ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୀତାକାନ୍ତ ମହାପାତ୍ର
କେ.ଶ୍ୟାମବାବୁ ଦୋରା
ଗୋପାଳ ଚନ୍ଦ୍ର ପ୍ରହରାଜ
ଉତ୍କଳମଣି ଗୋପବନ୍ଧୁ ଦାସ
ଦୀପକ ମିଶ୍ର
ବିପ୍ର ଆଚାର୍ଯ୍ୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଉତ୍ତରଣ
 |- ଜଗଦୀଶ ମହାନ୍ତି
 
 
ତା: ଜାନୁଆରୀ ୨୯, ୨୦୧୪  
 

କିଛିଦିନ ପରେ, ଗୋଟେ ଚାରିପୃଷ୍ଠିଆ ଦୈନିକ ପତ୍ରିକାର ସାପ୍ତାହିକ ସାହିତ୍ୟ ବିଭାଗର ଗୋଟେ କୋଣରେ, ଅନ୍ତିମ କଲମର ପାଦଦେଶରେ କବିତାଟି ଛପା ଅକ୍ଷରରେ ଝଲମଲ କରୁଥିଲା ଓ ପତ୍ରିକାଟିକୁ ସଯତ୍ନେ ଆମ ଆଡ଼କୁ ବଢ଼େଇ ଦେଲା ବେଳେ ଲାଜୁଆ ହସଟି, ଶମ୍ଭୁଚରଣର ଓଠରେ ଲଟକି ରହିଥିଲା୤

ଶମ୍ଭୁଚରଣ ଅଚିରେ କବି ପାଲଟି ଯାଇଥିଲା୤ ସାପ୍ତାହିକ ସାହିତ୍ୟ ବିଭାଗ ହିଁ ନୁହଁ-ବରଂ ବିଭିନ୍ନ ପତ୍ର ପତ୍ରିକାରେ ତା’ର କବିତା ଛପା ହେଉଥିଲା, ତାହା ଏତେ ପରିମାଣରେ ବିରକ୍ତିକରଣ ଓ ଅପଠନ ଯୋଗ୍ୟ ଥିଲା ଯେ, ଭାଗ୍ୟକୁ ଖାଉଟି ସୁରକ୍ଷା ଆଇନ୍‌ରେ ପତ୍ରିକାମାନେ ଆସୁ ନଥିଲେ ଓ ଓଡ଼ିଶାରେ ସାହିତ୍ୟ ପତ୍ରିକା ପଢ଼ୁଥିବା ଅଧିକାଂଶ ଲୋକେ କିଣି ନୁହେଁ, ମାଗଣାରେ ପଢ଼ୁଥିବାରୁ ଶମ୍ଭୁଚରଣ ରକ୍ଷା ପାଇଯାଉଥିଲା୤

ଶମ୍ଭୁଚରଣର ଆଉଗୋଟେ କାମ ହୋଇଯାଇଥିଲା, ସନ୍ଧ୍ୟା ହେଲାମାତ୍ରେ, ସ୍କୁଟର୍‌ ବାହାର କରି ବିଭିନ୍ନ ପତ୍ରିକା ନିମନ୍ତେ ବିଜ୍ଞାପନ ଖୋଜି ବୁଲିବା୤ କହିବା ବାହୁଲ୍ୟ, ପତ୍ରିକାମାନଙ୍କରେ ତା’ର ବିଜ୍ଞାପନ ଓ କବିତା ବାହାରୁଥିଲା ଏକା ସାଙ୍ଗରେ୤ ଏତେ ସାଧ୍ୟ ସାଧନା ପରେ ବି କବିତା ଲେଖୁଥିଲା ଶମ୍ଭୁଚରଣ ଓ ଆମକୁ କହୁଥିଲା କି ସାହିତ୍ୟିକ ବୋଲାଉଚ ହେ ସବୁ? ସାହିତ୍ୟ ସାଧନା କଥାଟା ଜାଣିନ? ସାହିତ୍ୟ ହେଲା କବିତା ଓ ସାଧନା ହେଲା ବିଜ୍ଞାପନ ଯୋଗାଡ଼ କରିବା୤

ଦିନେ ରାତି ଦଶଟା ବେଳେ ଶମ୍ଭୁଚରଣ ହାଜର ଆମଘରେ୤ କଥା କ’ଣ ନା, ତା’ର କବିତା ବହି ବାହାରିବ୤ କବିତା ବହି ବାହାରିବ, ଏ ଏକ ଉତ୍ତମ ପ୍ରସ୍ତାବ୤ କିନ୍ତୁ ରାତି ଦଶଟା ବେଳେ ଆସିକି ଏ ଖବର ଦେବାର ଅର୍ଥ କ’ଣ? ନା, ତମେ ଭାଉଜଙ୍କୁ ଟିକିଏ ବୁଝାଅ୤ ଅଥଚ ଭାଉଜଙ୍କୁ ବୁଝେଇବାର କ’ଣ ଅଛି? ଶମ୍ଭୁଚରଣ କବିତା ଲେଖୁଚି୤ ତା’ର ବହି ବାହାରିବ୤ ଅଥଚ ତା’ର ପରିବାରର ଆପତ୍ତି କରିବାର କ’ଣ ଅଛି? ନା, ଏ ତା’ର ଗହଣା ଗାଣ୍ଠି ବନ୍ଧା ପକେବାକୁ ଚାହୁଁନି୤ ମୁସ୍କିଲ୍‌ କଥା୤

ଏଇ ଘଟଣାର ଦେଢ଼ ବର୍ଷ ପରେ, ଶମ୍ଭୁଚରଣର ବହି ବାହାରିଲା୤ ଡି.ଟି.ପି. କରାହେଲା୤ କଭର୍ ଆର୍ଟ ହେଲା୤ ଲ୍ୟାମିନେସନ୍‌ ହେଲା୤ ଏସବୁ ଧନ୍ଦାରେ ଶମ୍ଭୁଚରଣ ଦେଢ଼ବର୍ଷ କବିତା ଲେଖିପାରି ନଥିଲା୤ ପଚାରିଲେ ସେଇ ଲାଜୁଆ ହସ, ଭାଇ ବହି ଛାପିବା ଏତେ ଜଞ୍ଜାଳର କାମ, ଆଗରୁ କ’ଣ ଜାଣିଥିଲି ? କହିବା ବାହୁଲ୍ୟ, ତା’ର ପରିବାରର ଗହଣା ଗୁଡ଼ିକ ଡି.ଟି.ପି., ଲ୍ୟାମିନେସନ୍‌ ଓ କଭର୍‌ ଆର୍ଟରେ ବଦଳି ଯାଇଥିଲା ଓ ସେଇ ଶୋଭନ ପ୍ରଚ୍ଛଦପଟ ଭିତରେ ଥିବା କବିତାଗୁଡ଼ିକ ଏକଦା ଶମ୍ଭୁଚରଣ ଲେଖିଥିଲା, ଆମର ବିଶ୍ବାସ ହେଉ ନଥିଲା୤ ଅବଶ୍ୟ ବହିଟି ଶମ୍ଭୁଚରଣ ତା’ର ପରିବାରକୁ ହିଁ ଉତ୍ସର୍ଗ କରିଥିଲା୤

ବହି ବାହାରିବାର ଅଳ୍ପ ଦିନ ପରେ ଶମ୍ଭୁଚରଣ ଦିନେ ଆଉଥରେ ରାତି ଦଶଟାରେ ପହଞ୍ଚିଥିଲା୤ କଥା କ’ଣ? ନା, ସହରର ପ୍ରସିଦ୍ଧ ବହି ଦୋକାନୀ ‘ମଡ଼ର୍ଣ୍ଣ ବୁକ୍‌ ହାଉସ୍‌’ ତା’ର ବହି ରଖିବାକୁ ରାଜି ହେଉନି୤ କାହିଁକି? ଶମ୍ଭୁଚରଣ ତ ଆଗତୁରା ବହିର ଦାମ୍‌ ମାଗୁନି୤ ଖାଲି ଚାହୁଁଛି ବହି କେତେଖଣ୍ଡ ଦୋକାନରେ ରଖ୤ ବିକ୍ରୀ ହେଲେ ତିରିଶ ପ୍ରତିଶତ କମିଶନ କାଟି ବାକି ଟଙ୍କାତକ ଫେରେଇ ଦିଅ୤ ତେବେ ବହି ରଖିବନି କାହିଁକି?

ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ରେ ମାଲିକ କହିଲେ, ଆଜ୍ଞା ମୁଁ କ’ଣ ବହି ରଖିବାକୁ ଅରାଜି ଅଛି? ହେଲେ ଆଜ୍ଞାଙ୍କର ସର୍ତ୍ତ ପାଖରେ ମୁଁ ନାଚାର ହେଇ ଯାଉଛିନା!
ଆଜ୍ଞାଙ୍କର ସର୍ତ୍ତ କ’ଣ ନା, କବି ଚାହୁଁଛନ୍ତି, ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ର ବେଷ୍ଟ୍‌ ସେଲ୍‌ସ୍‌ର ବହି ରଖାହେଇ ଯେଉଁ ଚକଟି ବୁଲୁଚି ସେଇ ଚକ ଉପରେ ବହିଟି ଥୁଆ ହେବ୤ କବିଙ୍କୁ ତ ତମେ କିଛି ହିଁ ଦେଉନ ହେ୤ ନା ସମାଜରେ ପ୍ରତିଷ୍ଠା, ନା ଧନରତ୍ନ, ନା କୋଠାବାଡ଼ି୤ ବିନିମୟରେ ଖାଲି ତାଙ୍କ ବହିଟିକୁ ଚକ ଉପରେ ଥୋଇ ଦେବ, ଏତିକି ତମେ ପାରିବନି? ଧିକ୍‌ ତମକୁ୤ ଧିକ୍‌ ତମର ସମାଜ ବ୍ୟବସ୍ଥାକୁ, ତମର ବିଚାର ପଣିଆକୁ୤

ଶେଷରେ ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ର ବେଷ୍ଟ୍‌ ସେଲସ୍‌ର୍‌ ଘୁରନ୍ତା ଚକ ଉପରେ ଶମ୍ଭୁଚରଣ କବିତା ବହି ଥୁଆହେଲା ଓ ତାହା ସୂର୍ଯ୍ୟକୁ ଚନ୍ଦ୍ର ପ୍ରଦକ୍ଷିଣ କଲା ଭଳି ବୁଲିବାକୁ ଲାଗିଲା୤ ଅନନ୍ତର ଶମ୍ଭୁଚରଣକୁ ଆଉ ଗୋଟେ ଭୂମିକାରେ ଦେଖିବାକୁ ମିଳିଲା୤ ଏଥର ତା’ର ଦାଢ଼ି ହେଲା ଅଯତ୍ନବର୍ଦ୍ଧିତ୤ ସାର୍ଟ ପ୍ୟାଣ୍ଟ୍‌ ଆହୁରି ମଳିନ୤ ସେ ସଂସାର ପ୍ରତି ହେଇଗଲା ଆହୁରି ଉଦାସୀନ୤ ଅଫିସରେ କାମ ଦାମ କଲାନି୤ ଆହୁରି ଅନ୍ୟମନସ୍କ ହେଲା୤ ହିସାବକିତାବରେ ଏମିତି ଭୁଲ୍‌ଭାଲ୍‌ କଲା ଯେ, ଅଫିସର୍‌ ଫାଇଲ୍‌ ଫିଙ୍ଗିଲେ ତା’ ଉପରକୁ୤

ଶମ୍ଭୁଚରଣ ସନ୍ଧ୍ୟା ପାଞ୍ଚଟା ହେଲାମାତ୍ରେ ଅସ୍ଥିର ହେଇ ଉଠୁଥିଲା୤ ଅଫିସ୍‌ରୁ ତରତର ହୋଇ ବାହାରି ଯାଉଥିଲା୤ ନା, ସେ ଘରକୁ ଯାଉ ନଥିଲା, ହାଟକୁ ଯାଉ ନଥିଲା୤ ସାହିତ୍ୟ ସଭାକୁ, ଆଡ୍ଡାକୁ କିମ୍ବା ବିଜ୍ଞାପନ ଯୋଗାଡ଼କୁ ବି ଯାଉ ନଥିଲା୤ ସେ ସିଧା ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ ପାଖକୁ ଯାଉଥିଲା୤ ଦୋକାନ କଡ଼ରେ ଥିବା ପାନଦୋକାନରୁ ସିଗାରେଟ୍‌ କିଣି, ଅଧଘଣ୍ଟା କାଳ ସିଗାରେଟ୍‌ ଫୁଙ୍କି ଫୁଙ୍କି ସେ ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ର ଘୁରନ୍ତ ଚକ ଓ ତା’ର ଶୋଭନ ପ୍ରଛଦର ବହିକୁ ଅନେଇ ରହୁଥିଲା୤ ସେତେବେଳେ ତା’କୁ ଦେଖିଲେ କେମିତି ଆଉ ଗୋଟେ ଶମ୍ଭୁଚରଣକୁ ଦେଖିଲା ଭଳି ଲାଗୁଥିଲା ଆମକୁ୤ ତା’ ଦେହରେ ଯେମିତି ଲୋଟେଇ ଯାଇଛି ଲତା, ଚରିଯାଇଛି ଉଇହୁଙ୍କା, ବେଢ଼ି ଯାଇଚି ଅନାବନା ଘାସ ଓ ସେ ଠିଆ ହୋଇ ରହିଛି୤

ଏଇ ଶମ୍ଭୁଚରଣଟି ଆଉ ଯାହା ଥାଉ ନଥାଉ ସେ ଆଉ କବିତା ଲେଖୁ ନଥିଲା୤ କାହିଁକି ଲେଖୁ ନଥିଲା, ସେଇଟି ହିଁ କାହାରିକୁ ଜଣାନଥିଲା୤ ସ୍ବୟଂ ଶମ୍ଭୁଚରଣକୁ ବି ନୁହଁ୤ ତାହାହିଁ ଥିଲା ରହସ୍ୟ୤

ଉକ୍ତ ଗଳ୍ପଟି ଗାଳ୍ପିକଙ୍କ ଶାରଳା ପୁରସ୍କାରପ୍ରାପ୍ତ ‘ସୁନା ଇଲିଶି’ ଗଳ୍ପ ସଙ୍କଳନରୁ ସଂଗୃହୀତ

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଜଗଦୀଶ ମହାନ୍ତି
ଜଗଦୀଶ ମହାନ୍ତି
ଜଗଦୀଶ ମହାନ୍ତି(୧୯୫୧-୨୦୧୩) ଓଡ଼ିଆ ଗଳ୍ପ ସାହିତ୍ୟର ଅନ୍ୟତମ ଅନନ୍ୟ ସ୍ରଷ୍ଟା୤ ଓଡ଼ିଆ ଗଳ୍ପ ସାହିତ୍ୟରେ ସେ ଏକ ନୂତନ ଧାରାର ପ୍ରବର୍ତ୍ତକ ଭାବେ ସ୍ବୀକୃତ୤ ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ନିଜ ନିଜ ପାନିପଥ’, ‘କନିଷ୍କ କନିଷ୍କ’, ‘ଉତ୍ତରାଧିକାରୀ’, ‘ଦୁର୍ଦ୍ଦିନ’, ‘ଅଦୃଶ୍ୟ ସକାଳ’ ଏବଂ ଗଳ୍ପ ସଙ୍କଳନ ମଧ୍ୟରେ ‘ଏକାକୀ ଅଶ୍ବାରୋହୀ’, ‘ଦକ୍ଷିଣ ଦୁଆରୀ ଘର’, ‘ଈର୍ଷା ଏକ ଋତୁ’, ‘ଆଲ୍‌ବମ୍‌’ ଓ ‘ସୁନା ଇଲିଶି’ ଆଦି ଅନ୍ୟତମ୤ ଏହା ବ୍ୟତୀତ ସେ ନିଜର ଅନେକ ଗଳ୍ପକୁ ହିନ୍ଦୀ ଓ ଇଂରାଜୀ ଭାଷାରେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ତରୁଣ, ଆଇ.ଆଇ.ଟି. ଦୀଲ୍ଲି |  ସେପ୍ଟେମ୍ବର୍ ୧୨, ୨୦୧୪ - ୧୦:୪୬ ପୂର୍ବାହ୍ନ

    ସୁନ୍ଦର ହୋଇଛି ଗପଟି୤

  • ୨. rasmi, ନୋଇଡା |  ମାର୍ଚ୍ଚ୍ ୧୯, ୨୦୧୫ - ୯:୦୬ ଅପରାହ୍ନ

    ସ୍ୱର୍ଗତ ଜଗଦୀଶ ମହାଂତି ବହୁତ ଜଲ୍‍ଦି ଚାଲିଗଲେ..

  • ୩. rasmi |  ମାର୍ଚ୍ଚ୍ ୧୯, ୨୦୧୫ - ୯:୧୫ ଅପରାହ୍ନ

    ଗଳ୍ପଟି ବହୁତ ଭଲ ଲାଗିଲା.. ଆଜି କାଲିର କବିର ପ୍ରକୃତ ସ୍ଥିତି ବି ଏମିତି (ଏ ଗପଟି ବୋଧେ କୋଡିଏ/ ତିରିଶ ବର୍ଷ ତଳେ ଲେଖାଯାଇଥିବ).. ..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤