ସଖି? ହୁଅ ଦିଗମ୍ବରୀ
ମେଘ-ମୁକ୍ତ ଉଷା ସମ। କ୍ରୀତଦାସ ପରି
ପରାଜୟ ଲଭି ରୂପ-ଆଲୋକେ ତୁମ୍ଭର
ଅନ୍ଧକାର, ଯତ୍ନ କରୁ ଦେବାକୁ ଅମ୍ବର
ତୁମର ନିଖିଳ ଅଙ୍ଗେ। ଲଜ୍ଜା ଯେବ ଆସି
ସହସା କହିବ କର୍ଣ୍ଣେ-‘ହାୟ ମରକାଶି,
ଏ କି କଲ।’-ଆସ ପାଶେ ତୁରିତ ଗମନେ
ଆଶ୍ରୟ ତାହାରେ ଦେବି ସ୍ନେହ-ଆବରଣେ।
-୦-
ଉକ୍ତ କବିତାଟି ବିଦ୍ୟା ପ୍ରକାଶନ ଦ୍ୱାରା ପ୍ରକାଶିତ ତଥା ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସଂକଳିତ ଓ ସମ୍ପାଦିତ- ‘ଆଧୁନିକ ଓଡ଼ିଆ କବିତା ସମ୍ଭାର’ (୨୦୦୬), ପୁସ୍ତକରୁ ଆନୀତ।
