ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭୂପେନ୍‌ ମହାପାତ୍ର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଦିଲ୍ଲୀପ ଦାସ
ଜୟନ୍ତ ମହାପାତ୍ର
ତ୍ରିନାଥ ସିଂହ
ସେନାପତି ପ୍ରଦ୍ୟୁମ୍ନ କେଶରୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରତିଭା ପୂଜା
 |- ନୀଳମଣି ବିଦ୍ୟାରତ୍ନ
 
 
ତା: ଜାନୁଆରୀ ୩୧, ୨୦୧୩  
 

ଆମ୍ଭମାନଙ୍କ ଦେଶରେ ଲୋକମାନେ ଅନ୍ୟାନ୍ୟ ବିଷୟ ପରି ପ୍ରତିଭା ପୂଜା ବିଷୟରେ ବଡ଼ ପଶ୍ଚାତ୍‌ପଦ୤ ସଭ୍ୟ ଦେଶମାନଙ୍କରେ ପ୍ରତିଭାଶାଳୀ ବ୍ୟକ୍ତିମାନେ ରାଜକୋଷରୁ, ସଭାସମିତିରୁ ବୃତ୍ତି ଓ ପ୍ରତିଭା ବିକାଶର ଉପଯୋଗୀ ସାହାଯ୍ୟ ସହାନୁଭୂତି ଯଥେଷ୍ଟ ପରିମାଣରେ ପାଇଥାଆନ୍ତି୤ ଜନସାଧାରଣ ସେମାନଙ୍କୁ ସମାଦର କରିବା, ସେମାନଙ୍କ ନଖକେଶାଦିଠାରୁ ଛିନ୍ନ ଉପାନହ ପର୍ଯ୍ୟନ୍ତ ପ୍ରଚୁର ଧନ ବିନିମୟରେ ସଂଗ୍ରହ କରିବା ବିଷୟରେ ସୁଦ୍ଧା ଉଦାସୀନ ନୁହନ୍ତି୤ ଆମ୍ଭେମାନେ ଓଡ଼ିଆ, ଇଂରାଜୀ ଚାରିଧାଡ଼ି ଶିକ୍ଷା କରି ଆପଣାକୁ ସଭ୍ୟ, ଭବ୍ୟ, ଶିକ୍ଷିତ ବୋଲି ମନରେ ଅଭିମାନ ପୋଷଣ କରିବାକୁ ଶିଖିଅଛୁଁ; କିନ୍ତୁ ସଭ୍ୟଦେଶର ସୁମଙ୍ଗଳପ୍ରଦ ଗୁଣାବଳୀ ଆମ୍ଭମାନଙ୍କଠାରେ କିଛି ନାହିଁ୤ ଉପେନ୍ଦ୍ର, ବଳଦେବ, ଦୀନକୃଷ୍ଣ, ଜଗନ୍ନାଥ, ପୀତାମ୍ବର, ରାମଦାସ ଓ ବିଶି ପ୍ରଭୃତି ଉତ୍କଳୀ ସୁପ୍ରଥିତଯଶ କବିପଣ୍ଡିତ ଏହି ପତିତ ଦେଶରେ ଜନ୍ମଗ୍ରହଣ କରିଥିବାରୁ ଆଜି ଓଡ଼ିଆମାନେ ଆପଣାକୁ ଗୋଟାଏ ଜାତି, ଓଡ଼ିଆକୁ ଗୋଟାଏ ଗଣନୀୟ ଭାଷା ବୋଲି କହିବାକୁ କ୍ଷମ ହେଉଅଛନ୍ତି୤ ଯେଉଁମାନଙ୍କ ଯୋଗୁଁ ଏହି ଜାତି ଓ ଭାଷା ଆଜି ଗୌରବାନ୍ବିତ, ସେମାନଙ୍କୁ ସେମାନଙ୍କ ଜୀବଦ୍ଦଶାରେ କି ସମୁଚିତ ଆଦର କରାଯାଇଥିଲା ? ସେମାନଙ୍କ ପ୍ରତିଭା-ବିକାଶ ପଥରେ ବି କିଛି ବିଘ୍ନବାଧା ନ ଥିଲା ? ଆମ୍ଭେମାନେ ପ୍ରାଚୀନ ବ୍ୟକ୍ତିମାନଙ୍କ ମୁଖରୁ ଯେତେଦୂର ଶୁଣିଅଛୁଁ, ତହିଁରେ ନିର୍ଭର କରି କହିପାରୁଁ, ସେମାନଙ୍କ ମଧ୍ୟରୁ ଅନ୍ତତଃ ଅଧିକାଂଶ ଯାହା କରିଅଛନ୍ତି, ସେମାନେ ତାହା ପ୍ରବଳ ପ୍ରତିକୂଳାବସ୍ଥାରେ ଥାଇ କରିଅଛନ୍ତି୤ ସେମାନଙ୍କ ସମ୍ବନ୍ଧରେ ଜନସାଧାରଣଙ୍କର ଯାହା କର୍ତ୍ତବ୍ୟ, ତାହା ହୋଇଥିଲେ ଆଜି ଉତ୍କଳ ସାହିତ୍ୟର ଶ୍ରୀ, ଭିନ୍ନାକାର ଧାରଣା କରିଥାଆନ୍ତା୤

ଗଲା କଥା ଯାଉ, ବର୍ତ୍ତମାନ ବିବେଚ୍ୟ, ସେମାନଙ୍କ ସମ୍ବନ୍ଧରେ ଏବେ ଆମ୍ଭମାନଙ୍କର କିଛି କର୍ତ୍ତବ୍ୟ ଅଛି କି ନାହିଁ ? ଏ ସବୁ ବିଷୟରେ ଆଲୋଚନା କରିବାକୁ ହେଲେ ସଭ୍ୟଦେଶର କାର୍ଯ୍ୟପ୍ରତି ଦୃଷ୍ଟିପାତ କରିବାକୁ ହେବ୤ ସଭ୍ୟଦେଶରେ ସେପରି ବ୍ୟକ୍ତିମାନଙ୍କର ଜୀବନ ଚରିତ୍ର ସଂଗ୍ରହ ଓ ପ୍ରକାଶ, ମୂର୍ତ୍ତିପ୍ରତିଷ୍ଠା, ମୃତ୍ୟୁବାସରରେ ନାନା ସ୍ଥାନରେ ସଭାସମିତି କରି ସେମାନଙ୍କ ଗୁଣକୀର୍ତ୍ତନ, ସମାଧିଦର୍ଶନ, ସମାଧିରେ ପୁଷ୍ପମାଳାଦି ପ୍ରଦାନ, ଜନ୍ମ ଓ ଅବସ୍ଥାନ ସ୍ଥଳରେ ସ୍ମୃତିରକ୍ଷା ପ୍ରଭୃତି ନାନା ଉପାୟରେ ପ୍ରତିଭାପ୍ରିୟତାର ପରିଚୟ ଦେଇଥାଆନ୍ତି୤ ଆମ୍ଭମାନଙ୍କ ପଡ଼ିଶା ଘରେ ବଙ୍ଗଦେଶରେ ମଧ୍ୟ ପ୍ରତିଭାପୂଜକଙ୍କ ଦଳ ଦିନକୁ ଦିନ ପରିପୁଷ୍ଟ ହେଉଅଛନ୍ତି ଏବଂ ସେମାନଙ୍କ ପୂର୍ବପୁରୁଷ ପ୍ରତିଭାଶାଳୀମାନଙ୍କ ପ୍ରତି ସମୁଚିତ କାର୍ଯ୍ୟ କରି ନ ଥିବା ହେତୁ ସେମାନେ ଦୁଃଖିତ ଏବଂ ଲଜ୍ଜିତ ହୋଇ ତହିଁର ପ୍ରାୟଶ୍ଚିତ ସ୍ବରୂପ ଯଥାସମ୍ଭବ ସମୟୋଚିତ କାର୍ଯ୍ୟ କରୁଅଛନ୍ତି୤

ଏପରି ସ୍ଥଳରେ ଅତୀତକାଳର ଓଡ଼ିଆ ବୀରମାନଙ୍କ ପ୍ରତି ସମୟୋଚିତ କର୍ତ୍ତବ୍ୟ ପାଳନ କରିବା ଉଚିତ୍‌ ନୁହେଁ କି ? ଅବଶ୍ୟ ଉଚିତ୍‌ ୤ ସେହି କର୍ତ୍ତବ୍ୟ କଅଣ ? ଉପେନ୍ଦ୍ର, ଦୀନକୃଷ୍ଣ ପ୍ରଭୃତିଙ୍କ ନାମ ସମସ୍ତ ଓଡ଼ିଆଙ୍କୁ ଜଣାଅଛି, କିନ୍ତୁ ତାଙ୍କ ଘର କେଉଁଠାରେ, ସେ କି କି କାର୍ଯ୍ୟ କରିଥିଲେ, ତାଙ୍କର ଶିକ୍ଷାଦୀକ୍ଷାର ଅବସ୍ଥା କିପରି ଥିଲା, ସେ କେଉଁ ସମୟର ଲୋକ-ଏ ସବୁ କଥା ପଚାରିଲେ ପ୍ରାୟ ସମସ୍ତେ ନୀରବ ହେବେ୤ ଏପରି ସ୍ଥଳରେ ଯେତେ ଦୂର ହୋଇପାରେ ସେମାନଙ୍କ ବିବରଣ ସଂଗ୍ରହ କରିବା, ସେମାନଙ୍କ ଜନ୍ମସ୍ଥାନ ମାନଙ୍କରେ ମେଳା ସ୍ଥାପନ କରିବା, ସେହି ସେହି ସ୍ଥାନକୁ ତୀର୍ଥସ୍ଥାନ ମନେକରିବା, ସେମାନଙ୍କ ରଚିତ ଗ୍ରନ୍ଥମାନଙ୍କର ସଟୀକ ବିଶୁଦ୍ଧ ସଂସ୍କରଣ ପ୍ରକାଶ କରିବା, ସେମାନଙ୍କ ମୃତଦିବସରେ ସଭାସମିତି କରି ଶୋକପ୍ରକାଶ କରିବା ଆମ୍ଭମାନଙ୍କର ଏକାନ୍ତ କର୍ତ୍ତବ୍ୟ ବୋଲି ବିବେଚନା କରୁଅଛୁଁ୤

ମୃତ ମହାନୁଭବମାନଙ୍କ ଉପଲକ୍ଷେ ଯାହା ଯାହା କର୍ତ୍ତବ୍ୟ ବୋଲି ନିର୍ଦ୍ଦେଶ କରାହେଲା, ତାହା ପ୍ରତିପାଳନ କଲେ ସେମାନଙ୍କର କିଛି କ୍ଷତିବୃଦ୍ଧି ହେବନାହିଁ୤ ସେମାନେ ନିଜ ନିଜର କୃତିତ୍ବଦ୍ବାରା ମରି ଅମରତା ଲାଭ କରିଅଛନ୍ତି୤ ଯେତେଦିନ ଯାଏଁ ଓଡ଼ିଆଜାତି, ଓଡ଼ିଆଭାଷା ଥିବ, ସେତେ ଦିନଯାଏଁ ସେମାନଙ୍କ ନାମ ଲୋପର ବିନ୍ଦୁମାତ୍ର ଆଶଙ୍କା ନାହିଁ୤ ତଥାପି ସେମାନଙ୍କ ନାମଗୁଣ କୀର୍ତ୍ତନ କରିବା, ସେମାନଙ୍କ ପ୍ରତିଭାର ପୂଜା କରିବା ଆମ୍ଭମାନଙ୍କ ପକ୍ଷରେ କର୍ତ୍ତବ୍ୟ ଓ ଅଶେଷ ପ୍ରୟୋଜନକ୤ ଏହା ବିଧବାର ଏକାଦଶୀ ନୁହେଁ ଯେ, କରଣେ ଫଳାଭାବ ହେବ, ଅକରଣେ ପ୍ରତ୍ୟପାୟ ହେବ୤ ସେମାନଙ୍କ ପୂଜା କଲେ ପୂଜ୍ୟପୂଜା ବ୍ୟତିକ୍ରମଃ ଦୋଷରୁ ମୁକ୍ତି ମିଳିବ୤ ପ୍ରତିଭାର ସମାଦର ସଙ୍ଗେ ସଙ୍ଗେ ସମାଜରେ ଶତ ଶତ ପ୍ରତିଭାଶାଳୀ ବ୍ୟକ୍ତିଙ୍କର ଆବିର୍ଭାବ ହେବ, ଜାତୀୟତା ବୃଦ୍ଧି ପାଇବ, ଜାତି ଓ ଭାଷାର ଗୌରବ ଦେଶ ବିଦେଶରେ ବିଘୋଷିତ ହେବ, କାର୍ଯ୍ୟ ଦୃଷ୍ଟିରେ ଫଳ ଅସାଧାରଣ, ଏହାକି କଦାପି ପରିତ୍ୟାଜ୍ୟ ? ମୃତ ମହାନୁଭବମାନଙ୍କ ଜୀବିତକାଳରେ ସେମାନଙ୍କ ସମସାମୟିକ ବ୍ୟକ୍ତିମାନେ ସେମାନଙ୍କ ସମ୍ବନ୍ଧରେ ଆପଣା ଆପଣା ଯାହା କର୍ତ୍ତବ୍ୟ ଥିଲା, ତାହା ପାଳନ କରିନାହାନ୍ତି୤ ଆମ୍ଭେମାନେ ସେମାନଙ୍କ ବଂଶଧର ଓ ସଭ୍ୟଭବ୍ୟ ହୋଇ ମଧ୍ୟ ସେମାନଙ୍କ ପରି ପ୍ରତିଭାପୂଜା ବିଷୟରେ ଏକାନ୍ତ ଉଦାସୀନ୤ ଏହି ଉଦାସୀନତା ଯେ ଜାତୀୟ ଅବନତିର ଆଦି କାରଣ ଏ କଥା କେହି ଅସ୍ବୀକାର କରିବେ ନାହିଁ୤ ତଥାପି ଆମ୍ଭମାନଙ୍କ ଔଦାସୀନ୍ୟ ଆନ୍ତରିକ ହେଉ ନାହିଁ୤ କର୍ତ୍ତବ୍ୟବିମୁଖତାଜନିତ ପ୍ରବଳ ପାପର କଠୋର ପ୍ରାୟଶ୍ଚିତସ୍ପୃହା ପ୍ରାଣରେ ଜାଗ୍ରତ ହେବାକୁ ନାହିଁ, ଏଥୁବଳି ଗଭୀର ପରିତାପର ବିଷୟ କଅଣ ଅଛି ? କେବଳ ଅତୀତ ମହାଜନମାନଙ୍କ ପ୍ରତି ଏ ଅନାସ୍ଥା ଭାବ, ତାହା ନୁହେଁ, ଜୀବିତ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ପ୍ରତି ତତୋଧିକ ଅନାସ୍ଥା ଭାବ୤ ଦୃଷ୍ଟାନ୍ତସ୍ଥଳ ଅନେକ୤

ପ୍ରଥମେ ମହାମହୋପାଧ୍ୟାୟ ଶ୍ରୀ ଚନ୍ଦ୍ରଶେଖର ସିଂହସାମନ୍ତଙ୍କ ଅବସ୍ଥା ପ୍ରତି ଦୃଷ୍ଟି ନିକ୍ଷେପ କର୤ ଯାହାଙ୍କର ଲୋକୋତ୍ତର ପ୍ରତିଭା ଜ୍ଞାନଦୃପ୍ତ ଇଉରୋପ, ଆମେରିକାରେ ଆତଙ୍କ ଉପସ୍ଥିତ କରିଅଛି, ଭାରତର ଦ୍ବିତୀୟ ସ୍ବର ସ୍ବରୂପ ସେହି ଜଗଦ୍‌ବିଖ୍ୟାତ ପଣ୍ଡିତଙ୍କୁ ଓଡ଼ିଆମାନେ ଚିହ୍ନିଲେ କି ? କବି ସାମନ୍ତ ପ୍ରସଙ୍ଗରେ ତାଙ୍କୁ ସମ୍ବୋଧନ କରି କହିଅଛନ୍ତି- ‘ଗୁଣଜ୍ଞ ଉତକଳେ ଜଣେ କେହି ନାହିଁ, ଗୁଣୀନ୍ଦ୍ର ! ତୁମ୍ଭର ହେବ ଗୁଣଗ୍ରାହୀ୤’ ଏହା କି ମିଛ ? ଏହି କବିବାଣୀ କି ଓଡ଼ିଆମାନଙ୍କର କଳଙ୍କମୁଦ୍ରା ନୁହେଁ ? ଏ କଳଙ୍କକ୍ଷାଳନ ସକାଶେ ଆମ୍ଭେମାନେ କଅଣ କରୁଅଛୁଁ ? ସାମନ୍ତଙ୍କ ଋଣପରିମାଣ ୨, ୩ ସହସ୍ର ମୁଦ୍ରା୤ ସାମନ୍ତଙ୍କୁ ଋଣମୁକ୍ତ କରିଦେଇ ବାର୍ଷିକ ସହସ୍ର ମୁଦ୍ରାବୃତ୍ତି ବ୍ୟବସ୍ଥା କରିଦେବା କି ଓଡ଼ିଆଜାତି ପ୍ରତି ବଡ଼ କଥା ? କିନ୍ତୁ ଆମ୍ଭମାନଙ୍କର ଅଗ୍ରାହକତା, ଉଦାସୀନତା ଏହା କରିବାକୁ ନ ଦେଇ ଆପଣା ଦେଶକୁ, ଜାତିକୁ କଳଙ୍କିତ କରୁଅଛି୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନୀଳମଣି ବିଦ୍ୟାରତ୍ନ
ନୀଳମଣି ବିଦ୍ୟାରତ୍ନ
ଆଧୁନିକ ଓଡ଼ିଶାର ବିନ୍ଧାଣୀମାନଙ୍କ ମଧ୍ୟରୁ ପଣ୍ଡିତ ନୀଳମଣି ମିଶ୍ର (୧୮୬୭-୧୯୨୩) ଏକ ପରିଚିତ ନାମ୤ ବାମଣ୍ଡାର ରାଜା ସାର୍‌ ସୁଢଳ ଦେବଙ୍କ ଦ୍ବାରା ବିଦ୍ୟାରତ୍ନ ଉପାଧିପ୍ରାପ୍ତ ହେବା ପରେ ତାଙ୍କ ନାମ ନୀଳମଣି ବିଦ୍ୟାରତ୍ନ ହୋଇଥିଲା୤ ସାହିତ୍ୟ ପତ୍ରିକା ମାଧ୍ୟମରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପଣ୍ଡିତ ନୀଳମଣିଙ୍କ ନାମ କାଳ କାଳକୁ ଅମର ରହିଥିବ୤ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ‘ସମ୍ବଲପୁର ହିତୈଷିଣୀ’, ‘ପ୍ରଜାବନ୍ଧୁ’ ଓ ‘ଉତ୍କଳ ଦୀପିକା’ ଆଦି... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤