ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗଣେଶ୍ୱର ମିଶ୍ର
ଗୋଦାବରିଶ ମିଶ୍ର
ସନ୍ଥକବି ଭୀମ ଭୋଇ
ରାଧାନାଥ ରାୟ
ବିରଜା ବଳ
କିଶୋରୀ ଚରଣ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରୂପର ମୂଲ୍ୟ
 |- ଦୟାନିଧି ମିଶ୍ର
 
 
ତା: ଜୁଲାଇ ୩୦, ୨୦୧୨  
 

‘କିନ୍ତୁ ପରପୁରୁଷ ସଙ୍ଗେ !’ ଏହା କହି ଉଦିତ୍‌ପ୍ରତାପ ଜିଭ କାମୁଡ଼ି ବିମଳାର ମୁଖ ଆଡ଼କୁ ଅନାଇଲେ୤ ଲଜ୍ଜାରେ ବିମଳାର ମୁଖ ତଳକୁ ହୋଇଗଲା୤ ଉଦିତ୍‌ପ୍ରତାପ ପୁନରାୟ କହିଲେ, ‘ବିମଳା ! ତୋ ପିଲାଳିଆ ସ୍ବଭାବ କେବେ ଛାଡ଼ିଲୁ ନାହିଁ୤ ତୁ ବଡ଼ ହେଲୁଣି, ସଂସାରର ଗତିରୀତି ସବୁ ଦେଖୁଛୁ୤ ତୋର ଏ ବୟସରେ ଅନ୍ୟ ଲୋକ ସଙ୍ଗେ ନିର୍ଜନରେ କଥାବାର୍ତ୍ତା କରିବା ଠିକ୍‌ ନୁହେଁ୤’

‘କିନ୍ତୁ ପ୍ରସନ୍ନକୁମାର ଯେ ମୋର ପିଲାକାଳର ସଙ୍ଗୀ୤ ତାଙ୍କ ସଙ୍ଗେ ଏକାନ୍ତରେ କଥାବାର୍ତ୍ତା କଲେ ଦୋଷ କ’ଣ ?’
‘ସେ ତୋର ପିଲାକାଳ ସାଥୀ ହୋଇପାରନ୍ତି୤ ପିଲାବେଳେ ସେ ସବୁ ଶୋଭା ପାଉଥିଲା୤ ଆଜି ତୋର ଏ ଆଚରଣ ଶୁଣିଲେ ବାପା କ’ଣ କହିବେ ?’
‘ଛି, ଦାଦା ! ତୁ କ୍ଷତ୍ରିୟ ଯୁବକ ହୋଇ ଏପରି କହୁଛୁ ?’
‘ନା ବିମଳା, ତୁ ଏପରି କଲେ ମୋ ମନରେ କଷ୍ଟ ହେବ୤ ପ୍ରସନ୍ନକୁମାରଙ୍କ ଚରିତ୍ର ଭଲ ନୁହେଁ୤ ଅସଚ୍ଚରିତ୍ର ଲୋକଙ୍କ ସଙ୍ଗେ ତତେ ଦେଖିଲେ ମୁଁ ରାଗିବି୤’

ପ୍ରସନ୍ନକୁମାର ବିମଳାର ଅନ୍ତରଙ୍ଗ ପ୍ରତିବେଶୀ୤ ପିଲାଦିନରୁ ଦୁହେଁଯାକ ଏକାସାଙ୍ଗରେ ଖେଳୁଥିଲେ…ଦୁହେଁ ଦୁହିଁଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହେଉଥିଲେ୤ ଦୁହେଁ ଗୋଟିଏ ବୃନ୍ତର ଯୁଗଳପୁଷ୍ପ ସଦୃଶ ଶୋଭା ପାଉଥିଲେ୤ ଦୁହିଁଙ୍କ ପ୍ରାଣ ଏକ, ମନ ଏକ୤ ପ୍ରସନ୍ନକୁମାରଙ୍କ ନିନ୍ଦା ଶୁଣି ବିମଳା ମନରେ କଷ୍ଟ ହେଲା୤ ସେ ଉଦିତ୍‌ପ୍ରତାପଙ୍କ ଉଦ୍ଦେଶ୍ୟ ବୁଝିପାରିଲା୤ ଉଦିତ୍‌ପ୍ରତାପ ବିମଳାର ସୌନ୍ଦର୍ଯ୍ୟମୁଗ୍ଧ, ତା’ର ପ୍ରଣୟପ୍ରାର୍ଥୀ୤ ବିମଳା ତାଙ୍କୁ ଅନେକ ଥର ବୁଝାଇ କହିଥିଲା…ତାଙ୍କୁ ଭଗିନୀର ସ୍ନେହ, ଦୟା, ଭକ୍ତି ଅର୍ପଣ କରିଥିଲା୤ କିନ୍ତୁ ଉଦିତ୍‌ପ୍ରତାପ ତହିଁରେ ସନ୍ତୁଷ୍ଟ ନ ହୋଇ ତା’ ହୃଦୟରାଜ୍ୟର ରାଜା ହେବାକୁ ଇଚ୍ଛା କରିଥିଲେ୤ ତାଙ୍କ ଅଭିଳାଷ ସିଦ୍ଧି ପଥରେ ପ୍ରସନ୍ନକୁମାରଙ୍କୁ ପ୍ରଧାନ ଅନ୍ତରାୟ ଭାବି ତାଙ୍କ ବିରୁଦ୍ଧରେ ନାନା ମିଥ୍ୟାପ୍ରବାଦ ରଟନା କରି ବିମଳା ସଙ୍ଗେ ତାଙ୍କ ଦେଖା-ସାକ୍ଷାତ୍‌ ବନ୍ଦ କରିଦେଲେ୤ ଦଗ୍ଧହୃଦୟା ବିମଳା ମନ୍ଦିରକୁ ପ୍ରତିଦିନ ଗୀତ ଗାଇବା ଛଳରେ ଆସି ପ୍ରସନ୍ନକୁମାରଙ୍କ ସଙ୍ଗେ ଦେଖା କରିଯାଏ୤ ଏ କଥା ମଧ୍ୟ ଉଦିତ୍‌ପ୍ରତାପଙ୍କୁ ଅସହ୍ୟ ହୋଇପଡ଼ିଲା୤ ସେମାନଙ୍କର ସେ ମଧୁର ଆଳାପ, ପରସ୍ପର ହୃଦୟଦ୍ବାର ଉଦ୍‌ଘାଟନ ବନ୍ଦ କରିବା ସକାଶେ ସେ ଚେଷ୍ଟା କରିବାକୁ ଲାଗିଲେ୤ ଆଜି ତାଙ୍କ ମୁଖରୁ ଏ ଅସଙ୍ଗତ, ଅସଂଯତ କଥା ଶୁଣି ବିମଳା କହିଲା, ‘ଦାଦା, ମୁଁ ନାନା ଦୋଷରେ ଦୋଷୀ ହୋଇପାରେ; କିନ୍ତୁ ପ୍ରସନ୍ନକୁମାର ନିର୍ଦ୍ଦୋଷ୤ ମୁଁ ତାଙ୍କୁ ଭଲକରି ଜାଣେ୤ ଯଦି ମୋତେ ଭଉଣୀ ବୋଲି ସ୍ନେହ କରୁ, ଏପରି କଥା କେବେ କହିବୁ ନାହିଁ୤’

‘ମୁଁ ପୁଣି କହୁଛି ପ୍ରସନ୍ନକୁମାର ଅସଚ୍ଚରିତ୍ର୤ ବାପା ମଧ୍ୟ ଏ କଥା ଜାଣନ୍ତି୤ ବାପାଙ୍କ ଆଦେଶମତେ ମୁଁ ଏଠାକୁ ଆସିଛି୤ ଆଉ ଏଣିକି ତୁ ଘରୁ ବାହାରି ପାରିବୁ ନାହିଁ୤’

ଉଦିତ୍‌ପ୍ରତାପଙ୍କ କଥା ଶୁଣି ବିମଳା ଦଳିତା ଫଣିନୀ ସଦୃଶ କ୍ରୋଧରେ ଜର୍ଜରିତ ହୋଇଗଲା୤ ସେ ତାଙ୍କ କୂଟ ବୁଝିପାରିଲା୤ ଅବଳା ନାରୀ ତଳକୁ ମୁହଁ କରି କାନ୍ଦିବାକୁ ଲାଗିଲା୤ ବିମଳାର ଏ ଅବସ୍ଥା ଦେଖି ଉଦିତ୍‌ପ୍ରତାପଙ୍କ ନୟନକୋଣରେ ଈଷତ୍‌ ଆନନ୍ଦ-ରେଖା ଫୁଟିଉଠିଲା୤ ତାଙ୍କ ଓଷ୍ଠପ୍ରାନ୍ତରେ କୂଟିଳ ହାସ୍ୟର ଜ୍ୟୋତି ପ୍ରକଟିତ ହୋଇ ପରମୁହୂର୍ତ୍ତରେ ବିଲୀନ ହୋଇଗଲା୤ ବିମଳାକୁ ଚତୁର୍ଦ୍ଦିଗ ଘୋର ତମସାଛନ୍ନ ପ୍ରତୀତ ହେଲା୤ ସେ କମ୍ପିତ କଣ୍ଠରେ କହିଲା, ‘ଦାଦା, ତୋର ଏସବୁ କୂଟ ବୃଥା୤ ମୁଁ ତତେ ଭଗିନୀର ସର୍ବସ୍ବ ଅର୍ପଣ କରିସାରିଛି୤ ଏଥିରୁ ବେଶି ତୁ ଆଉ କିଛି ପାଇପାରିବୁ ନାହିଁ୤ ତୁ ମୋତେ ବାନ୍ଧିପାରୁ; କିନ୍ତୁ ମୋ ହୃଦୟକୁ ବାନ୍ଧିପାରିବୁ ନାହିଁ୤ ଉପରେ ଈଶ୍ବର ଅଛନ୍ତି୤’

ଏହା କହି ସେ ଦ୍ରୁତ ପଦକ୍ଷେପରେ ସେଠାରୁ ଚାଲିଗଲା୤ ବିମଳାର ଭାବ ଦେଖି ଉଦିତ୍‌ପ୍ରତାପ ପ୍ରମାଦ ଗଣିଲେ୤ ପାଳିତା କନ୍ୟାର ପୁଣି ଏତେଦୂର ଆସ୍ପର୍ଦ୍ଧା ! ହୀରାଖଣ୍ଡ ଛତ୍ରପତି ମହାରାଜଙ୍କ ସେନାପତି ପୁତ୍ରକୁ ଖାତିର କରେ ନାହିଁ ! କ୍ରୋଧରେ ତାଙ୍କ ମୁଖ ଲାଲ ହୋଇଗଲା୤ ଦଶନରେ ଅଧର ଚାପି ବିମଳାର ଏ ଆଚରଣର ପ୍ରତିଶୋଧ ନେବା ନିମନ୍ତେ ସେ ବିମଳାର ଅନୁସରଣ କଲେ୤

ତୃତୀୟ ପରିଚ୍ଛେଦ : କ୍ଷୁଦ୍ରମେଘ

‘ଶିବିରେ ପ୍ରତୀକ୍ଷା କରି ବହୁଦିନ
ଶତ୍ରୁ ଯୋଦ୍ଧେ ହୋଇଛନ୍ତି ଧୈର୍ଯ୍ୟହୀନ,
ସ୍ବଦେଶେ ବାହୁଡ଼ି ଯିବାକୁ ବାସନା-
ବଶୁଁ କରୁଛନ୍ତି ବିଜନେ ମନ୍ତ୍ରଣା୤’
(ନନ୍ଦିକେଶ୍ବରୀ)

ଏ କେତେଦିନ ହେଲା ବିମଳାର ମନରେ ଜମା ସୁଖ ନାହିଁ୤ ଉଦିତ୍‌ପ୍ରତାପଙ୍କ କଟୂକ୍ତି- ‘ତୁ ଆଉ ଘରୁ ବାହାରିପାରିବୁ ନାହିଁ’ ସର୍ବଦା କର୍ଣ୍ଣକୁହରରେ ପ୍ରତିଧ୍ବନିତ ହେଉଅଛି୤ ସରଳା ବାଳିକାର ସ୍ବାଧୀନ ମତ ଉପରେ ଏ ଅତ୍ୟାଚାର ! ବିମଳା ଉଦିତ୍‌ପ୍ରତାପଙ୍କୁ ସ୍ପଷ୍ଟରୂପେ କହିଅଛି ଯେ ସେ ତାଙ୍କ ପ୍ରଣୟକାଙ୍କ୍ଷିଣୀ, ନୁହେଁ୤ ତଥାପି ତାକୁ ଶୃଙ୍ଖଳିତ କରିବା ପାଇଁ ଏ ପ୍ରୟାସ କାହିଁକି ?

ପୃଷ୍ଠା ସଂଖ୍ୟା : 1 2 3 4 5 6

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୟାନିଧି ମିଶ୍ର
ଦୟାନିଧି ମିଶ୍ର
ଓଡ଼ିଆ କଥା ସାହିତ୍ୟରେ ଦୟାନିଧି ମିଶ୍ର(୧୮୯୧-୧୯୫୫) ଜଣେ ନିଆରା ଲେଖକ ଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ୤ ସେ ଜଣେ ଶିକ୍ଷକ, ଆଇନଜୀବୀ ଓ ରାଜନେତା ଭାବେ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ନିଜର କର୍ମମୟ ଜୀବନ ଅତିବାହିତ କରିଥିଲେ୤ ଏକତ୍ର ବିରତ୍ବ ଓ ପ୍ରଣୟର ଉପସ୍ଥାପନା କୌଶଳ, ବିଷୟବସ୍ତୁଗୁଡ଼ିକର ବିଭାଗୀକରଣ, ଆରମ୍ଭର ବୈଚିତ୍ର୍ଯ, ବିଷୟ ଗ୍ରନ୍ଥିର କ୍ରମ ଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ ହେଉଛି ଦୟାନିଧିଙ୍କ ଲେଖାର ବୈଶିଷ୍ଟ୍ଯ୤ ତାଙ୍କ ରଚିତ ଏବଂ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ... [ କ୍ରମେ ସବିଶେଷ ]
ଦୟାନିଧି ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤