ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୨ Back to Vote Screen

ଲେଖକ ଓ ଲେଖିକା

ଡ.ହରେକୃଷ୍ଣ ମହତାବ
ସନ୍ଥକବି ଭୀମ ଭୋଇ
ରାଜକିଶୋର ରାୟ
ରବି ଶତପଥୀ
ସୁରେନ୍ଦ୍ର ମହାନ୍ତି
ରାଧାନାଥ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଉତ୍ତରଣ
 |- ଜଗଦୀଶ ମହାନ୍ତି
 
 
ତା: ଜାନୁଆରୀ ୨୯, ୨୦୧୪  
 

ଶମ୍ଭୁଚରଣ କବି ବନିଯିବା ଆମ ପାଖରେ ଯେତିକି ଆଶ୍ଚର୍ଯ୍ୟଜନକ ଘଟଣା ନଥିଲା, ତା’ଠୁ କାହିଁକି କେତେଗୁଣ ବିସ୍ମୟକର ଘଟଣା ଥିଲା ଶମ୍ଭୁଚରଣ ଦାତାକର୍ଣ୍ଣ ବନିଯିବା୤ ଏମିତିରେ ବନ୍ଧୁ ମହଲରେ ଶମ୍ଭୁଚରଣର ଭାରି ଦୁର୍ନାମ, କୃପଣ ବୋଲି୤ ପେଟ୍ରୋଲ ଖର୍ଚ୍ଚ ହେଇଯିବ ବୋଲି ସେ ଦିନେହେଲେ ସ୍କୁଟର୍‌ ଚଳେଇ ବି କୁଆଡ଼େ ଯିବାର କେହି ଦେଖିନି୤ ଚାଲିଲେ ବ୍ୟାୟମ ହୁଏ ଓ ରକ୍ତସଂଚାଳନ ଭଲହୁଏ ବୋଲି ସେ କେବେ ବି ରିକ୍ସା କରେନାହିଁ୤ ଅଫିସ୍‌ରେ କେବେ ଦିନେ ଚା’ କପେ କି ସିଗାରେଟ୍‌ ଖଣ୍ଡେ ପିଇବାର କି କାହାରିକୁ ଯାଚିବାର କେହି ଦେଖିନାହିଁ୤ ହାଟକୁ ଗଲେ, ସେ ଦି’ଘଣ୍ଟା ସମୟ ନିଏ୤ ପ୍ରଥମେ ସେ ହାଟର ଏମୁଣ୍ଡରୁ ସେ ମୁଣ୍ଡ ବୁଲିଯାଏ, ସବୁ ପରିବା’ର ଦାମ୍‌ ପଚାରି ପଚାରି୤ ତା’ପରେ, (ଅଦ୍ଭୁତ ସ୍ମୃତି ଶକ୍ତି ତା’ର) ସେ ଫେରି ଆସେ ସବୁଠୁ କମ୍‌ ଦାମ୍‌ରେ ମିଳୁଥିବା ପରିବାବାଲାମାନଙ୍କ ପାଖକୁ୤ ପରିବା କିଣିବା ବିଷୟରେ ତା’ର ନିଜସ୍ବ କେତୋଟି ପଦ୍ଧତି ସେ ଉଦ୍ଭାବନ କରିଛି୤ ଯଥା: ଏକତ୍ର କିଲେ ବାଇଗଣ କିଣିଲେ ଯେତିକି ବାଇଗଣ ଆସିବ, ଯଦି ଅଢ଼େଇ ଶହ ଲେଖେଁ ଚାରିଥର କିଣାଯାଏ, ତା’ଠୁ ବହୁତ ବାଇଗଣ ବେଶି ମିଳିବ୤ ଏମିତି ସେସବୁ ବାଇଗଣକୁ ତଉଲେଇଲେ ଦେଢ଼ କେଜି ବାଇଗଣ ହେଇଯିବ୤ କାରଣ, ପ୍ରତିଥର ଓଜନ କଲାବେଳେ ଦଣ୍ଡି ଟିକିଏ ବେଶି ଝୁଲେଇକି ଦେବ ପରିବା ବାଲା ଓ ଚାରିଥର ଓଜନ କଲେ, ଦଣ୍ଡି ଝୁଲେଇଥିବା ବାଇଗଣ ସବୁ ଓଜନ ଅଧ କେଜିକ ସାଙ୍ଗରେ ସମାନ ହୋଇଥିବ୤ ଦ୍ବିତୀୟ ପଦ୍ଧତିଟି ହେଲା, ଧରାଯାଉ ଶମ୍ଭୁଚରଣ ଅଢ଼େଇଶହ ବାଇଗଣ କିଣିଲା ପ୍ରଥମଥର୤ ତା’ର ଦାମ୍‌ ହେଉଚି ଷାଠିଏ ପଇସା୤ ଶମ୍ଭୁଚରଣ ପଚାଶ ପଇସା ଦେଲା ଓ କହିଲା ତା’ ପାଖରେ ଆଉ ରେଜା ନାଇଁ୤ ପନ୍ଦର ମିନିଟ୍‌ ପରେ ପୁଣି ଥରେ ପଚାଶ ପଇସାରେ ଅଢ଼େଇ ଶହ୤ ପୁଣି ପନ୍ଦର ମିନିଟ୍‌ ପରେ ପୁଣି ପଚାଶ ପଇସାରେ୤ ଏମିତି କିଲେ ବାଇଗଣକୁ କିଣିଲା ସେ ଦୁଇଟଙ୍କାରେ୤ ଅଥଚ ଏକାଥରେ କିଣିଲେ ସେ ଦେଇଥାନ୍ତି ଦୁଇଟଙ୍କା ଚାଳିଶି ପଇସା୤ ପୁରା ଚାଳିଶି ପଇସାର ଲାଭ୤ ଆହୁରି, ତା’ର ପ୍ରଥମ ଉପପାଦ୍ୟ ଅନୁଯାୟୀ ସେ ପାଉଛି ଦେଢ଼ କିଲୋ ବାଇଗଣ, ଯା’ର ଦାମ୍‌ ହେଉଚି ତିନିଟଙ୍କା ଷାଠିଏ୤ ଏମିତିରେ ତା’ର ଲାଭ ହେଲା ଟଙ୍କାଏ ଷାଠିଏ୤

ଶମ୍ଭୁଚରଣର ଏସବୁ ଉଦ୍ଭାବନ ଆମ ପାଖରେ ଥିଲା ଅତୀବ କୌତୂହଳ ଓ ରହସ୍ୟର ବିଷୟ୤ ଆମେ ତା’କୁ ଏ ସମ୍ପର୍କରେ ଥଟ୍ଟା କରିବାକୁ ଛାଡ଼ୁନଥିଲୁ ଓ ସେ ବିନା ବାକ୍ୟବ୍ୟୟରେ ଲାଜେଇକି ହସି ଦେଉଥିଲା ମାତ୍ର୤ ଶମ୍ଭୁଚରଣର ଏଭଳି ଲାଜୁଆ ହସ ଓ ଅପ୍ରତିଭ ଚେହେରା ଆମ ପାଖରେ କୌତୁକର ଖୋରାକ୍‌ ଯୋଗାଉଥିଲେ ବି, କେଉଁଠି କେମିତି ଗୋଟେ ସ୍ନେହ, ଦୟା ଓ କରୁଣା ମିଶି ରହିଥିଲା୤

ଏଭଳି ଶମ୍ଭୁଚରଣ ତା’ର କିଛି ବନ୍ଧୁଙ୍କୁ ଡାକି ବରା ଓ ମିଠା ଖୁଆଇବା ଆରମ୍ଭ କରିଦେବ ହଠାତ୍‌୤ ଏଭଳି ଖବର ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେବାକୁ ଯଥେଷ୍ଟ ନଥିଲା? ଦିନେ ମୋତେ ଭାଇନା ହୋଟେଲ୍‌କୁ ଡାକିନେଇ ଖାଲି ଯେ, ବରା ଖୁଆଇଲା ସେତିକି ନୁହେଁ୤ ତା’ ଭାଉଜ ଓ ପୁତୁରା ଝିଆରୀଙ୍କ ପାଇଁ ଚାରୋଟି ରସଗୋଲା ଗୋଟେ ମାଟି ଠେକିରେ ‘ପାର୍ଶଲ୍‌’ କରିଦେବା ପାଇଁ ଅର୍ଡ଼ର୍‌ ଦେଲା ଯେତେବେଳେ, ମୋର ସନ୍ଦେହ କରିବାର ଆଉ ଅବକାଶ ରହିଲା ନାହିଁ ଯେ ସେ ନିର୍ଘାତ ପାଗଳ ହୋଇଯାଇଛି୤

ମୋର ସନ୍ଦେହ ତା’ ଆଗରେ ପ୍ରକାଶ କରନ୍ତେ, ସେ ଏମନ୍ତ ସଫେଇ ଦେଲା ଯେ, ନା’ ତା’ର ମୁଣ୍ଡ ଖରାପ ହେଇନାହିଁ୤ ସେ କୌଣସି ଦାନ ଛତ୍ର ଖୋଲି ନାଇଁ ଯେ, ଅଫିସ୍‌ ସାରା ଲୋକଙ୍କୁ ବରା ଓ ମିଠା ଖୁଆଇବ୤ ସେ କେବଳ ତା’ର ସମଧର୍ମୀ ମାନଙ୍କୁ ଖୁଆଉଛି, କାରଣ ସେ ଏକ ନୂଆ ଜଗତରେ ପାଦ ଦେଇଚି ଓ ସେଇ ଜଗତର ବାସିନ୍ଦାମାନଙ୍କ ସାଙ୍ଗରେ ଚିହ୍ନା ପରିଚୟ ହେବା ପାଇଁ ଏଭଳି ଖର୍ଚ୍ଚବାର୍ଚ୍ଚ କରିବାକୁ ପଡ଼ୁଛି୤

ନୂଆ ଜଗତ କ’ଣ? କିଏ ତା’ର ବାସିନ୍ଦାମାନେ? ନା, ଲାଜେଇକି, ମୁରୁକି ମୁରୁକି ହସି ସେ କହିଲା, ସେ ଏବେ ସାହିତ୍ୟ ଜଗତରେ ପାଦ ଦେବାକୁ ବସିଛି ଓ ସାହିତ୍ୟ ସୃଷ୍ଟି କରୁଛି, ଅର୍ଥାତ୍‌ ଶମ୍ଭୁଚରଣ କବି ବନିଯାଇଛି୤

ଏତେ ପ୍ରକାର କାମ ଥାଉ ଥାଉ ଏମିତି ବେକାର ଧନ୍ଦାଟି କାହିଁକି ଶମ୍ଭୁଚରଣ ମୁଣ୍ଡେଇ ନେଲା, ଭାବି ଆମେ ସବୁ ଆଶ୍ଚର୍ଯ୍ୟ ହେବାକୁ ଯାଉଛୁ, ସେତେବେଳେ ଶମ୍ଭୁଚରଣ ଆମ ଆଶଙ୍କାଗୁଡ଼ିକୁ ଗୁରୁତ୍ବ ନଦେଇ କହିଲା ଯେ, କବିତା ସେ ଲେଖୁନାହିଁ, ବରଂ କବିତା ତା’କୁ ନେଇ ଲେଖେଇ ହେଉଛି୤ ଏସବୁ ଐଶ୍ବରିକ ଶକ୍ତି୤ କାଳିସୀ ଲାଗିଲା ଭଳି ତା’କୁ କବିତା ଘାରୁଛି ଓ ସେଇ ସମୟରେ ତା’ପାଖରେ ସ୍ତ୍ରୀ, ପୁତ୍ର, କନ୍ୟା ପରିବାର, ଚାକିରି, ସଂସାର ସବୁ ତୁଚ୍ଛ ମନେ ହେଉଛି୤

ଶମ୍ଭୁଚରଣ ଅଚିରେ ଦାଢ଼ି ବଢ଼େଇବାକୁ ଲାଗିଲା, ଜିନ୍‌ ପ୍ୟାଣ୍ଟ ଓ ଖଦଡ଼ ପଞ୍ଜାବୀ ପିନ୍ଧିଲା୤ କାନ୍ଧରେ କନାର ବ୍ୟାଗ୍‌ ଝୁଲେଇବା ଓ ପୁଅକୁ ଗଣିତ ପଢ଼େଇବା ଛାଡ଼ି ଦେଇ କବିତା ପାଠୋତ୍ସବରେ ଯୋଗଦେଇ କିମ୍ବା ଦୈନିକ ସମ୍ବାଦପତ୍ରମାନଙ୍କର ସାପ୍ତାହିକ ସାହିତ୍ୟ ବିଭାଗ ସମ୍ଭାଳୁଥିବା ସାମ୍ବାଦିକ-ସାହିତ୍ୟିକ-ସମ୍ପାଦକ ତଥା ଓଡ଼ିଆ ସାହିତ୍ୟର ନିଜେ ଭାଗ୍ୟ ବିଧାତା ବୋଲାଉଥିବା ଯୁବ ପ୍ରତିଭା ଏ ଗୁଲିଖଟି ଆଡ୍ଡାରେ ଗପସପ ଜମେଇ (ଅବଶ୍ୟ ବରା ଓ ମିଠା ଖୁଆଇ) ଫେରୁଥିବା ଶମ୍ଭୁଚରଣ ଯେ ପାଗଳ ହେଇଯାଇଛି, ସେ ସମ୍ପର୍କରେ ତା’ର ପରିବାରର କୌଣସି ସନ୍ଦେହ ନଥିଲା୤

ଥରେ ଶମ୍ଭୁଚରଣ ଘରକୁ ଗଲାବେଳେ ଦେଖିଲି ଶମ୍ଭୁଚରଣର ‘ପରିବାର’ ଉଗ୍ର ଚଣ୍ଡୀ ଭାବରେ ଘରର ଜିନିଷପତ୍ର ଫିଙ୍ଗାଫୋପଡ଼ା କରୁଛି୤ କଥା କ’ଣ? ବୁଝୁବୁଝୁ କ’ଣ ନା-ପୁଅର ଗଣିତ ବହିରେ ଗୋଟେ ଅଙ୍କଥିଲା୤ ଅଙ୍କଟି ଏଇଭଳି: ତିନୋଟି ଘଣ୍ଟା ଯଦି ୧୦, ୧୫, ୨୦ ମିନିଟ୍‌ ଅନ୍ତରରରେ ଥରେ ଚାଇଁ କରନ୍ତି ଓ ବାରଟା ପନ୍ଦର ମିନିଟ୍‌ରେ ସେମାନେ ଣେଷ ଥର ପାଇଁ ଏକାଠି ଚାଇଁ କରିଥିଲେ, ତେବେ କେତେ ସମୟ ପରେ ସେମାନେ ଆଉଥରେ ଏକାଠି ଚାଇଁ କରିବେ?

ଅଙ୍କଟି ବୁଝଉ ବୁଝଉ ଶମ୍ଭୁଚରଣ ଖୁବ୍‌ ଭାବାବେଗରେ ଆବେଶିତ ହେଇ ପଡ଼ିଥିଲା୤ ପ୍ରତି ଦଶ ପନ୍ଦର ଓ କୋଡିଏ ମିନିଟ୍‌ରେ ଘଣ୍ଟା ଗୁଡ଼ିକ ଚାଇଁ କରିବାର ଅସହାୟତା, ବାଧ୍ୟବାଧକତା, କିଏ କଲା ଏ ନିୟମ? ହେ ନିଷ୍ଠୁର ବୈଜ୍ଞାନିକ, ଯାନ୍ତ୍ରିକ ଓ ଅଙ୍କ ବିଶାରଦମାନେ, କାହିଁକି ଏ ସିସିପସୀୟ ଯନ୍ତ୍ରଣା? ଘଣ୍ଟାମାନଙ୍କର କ’ଣ ମୁକ୍ତି ନାଇଁ ଆଉ? ପୁଅର ଅଙ୍କ ଖାତାରେ କବିତା ଲେଖି ପକେଇଥିଲା ଶମ୍ଭୁଚରଣ, ଯାହା ତା’ର ଆଲୁଳାୟିତ କେଶ, ସ୍ଖଳିତ ବସନମାଳା: ‘ପରିବାର’ର ତାଣ୍ଡବନୃତ୍ୟ ପାଇଁ ଯଥେଷ୍ଟ ଥିଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଜଗଦୀଶ ମହାନ୍ତି
ଜଗଦୀଶ ମହାନ୍ତି
ଜଗଦୀଶ ମହାନ୍ତି(୧୯୫୧-୨୦୧୩) ଓଡ଼ିଆ ଗଳ୍ପ ସାହିତ୍ୟର ଅନ୍ୟତମ ଅନନ୍ୟ ସ୍ରଷ୍ଟା୤ ଓଡ଼ିଆ ଗଳ୍ପ ସାହିତ୍ୟରେ ସେ ଏକ ନୂତନ ଧାରାର ପ୍ରବର୍ତ୍ତକ ଭାବେ ସ୍ବୀକୃତ୤ ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ନିଜ ନିଜ ପାନିପଥ’, ‘କନିଷ୍କ କନିଷ୍କ’, ‘ଉତ୍ତରାଧିକାରୀ’, ‘ଦୁର୍ଦ୍ଦିନ’, ‘ଅଦୃଶ୍ୟ ସକାଳ’ ଏବଂ ଗଳ୍ପ ସଙ୍କଳନ ମଧ୍ୟରେ ‘ଏକାକୀ ଅଶ୍ବାରୋହୀ’, ‘ଦକ୍ଷିଣ ଦୁଆରୀ ଘର’, ‘ଈର୍ଷା ଏକ ଋତୁ’, ‘ଆଲ୍‌ବମ୍‌’ ଓ ‘ସୁନା ଇଲିଶି’ ଆଦି ଅନ୍ୟତମ୤ ଏହା ବ୍ୟତୀତ ସେ ନିଜର ଅନେକ ଗଳ୍ପକୁ ହିନ୍ଦୀ ଓ ଇଂରାଜୀ ଭାଷାରେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ତରୁଣ, ଆଇ.ଆଇ.ଟି. ଦୀଲ୍ଲି |  ସେପ୍ଟେମ୍ବର୍ ୧୨, ୨୦୧୪ - ୧୦:୪୬ ପୂର୍ବାହ୍ନ

    ସୁନ୍ଦର ହୋଇଛି ଗପଟି୤

  • ୨. rasmi, ନୋଇଡା |  ମାର୍ଚ୍ଚ୍ ୧୯, ୨୦୧୫ - ୯:୦୬ ଅପରାହ୍ନ

    ସ୍ୱର୍ଗତ ଜଗଦୀଶ ମହାଂତି ବହୁତ ଜଲ୍‍ଦି ଚାଲିଗଲେ..

  • ୩. rasmi |  ମାର୍ଚ୍ଚ୍ ୧୯, ୨୦୧୫ - ୯:୧୫ ଅପରାହ୍ନ

    ଗଳ୍ପଟି ବହୁତ ଭଲ ଲାଗିଲା.. ଆଜି କାଲିର କବିର ପ୍ରକୃତ ସ୍ଥିତି ବି ଏମିତି (ଏ ଗପଟି ବୋଧେ କୋଡିଏ/ ତିରିଶ ବର୍ଷ ତଳେ ଲେଖାଯାଇଥିବ).. ..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤