ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ପ୍ରଦୀପ ନାୟକ
ଅମରେନ୍ଦ୍ର ଖଟୁଆ
ଅଚ୍ୟୁତାନନ୍ଦ କର
ମଧୁସୂଦନ ଦାସ
କିଶୋରୀ ଚରଣ ଦାସ
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରୂପର ମୂଲ୍ୟ
 |- ଦୟାନିଧି ମିଶ୍ର
 
 
ତା: ଜୁଲାଇ ୩୦, ୨୦୧୨  
 

ପ୍ରଥମ ପରିଚ୍ଛେଦ: ବିଦାୟ

‘ତଦ୍‌ଗଚ୍ଛ ସିଦ୍ଧୌ କୁରୁ ଦେବକାର୍ଯ୍ୟମ୍‌୤’ (କୁମାରସମ୍ଭବମ୍‌)

ସମ୍ବଲପୁରର ପଶ୍ଚିମ ଦିଗରେ ସହରରୁ ପ୍ରାୟ ଏକମାଇଲ ଦୂରରେ ମଦଲିଆ ମୁହାଣ୤ ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଅଛି୤ କଳନାଦିନୀ ଚିତ୍ରୋତ୍ପଳା ମନ୍ଦିରର ଚରଣ ପ୍ରକ୍ଷାଳିତ କରି ଶିଳାବନ୍ଧୁର ମାର୍ଗରେ ଅଗ୍ରସର୤ ଲୋକେ କହନ୍ତି, ମନ୍ଦିରରେ ପ୍ରଚୁର ଧନରତ୍ନ ଓ ଅସ୍ତ୍ରଶସ୍ତ୍ର ଲୁକ୍କାୟିତ ଅଛି୤ ଏ ଉକ୍ତିର ସତ୍ୟତା ନିରୂପିତ କରିବାକୁ ଆମ୍ଭମାନଙ୍କର ଶକ୍ତି ନାହିଁ୤ ଆଜିଯାଏ କେହି ଏ ବିଷୟରେ ଅନୁସନ୍ଧାନ କରିନାହାଁନ୍ତି୤ ଏବଂବିଧ ପ୍ରତ୍ନତତ୍ତ୍ବ ସଂଗ୍ରହ ଓଡ଼ିଶାର ଆଧୁନିକ ଜଳବାୟୁର ପ୍ରତିକୂଳ ପରା ! ସେ ଯାହାହେଉ, ମନ୍ଦିରକୁ ନୀଳମାଧବଙ୍କ ମନ୍ଦିର ବୋଲି କହନ୍ତି୤ ଏଠାରେ ଦେବପୂଜାର କୌଣସି ଚିହ୍ନ ପରିଲକ୍ଷିତ ହୁଏ ନାହିଁ୤ ମନ୍ଦିରରେ କୌଣସି ଦେବବିଗ୍ରହ ମଧ୍ୟ ନାହିଁ୤ ମନ୍ଦିରର ଏପରି ନାମକରଣ କିପରି ହେଲା, ପୁରାତତ୍ତ୍ବ ଜିଜ୍ଞାସୁମାନଙ୍କ ଅନୁସନ୍ଧେୟ୤ ପୁଣି ଏଠାରେ କୌଣସି ନଦୀର ସଙ୍ଗମସ୍ଥଳ ନ ଥିଲେ ସୁଦ୍ଧା ସ୍ଥାନଟିର ନାମ ମଦଲିଆ ମୁହାଣ କାହିଁକି ହୋଇଅଛି ? ବୋଧହୁଏ କାଳକ୍ରମେ ସେ ନଦୀ ଲୋପ ପାଇଅଛି କିମ୍ବା ଦୁର୍ଗରକ୍ଷାର୍ଥ ସମ୍ବଲପୁରର ନରପତିମାନେ ନଦୀର ଗତିକୁ ପରିବର୍ତ୍ତିତ କରିଥିବେ୤ ନଦୀ-ସଙ୍ଗମ-ସୂଚକ ପ୍ରଶସ୍ତତା କେବଳ ମୁହାଣ ନାମର ସାର୍ଥକତା ସମ୍ପାଦନ କରୁଅଛି୤

ଜଗତରେ ବିଭବ ହିଁ ସମସ୍ତ ଆକର୍ଷଣର କେନ୍ଦ୍ର୤ ମନୁଷ୍ୟର ଦୃଷ୍ଟି ଯେପରି ଊର୍ଦ୍ଧ୍ବକୁ ଚାହିଁ ଚାହିଁ ଊର୍ଦ୍ଧ୍ବମୁଖୀ ହୋଇଗଲାଣି୤ ପ୍ରଜା ଜମିଦାରର ଅନୁସରଣ କରୁଅଛି୤ ଜମିଦାର ରାଜାର ଅନୁସରଣ କରୁଅଛି୤ କିନ୍ତୁ ଲୋକଲୋଚନ ଅଗୋଚରରେ ଯେ କେତେଶତ ପ୍ରାଣୀ ଦୁର୍ବିଷହ ଯାତନା ଭୋଗ କରୁଛନ୍ତି, ତହିଁର ଖବର ରଖୁଛି କିଏ ?

ନୀଳମାଧବଙ୍କ ମନ୍ଦିର ଅଧୁନା ଜୀର୍ଣ୍ଣ କଳେବର୤ ତାହାର ସେ ପୁରାତନ ଗୌରବ ଆଉ ନାହିଁ୤ ମନ୍ଦିରବାଟେ କେତେ ଶତ ଲୋକ ପ୍ରତିଦିନ ଯାତାୟତ କରୁଛନ୍ତି; କିନ୍ତୁ କେହି ଦିନେ ମନ୍ଦିର ଆଡ଼କୁ ମୁହଁ ଫେରାଇ ଦେଖୁ ନାହାଁନ୍ତି୤ ମନ୍ଦିରଟି ପୁରାତନର ଗୋଟିଏ ଅଂଶ, ତାହା ବର୍ତ୍ତମାନର କିଛି ନୁହେଁ୤ କିନ୍ତୁ ଏହାର ଅବସ୍ଥା ଚିରଦିନ ଏପରି ନଥିଲା୤ ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ, ସେ ସମୟରେ ମନ୍ଦିରର ପୁରାଣ ମହିମା ଜଗତକୁ ମୁଗ୍ଧ ଓ ବିସ୍ମିତ କରୁଥିଲା୤

ବିମଳା ପ୍ରତିଦିନ ସନ୍ଧ୍ୟା ସମୟରେ ମନ୍ଦିରକୁ ଆସେ ଓ ନିଜ ମନକୁ ଗୀତ ଗାଇ ପୁଣି ଚାଲିଯାଏ୤ ସେଠାରେ ପ୍ରକୃତିର ଚାରୁ ଛବି ଦେଖି, ପ୍ରକୃତିର ସୁମଧୁର ସଙ୍ଗୀତ ଶୁଣି ସେ ସଙ୍ଗୀତମୟ ପ୍ରାଣରେ ନିଜେ ଗୀତ ଗାଏ୤ ସେ ସଙ୍ଗୀତର ତୁଳନା ଜଗତରେ ବିରଳ୤ ତାହା ମନ୍ଦାକିନୀର ସ୍ବଚ୍ଛ ସ୍ରୋତ ସଦୃଶ ଆକାଶ ବକ୍ଷରେ ମୃଦୁମନ୍ଦ ଭାବରେ ନୃତ୍ୟ କରେ୤

ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା୤ ପୂର୍ଣ୍ଣଚନ୍ଦ୍ର ପ୍ରାଚୀ ଲଲାଟରେ ଚନ୍ଦନ ବିନ୍ଦୁରୂପେ ବିରାଜିତ ହୋଇ ସୁଧାମୟ ଜ୍ୟୋତ୍ସ୍ନାରେ ଜଗତକୁ ସିକ୍ତ କରିଛନ୍ତି୤ ଆକାଶର ସ୍ଥାନେ ସ୍ଥାନେ କ୍ଷୁଦ୍ର କ୍ଷୁଦ୍ର ମେଘଖଣ୍ଡ୤ ନଭଃପ୍ରାଙ୍ଗଣରେ ଚନ୍ଦ୍ର ଏହି ମେଘଗୁଡ଼ିକ ସଙ୍ଗେ ଲୁଚକାଳି ଖେଳ ଖେଳୁଅଛି୤ ଏପରି ଆନନ୍ଦ ଓ ନିରାନନ୍ଦର ସନ୍ଧି ସମୟରେ ଏ ନିର୍ଜନ ସ୍ଥଳରେ ବିମଳା ନୀଳମାଧବ ମନ୍ଦିରରୁ ବହିର୍ଗତ ହୋଇ ସୋପାନବଳୀ ଉପରେ ଯାଇ ବସିଲା୤ ବିମଳାର ବୟସ ପ୍ରାୟ ଚଉଦ ବର୍ଷ ହେବ୤ ପରିଧେୟ ଗୋଟିଏ ନୀଳରଙ୍ଗର ଶାଢ଼ୀ, ନାସିକାରେ ଦଣ୍ଡୀ ଏବଂ ହସ୍ତରେ ସ୍ବର୍ଣ୍ଣବଳୟ୤ ତାହାର କାନ୍ତି ଚମ୍ପକପୁଷ୍ପ ସଦୃଶ, ବେଣୀ ଅସଂଯତ୤ ନୈଶ ସମୀର ବିମଳାର କପାଳନ୍ୟସ୍ତ ଅଳକ ସଙ୍ଗେ ନୃତ୍ୟ କରି ତାହାର ମୁଖକୁ ମେଘଦ୍ବାରା ଅର୍ଦ୍ଧଲୁକ୍କାୟିତ ଚନ୍ଦ୍ରମାର କାନ୍ତିରେ ବିଭୂଷିତ କରୁଅଛି୤ ବିମଳାର ମନ ଆଜି ଚିନ୍ତାମଗ୍ନ, ମୁଖ ଗମ୍ଭୀର୤ ସେ ଯେପରି କାହାକୁ ଖୋଜୁଛି, କିନ୍ତୁ ପାଉନାହିଁ୤ ସେ ହସ୍ତୋପରେ ଗଣ୍ଡଦେଶ ନ୍ୟସ୍ତ କରି ଆକାଶର ଚନ୍ଦ୍ର ଆଡ଼କୁ ଅନାଇଲା୤ ଚନ୍ଦ୍ରର ଲୁଚକାଳି ଖେଳ ଦେଖି ଦେଖି ମନମଧ୍ୟରେ କ’ଣ ଭାବି ଗୀତ ଗାଇବାକୁ ଲାଗିଲା-

କର କିମ୍ପା ପ୍ରବଞ୍ଚନା ?
ଆହେ ଶଶଧର ସୁଧାର ଆକାର ଶୁଣ ବାରେ ମୋ ପ୍ରାର୍ଥନା ୥
ସରୋବର ବକ୍ଷେ ନୀର-ଆସନେ
ଖେଳେ କୁମୁଦିନୀ ମନ୍ଦ ପବନେ,
ଲୁଚକାଳି ଖେଳେ ମାତି ଅବହେଳେ ଦେଉଛ କିମ୍ପା ଯାତନା ୥
ତବ ଆଲିଙ୍ଗନ ସୁଧାନିର୍ଝର
ଅଟେ କୁମୁଦିନୀ ହୃଦସମ୍ବଳ,
କାଦମ୍ବିନୀ କୋଳେ ଲୁଚି ଅନ୍ତରାଳେ ନ ଲୁଚାଅ ସେ ଜୋଛନା ୥
କରୁଛି ମିନତୀ, କୁମୁଦବନ୍ଧୁ,
ଦେଖାଅ ନିର୍ମଳେ ବଦନ ମଧୁ,
ସୁଧା-ପାରାବରେ ଭାସି ପ୍ରେମଭୋରେ ଲଭିବ ଧନୀ ସାନ୍ତ୍ବନା ୥

ସ୍ବରଲହରୀ ବନ୍ଦ ହେଲା; କିନ୍ତୁ ବିମଳାର ପ୍ରାଣ ଅଧୁନା ସଙ୍ଗୀତମୟ୤ ସଙ୍ଗୀତ ବନ୍ଦ ହେଲେ ସୁଦ୍ଧା ଜଗତ ତାକୁ ସଙ୍ଗୀତମୟ ଦିଶିବାକୁ ଲାଗିଲା୤ ରଜନୀର ନିସ୍ତବ୍ଧତା କେଉଁଆଡ଼େ ଉଭେଇଗଲା୤ ଜଗତର ଅଜ୍ଞାତରେ, ନିସ୍ତବ୍ଧତାର ଅଜ୍ଞାତରେ ଧରଣୀବନ୍ଧରେ ସୁମଧୁର ସଙ୍ଗୀତରାଜ୍ୟ ପ୍ରତିଷ୍ଠିତ ହେଲା୤

ପୃଷ୍ଠା ସଂଖ୍ୟା : 1 2 3 4 5 6

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୟାନିଧି ମିଶ୍ର
ଦୟାନିଧି ମିଶ୍ର
ଓଡ଼ିଆ କଥା ସାହିତ୍ୟରେ ଦୟାନିଧି ମିଶ୍ର(୧୮୯୧-୧୯୫୫) ଜଣେ ନିଆରା ଲେଖକ ଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ୤ ସେ ଜଣେ ଶିକ୍ଷକ, ଆଇନଜୀବୀ ଓ ରାଜନେତା ଭାବେ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ନିଜର କର୍ମମୟ ଜୀବନ ଅତିବାହିତ କରିଥିଲେ୤ ଏକତ୍ର ବିରତ୍ବ ଓ ପ୍ରଣୟର ଉପସ୍ଥାପନା କୌଶଳ, ବିଷୟବସ୍ତୁଗୁଡ଼ିକର ବିଭାଗୀକରଣ, ଆରମ୍ଭର ବୈଚିତ୍ର୍ଯ, ବିଷୟ ଗ୍ରନ୍ଥିର କ୍ରମ ଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ ହେଉଛି ଦୟାନିଧିଙ୍କ ଲେଖାର ବୈଶିଷ୍ଟ୍ଯ୤ ତାଙ୍କ ରଚିତ ଏବଂ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ... [ କ୍ରମେ ସବିଶେଷ ]
ଦୟାନିଧି ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤