ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଉତ୍କଳମଣି ଗୋପବନ୍ଧୁ ଦାସ
କମଳା ଶତପଥି
କାଳିନ୍ଦି ଚରଣ ପାଣିଗ୍ରାହୀ
ରବି ଶତପଥୀ
ସହଦେବ ସାହୁ
ସୁଧାଂଶୁ ଶେଖର ପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସାହିତ୍ୟର ଗୁଣ
 |- ଚନ୍ଦ୍ରମୋହନ ମହାରଣା
 
 
ତା: ଡିସେମ୍ବର୍ ୧୩, ୨୦୧୩  
 

ଉତ୍କଳ ସାହିତ୍ୟର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ୤ ତଥାପି ଯେଉଁମାନେ ଏହି ସାହିତ୍ୟର ଅନୁଶୀଳନରେ ବ୍ରତୀ, ସେମାନେ ଜାଣନ୍ତି, ଆମ୍ଭମାନଙ୍କ ମାତୃଭାଷାର ସାହିତ୍ୟରେ କ’ଣ ଅଛି ଏବଂ କି ଅଭାବ ଅଛି୤ ଅଭାବ କାହିଁକି, ବହୁତ ଅଭାବ ଯେ ଅଛି, ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ୤ ଆଜିକାଲି ଏ ଦେଶର ପ୍ରାୟ ଯାବତୀୟ ଶିକ୍ଷିତ ବ୍ୟକ୍ତି ନ୍ୟୂନାଧିକ ପରିମାଣରେ ଇଂରାଜୀ ଭାଷାରେ ଅଭିଜ୍ଞତା ଲାଭ କରିଅଛନ୍ତି୤ ଶିକ୍ଷିତ ଓଡ଼ିଆମାନେ ଅନେକ ବଙ୍ଗଳା ଭାଷାର ଚର୍ଚ୍ଚା କରିଥାନ୍ତି୤ କତିପୟ ଶିକ୍ଷିତ ବ୍ୟକ୍ତି ସଂସ୍କୃତଭାଷାର ଅନୁରାଗୀ ବୋଲି ତଦ୍‌ଭାଷାରେ ରଚିତ କାବ୍ୟଅଳଙ୍କାର ଦର୍ଶନ ଶାସ୍ତ୍ରାଦିର ଚର୍ଚ୍ଚାରେ ମଧ୍ୟ ରତ୤ ଏହି ଭାଷାମାନଙ୍କର ଆଲୋଚନାରୁ ଶିକ୍ଷିତ ଓଡ଼ିଆମାନେ ମାତୃଭାଷାରେ ଅଭାବ ଅନାୟସରେ ଅନୁଭବ କରିପାରୁଥିବେ୤ ଏହି ଅଭାବ ପୂରଣ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ୤ ଏହି ଅଭାବ-ପୂରଣକୁ ଜୀବନର ଗୋଟିଏ ବ୍ରତ କରିଥିବାର ଲକ୍ଷଣ କୌଣସି କୌଣସି ବ୍ୟକ୍ତିଙ୍କଠାରେ ଦୃଷ୍ଟିଗୋଚର ହେଲାଣି୤ କେହି କେହି ପୁରାତନର ପକ୍ଷପାତୀ, ତନ୍ମଧ୍ୟରୁ କେହି ଅନ୍ଧଭାବରେ ପକ୍ଷପାତୀ୤

ପକ୍ଷାନ୍ତରେ, କେହି କେହି ପୁରାତନକୁ ହେୟ ମନେ କରି ଅବଜ୍ଞାର ଚକ୍ଷୁରେ ଦେଖନ୍ତି ଏବଂ ନୂତନର ଏକାନ୍ତ ପକ୍ଷପାତୀ ଅଟନ୍ତି୤ ବିଜ୍ଞ ବ୍ୟକ୍ତି ଏ ଉଭୟ କୋଟୀ ପରିତ୍ୟାଗ କରି ଧୀର ଚିତ୍ତରେ ଯୋଗ୍ୟ ମଧ୍ୟମ ଭାବ ଅବଲମ୍ବନ କରନ୍ତି୤ ଯେଉଁମାନେ ପୁରାତନର ପକ୍ଷପାତରେ ଅବିଚାରୀ, ସେମାନେ କହନ୍ତି, ଆମ୍ଭମାନଙ୍କର ନଥିଲା କ’ଣ? ସେମାନଙ୍କ ମତରେ ଆମ୍ଭମାନଙ୍କର ଅଭାବ ନାହିଁ୤ ମାତ୍ର ଏତାଦୃଶ୍ୟ ଅନ୍ଧ ପକ୍ଷପାତର ସମୟ ଓଡ଼ିଶାରେ ବୋଧହୁଏ ଆଉ ନାହିଁ୤ ବର୍ତ୍ତମାନ ଚକ୍ଷୁ ଫିଟିଲାଣି; ଶିକ୍ଷିତ ଓଡ଼ିଆମାନେ ମାତୃଭାଷାରେ ଅଭାବ ଉତ୍ତମରୂପେ ହୃଦୟଙ୍ଗମ କଲେଣି୤ କର୍ମକ୍ଷେତ୍ରରେ ପ୍ରବେଶ କରି ଅଧ୍ୟବସାୟ ସହକାରେ ଅଭାବ ପୂରଣ କରିବାପାଇଁ ମାତୃଭାଷା ବର୍ତ୍ତମାନ ସନିର୍ବନ୍ଧ ଆହ୍ବାନ କଲାଣି୤ କାବ୍ୟକୁ ସଂସ୍କୃତ ଭାଷାର ଆଳଙ୍କାରିକମାନେ ଚତୁବର୍ଗ ଫଳଦାୟୀ ବୋଲି ଉଲ୍ଲେଖ କରିଅଛନ୍ତି୤ ଏହି ଉକ୍ତିର ଯାଥାର୍ଥ୍ୟ ବିଚାର କରିବାର ପ୍ରୟୋଜନ ବର୍ତ୍ତମାନ ନାହିଁ୤ ତେବେ ଏଥିରେ ଅନ୍ତତଃ ଏତିକି ସତ୍ୟ ନିହିତ ଅଛି ଯେ ସତ୍‌-କାବ୍ୟ ପ୍ରଣୟନରେ ସିଦ୍ଧହସ୍ତ ବ୍ୟକ୍ତି ସୁକୌଶଳରେ ସ୍ବ କାବ୍ୟରେ ଅତି ଉପାଦେୟ ଉପଦେଶମାନ ଯଥାଯୋଗ୍ୟ ସ୍ଥାନରେ ସନ୍ନିବେଶିତ କରି ମାନବ ହୃଦୟକୁ ବିମଳ ଆନନ୍ଦରେ ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ତାହାର ଆଧ୍ୟାତ୍ମିକ ଉନ୍ନତି ସାଧନ କରନ୍ତି୤

କାବ୍ୟର ଏହି ମାନଦଣ୍ଡ ପ୍ରୟୋଗ କଲେ ଇଂରାଜୀ ଭାଷାର ଅନେକଗୁଡ଼ିଏ, ବଙ୍ଗଳାଭାଷାର କେତେଗୁଡ଼ିଏ କାବ୍ୟ ଆବର୍ଜନାରେ ନିକ୍ଷିପ୍ତ ହେବ୤ ସଂସ୍କୃତ ଭାଷାରେ ପ୍ରଥମେ ବେଦ ଓ ଉପନିଷଦ୍‌ ରଚିତ ହୋଇଥିଲା ଏବଂ ପଣ୍ଡିତମାନେ ତାହାରି ଚର୍ଚ୍ଚା ଓ ଅଧ୍ୟାପନାରେ ସମୟ ଅତିବାହିତ କରିଥିଲେ୤ ଯୁଗଜନ୍ମା ଓ ଯୁଗପ୍ରବର୍ତ୍ତକ ବାଲ୍ମୀକି ବେଦଉପନିଷଦ୍‌କୁ ଜନ ସାଧାରଣର ଅତି ଦୁର୍ବୋଧ୍ୟ ଜାଣି, ଆଦିକାବ୍ୟ ରାମାୟଣ-ପ୍ରଣୟନରେ ବ୍ରତୀ ହେଲେ୤ ଓଡ଼ିଶାରେ ଅଦ୍ୟାପି କାବ୍ୟାତିରିକ୍ତ ସ୍ଥାୟୀ ଲେଖା ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ୤ ସେଥିରେ ପୁଣି କୌଣସି କାବ୍ୟ ବାଲ୍ମୀକି ରାମାୟଣର ସମାନ ସ୍ଥାନ ଅଧିକାର କରିଥିବା ମୋତେ ଜଣା ନାହିଁ୤ ତାହାର କାରଣ ଏହି ଯେ, ପ୍ରାଚୀନ ଓଡ଼ିଆ କାବ୍ୟପ୍ରଣେତା ସମସ୍ତେ ଅଥବା ସେମାନଙ୍କର ଅଧିକାଂଶ ପ୍ରଥମାବସ୍ଥାରେ ସଂସ୍କୃତ ଭାଷାର ଚର୍ଚ୍ଚା କରି, ପଶ୍ଚାତ୍‌ ଓଡ଼ିଆ ଭାଷାରେ ଲେଖନୀ ଧାରଣ କଲେ୤ ସୁତରାଂ ସଂସ୍କୃତ ଭାଷାରେ ଯାହାର ଯେଉଁ ଆଦର୍ଶ ଥିଲା, ତାହାକୁ ସେ ଅନ୍ତଶ୍ଚକ୍ଷୁର ସମକ୍ଷରେ ରଖି ଆପଣା କାବ୍ୟ ରଚନା କଲେ୤ ଏହାର ଯେ ବିଶେଷ-ବିଧି ନାହିଁ, ତାହା ମୁଁ ଅବଶ୍ୟ କହୁନାହିଁ୤ ଭଞ୍ଜକବି ନୈଷଧକାରଙ୍କର ପଟ୍ଟଶିଷ୍ୟ; ‘ବୈଦେହୀଶବିଳାସ’ରେ ‘ନୈଷଧ’ର ଛାୟା ପଡ଼ିଅଛି୤ ତାହା ବୋଲି ଭଞ୍ଜେ ଯେ ପ୍ରସାଦଗୁଣସମ୍ପଦ ପଦାବଳୀ ରଚନା କରିବାକୁ କ୍ଷମ ନଥିଲେ, ତାହା ନୁହେଁ୤ ତାଙ୍କ ପ୍ରଣୀତ ‘କୋଟି ବ୍ରାହ୍ମାଣ୍ଡ ସୁନ୍ଦରୀ’ ପ୍ରଭୃତି କତିପୟ କାବ୍ୟର କୌଣସି କୌଣସି ସ୍ଥାନରେ ପ୍ରସାଦ ଗୁଣ ସନ୍ଦର୍ଶନ କଲେ ତାହା ଆଧୁନିକ ଲେଖା ବୋଲି ପାଠକଙ୍କର ଭ୍ରମ ହେବ୤

‘ବିଦଗ୍‌ଧଚିନ୍ତାମଣି’ର ପ୍ରଣେତା ବୈଷ୍ଣବ କବି; ତାଙ୍କ କାବ୍ୟରେ ବୈଷ୍ଣବ ଧର୍ମଶାସ୍ତ୍ରର ବା ବୈଷ୍ଣବ-ଦର୍ଶନର ଛାୟା ପତିତ ହୋଇଅଛି୤ ପକ୍ଷାନ୍ତରେ, ଦୀନକୃଷ୍ଣ ଏପରି ଆଦର୍ଶର ପକ୍ଷପାତୀ ନୁହନ୍ତି ବୋଲି ତାଙ୍କର ପଦାବଳୀ ସୁବୋଧ ହୋଇଅଛି୤ ଜଗନ୍ନାଥ ଦାସ ସ୍ବତନ୍ତ୍ର ଶ୍ରେଣୀର ଲେଖକ୤ ସେ ସ୍ବୟଂ ବୈଷ୍ଣବ; ବ୍ୟାସଦେବଙ୍କ ପ୍ରଣୀତ ସଂସ୍କୃତଭାଷାର ଶ୍ରୀମଦ୍‌ଭାଗବତକୁ ସେ ଓଡ଼ିଆ ପଦ୍ୟାକାରରେ ଲିପିବଦ୍ଧ କରିଯାଇ ଅଛନ୍ତି୤ ସଂସ୍କୃତ ଶ୍ରୀମଦ୍‌ଭାଗବତର ପ୍ରାଣ ଜଗନ୍ନାଥ ଦାସଙ୍କ ‘ଭାଗବତ’ରେ ଅଛି୤ କିନ୍ତୁ ଅସ୍ଥି ମଜ୍ଜା ପ୍ରଭୃତି ବିଭିନ୍ନ୤ ଅନେକଙ୍କ ମତରେ ଓଡ଼ିଆ ଭାଷାର ଏହି ‘ଭାଗବତ’ ଇଂରାଜୀ ଭାଷାର ଷ୍ଟାଣ୍ଡାର୍ଡ଼ ‘ବାଇବଲ୍‌’ର ସ୍ଥାନ ଅଧିକାର କରିଅଛି୤ ଭଞ୍ଜ, ଦୀନକୃଷ୍ଣ, ସାରଳା ଦାସ, ଜଗନ୍ନାଥ ଦାସ, ସାମନ୍ତସିଂହାର ପ୍ରଭୃତିଙ୍କ ପୂର୍ବବର୍ତ୍ତୀ ଯୁଗର ଲେଖକମାନଙ୍କର ଲେଖା ଆଜି ଯାଏ ମୁଦ୍ରିତ ଓ ପ୍ରକାଶିତ ହୋଇନାହିଁ୤ କେବେ ତାହା ପ୍ରକାଶିତ ହେଲେ, ତତ୍‌ ସହିତ ଟୀକା ବା ଅନୁବାଦ ଆବଶ୍ୟକ ହେବ୤

ସାହିତ୍ୟ ଦର୍ପଣ ସ୍ବରୂପ୤ ସେଥିରେ ଆମ୍ଭେମାନେ ସମାଜର ଓ ସମସାୟିକ ଘଟଣାବଳୀର ପ୍ରତିବିମ୍ବ ଅବଲୋକନ କରୁଁ୤ କୌଣସି ଭାଷାର ଧାରାବାହିକ ସାହିତ୍ୟ ଲିପିବଦ୍ଧ ଓ ପ୍ରକାଶିତ ହେଲେ, ସେଥିରୁ ତୀକ୍ଷ୍‌ଣଧୀ ପାଠକ ଅନେକ ବିଷୟ ଅବଗତ ହୋଇପାରିବେ୤ ଭାଷାର ଇତିହାସ, ବ୍ୟାକରଣ ଓ କୋଷର ପ୍ରଶୟନରେ ଏହା ପ୍ରଧାନ ସହାୟ୤ ସମାଜର ରୀତିନୀତି, ବୈଷୟିକ, ମାନସିକ, ଆଧ୍ୟାତ୍ମିକ ନାନାବିଷୟରେ ପ୍ରଧାନ ପ୍ରଧାନ ଅନୁଷ୍ଠାନ ଓ ଯୁଗୋଚିତ ସଂସ୍କାର ବା ପରିବର୍ତ୍ତନ ସାହିତ୍ୟରେ ନ୍ୟୁନାଧିକ ପରିମାଣରରେ ପ୍ରତିବିମ୍ବତ ହୁଏ୤ ଜାତୀୟ ସାହିତ୍ୟ ଗୋଟିଏ ମହାଭଣ୍ଡାର ଏବଂ ଏହି ମହାଭଣ୍ଡାରରେ ଅନେକ ରତ୍ମ ସହିତ ଅନେକ ଚିତ୍ର ସଂରକ୍ଷିତ ହୋଇଥାଏ୤ ବ୍ୟାସପ୍ରଣୀତ ମହାଭାରତ ଖଣ୍ଡିଏ ମହାକାବ୍ୟ ମାତ୍ର, ଗୋଟିଏ ଜାତିର ସମଗ୍ର ସାହିତ୍ୟ ନୁହେଁ୤ ଏହି ମହାକାବ୍ୟ ଖଣ୍ଡିକରୁ ହିଁ ତତ୍କାଳିକ ସମାଜର ଅବସ୍ଥା, ରୀତିନୀତି, ଶସ୍ତ୍ରବିଦ୍ୟା ଓ ଶାସ୍ତ୍ରରେ ପାରଦର୍ଶିତା, ଆଧ୍ୟାତ୍ମିକ ଚର୍ଚ୍ଚା, ମନୁଷ୍ୟମାନଙ୍କର ରୁଚି ପ୍ରଭୃତି ନାନାବିଷୟ ଆମ୍ଭମାନେ ଅବଗତ ହେଉଁ୤ ଏହି ମହାସମୁଦ୍ରରୁ ଚଳୁଏ ଚଳୁଏ ଜଳ ଗ୍ରହଣ କରି ପୂର୍ବକାଳର ଓ ଏ କାଳର ଅନେକ ସୁଲେଖକ ମହାକବି ଆଖ୍ୟା ପ୍ରାପ୍ତ ହୋଇ ଅଛନ୍ତି୤

ଦେହ ନଶ୍ବର, ଦେହି ଅନଶ୍ବର୤ ସ୍ଥୂଳ ଶରୀର କ୍ଷୟପ୍ରାପ୍ତ ହୋଇ ନଷ୍ଟ ହୋଇଯାଏ; ଆତ୍ମାର ବିନାଶ ନାହିଁ୤ ଏହା ଦାର୍ଶନିକ ପଣ୍ଡିତମାନଙ୍କର ମତ୤ ଜନସାଧାରଣ ମଧ୍ୟ ଏ ମତ ଗ୍ରହଣ କରନ୍ତି୤ ପ୍ରାୟ ପ୍ରତ୍ୟେକ ଅପର କୌଣସି ବ୍ୟଙ୍କ୍ତିଙ୍କର ଆଧୀନ୍ୟ ସ୍ବୀକାର କରିଥାନ୍ତି, ସେହି ବ୍ୟକ୍ତିଙ୍କ ଦ୍ବାରା ଚାଳିତ ହୁଅନ୍ତି୤ ଏକ ଗୃହରେ ଏକାନ୍ନରେ ଯେଉଁମାନେ ବାସ କରନ୍ତି, ସେମାନେ ଗୃହକର୍ତ୍ତାଙ୍କର ଅଧୀନ ହୋଇଥାନ୍ତି୤ ରାଜ୍ୟରେ ବାସ କଲେ ରାଜାର ଅଧୀନ ହେବାକୁ ହୁଏ୤ ଯେ ବ୍ୟକ୍ତି କୌଣସି ସମାଜର ଅନ୍ତର୍ଗତ, ସେ ସେହି ସମାଜର ନେତାଙ୍କର ନେତୃତ୍ବ ସ୍ବୀକାର କରେ୤ ଯେଉଁଠାରେ ଦୀକ୍ଷାଗ୍ରହଣ ପ୍ରଥା ପ୍ରଚଳିତ ଅଛି, ସେଠାରେ ଶିଷ୍ୟମାନଙ୍କୁ ଦୀକ୍ଷାଗୁରୁଙ୍କୁ ଅଧୀନ ହେବାକୁ ହୁଏ୤ ବ୍ୟକ୍ତିର ଜୀବନରେ, ସମଷ୍ଟି, ଜାତି ବା ସମାଜରେ ଜଣ ଜଣଙ୍କର ପ୍ରଭାବ ବା କର୍ତ୍ତୃତ୍ବ ପରିଲିକ୍ଷିତ ହୋଇଥାଏ୤ ମାନବ ଜୀବନରେ ଧର୍ମ-ପ୍ରବର୍ତ୍ତକଙ୍କ ପ୍ରଭାବ ସର୍ବାପେକ୍ଷା ଅଧିକ ଓ ସ୍ପଷ୍ଟ୤ ଧର୍ମପ୍ରବର୍ତ୍ତକଙ୍କ ତଳକୁ କବିଙ୍କର, ସାହିତ୍ୟରଥୀଙ୍କର ଆସନ୤ ମାତ୍ର କବି ବା ସାହିତ୍ୟ ରଥୀଙ୍କର ପ୍ରଭାବ ଧର୍ମ-ପ୍ରବର୍ତ୍ତକଙ୍କ ପ୍ରଭାବ ପରି ସୁସ୍ପଷ୍ଟ ନୁହେଁ୤ ବାଗ୍ନୀ ଓ କବି ପ୍ରାୟ ସମଶ୍ରେଣୀର ଲୋକ; ପ୍ରଭେଦ ଏହି ଯେ, ବାଗ୍ମୀଙ୍କ ପ୍ରଭାବ ଶ୍ରୋତାଙ୍କ ଧମନୀରେ ତଡ଼ିଦ୍‌ ଗତିରେ କାର୍ଯ୍ୟ କରେ, କିନ୍ତୁ ତାହା କ୍ଷଣପ୍ରଭା ତୁଲ୍ୟ ଅଚିରସ୍ଥାୟୀ; ସୁକବିଙ୍କ ପ୍ରଭାବ ଯୁଗଯୁଗାନ୍ତରସ୍ଥାୟୀ୤ ତେବେ ଯେଉଁ ବାଗ୍ନୀଙ୍କ ବକ୍ତୃତା ଜାତୀୟ ସାହିତ୍ୟରେ ସ୍ଥାନପ୍ରାପ୍ତ ହୁଏ, ତାହା ଜାତୀୟ ସମ୍ପତ୍ତି ହୁଏ ଓ ସ୍ଥାୟୀହୋଇ ରହେ୤

କବିଙ୍କର, ମହାକବିଙ୍କର ପ୍ରଭାବ ଯେ ସ୍ଥାୟୀ, ଏଥିରେ ବୋଧହୁଏ ମତଭେଦ ହେବ ନାହିଁ୤ ସେହି ପ୍ରଭାବ ତାଙ୍କର ନଶ୍ବର ଶରୀରେ ନ ଥାଏ; ଥାଏ ତାଙ୍କର ଅମର ଆତ୍ମାରେ, ତାଙ୍କ କାବ୍ୟରେ, ତତ୍‌କୃତ ସାହିତ୍ୟ-ଗ୍ରନ୍ଥରେ୤ ତାଙ୍କ ଲେଖାବଳୀରେ ତାହାଙ୍କର ଆତ୍ମା ପ୍ରତିବିମ୍ବିତ ବା ଅନୁସୃତ ହୋଇଥାଏ୤ ସେହି ଲେଖା, ସେହି କାବ୍ୟ, ସେହି ସାହିତ୍ୟରେ ସେ ଅମର ହୋଇ ରହନ୍ତି୤ ବାଳ୍ମୀକି, ବ୍ୟାସ, ଭାରବି, କାଳିଦାସ, ଉପେନ୍ଦ୍ର, ଦୀନକୃଷ୍ଣ, ସାରଳାଦାସ, ହୋମର୍‌, ଭର୍ଜିଲ, ଶେକ୍‌ସପିଅର, ମିଲ୍‌ଟନ୍‌, ସକ୍ରେଟିସ୍‌, କବିସୂର୍ଯ୍ୟ ପ୍ରଭୃତି ଯଶୋଦେହରେ ଆୟୁଷ୍ମାନ୍‌ ହୋଇ ରହିଅଛନ୍ତି୤ ଶ୍ମଶାନ ସେମାନଙ୍କର କେବଳ ନଶ୍ବର କଳେବରକୁ ଗ୍ରାସ୍‌ କରିଅଛି୤ ଏମାନେ ଯେଉଁ ଯେଉଁ ଜାତିରେ ଜନ୍ମଗ୍ରହଣ କରିଥିଲେ, ସେହି ସେହି ଜାତିର ସାହିତ୍ୟ ଧରଣୀ ପୃଷ୍ଠରେ ଯାବତ୍‌ ବିଦ୍ୟମାନ୍‌ ଥିବ, ତାବତ୍‌ ଏମାନେ ଅମର ହୋଇ ରହିବେ୤

ଏହି ଲେଖାଟି ଲେଖକଙ୍କ ଦ୍ବାରା ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ୧୯୨୬ ମସିହାରେ ଆୟୋଜିତ ସଭାରେ ପ୍ରଦତ୍ତ ଅଭିଭାଷଣର ଅଂଶବିଶେଷ ଯାହାର ଗୁରୁତ୍ବ ଆଜି ମଧ୍ୟ ରହିଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚନ୍ଦ୍ରମୋହନ ମହାରଣା
ଓଡ଼ିଆ ସାହିତ୍ୟର ଏକ ବହୁ ପରିଚିତ ନାମ ମଧ୍ୟରେ ଚନ୍ଦ୍ରମୋହନ ମହାରଣା(୧୮୭୦-୧୯୨୯) ନଥିଲେ ମଧ୍ୟ ତାଙ୍କର ଲେଖାର ସ୍ବତନ୍ତ୍ର ବିଶେଷତ୍ବ ରହିଛି୤ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀ ମହାରଣାଙ୍କ ଉଦ୍ୟମ ଅନସ୍ବୀକାର୍ଯ୍ୟ୤ ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘କବିତାବଳୀ’, କଥାବଳୀ’, ‘ଓଡ଼ିଆ ବ୍ୟାକରଣ’ ଆଦି ଓଡ଼ିଆ ସାହିତ୍ୟ ପାଇଁ ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସୃଷ୍ଟି୤
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤