ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶେଫାଳି ପ୍ରତି
 |- କୁନ୍ତଳା କୁମାରୀ ସାବତ
 
 
ତା: ଏପ୍ରିଲ୍ ୨୬, ୨୦୧୨  
 

ଶେଫାଳି !
କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ,
ଭୁରୁଭୁରୁ ଗନ୍ଧ ତୋର ଭାସି ଅସେ ପବନେ;
ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ
ହସି ହସି ସତେ ଉଇଁଆସେ ଦୂର ଗଗନେ,
ଭବାବେଶେ ମୁଗ୍ଧ ମୁଁ କି ମଜ୍ଜିଅଛି ସ୍ବପନେ !

ଭାବରାଜ୍ୟେ ବୁଲେଁ ସତେ ହଜିଅଛି ଚେତନା,
ଅନନ୍ତ ଅନନ୍ତ ରାଜ୍ୟେ ପୂରିଅଛି କଳ୍ପନା;
ବିଶାଳ ଏ ବିଶ୍ବକ୍ଷେତ୍ରେ ଅର୍ଦ୍ଧନିମୀଳିତ ନେତ୍ରେ
ଦେଖେଁ ସତେ ଶୋଭାରାଶି ପଡୁଅଛି ଉଛୁଳି,
ତହିଁ ସୁଧା ଢାଳୁ କିରେ ଗନ୍ଧେ ଗଙ୍ଗଶିଉଳି ?

ଶରଦ ଦିନାନ୍ତେ ବସି ବାତାୟନ ପାଶରେ
ବୁଡ଼ିଅଛି ମନ ମୋର କିବା ପ୍ରେମ ରସରେ,
ଆବେଶେ ପୁଲକେ ମୋର ନୟନରୁ ବହେ ଧାର,
ହୃଦତନ୍ତ୍ରୀ ବାଜିଉଠେ କି ଅମୃତ ସୁସ୍ବରେ,
ନିମିଷେ ଭାବଇଁ ମୁଁ ତ ଅଛି ଅବା ସ୍ବର୍ଗରେ !

ସାରାଦିନ ପରିଶ୍ରମ କ୍ଳେଶ କ୍ଳାନ୍ତି ଅଶେଷ,
ନାନା ଚିନ୍ତା ରୋଗ ‌ଶୋକ କଷ୍ଟ ଦେଲା ବିଶେଷ;
ଯହୁଁ ରବି ଅସ୍ତାଚଳେ ଧୀରେ ଧୀରେ ଢଳିଗଲେ,
ସନ୍ଧ୍ୟାଗାଥା ଗାଇ ପକ୍ଷୀ ଫେରିଲେ ସ୍ବସଦନେ,
ତମୋରାଶି ବୋଳିଦେଲା ନିଶା ଧରା ଆନନେ୤

ନୀଳ ନଭ ମଣ୍ଡି ଧୀରେ ହସି ଦୀପ୍ତଲୋଚନେ
ଦେଖା ଦେଲେ ଶତ ଶତ ତାରା ଜ୍ୟୋତିବସନେ;
ଅଙ୍ଗେ ବୋଳି ସୁଧାରାଶି ଶଶାଙ୍କ ଉଇଁଲା ଆସି,
ଝରି ଝରି ପଡ଼ିଲା କି ଭୁବନରେ ଅମୃତ,
ସତେ କି ଧରଣୀରାଣୀ ଦୁଃଖ ହେଲା ବିସ୍ମୃତ !

ରବି ବିରହରେ ଧନୀ କାନ୍ଦିଥିଲା ମଉନେ
ଅନ୍ଧକାରେ ନତ ନେତ୍ରେ ବିଷାଦିତ ବଦନେ,
ଚାନ୍ଦ କି ଆସିଲା ଉଇଁ ଚାନ୍ଦିନୀ ଚୁମ୍ବିଲା ଭୂଇଁ
ହସିଲା କି ବସୁମତୀ ଚାରୁ ଶୁଭ୍ର ଦୁକୂଳେ,
ଫୁଟିଲୁ ଶେଫାଳି ରହି ତୁ କି ପ୍ରେମଆକୁଳେ !

ଶେଫାଳି !
ମୃଦୁ ମୃଦୁ ଗନ୍ଧ ତୋର ଭାସିଆସେ ପବନେ,
ଛନ ଛନ ପ୍ରାଣ ମୋର କି ଆକୁଳ ଗୋପନେ !
ସତେ ମୋର ଦୁଃଖରାଶି କ୍ଷଣେ କାହିଁ ଗଲା ଭାସି,
କେତେ କି କଳ୍ପନା ମନେ ଆସୁଅଛି ବିଜନେ,
କ୍ଷଣେ ପହଞ୍ଚିଲି ସତେ ଯାଇଁ ସ୍ବର୍ଗଭୁବନେ !

ଶେଫାଳି !
କ୍ଷୁଦ୍ର ତୋର ତନୁ, ତହିଁ ଭରା ଏତେ ଅମୃତ,
ବିହିଲୀଳା କେ ବୁଝିବ, ଜ୍ଞାନାତୀତ ଅଦ୍ଭୁତ !
ଗୋପନେ ଫୁଟିଛୁ ଦୂରେ ତରୁପତ୍ର ଗହଳରେ,
ତଥାପି ତୋ ବାସେ ମୋର ପ୍ରାଣ ହୁଏ ଆକୁଳ,
କହ କେଉଁ ଶିଳ୍ପୀ ତୋତେ ଗଢ଼ିଅଛି ରେ ଫୁଲ !

କି କୋମଳ କି ଲଳିତ କି ମଧୁର ସୁରଭି,
କର୍କଶ କୁତ୍ସିତ ପତ୍ରେ ଶୋଭେ କିନ୍ତୁ ଅଟବୀ;
ରୁକ୍ଷ ପତ୍ରରାଶି କୋଣେ ଫୁଲ ଫୁଟୁ ଏତେ ଗୁଣେ,
ଲୁଚି ଲୁଚି ବାସେ ତାର ମୁଗ୍ଧ କରୁ ସଂସାର,
ନୀଚ ମଧ୍ୟେ ଉଚ୍ଚ ସୃଷ୍ଟି ବିଧାତାର ବିଚାର୤

ପଙ୍କେ ପଦ୍ମ ଗଢ଼ିଅଛି ବିଧାତା କି ଯତନେ,
ଶାମୁକା ଗରଭେ ନିହିଅଛି ମୁକ୍ତା ରତନେ,
କଳାମେଘ କଳେବର ସୌଦାମିନୀ ଶୋଭା ଧରେ,
କଳା କୋକିଳ କଣ୍ଠରେ ପୂରିଅଛି ପୀୟୁଷ,
ତୁଚ୍ଛ ଭବେ ନୁହେଁ କିଛି, କ୍ଷୁଦ୍ର ତୋର ସଦୃଶ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୁନ୍ତଳା କୁମାରୀ ସାବତ
କୁନ୍ତଳା କୁମାରୀ ସାବତ
ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ(୧୯୦୦-୧୯୩୮) ନାରୀ କବି ଭାବରେ ଓଡ଼ିଶା ସାହିତ୍ୟରେ ଏକ ସୁପରିଚିତ ନାମ୤ ଉଭୟ ଗୁଣ ଓ ପରିଣାମରେ ପ୍ଲାବନ କଲାଭଳି ସେପରି ସାହିତ୍ୟିକ ବ୍ୟକ୍ତିତ୍ବ ଏପର୍ଯ୍ୟନ୍ତ ଓଡ଼ିଆ ନାରୀ ଜଗତରେ ଦେଖା ଦେଇନାହିଁ୤ ତାଙ୍କର ଲେଖାଗୁଡ଼ିକରେ କବି ପ୍ରବଣତା, କୁସଂସ୍କାର ଦୂର କରିବାର ପ୍ରଚେଷ୍ଟା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଦାର୍ଶନିକ ଭାବର ଅନୁପମ ଚିତ୍ର ଆଦି ପ୍ରତିଫଳିତ ହୋଇଛି୤ ମାତ୍ର ୩୮ ବର୍ଷର ଜୀବନ ମଧ୍ୟରେ ସେ ରଚନା କରିଥିବା କବିତା ସଙ୍କଳନ ଅଞ୍ଜଳି, ଅର୍ଚ୍ଚନା, ଆହ୍ବାନ... [ କ୍ରମେ ସବିଶେଷ ]
କୁନ୍ତଳା କୁମାରୀ ସାବତଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. ପ୍ରଶାନ୍ତ କୁମାର ଭୂୟାଁ |  ଏପ୍ରିଲ୍ ୨୬, ୨୦୧୨ - ୨:୦୯ ଅପରାହ୍ନ

    ନାରୀକବି କୁନ୍ତଳାଙ୍କର ଏହି ଲେଖା ଅତ୍ୟନ୍ତ ସରଳ ଏବଂ ଭାବଗର୍ଭକ ।
    ଶେଫାଳୀ ର ଆକାର ର କ୍ଷୁଦ୍ରତା ଏବଂ ତା ଆତ୍ମା ର ବିଶାଳତା କୁ କବିରାଣୀ ସୁନ୍ଦର ଶୈଳୀରେ ବର୍ଣ୍ଣନା କରିଛନ୍ତି ।
    ଏହିଭଳି ଲେଖା ପ୍ରକାଶ ନିୟମିତ ଭାବେ କରୁଥିବାରୁ , ଆମ୍ଭେ ଓଡ଼ିଆସାହିତ୍ୟ.କମ୍‌ ପରିବାର ନିକଟରେ କୃତଜ୍ଞ ।
    ଏହିଭଳି ପ୍ରୟାସ ଜାରୀ ରହିଥାଉ……

  • ୨. ବିଜନ ରାୟ୍ |  ମେ ୨୮, ୨୦୧୨ - ୩:୦୩ ପୂର୍ବାହ୍ନ

    ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ପଢିଲେ ବି ମନ ନବୁଝଇ୤

  • ୩. ଜିତେନ୍ଦ୍ର କୁମର୍ ସାହୁ |  ଜୁଲାଇ ୨୬, ୨୦୧୨ - ୨:୩୨ ଅପରାହ୍ନ

    ମୋତେ ଏହି ସାଇଟ୍ ଟି ବହୁତ ଭଲ ଲାଗୁଛି ୤

  • ୪. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଅଗଷ୍ଟ୍ ୧୯, ୨୦୧୫ - ୬:୧୧ ପୂର୍ବାହ୍ନ

    ଚମତ୍କାର ଏ କବିତା, ଶେଫାଳିର ବର୍ଣ୍ଣନା ସହ ଜୀବନର ଚିରନ୍ତନ ଦର୍ଶନର ଏକ ପବିତ୍ର ଛବି |

  • ୫. prabhanjana tripathy ,hari |  ସେପ୍ଟେମ୍ବର୍ ୧୬, ୨୦୧୭ - ୩:୫୪ ପୂର୍ବାହ୍ନ

    ମୁଁ କୁନ୍ତଳା କୁମାରୀ ସବତାଙ୍କୁ ପୂଜାକରେ,,କାରଣ ସେ ସରସ୍ବତୀଙ୍କ ଅବତାର ଥିଲେ,,,

  • ୬. Prasant a Rana, Odisha |  ସେପ୍ଟେମ୍ବର୍ ୩, ୨୦୧୮ - ୪:୨୬ ପୂର୍ବାହ୍ନ

    Very nice Amar odia

  • ୭. ଚୈତନ ମାର୍ଣ୍ଡି, ବାରିପଦା, ଓଡ଼ିଶା |  ସେପ୍ଟେମ୍ବର୍ ୨୯, ୨୦୧୮ - ୫:୨୦ ପୂର୍ବାହ୍ନ

    ମୋର ଆଶା ଆଗକୁ ମଧ୍ୟ ଆମ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ସମସ୍ତେ ଏହି ସାଇଟ୍ ମାଧ୍ୟମରେ ସହଯୋଗ ପାଇ ପାରିବେ ତେଣୁ ଏଭଳି ବିଭିନ୍ନ କବିତା, ଗଳ୍ପ ,ଉପନ୍ୟାସ ର ବଜାୟ ରହୁ ଧନ୍ୟବାଦ ।

  • ୮. JATINDRA PRADHAN, Bargarh |  ନଭେମ୍ବର୍ ୧୭, ୨୦୧୮ - ୪:୫୯ ପୂର୍ବାହ୍ନ

    Useful poem not only for odia literature but also for others.

  • ୯. ନିବେଦିତା, ପୁନା |  ଡିସେମ୍ବର୍ ୧୪, ୨୦୧୮ - ୧:୧୬ ପୂର୍ବାହ୍ନ

    ମହୀୟସୀ କବୟିତ୍ରୀ କୁନ୍ତଳା କୁମାରୀ ସାବତଙ୍କ ଏହି ଚିର ସ୍ମରଣୀୟ କବିତା ସବୁ କାଳରେ ଏକ ପ୍ରେରଣା ର ଉତ୍ସ

  • ୧୦. ରାଜେଶ କୁମାର ସାହୁ, ବଘାଡି, ପୋଲସରା, ଗଞ୍ଜାମ |  ମେ ୭, ୨୦୧୯ - ୮:୪୦ ପୂର୍ବାହ୍ନ

    ଶେଫାଳି ପ୍ରତି କବିତା ହୃଦୟକୁ ଛୁଇଁ ମନକୁ ରୁନ୍ଧି ଦିଏ ଆଉ ବିବଶ କରିଦିଏ ବୁଝିବାକୁ ଯେ ଜୀବନ କ୍ଷଣିକ ହେଲେବି ଅର୍ଥହୀନ ନୁହେଁ। ବିଭୁ ପ୍ରେମରେ ଭିଜେଇ ଦେବାକୁ ହୁଏ ତନୁ ଆଉ ମନ। ମନୁଷ୍ୟ ଜନ୍ମ କେବେ ଅକାରଣରେ ଝଡ଼ିଯିବା ପାଇଁ ଆସିନି ବରଂ ତାର ଜନ୍ମ ସବୁବେଳେ ସୁମହତ ଓ ସୁବିକାଶ।

    ଆନନ୍ଦ ହେଉ ବା ଅବଶାଦ ଶେଫାଳି ପ୍ରତି କବିତା ସବୁବେଳେ ମୋ ହୃଦୟରେ ସ୍ୱତନ୍ତ୍ର ଭାବେ ସ୍ଥାନିତ। ହୃଦୟରୁ ଭଲପାଏ ମୁଁ ଏହି କବିତାକୁ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ