ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି
ଖୋଜିଲି ଅରଣ୍ୟେ ଜନସମାଜରେ
ଖୋଜିଲି ବାରିଧି ତଟ,
ସର୍ବତ୍ର ଦେଖିଲି ମାତା ପଦଚିହ୍ନ
ନ ହେଲା ମାତାର ଭେଟ
ଭୁବନେଶ୍ବରରେ ପଦଚିହ୍ନ ପରେ
ଲେଖା ଅଛି ରାଜରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
ହିନ୍ଦୁ ଜାତି ମଥା-ମଣି
ଶୁଣିଅଛି ଶାସ୍ତ୍ରେ ସତୀ-ଅପମାନେ
ଧରା ହୁଏ ବିଦାରଣ,
ଅପମାନ ହେତୁ ସୀତା ଦେବୀଙ୍କର
ମହୀହୃଦେ ବାସସ୍ଥାନ
ଅପମାନ ହେତୁ ଜନନୀ ମୋହର
ଉତ୍କଳ ଭୂମଧ୍ୟବାସୀ
ଉତ୍କଳର ମାଟି ପବିତ୍ର ହୋଇଛି
ସ୍ବର୍ଗାଦପି ଗରୀୟସୀ
ଜନନୀର ଦେଖା କରିବାରେ ଇଚ୍ଛା
ଯଦି ହୋଇଥାଏ ମନେ,
ଉତ୍କଳର ମାଟି ଆଲିଙ୍ଗନ କରି
ତା ଧୂଳି ଲେପ ବଦନେ
ବୀରପ୍ରସବିନୀ କୋଟି ସୂତ ମାତା
ପାଇବ କି ଦରଶନ ?
ମୋ ଭଳି ନିର୍ଗୁଣ ଧନ-ମାନ-ହୀନ
ସନ୍ତାନ କଲେ କି ରୋଦନ
କୋଟିଏ ସନ୍ତାନ ଗୋଟିଏ ସ୍ବରରେ
ଜନନୀ ଜନନୀ ଡାକ,
ତୃଷ୍ଣାରେ କାତର ଗଗନକୁ ଚାହିଁ
ଯେସନେ ଡାକେ ଚାତକ
ଧନ ମାନ ଜନ ଯାହା ଉପାର୍ଜନ
କରିଅଛ ଧରାତଳେ,
ହରଷିତ ମନେ କରତବ୍ୟ ଜ୍ଞାନେ
ଆଣିଦିଅ ଯଜ୍ଞେସ୍ଥଳେ
ଜାତି-ପ୍ରେମ-ବହ୍ନି ପ୍ରଜ୍ବଳିତ କର
ସ୍ବାର୍ଥକୁ ଦିଅ ଆହୁତି
ସ୍ବାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି
ଭୁମିକମ୍ପ ହେବ ଧରଣି ଫାଟିବ
ଉଠିବେ ସହସ୍ରଭୁଜା,
ସେହି ତୋର ମାତା ସେହି ତୋର ତ୍ରାତା
କର ସେହି ପଦପୂଜା
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ବଳଭଦ୍ର କର | ଜୁଲାଇ ୩, ୨୦୧୨ - ୪:୪୭ ପୂର୍ବାହ୍ନ
ଏହି ସାଇଟ୍ ରେ ପ୍ରକାଶିତ ଲେଖା ବହୁତ ଭଲ ଲାଗୁଛି ଏବଂ ଏହି ସାଇଟ୍ ର ପ୍ରସ୍ତୁତି ଉଚ୍ଚକୋଟିର ଧନ୍ୟବାଦ
୨. sanjay kumar barik, sahapur pirahat tihidi bhadrak | ଜୁଲାଇ ୨, ୨୦୧୪ - ୮:୫୮ ପୂର୍ବାହ୍ନ
mote madhu babunkar ‘santanar ukti’ kabitati bahut bhal lagila .jeunthire hrudaybata janmbhumi pain ek kaling putrar manar pragadha premaku kabita aakarare kabi abhibyakta karichhanti taha pratyaksha rupe jana paduchhi……………..
୩. ମାନସ କୁମାର ସ୍ବାଇଁ, ମଞ୍ଜୁରୀ କୋରାଇ ଯାଜପୁର ଜିଲ୍ଲା | ଅକ୍ଟୋବର୍ ୫, ୨୦୨୦ - ୧୦:୨୪ ଅପରାହ୍ନ
ମଧୁବାବୁଙ୍କ ପ୍ରତ୍ୟେକ ଲେଖା ଉଚ୍ଚ କୋଟିର ମୋତେ ସମସ୍ତ ଲେଖା ଭଲଲାଗେ