ଯେ ଦେଶେ ଜନମ ମୋର ଯେ ଦେଶେ ମୋହର ଘର
ବହଇ ଯା’ର ସମୀର ଶ୍ୱାସେ ପ୍ରଶ୍ୱାସେ,
ଯେଉଁ ଦେଶର ତପନ କରଇ ଆଲୋକ ଦାନ
କରିଛି ପ୍ରାଣ ଧାରଣ ଯା’ ଫଳ ଶସ୍ୟେ;
ମହା ପୂଣ୍ୟମୟୀ ଏ ସ୍ଥାନ
ମୋ ଜନମଭୂମି ମୋର ମାତୃ ସମାନ।୧।
ଯେ ଦେଶେ ଅଛନ୍ତି ମୋ ପ୍ରିୟ ବନ୍ଧୁ, ପରିବାର
ସ୍ନେହମୟୀ ମାତା, ମୋର ସ୍ନେହର ତାତ,
ପ୍ରେମ-ଆନନ୍ଦ-ପସରା ସହୋଦର ସହୋଦରା
ବୁହାଇ ସେନେହ-ଧାରା ହରନ୍ତି ଚିତ୍ତ
ନାହିଁ ଆଉ ଏସନ ସ୍ଥାନ,
ମୋ ଜନମଭୂମି ରାଜେ ମାତୃ ସମାନ ।୨।
ଯେ ଦେଶର ନଦୀ ଚିରି ଜୀବଜନ୍ତୁ-ଉପକାରୀ
ଚାରୁ କଳେବର ଧରି ଶୋଭା ବିକାଶେ;
ଅତୁଳ ତାରକା-ଶୋଭା ନବ-ଜଳଧର ଆଭା
ଚପଳା ଚପଳା-ବିଭା ଖେଳେ ଆକାଶେ
କାହିଁ ଆଉ ସ୍ଥାନ ଏସନ?
ମୋ ଜନମ ଭୂମି ସତେ ସରଗ ସମାନ।୩।
ଯେଉଁ ଦେଶର ଆକରେ ବହୁ ମଣି ବାସକରେ
ମିଳେ ମୁକୁତା ସାଗରେ ମୋ ହିତ ପାଇଁ;
ଯେଉଁ ଦେଶର କାନନ ତରୁ, ଲତା, ପୁଷ୍ପମାନ
ସୁମଧୁର ପକ୍ଷି-ଗାନ ମନ ମୋହଇ;
ଅଦ୍ୱିତୀୟ ବିଶ୍ୱେ ଏ ସ୍ଥାନ;
ମୋ ଜନମ ଭୂମି ଆହା ବୈକୁଣ୍ଠ ଧାମ।୪।
ଯେ ଦେଶର ଜଳେ ଫଳେ ପୁଷ୍ଟ ମୁଁ ଏ ଧରାତଳେ
ଯା’ ନାମେ ମୁଁ ପରିଚିତ ହୁଏ ବିଶ୍ୱରେ;
ଯାର ଗଉରବେ ସତେ ମାତି ଉଠେ ସୁଖ ଚିତ୍ତେ
ଯାର ଅପମାନ ମୋତେ ବିଷାଦ ମାରେ;
ଜଗତେ ବିରଳ ଏ ସ୍ଥାନ;
ମୋ ଜନମଭୂମି ସିନା ସ୍ୱର୍ଗ ସମାନ।୫।
