ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଫ୍ରାନ୍ସ୍ ଦେଶର ରାଜଧାନୀ ପାରିସ୍। ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି। ଦୁଇକଡ଼ରେ ସୁନ୍ଦର ବଡ଼ବଡ଼ କୋଠାମାନ। ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି।
ସଞ୍ଜ ବୁଡ଼ି ଆସୁଛି। ସହରର ଗୋଟିଏ ବଡ଼ ହୋଟେଲରେ ସଞ୍ଜଭିଡ଼ ଲାଗିଗଲାଣି। ଲୋକଙ୍କର ଉଠିବା ବସିବା ଶବ୍ଦରେ ଘରଟାଯାକ ସରଗରମ ହୋଇ ରହିଛି। ଇନ୍ଦ୍ରପୁରୀ ପରି ଚମତ୍କାର ଖାଇବା ଜିନିଷମାନ ସଜାଇ ହୋଇ ଥୁଆ ହୋଇଛି।
ହଠାତ୍ ଚଞ୍ଚଳ ଚକିତ ଭାବରେ ଜଣେ ଯୁବକ ହୋଟେଲ ଭିତରକୁ ପଶି ଆସିଲା। ଅନାଇଦେଲେ ବିଦେଶୀ ବୋଲି ଧରାପଡ଼ି ଯାଉଛି। ଛୋଟିଆ ମୁହଁଟି ଉପରେ ଦାଢ଼ି କେରାକ ବଡ଼ ଅବର୍ଜିଆ ଦିଶୁଛି। ଆଖିଦୁଇଟା ମିଟିମିଟି ହୋଇ ଜଳୁଛି। ବାଳଗୁଡ଼ାକ ନୁଖୁରା। ବେଶପୋଷାକରେ ବାଗସାଗ ନାହିଁ। ସେସବୁ ଆଡ଼କୁ ଯେପରି ଯୁବକଟିର ଆଦୌ କୌଣସି ଦୃଷ୍ଟି ନାହିଁ।
ଖାଲି ଟେବୁଲଟିଏ ପାଖକୁ ଆସି ସେ ଚଉକି ଉପରେ ବସିପଡ଼ିଲା। ସଙ୍ଗେ ସଙ୍ଗେ ପରଷିବାବାଲା ଆସି ବରାଦ ମୁତାବକ ଖାଇବା ଜିନିଷ ଆଣି ଥାଳିରେ ଅଜାଡ଼ି ଦେଇଗଲା। ପରଷା ଶେଷ ନ ହେଉଣୁ ଯୁବକଟିର ହାତ ଚାଲିଛି- ସତେ ଯେପରି ଭୋକରେ ତା’ର ପେଟ ଜଳୁଥିଲା। ବରାଦ ପରେ ବାରଦ ଦେଇ ସେ ପେଟ ପୂରିବାଯାଏ ଖାଇବାରେ ଲାଗିଥାଏ।
କିନ୍ତୁ ଖାଇଲେ ତ ପୁଣି ପଇସା ମଧ୍ୟ ଦେବାକୁ ପଡ଼ିବ! ବେଳସୁଁ ଯୁବକଟି ପରଷିଲାବାଲାକୁ ଡାକି ଚୁପ୍ଚୁପ୍ ସତ କଥାଟି କହିଦେଲା ‘‘ବର୍ତ୍ତମାନ ମୋ ପାଖରେ ପଇସାଟିଏ ବି ଦେବାକୁ ନାହିଁ। ରାଜନୀତିରେ ଯୋଗ ଦେଇଥିବାରୁ ସରକାର ମୋତେ ଦେଶରୁ ତଡ଼ି ଦେଇଛନ୍ତି। ଯଦି ତୁମେ ବର୍ତ୍ତମାନ ମୋ ପଇସାଟା ଦେଇଦିଅନ୍ତ, ତେବେ ପରେ ମୁଁ ନିଶ୍ଚୟ ତୁମର ଉଧାର ଶୁଝିଦିଅନ୍ତି!’’
ପରଷିଲାବାଲା ଜଳଜଳ କରି ଅନାଇ ରହିଲା। ଧନୀ ସହର ପାରିସ୍ରେ ପଇସା ନ ଥାଇ ପୁଣି କିଏ ହୋଟେଲ୍ରେ ପଶିବାକୁ ସାହସ କରିବ! ଯାହାହେଉ, ବିଶ୍ୱାସ କରି ସିଏ ଯୁବକଲାଗି ଖର୍ଚ୍ଚଟା ଦେଇଦେଲା। ଯୁବକଟିର ନାମ ହେଉଛି ଲେନିନ୍। ତା’ର କେତେଦିନ ପରେ ଋଷିଆରେ ବିପ୍ଳବ ହେଲା। ଜାର୍ ସରକାର ତଡ଼ା ଖାଇଲେ, ଲେନିନ୍ ଦେଶର ନୂତନ ସଭାପତି ବଛାହେଲେ।
କିନ୍ତୁ ପାରିସ୍ ସହରର ସେହି ପଇସା ଉଧାର କରିଥିବା କଥା ସେ ଭୁଲି ନ ଥାନ୍ତି। ସଙ୍ଗେ ସଙ୍ଗେ କେତେକ ଉପହାର ସହିତ ଧାର କରିଥିବା ପଇସାତକ ସେ ସେହି ପରଷିବାବାଲାର ଠିକଣାରେ ପଠାଇ ଦେଲେ। କିଛିଦିନ ପରେ ଗୋଟିଏ ଚିଠି ଓ ପଇସା ଫେରି ଆସିଲା। ଚିଠିରେ ଲେଖା ହୋଇଥିଲା, ‘‘ଦେଶରୁ ତଡ଼ା ଖାଇଥିବା ଜଣେ ଅଭାବଗ୍ରସ୍ତ ଯୁବକକୁ ମୁଁ ପଇସା ଦେଇଥିଲି। ଏଡ଼େବଡ଼ ଗୋଟାଏ ଦେଶର ସଭାପତିକୁ ଉଧାର ଦେଇଥିଲେ ସିନା ବର୍ତ୍ତମାନ ତାଙ୍କରିଠାରୁ ପରିଶୋଧ ନେଇଥାନ୍ତି!’’