ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶେଫାଳି ପ୍ରତି
 |- କୁନ୍ତଳା କୁମାରୀ ସାବତ
 
 
ତା: ଏପ୍ରିଲ୍ ୨୬, ୨୦୧୨  
 

ଶେଫାଳି !
ମନେ ମନେ ରୂପ ତୋର କଳ୍ପନାରେ ଆସେ କି,
ଭାବି ଭାବି କଥା ତୋର ଉଲ୍ଲାସରେ ଭାସେ କି ?
ଏକ ରାତ୍ରି ପାଇଁ ଫୁଟି ସୁବାସେ ଯାଉଛୁ ଲୋଟି,
କ୍ଷୁଦ୍ର ତୋର ଜୀବନରେ ସୁମହତ ବିକାଶ,
କ୍ଷୁଦ୍ର ବୋଲି ମୁହିଁ କିମ୍ପାଁ ହୋଇବି ରେ ନିରାଶ ?

ଶେଫାଳି !
କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ,
ଚାହିଁଲେ ବିଶାଳ ବିଶ୍ବ ଆସୁଛି କି ପରତେ ?
କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ ଅକାରଣେ ଜନ୍ମିନାହିଁ,
ଅନନ୍ତ ବିନାଶ ମୋର ଲେଖାନାହିଁ କପାଳେ,
ଏକ ରାତି ପାଇଁ ଫୁଟି ଝଡ଼ିଯିବି ସକାଳେ !

ଶେଫାଳି !
ନିତି ପ୍ରାତେ ଦେଖେଁ ପଡ଼ିଅଛୁ ତରୁମୂଳରେ,
ଢଳ ଢଳ ହିମବିନ୍ଦୁ ଶୋଭେ ଶୁଭ୍ର ଦଳରେ,
ସ୍ଫୁଟିକେ ପ୍ରବାଳ ପରା ଗଠିତ ତୋ ତନୁ ତୋରା,
ମନୋନ୍ମାଦକର ତହିଁ ପୂରିଅଛି ସୁବାସ,
କି କୋମଳ କି ଲଳିତ କି ମୋହନ ବିକାଶ !

କି ଯତନେ ଆହରି ମୁଁ ଗୁନ୍ଥେ ମାଳା ଆଦରେ,
ପୁଲକିତ ପ୍ରେମସ୍ପର୍ଶେ ଦୋଳାଏଁ ମୋ କଣ୍ଠରେ,
ଧୀରେ ପରଶି ଅଧରେ କେତେ ମୁଁ ତୋତେ ଆଦରେ
କି ବୁଝିବୁ ପ୍ରାଣହୀନ, ଆକୁଳତା ମୋହର,
କେତେ ପ୍ରେମ କରେଁ ତୋତେ ଗୋପନେ ମୋ ଅନ୍ତର ?

ଶେଫାଳି !
କହେଁ ତୋ ଆଗରେ ସବୁ, ତୁ କି ବନ୍ଧୁ ଜୀବିତ ?
ହେଲେ ମୋ ହୃଦୟ ଶତ ବେଦନାରେ ବ୍ୟଥିତ,
ଆପଣା ମନେ ମୁଁ ଭାଷେଁ ତୋତେ ଶୁଣାଇବା ଆଶେ,
ଶୁଣୁ କି ନ ଶୁଣୁ ଏକା ଜାଣୁ ତୁହି ସୁମନ,
ବୁଝୁ କି ନ ବୁଝୁ ମୋର ଶତ ପ୍ରୀତି-ବଚନ୤

କହି କହି କିନ୍ତୁ ମୁହିଁ ଲଭେଁ ପ୍ରାଣେ ଆରାମ,
ତୋ ବୁଝିବା ନ ବୁଝିବା ମୋର ପକ୍ଷେ ସମାନ,
କହୁଥିବି ଦିବାରାତି, ପ୍ରାଣେ ତ ଲଭିବି ଶାନ୍ତି,
ତୋ ଉଦ୍ଦେଶେ ଆରେ ଫୁଲ ମୋ ପ୍ରାଣର ଏ ବ୍ୟଥା,
ତୁ ନ ଶୁଣୁ, ଆଉ ଜଣେ ଶୁଣିବ ତ ମୋ କଥା୤

ଶେଫାଳି !
ମୋ ଜୀବନ ଶେଷ କାଳେ ପଡ଼ିବି ତ ମୁଁ ଝରି,
ତୋଳିନେବ ନାହିଁ କି ସେ ମୋତେ ଯତ୍ନେ ଆହରି ?
ମୋର ଆତ୍ମାଫୁଲ ଚାରୁ ଚରଣେ ଦଳିବାଠାରୁ
ତାର ପ୍ରିୟ ନିକେତନ ସଜାଇବ ନେଇ ସେ,
ତୋଷିବ ପ୍ରାଣଟି ମୋର କେତେ ପ୍ରେମ ଦେଇ ସେ୤

ଶେଫାଳି !
ତୋହ ପରି କ୍ଷୁଦ୍ର ମୁହିଁ, ତୋହ ପରି କ୍ଷଣିକ,
ହସେ ବାସେ ରସେ ମାତ୍ର ଫୁଟିଅଛି ଘଡ଼ିକ;
ମାଟିରେ ମିଶିବୁ ତୁହି, ମାଟିରେ ମିଶିବି ମୁହିଁ,
ତଥାପି ମୋ ଆତ୍ମାଫୁଲ ନ ଯିବ ରେ ମଉଳି,
ତେଣୁ ଆଶା ବହି ଦିନ କାଟେଁ ଗଙ୍ଗଶିଉଳି !

ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁକାଳରେ,
ମରିବାକୁ ଫୁଟିନାହିଁ ଭବତରୁ ଡାଳରେ;
ଅଛି ରମ୍ୟ ଉପବନ ଯହିଁ ଫୁଟି ଚିରଦିନ
ଅନନ୍ତ ଅମୃତ ପ୍ରେମ ସୁଧାମୟ ସୁବାସେ
ମୋହିବି ମୋ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ୤

ଶେଫାଳି !
ମୃଣ୍ମୟ ଶରୀର ତୋର ଏଡ଼େ ଚାରୁ ଶୋଭିତ,
ନ ଜାଣେ ମୋ ଆତ୍ମାଫୁଲ କି ସୌନ୍ଦର୍ଯ୍ୟେ ଚିତ୍ରିତ,
ତୁ ଯଦି ମୋ ନେତ୍ରେ ପ୍ରିୟ, ତାଙ୍କ ନେତ୍ରେ ହେବି ହେୟ
ମୁଁ କି କେଉଁକାଳେ, ମୋର ନ ହୁଏ ତ ବିଶ୍ବାସ,
ଫୁଟିବି ମୁଁ ଚିରଦିନ, ନ ହେବ ମୋ ବିନାଶ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୁନ୍ତଳା କୁମାରୀ ସାବତ
କୁନ୍ତଳା କୁମାରୀ ସାବତ
ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ(୧୯୦୦-୧୯୩୮) ନାରୀ କବି ଭାବରେ ଓଡ଼ିଶା ସାହିତ୍ୟରେ ଏକ ସୁପରିଚିତ ନାମ୤ ଉଭୟ ଗୁଣ ଓ ପରିଣାମରେ ପ୍ଲାବନ କଲାଭଳି ସେପରି ସାହିତ୍ୟିକ ବ୍ୟକ୍ତିତ୍ବ ଏପର୍ଯ୍ୟନ୍ତ ଓଡ଼ିଆ ନାରୀ ଜଗତରେ ଦେଖା ଦେଇନାହିଁ୤ ତାଙ୍କର ଲେଖାଗୁଡ଼ିକରେ କବି ପ୍ରବଣତା, କୁସଂସ୍କାର ଦୂର କରିବାର ପ୍ରଚେଷ୍ଟା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଦାର୍ଶନିକ ଭାବର ଅନୁପମ ଚିତ୍ର ଆଦି ପ୍ରତିଫଳିତ ହୋଇଛି୤ ମାତ୍ର ୩୮ ବର୍ଷର ଜୀବନ ମଧ୍ୟରେ ସେ ରଚନା କରିଥିବା କବିତା ସଙ୍କଳନ ଅଞ୍ଜଳି, ଅର୍ଚ୍ଚନା, ଆହ୍ବାନ... [ କ୍ରମେ ସବିଶେଷ ]
କୁନ୍ତଳା କୁମାରୀ ସାବତଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?

  • ୧. ପ୍ରଶାନ୍ତ କୁମାର ଭୂୟାଁ |  ଏପ୍ରିଲ୍ ୨୬, ୨୦୧୨ - ୨:୦୯ ଅପରାହ୍ନ

    ନାରୀକବି କୁନ୍ତଳାଙ୍କର ଏହି ଲେଖା ଅତ୍ୟନ୍ତ ସରଳ ଏବଂ ଭାବଗର୍ଭକ ।
    ଶେଫାଳୀ ର ଆକାର ର କ୍ଷୁଦ୍ରତା ଏବଂ ତା ଆତ୍ମା ର ବିଶାଳତା କୁ କବିରାଣୀ ସୁନ୍ଦର ଶୈଳୀରେ ବର୍ଣ୍ଣନା କରିଛନ୍ତି ।
    ଏହିଭଳି ଲେଖା ପ୍ରକାଶ ନିୟମିତ ଭାବେ କରୁଥିବାରୁ , ଆମ୍ଭେ ଓଡ଼ିଆସାହିତ୍ୟ.କମ୍‌ ପରିବାର ନିକଟରେ କୃତଜ୍ଞ ।
    ଏହିଭଳି ପ୍ରୟାସ ଜାରୀ ରହିଥାଉ……

  • ୨. ବିଜନ ରାୟ୍ |  ମେ ୨୮, ୨୦୧୨ - ୩:୦୩ ପୂର୍ବାହ୍ନ

    ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ପଢିଲେ ବି ମନ ନବୁଝଇ୤

  • ୩. ଜିତେନ୍ଦ୍ର କୁମର୍ ସାହୁ |  ଜୁଲାଇ ୨୬, ୨୦୧୨ - ୨:୩୨ ଅପରାହ୍ନ

    ମୋତେ ଏହି ସାଇଟ୍ ଟି ବହୁତ ଭଲ ଲାଗୁଛି ୤

  • ୪. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଅଗଷ୍ଟ୍ ୧୯, ୨୦୧୫ - ୬:୧୧ ପୂର୍ବାହ୍ନ

    ଚମତ୍କାର ଏ କବିତା, ଶେଫାଳିର ବର୍ଣ୍ଣନା ସହ ଜୀବନର ଚିରନ୍ତନ ଦର୍ଶନର ଏକ ପବିତ୍ର ଛବି |

  • ୫. prabhanjana tripathy ,hari |  ସେପ୍ଟେମ୍ବର୍ ୧୬, ୨୦୧୭ - ୩:୫୪ ପୂର୍ବାହ୍ନ

    ମୁଁ କୁନ୍ତଳା କୁମାରୀ ସବତାଙ୍କୁ ପୂଜାକରେ,,କାରଣ ସେ ସରସ୍ବତୀଙ୍କ ଅବତାର ଥିଲେ,,,

  • ୬. Prasant a Rana, Odisha |  ସେପ୍ଟେମ୍ବର୍ ୩, ୨୦୧୮ - ୪:୨୬ ପୂର୍ବାହ୍ନ

    Very nice Amar odia

  • ୭. ଚୈତନ ମାର୍ଣ୍ଡି, ବାରିପଦା, ଓଡ଼ିଶା |  ସେପ୍ଟେମ୍ବର୍ ୨୯, ୨୦୧୮ - ୫:୨୦ ପୂର୍ବାହ୍ନ

    ମୋର ଆଶା ଆଗକୁ ମଧ୍ୟ ଆମ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ସମସ୍ତେ ଏହି ସାଇଟ୍ ମାଧ୍ୟମରେ ସହଯୋଗ ପାଇ ପାରିବେ ତେଣୁ ଏଭଳି ବିଭିନ୍ନ କବିତା, ଗଳ୍ପ ,ଉପନ୍ୟାସ ର ବଜାୟ ରହୁ ଧନ୍ୟବାଦ ।

  • ୮. JATINDRA PRADHAN, Bargarh |  ନଭେମ୍ବର୍ ୧୭, ୨୦୧୮ - ୪:୫୯ ପୂର୍ବାହ୍ନ

    Useful poem not only for odia literature but also for others.

  • ୯. ନିବେଦିତା, ପୁନା |  ଡିସେମ୍ବର୍ ୧୪, ୨୦୧୮ - ୧:୧୬ ପୂର୍ବାହ୍ନ

    ମହୀୟସୀ କବୟିତ୍ରୀ କୁନ୍ତଳା କୁମାରୀ ସାବତଙ୍କ ଏହି ଚିର ସ୍ମରଣୀୟ କବିତା ସବୁ କାଳରେ ଏକ ପ୍ରେରଣା ର ଉତ୍ସ

  • ୧୦. ରାଜେଶ କୁମାର ସାହୁ, ବଘାଡି, ପୋଲସରା, ଗଞ୍ଜାମ |  ମେ ୭, ୨୦୧୯ - ୮:୪୦ ପୂର୍ବାହ୍ନ

    ଶେଫାଳି ପ୍ରତି କବିତା ହୃଦୟକୁ ଛୁଇଁ ମନକୁ ରୁନ୍ଧି ଦିଏ ଆଉ ବିବଶ କରିଦିଏ ବୁଝିବାକୁ ଯେ ଜୀବନ କ୍ଷଣିକ ହେଲେବି ଅର୍ଥହୀନ ନୁହେଁ। ବିଭୁ ପ୍ରେମରେ ଭିଜେଇ ଦେବାକୁ ହୁଏ ତନୁ ଆଉ ମନ। ମନୁଷ୍ୟ ଜନ୍ମ କେବେ ଅକାରଣରେ ଝଡ଼ିଯିବା ପାଇଁ ଆସିନି ବରଂ ତାର ଜନ୍ମ ସବୁବେଳେ ସୁମହତ ଓ ସୁବିକାଶ।

    ଆନନ୍ଦ ହେଉ ବା ଅବଶାଦ ଶେଫାଳି ପ୍ରତି କବିତା ସବୁବେଳେ ମୋ ହୃଦୟରେ ସ୍ୱତନ୍ତ୍ର ଭାବେ ସ୍ଥାନିତ। ହୃଦୟରୁ ଭଲପାଏ ମୁଁ ଏହି କବିତାକୁ।

  • ୧୧. ଫକିର ମୋହନ ବାରିକ, Jharsuguda, Odisha,  |  ନଭେମ୍ବର୍ ୨୧, ୨୦୧୯ - ୮:୨୭ ଅପରାହ୍ନ

    ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l

  • ୧୨. ଭୋଳାନାଥ ବଗର୍ତ୍ତି, BOLANGIR |  ନଭେମ୍ବର୍ ୨୫, ୨୦୧୯ - ୧୧:୧୪ ଅପରାହ୍ନ

    କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା।
    ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।

  • ୧୩. ନାରାୟଣ ପ୍ରସାଦ ପୃଷ୍ଟି, ଭଦ୍ରକ ଜିଲ୍ଲା, ଓଡିଶା  |  ଡିସେମ୍ବର୍ ୧, ୨୦୧୯ - ୫:୪୨ ପୂର୍ବାହ୍ନ

    ମହୀୟସୀ କବୟିତ୍ରୀ (କୁନ୍ତଳା କୁମାରୀ ସାବତ)ଙ୍କର ଶେଫାଳି ପ୍ରତି କବିତା ବହୁତ ଉଚ୍ଚକୋଟିର ଏବଂ ତତ୍ତ୍ବ ଭିତ୍ତିକ। ଏଠାରେ କବୟିତ୍ରୀ କ୍ଷୁଦ୍ର ମଧ୍ୟରେ ବିଶାଳତାର ପରିପ୍ରକାଶ କରିଛନ୍ତି। କ୍ଷୁଦ୍ର ହେଲେବି କେହି ନିଜକୁ ହୀନ ଅବା ନ୍ଯୁନ ନ ମଣିବାକୁ ପ୍ରେରଣା ଦେଇଛନ୍ତି।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )
  • ଓଡ଼ିଆ ସାହିତ୍ୟ ଭାଷାର ଏକ ପ୍ରେମିକର ନମସ୍କାର l ଓଡ଼ିଆ ସାହିତ୍ୟ ଚକ୍ରରେ ମୋତେ ସାମିଲ କରନ୍ତୁ l ଧନ୍ୟବାଦ l
    ( ବନଜl ମହାନ୍ତି )