ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶୈଳେନ୍ଦ୍ର କୁମାର ଜେନା
ବିଦ୍ୟୁତପ୍ରଭା ଦେବୀ
ରଜତ କୁମାର ମିଶ୍ର
ପ୍ରଦୀପ ନାୟକ
ଭକ୍ତକବି ମଧୁସୂଦନ ରାଓ
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରୂପର ମୂଲ୍ୟ
 |- ଦୟାନିଧି ମିଶ୍ର
 
 
ତା: ଜୁଲାଇ ୩୦, ୨୦୧୨  
 

ପୂର୍ବେ ବିମଳା ନିଜ ହସ୍ତରେ ସବୁ ଗୃହକର୍ମ କରୁଥିଲା୤ କିନ୍ତୁ ଆଉ ଏଣିକି ସେ ଆଡ଼କୁ ଜମା ମନ ଗଲା ନାହିଁ୤ ତାହାର ମାନସ-ଚକ୍ଷୁ ସମକ୍ଷରେ ପ୍ରସନ୍ନକୁମାରଙ୍କ ପ୍ରେମମୟୀ ପ୍ରତିମା ଅହରହ ନୃତ୍ୟ କରିବାକୁ ଲାଗିଲା୤ ସେ ତାଙ୍କୁ ଛାଡ଼ି କିପରି ଆଉ ଅନ୍ୟ ବିଷୟ ଭାବିପାରିବ ? ତା’ର ବିମଳ ପ୍ରେମର ପ୍ରବଳ ବନ୍ୟାରେ ଶତ ଉଦିତ୍‌ପ୍ରତାପ ବାଲିବନ୍ଧ ପ୍ରାୟ ଭାସିଯିବେ୤

ପ୍ରଥମେ ପ୍ରଥମେ ବିମଳା ମନଦୁଃଖରେ ଘରକଣରେ ବସି ଭାବନା କରୁଥାଏ୤ ଭାବି ଭାବି ଲୋତକରେ ଗଣ୍ଡଦେଶ ସିକ୍ତ କରେ୤ ଭୋଜନରେ କିମ୍ବା ଶୟନରେ ତା’ର ଆଉ ଆସ୍ଥା ନାହିଁ୤ ଶରୀର ଦିନକୁ ଦିନ କୃଶ ହୋଇଗଲାଣି୤ ତାହାର ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖି ପରିବାରସ୍ଥ ସମସ୍ତେ ଚିନ୍ତାକୁଳ ହୋଇପଡ଼ିଲେ୤ ତାକୁ ସାନ୍ତ୍ବନା ଦେବା ନିମନ୍ତେ ଅନେକ ଯତ୍ନ କଲେ; କିନ୍ତୁ ସେମାନଙ୍କ ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା୤ ଗୃହ ବର୍ତ୍ତମାନ ତାହା ପକ୍ଷରେ କାରାଗାର୤ ଏ କାରାଗାରରୁ ମୁକ୍ତି ପାଇଲେ ରକ୍ଷା୤

କିଛିଦିନ ଗଲା ପରେ ଅକସ୍ମାତ୍‌ ରାଷ୍ଟ୍ର ହେଲା ଯେ ବିମଳା ନିରୁଦ୍ଦିଷ୍ଟା ହୋଇଛି୤ ସେ କେଉଁଠିକି ଗଲା, କେହି ଜାଣନ୍ତି ନାହିଁ୤ ତାକୁ ଖୋଜିବା ପାଇଁ ବୀରେଶ୍ବର ଚାରିଆଡ଼କୁ ଲୋକ ପଠାଇଲେ; କିନ୍ତୁ ବିମଳାର ସନ୍ଧାନ ମିଳିଲା ନାହିଁ୤ ରାଜ୍ୟଯାକ ଚାରିଆଡ଼େ ଚହଳ ପଡ଼ିଗଲା୤ ସମସ୍ତଙ୍କ ମୁଖରେ ବିଷାଦର କାଳିମା୤ ବୀରେଶ୍ବରଙ୍କୁ ଆଉ କିଛି ଭଲ ଲାଗୁନାହିଁ୤ ସଂସାର ତାଙ୍କୁ ବିଷମୟ ପ୍ରତୀତ ହେଉଛି୤ ବିମଳା ବିଷୟରେ ଅନେକ ଲୋକ ଅନେକ କଥା କହୁଛନ୍ତି୤ କିଏ କହେ ବିମଳା ପାଣିରେ ବୁଡ଼ି ମରିଛି୤ ତାହାର ମତ ସମର୍ଥନ କରିବା ସକାଶେ କେହି କହେ ଯେ, ସେ ବିମଳାର ମୃତ ଦେହ ଦେଖିଛି୤ ଏପରି ନାନା ମୁଖରେ ନାନା କଥା ଶୁଣାଗଲା୤

ଏ ସମ୍ବାଦ ଯାଇ ଉଦିତ୍‌ପ୍ରତାପଙ୍କ କାନରେ ପଡ଼ିଲା୤ ସେ ଅଧୁନା ସମ୍ବଲପୁର ଦୁର୍ଗରେ ଯାଇ ମରହଟ୍ଟାମାନଙ୍କ ସଙ୍ଗେ ଭୀଷଣ ଯୁଦ୍ଧରେ ପ୍ରବୃତ୍ତ ଅଛନ୍ତି୤ କ୍ରମାନ୍ବୟ ଛ’ମାସ କାଳ ମରହଟ୍ଟାମାନେ ଦୁର୍ଗ ଅଧିକାର କରିବାକୁ ଚେଷ୍ଟା କଲେ, କିନ୍ତୁ ଓଡ଼ିଆମାନଙ୍କ ବୀରତ୍ବ ସମ୍ଭାଳି ନ ପାରି ପ୍ରତିଥର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ୤ ଦୁର୍ଗ ମଧ୍ୟରେ ଆଦୌ ପ୍ରବେଶ କରିପାରିଲେ ନାହିଁ୤

ଏଆଡ଼େ ଉଦିତ୍‌ପ୍ରତାପଙ୍କର ପୂର୍ବପରି ଉତ୍ସାହ ନାହିଁ୤ ଯୁଦ୍ଧ କରିବାକୁ ତାଙ୍କୁ ଆଉ ଭଲ ଲାଗୁନାହିଁ୤ ତାଙ୍କର ଏପରି ଭାବ ଦେଖି ପ୍ରସନ୍ନକୁମାର ବ୍ୟଥିତ ହେଲେ୤ ଈର୍ଷାପରାୟଣ ହୋଇ ଉଦିତ୍‌ପ୍ରତାପ ସମରାଙ୍ଗନରେ ପ୍ରସନ୍ନକୁମାରଙ୍କ କ୍ଷତି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଭଗବାନ ଏ ବିପଦରୁ ରକ୍ଷା କଲେ୤ ପ୍ରସନ୍ନକୁମାର ଏପରି ଦକ୍ଷତା ସହକାରେ ଯୁଦ୍ଧ କରିବାକୁ ଲାଗିଲେ ଯେ ଜୟନ୍ତ ସିଂହ ତାଙ୍କର ରଣକୌଶଳରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କୁ ତୋରଣରକ୍ଷୀ ସୈନିକମାନଙ୍କ ଅଧିନାୟକ ପଦରେ ନିଯୁକ୍ତ କଲେ୤ ଏ ଗୁରୁଦାୟିତ୍ବ ମସ୍ତକରେ ବହନ କରି ସଂସାରର ସମସ୍ତ ଚିନ୍ତା ଭୁଲି ପ୍ରସନ୍ନକୁମାର କର୍ତ୍ତବ୍ୟପଥରେ ଅଗ୍ରସର ହେଲେ୤

କିନ୍ତୁ ପ୍ରସନ୍ନକୁମାରଙ୍କ ଉନ୍ନତି ଉଦିତ୍‌ପ୍ରତାପଙ୍କୁ ଭଲ ଲାଗିଲା ନାହିଁ୤ ପ୍ରସନ୍ନକୁମାରଙ୍କୁ ଦେଖିଲେ, କେଜାଣି କାହିଁକି, ତାଙ୍କ ମୁହଁ କ୍ରୋଧରେ ଲାଲ ହୋଇଯାଏ୤ ତାଙ୍କ ଚକ୍ଷୁରୁ ଅଗ୍ନି-ସ୍ଫୁଲିଙ୍ଗ ନିର୍ଗତ ହୁଏ୤ ଯେଉଁଦିନ ଉଦିତ୍‌ପ୍ରତାପ ବିମଳାର ନିରୁଦ୍ଦିଷ୍ଟ ହେବାର ସମ୍ବାଦ ଶୁଣିଲେ, ସେହିଦିନ ତାଙ୍କର ମୁଖ ଗମ୍ଭୀର ହୋଇଗଲା, ଯେପରି ସେ ସବୁବେଳେ କ’ଣ ଚିନ୍ତା କରୁଛନ୍ତି୤ ରଣ କୋଳାହଳ ଆଉ ତାଙ୍କ ପ୍ରାଣକୁ ନଚାଇ ପାରିଲା ନାହିଁ୤ ସେ ନୀରବରେ ନିର୍ଜନରେ ବସି ଚିନ୍ତା କରିବାକୁ ଲାଗିଲେ୤

କିଛିଦିନ ପରେ ପୁଣି ଦୁର୍ଗ ଭିତରେ ହୁରି ପଡ଼ିଗଲା, ଉଦିତ୍‌ପ୍ରତାପ ଦୁର୍ଗରେ ନାହାଁନ୍ତି୤ ସରଳ-ହୃଦୟ ପ୍ରସନ୍ନକୁମାର ଏଥିର କାରଣ କିଛି ବୁଝିପାରିଲେ ନାହିଁ୤ ଯୁଦ୍ଧ ସମୟରେ ସେନାପତି ପୁତ୍ରଙ୍କ ଈଦୃଶ ଆଚରଣ ଦେଖି ସମସ୍ତେ ବ୍ୟଥିତ ହେଲେ୤ କିନ୍ତୁ ଜଗତର ଦୁଃଖ ହେଉ ବା ସୁଖ ହେଉ, ସମସ୍ତେ ନିଜ ନିଜ କାର୍ଯ୍ୟ ନେଇ ବ୍ୟସ୍ତ୤ ମନୁଷ୍ୟ ଦେବତା ନୁହେଁ-ସମୟେ ସମୟେ ହେବାକୁ ଚେଷ୍ଟା କରିଥାଏ ମାତ୍ର୤ ସଂସାରରେ ଏହି ଦେବତ୍ବାଭିଳାଷୀ ମନୁଷ୍ୟଙ୍କ ସଂଖ୍ୟା ନିତାନ୍ତ କମ୍‌….ନାହିଁ କହିଲେ ଚଳେ୤ ପ୍ରକାଶ୍ୟରେ ହେଉ ବା ଗୋପନରେ ହେଉ, ସଭିଏଁ ନିଜ ନିଜ ସ୍ବାର୍ଥରେ ମାତିଛନ୍ତି୤ ଯେଉଁମାନେ ଏହି ନିୟମର ବହିର୍ଭୂତ ସେମାନେ ନମସ୍କାରଣୀୟ୤

ଓଡ଼ିଆମାନଙ୍କ ହସ୍ତରେ ବାରମ୍ବାର ପରାସ୍ତ ହୋଇ ମରହଟ୍ଟାମାନେ ଅତିଶୟ କାତର ହୋଇପଡ଼ିଥିଲେ୤ ଓଡ଼ିଶାକୁ ଜୟ କରିବା ସେମାନେ ଯେପରି ସହଜ ବୋଲି ଭାବିଥିଲେ, କାର୍ଯ୍ୟରେ ତହିଁର ଠିକ୍‌ ବିପରୀତ ଦେଖିବାକୁ ପାଇଲେ୤ ସ୍ବାଧୀନଜାତିକୁ ପରାଧୀନ କରିବା ସହଜ କଥା ନୁହେଁ୤

ସମ୍ବଲପୁରାଧିପତି ଅଭୟ ସିଂହଙ୍କ ହସ୍ତରେ ମରହଟ୍ଟାମାନେ ଯେ ପରାଜୟ ସ୍ବୀକାର କରିଥିଲେ, ତହିଁର ଯନ୍ତ୍ରଣା ଆଜିଯାଏ ଯାଇନାହିଁ୤ ତା’ପରେ ପୁଣି ଜୟନ୍ତ ସିଂହଙ୍କ ହସ୍ତରେ ଏ ଅପମାନ ! ନାନାସାହେବ ଭୋଁସ୍‌ଲା ଏପରି ଅବସ୍ଥାରେ କ’ଣ କରିବେ, କିଛି ଠିକ୍‌ କରିପାରିଲେ ନାହିଁ୤ ସମସ୍ତ ସାମନ୍ତମାନଙ୍କୁ ଏକତ୍ରିତ କରି ସେ ମନ୍ତ୍ରଣା କରିବାକୁ ଲାଗିଲେ୤ ଦୁର୍ଗକୁ ଅଧିକାର କରିବାର ଅନେକ ଉପାୟ ଉଦ୍ଭାବିତ ହେଲା, କିନ୍ତୁ ସେଗୁଡ଼ିକ ଅସମ୍ଭବ ଜ୍ଞାନରେ ପରିତ୍ୟକ୍ତ ହେଲା୤ ମରହଟ୍ଟା ଶିବିରରେ ବିଷାଦର ରାଜ୍ୟ ପ୍ରତିଷ୍ଠିତ ହେଲା୤

ନାନାସାହେବ ଚିନ୍ତାକୁଳ ମନରେ ଶିବିର ପରିତ୍ୟାଗ କରି ମହାନଦୀ କୂଳରେ ବିଚରଣ କରିବାକୁ ଲାଗିଲେ୤ ଜ୍ୟୋତ୍ସ୍ନାସ୍ନାତ ଲହଣ୍ଡା ପର୍ବତର ସ୍ବର୍ଗୀୟ କାନ୍ତି ତାହାଙ୍କର ଦୃଷ୍ଟିପଥାରୂଢ଼ ହେଲା୤ କି ଅଲୌକିକ ସୌନ୍ଦର୍ଯ୍ୟ ସମ୍ମୁଖରେ ସୌନ୍ଦର୍ଯ୍ୟରେ କମ୍ପମାନା କଳନାଦିନୀ ପର୍ବତ-ସ୍ରୋତସ୍ବତୀ୤ ମସ୍ତକରେ ନୀଳ ଆକାଶ, ସତେ ଯେପରି ଉପରୁ ନୀଳିମା ଥପ ଥପ ହୋଇପଡ଼ୁଛି୤ ନାନାସାହେବ ମୁଗ୍ଧ ନେତ୍ରରେ ଏ ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ୤ କିନ୍ତୁ ପର ମୁହୂର୍ତ୍ତରେ ସବୁ ଅନ୍ଧକାର ହୋଇଗଲା୤ ପ୍ରକୃତିର ସେ ଚାରୁଶିଳ୍ପ କେଉଁଆଡ଼େ ଉଭେଇଗଲା୤ ସେ ବିଷର୍ଣ୍ଣ ମନରେ ରୋଦନ କରିବାକୁ ଲାଗିଲେ୤

ପୃଷ୍ଠା ସଂଖ୍ୟା : 1 2 3 4 5 6

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୟାନିଧି ମିଶ୍ର
ଦୟାନିଧି ମିଶ୍ର
ଓଡ଼ିଆ କଥା ସାହିତ୍ୟରେ ଦୟାନିଧି ମିଶ୍ର(୧୮୯୧-୧୯୫୫) ଜଣେ ନିଆରା ଲେଖକ ଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ୤ ସେ ଜଣେ ଶିକ୍ଷକ, ଆଇନଜୀବୀ ଓ ରାଜନେତା ଭାବେ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ନିଜର କର୍ମମୟ ଜୀବନ ଅତିବାହିତ କରିଥିଲେ୤ ଏକତ୍ର ବିରତ୍ବ ଓ ପ୍ରଣୟର ଉପସ୍ଥାପନା କୌଶଳ, ବିଷୟବସ୍ତୁଗୁଡ଼ିକର ବିଭାଗୀକରଣ, ଆରମ୍ଭର ବୈଚିତ୍ର୍ଯ, ବିଷୟ ଗ୍ରନ୍ଥିର କ୍ରମ ଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ ହେଉଛି ଦୟାନିଧିଙ୍କ ଲେଖାର ବୈଶିଷ୍ଟ୍ଯ୤ ତାଙ୍କ ରଚିତ ଏବଂ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ... [ କ୍ରମେ ସବିଶେଷ ]
ଦୟାନିଧି ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤