ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ନୀଳମଣି ବିଦ୍ୟାରତ୍ନ
ଭୁବନେଶ୍ବର ବେହେରା
ସନ୍ଥକବି ଭୀମ ଭୋଇ
କାମାକ୍ଷୀ ପ୍ରସାଦ ଦାଶ
ବ୍ରହ୍ମାନନ୍ଦ ପଣ୍ଡା
ବିରଜା ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପହିଲା ପରେ
 |- ଅନନ୍ତ ପ୍ରସାଦ ପଣ୍ଡା
 
 
ତା: ଅକ୍ଟୋବର୍ ୧୭, ୨୦୧୨  
 

ଘରେ ଆସି ଗୋଡ଼ ଦେଲାକ୍ଷଣି ସାନପୁଅ ଟୁନୁ ଆସି କହେ- ବାପା ବିସ୍କୁଟ୍‌ ? ବାପା ପୁଅଟିକୁ ଗେଲ କରି କାଖକୁ ଟେକି ନିଅନ୍ତି ଆଉ ତା ଗାଲରେ ଚୁମାଟିଏ ଦେଇ କହନ୍ତି- ପହିଲା ପରେ୤

ଟୁନୁ ଭାରି ଖୁସି ହୋଇ ଧାଇଁଯାଏ ନାନୀ ପାଖକୁ୤ ନାନୀ ତା’ର ସ୍କୁଲ୍‌ରେ ପଢ଼େ୤ ପଚାରେ- ନାନୀ, ପହିଲା କେବେ ? ନାନୀ କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରଟି ଆଡ଼କୁ ଚାହିଁ କହେ- ଆଜି ହେଲା ମାସର ୭ ତାରିଖ ; ଆହୁରି ଚବିଶ ଦିନ ଅଛି ପହିଲା ହେବାକୁ୤ ଟୁନୁ ଗଣି ଶିଖିଲାଣି, ତା’ର ସାନ ଆଙ୍ଗୁଠିର ସରୁ ରେଖାଗୁଡ଼ିକୁ ଗଣିଯାଏ- ଏକ, ଦୁଇ, ତିନି, ଚାରି- ସବୁ ଆଙ୍ଗୁଠିର ରେଖା ସରିଯାଏ ତେବେ ବି ଚବିଶ ପହଞ୍ଚିପାରେ ନାହିଁ୤ ହେଉ, କେବେ ହେଲେ ତ ପହିଲା ଆସିବ୤ ବିସ୍କୁଟ୍‌ର ସ୍ବପ୍ନ ଦେଖୁଁ ଦେଖୁଁ ଟୁନୁ ଯାଇ ନିତି ଦିନର ପାଟିପକା ଜଳଖିଆ ମୁଢ଼ି ଦି’ମୁଠା ଚୋବାଇ ଦିଏ୤

ଟୁନୁ ଉପର ଭଉଣୀ କୁନୁ ଆସି କହେ- ବାପା, ମୋ ଜୋତା ଯୋଡ଼ାକ ଏକବାରେ ଛିଣ୍ଡା କୋତରା ହୋଇଗଲାଣି୤ ଖାଲି ଗୋଡ଼ରେ ଗଲେ ଗୋଡ଼ ଧୂଳି ହୋଇଯାଉଛି୤ ମାଷ୍ଟରାଣୀ ରାଗୁଛନ୍ତି୤ ମୋର ନୂଆ ଜୋତା ଆସିବ୤ ବାପା କୁନୁକୁ ଆଦର କରି କୋଳକୁ ଆଉଜାଇ ନେଇ ତା’ର ଫୁରୁଫୁରିଆ ବାବୁରି ବାଳ ଉପରେ ହାତ ବୁଲାଉ ବୁଲାଉ କହନ୍ତି- ପହିଲା ପରେ୤ କୁନୁ ବି ଆଙ୍ଗୁଠିର ରେଖା ଗଣି ବସେ- ପହିଲା କେବେ ?

ତା’ ଉପର ଭାଇ ମଣ୍ଟୁ ଆସି କହେ- ବାପା, ଦୁଆତ କଲମ ଧରି ସ୍କୁଲ୍‌କୁ ଗଲାବେଳେ କାଳି ସବୁ ଗଡ଼ିଯାଇ ଲୁଗାପଟା ମସିଆ ହୋଇଯାଉଛି୤ ମାଷ୍ଟ୍ରେ ଗାଳି ଦେଉଛନ୍ତି୤ ଆମ କ୍ଲାସ୍‌ରେ ବହୁତ ପିଲା ଫାଉଣ୍ଟେନ୍‌ ପେନ୍‌ ନେଉଛନ୍ତି୤ ମୋର ଗୋଟାଏ ଫାଉଣ୍ଟେନ୍‌ ପେନ୍‌ ନ ହେଲେ ଚଳିବ ନାହିଁ୤ ବାପା କହିନ୍ତି- ହଉ, ପହିଲା ପରେ ଦେଖିବା୤

ଆଉ ଦି’ ପାଦ ଘର ଭିତରକୁ ପଶିଗଲାକ୍ଷଣି ବଡ଼ ଝିଅ ହେମ ଆସି କହେ- ବାପା, ମୋର ଗୋଟାଏ କଳା ଧଡ଼ିଆ ଶାଢ଼ୀ ନ ହେଲେ ଚଳିବ ନାହିଁ୤ ବାପା କହନ୍ତି- ହେଉ ମା, ପହିଲା ପରେ କିଣି ଦେବି୤

ଘର ବାରନ୍ଦାରେ ପହଞ୍ଚିଲାକ୍ଷଣି ମଝିଆଁ ପୁଅ ନଟୁ ଆସି କହେ- ବାପା, ମଁ ଏବେ ଟେନିସ୍‌ ଖେଳିବାକୁ ଯାଉଛି ଯେ, ମୋ ପାଇଁ ଯୋଡ଼ାଏ କେନ୍‌ଭାସ୍‌ ଜୋତା ନ ହେଲେ ଚଳିବ ନାହିଁ୤ ବାପା କହନ୍ତି- ହଉ, ପହିଲା ପରେ କିଣିବା୤

କଲେଜରେ ପଢ଼ୁଥିବା ବଡ଼ପୁଅ ନୀଲୁ ଆସି କହେ- ବାପା, ମୋ ପାଇଁ ଯୋଡ଼ାଏ ବକିଂହାମ୍‌ ମିଲ୍‌ କନାର ଟ୍ରାଉଜର୍‌ ଦରକାର ଆଉ ସିଲ୍‌କ କନାର ଗୋଟାଏ ହାବାଇନ୍‌୤ ବାପା କହନ୍ତି- ହଉ, ପହିଲା ପରେ କରିବା୤ ନୀଲୁ ପ୍ରତିବାଦ କରି କହେ- ସବୁ ତ କରିବା ପହିଲା ପରେ୤ ଆଜିତ ହେଲା ମାସର ମୋଟେ ସାତ ତାରିଖ୤ ପହିଲା ତ ଆହୁରି କେତେ ଦିନ ଅଛି୤

ଘର ଭିତରକୁ ପଶିଗଲାକ୍ଷଣି ରୋଷେଇଘର ଭିତରୁ ଗୃହିଣୀ ଡାକନ୍ତି- ଆଲୋ କୁନୁ, ବାପା ଆଇଲେଣି କି ? କୁନୁ କହେ- ହଁ ମା, ଏଇ ତ ଆଇଲେ୤ ଗୃହିଣୀ କହନ୍ତି- କହିଦେ ବାପାଙ୍କୁ, ମୁଁ ଆଉ ପାରିବି ନାହିଁ୤ ଘରେ ଗୋଟାଏ ବୋଲି ଡେକ୍‌ଚି ନାଇଁ, ସବୁଗୁଡ଼ାକ କଣା ହୋଇଗଲାଣି୤ ମାଟିହାଣ୍ଡି ଗୁଡ଼ାକରେ ରୋଷେଇ କରି ତ ଲୁଗାପଟା ସବୁ ଭାଲୁ କଳା ହୋଇଯାଇଛି୤ କହି ଦେ, ଗୋଟାଏ ଡେକିଚି କିଣି ଆଣିବେ୤ ବାପା କହନ୍ତି- ମାଆଙ୍କୁ କହିଦେ ଏ ମାସଟା ଯେମିତି ସେମିତି ଚଳାଇ ନିଅନ୍ତୁ; ପହିଲା ପରେ କିଣିବା୤ ଗୃହିଣୀ ପଞ୍ଚମକୁ ଉଠିଯାଇ କହନ୍ତି- ମଲା ମୋର, କାଲି କି ପଅରଦିନ ତ ପହିଲା ଗଲା, ଫେର ପୁଣି କେବେ ପହିଲା ହେବ ଯେ ଡେକ୍‌ଚି କିଣାଯିବ ? ମାସକ ଭିତରେ ଆଉ କେତେଟା ପହିଲା ହେବ ? ହଉ, ଯେବେ ବରାଦ ହେବ୤

ଦିନ ସାରା ଗଧ ଖଟଣି ଖଟି ଖଟି ହରିବାବୁ ଯେତେବେଳେ ଘରକୁ ଫେରନ୍ତି, ଏମିତି ସତର ପ୍ରକାର ବରାଦ ଆସି ପହଞ୍ଚେ ତାଙ୍କ ପାଖରେ୤ କିନ୍ତୁ ସବୁ ବରାଦ ର ସେଇ ଗୋଟିଏ ଜବାବ- ପହିଲା ପରେ୤

ଏ ତ ଗଲା ଘର ବରାଦ୤ ରାତି ପାହିଲେ ପୁଣି ଆସେ କେତେ ତାଗଦା ବାହାରୁ୤ ଘରବାଲା ଆସି କହେ- ଛଅ ମାସର ଭଡ଼ା ବାକି୤ ନ ଦେଲେ ଘର ଛାଡ଼ି ଦେବାକୁ ହେବ୤ ହରିବାବୁ ବହୁତ ନେହୁରା ହୋଇ କହନ୍ତି- ଏଇ ମାସରେ ବହୁତ ଖର୍ଚ୍ଚ ପଡ଼ିଗଲା୤ ଆସନ୍ତା ପହିଲା ପରେ ନିଶ୍ଚୟ ସବୁ ବାକି ଶୁଝିଦେବି୤ ଘରବାଲା ମୁହଁ ମୋଡ଼ି ନାକ ଛିଞ୍ଚାଡ଼ି କହେ- ହଁ, ଏମିତି ତ କେତେ ପହିଲା ଗଲାଣି, ପୁଣି ଆସନ୍ତା ପହିଲାକୁ ଦେବେ୤ ହରିବାବୁ ନୀରବରେ ସବୁ ସହିଯାନ୍ତି୤

ଦୁଧବାଲା ଆସି କହେ- ଦୁଧ ବାକି ହେଲାଣି ଦି’ ମାସର, କାଠବାଲା ଆସି ପହେ, ତା’ର ବାକି ଚାରି ମାସର୤ ଏମିତି କେତେ ବିଲ୍‌ ଆସି ପହଞ୍ଚେ ହରିବାବୁଙ୍କ ଠାରେ; କିନ୍ତୁ ସବୁ କଥାରେ ହରି ବାବୁଙ୍କର ସେଇ ଗୋଟିଏ ଜବାବ- ପହିଲା ପରେ୤

ଚାକିରି ଆରମ୍ଭ କଲାଠୁ ଶେଷ ମୁଣ୍ଡରେ ପହଞ୍ଚିବା ଯାଏ ହରିବାବୁଙ୍କୁ ପ୍ରତି ମାସ ସାତ ତାରିଖଠାରୁ ମାସ ଶେଷଯାଏ ଏମିତି ହଜାର ପ୍ରକାର ବରାଦ ଓ ତାଗଦାର ସମ୍ମୁଖୀନ ହେବାକୁ ପଡ଼େ; କିନ୍ତୁ ସବୁ କଥାରେ ତାଙ୍କର ସେଇ ଗୋଟାଏ ଜବାବ ‘ପହିଲା ପରେ’ ତାଙ୍କୁ ଏ ପର୍ଯ୍ୟନ୍ତ ଅକ୍ଷୟ କବଚ ଭଳି ରକ୍ଷା କରି ଆସିଛି୤

ଚାକିରି ଆରମ୍ଭ କଲାବେଳେ ଯେତେବେଳେ କି ବହୁତ କମ୍‌ ଦରମା ପାଉଥିଲେ, ସେତେବେଳେ ହରି ବାବୁଙ୍କର ଆର୍ଥିକ ଅବସ୍ଥା ଯାହା ଥିଲା, ଏବେ ଚାକିରିର ଶେଷ ମୁଣ୍ଡରେ ପହଞ୍ଚି ସୁଦ୍ଧା ସେତେବେଳ ଦରମାର ପାଞ୍ଚଗୁଣା କି ସାତଗୁଣା ପାଇ ମଧ୍ୟ ସେହି ଅବସ୍ଥା୤ କାରଣ ଦରମା ବଢ଼ିବା ସଙ୍ଗେ ସଙ୍ଗେ ପିଲାଝିଲା ମଧ୍ୟ ବଢ଼ି ଚାଲିଛନ୍ତି ସମାନ ଗତିରେ ଅଭାବ ଅନାଟନ ମଧ୍ୟ ବଢ଼ିଚାଲିଛି ତା’ର ଦ୍ବିଗୁଣ ଗତିରେ୤ ଏବେ ଅବଶ୍ୟ ହରିବାବୁ ଜଣେ ବଡ଼ ଅଫିସର୤ ହେଲେ କ’ଣ ହେବ ? ବାଉଁଶଟି ଯେତେ ମୋଟ ହେଉଛି ଭିତରର ପୋଲା ଅଂଶଟି ମଧ୍ୟ ସେତିକି ବଢ଼ି ବଢ଼ି ଚାଲିଛି୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅନନ୍ତ ପ୍ରସାଦ ପଣ୍ଡା
ସାମ୍ୟବାଦୀ ଚିନ୍ତାଧାରା ସହିତ ଜଣେ ପ୍ରଗତିଶୀଳ ସାହିତ୍ୟିକ ଭାବେ ଅନନ୍ତ ପ୍ରସାଦ ପଣ୍ଡା( ୧୯୦୬-୧୯୯୦) ଓଡ଼ିଆ ସାହିତ୍ୟର ଏକ ପରିଚିତ ନାମ୤ ମୁଖ୍ୟତଃ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଶ୍ରୀ ପଣ୍ଡାଙ୍କ ଲେଖାଗୁଡ଼ିକ ପର୍ଯ୍ୟବେଶିତ୤ ଜଣେ ଔପନ୍ୟାସିକ ସହିତ ଗାଳ୍ପିକ ଭାବେ ପରିଚିତ ଅନନ୍ତ ପ୍ରସାଦଙ୍କ ପ୍ରକାଶିତ ଉପନ୍ୟାସ ମଧ୍ୟରେ ‘ଭାଗ୍ୟଚକ୍ର’, ‘ମୁକ୍ତ ଆକାଶର ବିହଙ୍ଗ ’, ‘କୁଲି’ ସମେତ ଗଳ୍ପଗ୍ରନ୍ଥ ମଧ୍ୟରେ ‘ତୃଣଗୁଚ୍ଛ’, ‘ସଭ୍ୟତାର ତଳେ’, ‘ଯୁଗ ରହସ୍ୟ’ ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. rasmi parida, Bhubaneshwar |  ଫେବୃଆରୀ ୨୧, ୨୦୧୩ - ୫:୧୧ ପୂର୍ବାହ୍ନ

    setebelera bastabataa…

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤