ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୃଷ୍ଣଚନ୍ଦ୍ର ତ୍ରିପାଠୀ
ସ୍ବଭାବ କବି ଗଙ୍ଗାଧର ମେହେର
ଫତୁରାନନ୍ଦ
ସଦାନନ୍ଦ ତ୍ରିପାଠୀ
ଗଣେଶ୍ୱର ମିଶ୍ର
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଓଡ଼ିଆ ସାହିତ୍ୟର ପରମ୍ପରା
 |- କାଳିନ୍ଦି ଚରଣ ପାଣିଗ୍ରାହୀ
 
 
ତା: ଡିସେମ୍ବର୍ ୨୭, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

କଥାରେ ଅଛି, ‘‘ମନ ଫୁଲାଣିଆ ଗୀତ ଗାଏ୤’’ ମନ ଖୁସି ଥିଲାବେଳେ ଗୀତ ବୋଲାଯାଏ- ସାହିତ୍ୟ ଲେଖା ହୁଏ୤ ମନ ଖୁସି ରହେ କେଉଁ ଅବସ୍ଥାରେ ? ଯେତେବେଳେ ତାହା ସୁସ୍ଥ ସବଳ ନିର୍ମଳ୤ ଦେହ ସୁସ୍ଥ ଥିଲାବେଳେ ମନ ସୁସ୍ଥ ରହେ୤ ଦେହ ସୁସ୍ଥ ରହେ ଯେତେବେଳେ ସମାଜରେ ଅନ୍ନବସ୍ତ୍ରର ଅଭାବ ନ ଥାଏ୤ ସେତିକିବେଳେ ମନକୁ ଭାବିବାକୁ ଫୁରସତ୍‌ ମିଳେ ଯଥେଷ୍ଟ, ପୁଣି ସେ ଭାବନାକୁ ସାହିତ୍ୟରେ ରୂପରେଖ ଦେବା ପାଇଁ ଦେହ ମଧ୍ୟ ଥାଏ ସବଳ୤

ସମାଜରେ ଏହି ଅବସ୍ଥା ଆଣିବା ହେଲା ଉତ୍‌କୃଷ୍ଟ ଶାସନର କାମ୤ କର୍ମୀ, ଶ୍ରମିକମାନଙ୍କ ମନ ଖୁସିକରିବାକୁ, ବିଶ୍ରାମ ଦେବାକୁ, ଖେଳ କୌତୁକରେ ଦେହ ମନକୁ ତାଜା ରଖିବାକୁ, ଦେଶେ ଦେଶେ ଆଜି କେତେ ପ୍ରକାର ବନ୍ଦୋବସ୍ତ ହେଉଛି ଓ ସ୍ବାସ୍ଥ୍ୟ ନିବାସମାନ ଗଢ଼ା ଯାଉଛି୤ ତାହା ଫଳରେ ଦେହ ମନର ଫୁର୍ତ୍ତି ବଢ଼ି ଆହୁରି କାମ କରିବାକୁ ଉତ୍ସାହ ମିଳୁଛି୤

ସବୁ ଯୁଗରେ ସାହିତ୍ୟ ହେଲା ସମାଜର ଦର୍ପଣ୤ ସାହିତ୍ୟ ଭିତରେ ଆମେ ସମାଜର ମୁହ ଦେଖୁଁ୤ ସମାଜ ଉଚ୍ଚ ସ୍ତରରେ ଥିବାବେଳେ, ଉଚ୍ଚ ସାହିତ୍ୟର ସୃଷ୍ଟି ହୁଏ୤ ଏହିଭଳି ଅବସ୍ଥାରେ ଓଡ଼ିଆ ସାହିତ୍ୟର ଜନ୍ମ ଆଉ ଉନ୍ନତି୤ ସେତେବେଳେ ଓଡ଼ିଶାରେ ରାଜତ୍ବ କରୁଥାନ୍ତି, ଆଦର୍ଶ ସମ୍ରାଟ କପିଳେନ୍ଦ୍ର ଦେବ୤ ମହାନ୍‌ ସଂସ୍କୃତ ସାହିତ୍ୟର ଗଣ୍ଡି ଭିତରୁ ଉତୁରି ସେତିକିବେଳେ ଓଡ଼ିଆ ସାହିତ୍ୟ ତାହାର ନିଜ ରୂପ ପ୍ରକଟ କଲା୤ ଶୂଦ୍ରମୁନି ସାରଳା ଦାସ ବଜାଇଲେ ତାହାର ପ୍ରଥମ ଡିଣ୍ଡିମ; କପିଳେନ୍ଦ୍ରଙ୍କ ସମୟର ଆଦର୍ଶ ସମାଜର ଦର୍ପଣକୁ ସେ ଟେକି ଧରିଲେ୤ ତାଙ୍କର ‘ଚଣ୍ଡୀପୁରାଣ’ ‘ବିଲଙ୍କା ରାମାୟଣ’ ଭଳି ଆଉ କେତେଗୁଡ଼ିଏ ଗ୍ରନ୍ଥ ଭିତରେ ‘ସାରଳା ମହାଭାରତ’ ଆଜି ବି ସେହି ଦର୍ପଣ ଧରି ଆମ ଆଗରେ ଠିଆ ହୋଇଛି୤ ତାହାରି ଭିତରେ ଓଡ଼ିଆ ଜାତୀୟତାର ପ୍ରାଣ ପ୍ରତିଷ୍ଠା ହେଲା, ଆଉ ଏହି ‘‘ଜମ୍ବୁଦ୍ବୀପେ ଭ୍ରତଖଣ୍ଡେ ଓଡ଼୍ରାଷ୍ଟ୍ର ମଣ୍ଡଳ’’ ରେ ଗୋଟିଏ ସ୍ବତନ୍ତ୍ର ଭାଷା ପୁଣି ସ୍ବତନ୍ତ୍ର ସାହିତ୍ୟର ହେଲା ଆବିର୍ଭାବ୤ ଏହା ଭିତରେ କେତେ ବୀର ସୈନିକ ଖଣ୍ଡା ଧାରରେ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ଯୁଦ୍ଧ ଜୟ କରି ସାମ୍ରାଜ୍ୟ ବିସ୍ତାର କଲେ୤ କେତେ ଶିଳ୍ପୀ ନିହାଣ ମୁନରେ ପଥର ଖୋଳି ଅଦ୍‌ଭୁତ ଦେଉଳ ଗଢ଼ିଲେ୤ ଆଉରି କେତେ କବି ଲେଖନ ମୁନରେ ସାହିତ୍ୟ ରଚନା କରି ଏହି ଭୂମିଖଣ୍ଡର ଜୟ ଜୟ କଲେ୤

କିନ୍ତୁ ‘‘ଏହି ଉଡ଼୍ରାଷ୍ଟ୍ର ମଣ୍ଡଳ’’ ଯେ ଜମ୍ବୁଦ୍ବୀପ ଭ୍ରତଖଣ୍ଡଠାରୁ ନିଆରା ନୁହେଁ, ସେ କଥା କବି ପାଶୋରି ନାହାନ୍ତି୤ ବରଂ ମହାଭାରତର ବୀରମାନେ ଯେ ଓଡ଼ିଶାର ବୀର, ପୁଣ୍ୟ ଭୂମି ଭାରତରେ ଓଡ଼ିଶା ଯେ ଏକ ଶ୍ରେଷ୍ଠ ତୀର୍ଥ, ସେହି ଚିତ୍ର ସେ ଆମ ଆଗରେ ଧରିଛନ୍ତି :-

‘‘କଳିମଳ ବିଧ୍ବଂସିନୀ କୋଟି ଦେବୀପୂଜା
ପ୍ରମାଣ ମାତ୍ରେ ଖଣ୍ଡଇ କପିଳେଶ ରାଜା ୤’’

ଓଡ଼ିଶାର ଘରେ ଘରେ ଯେଉଁ ମହାଭାରତର ପୂଜାପାଠ, ତାହାରି ଆରମ୍ଭରେ ଶାରଳା ଠାକୁରାଣୀଙ୍କ ବର୍ଣ୍ଣନା ଭିତରେ କପିଳେନ୍ଦ୍ର ରାଜାଙ୍କ ମଧ୍ୟ ସ୍ଥାନ ଦିଆଯାଇଛି୤ ଆପଣାକୁ ଜନ୍ମମୂର୍ଖ ବୋଲି ବାରମ୍ବାର ପରିଚୟ କରାଇ କେବଳ ସାରଳାଙ୍କ କୃପାରୁ ସେ ମହାଭାରତ ଲେଖିଥିବା କଥା ପ୍ରକାଶ କରିଛନ୍ତି୤ କବିଙ୍କର ଏହି ସ୍ବୀକୃତି ଭିତରେ ବହୁତ ନିଗୂଢ଼ କଥା ଅଛି ୤

‘‘ଶୁଣ ସୁଜ୍ଞ ଜନେ କରି ଏକ ଚିତ୍ତ
ଜନ୍ମରୁ ମୂରୁଖ ମୁହିଁ ନୁହଇଁ ପଣ୍ଡିତ୤
ସୁପ୍ରସନ୍ନେ ଆଜ୍ଞା ମୋତେ ଦେଲେ ଶାକାମ୍ବରୀ
ଲଭ ତୁ ବିଳାସ ମହାଭାରତ ବିସ୍ତାରି୤’’

ଆଗରୁ ଭାଷା ଥିଲା ଦେବଭାଷା, ସାହିତ୍ୟ ଥିଲା ସଂସ୍କୃତ, ଆଉ ତାହାର ଚର୍ଚ୍ଚା କରୁଥିଲେ ବ୍ରାହ୍ମଣ ପଣ୍ଡିତମାନେ୤ ମାତ୍ର ପୈଶାଚିକ ଭାଷା ଓଡ଼ିଆକୁ ଯେବେ ତା’ର ଅବନତି ଘଟିଲା, ତାହାର କବି ଲେଖକ ତେବେ କିଏ ? ନିଶ୍ଚୟ ସେ ମୂର୍ଖ ଶୂଦ୍ର-କୁଳର୤ ଅଳ୍ପ କେତେ ଜଣ ସଂସ୍କୃତ-ପଣ୍ଡିତ-ଗୋଷ୍ଠୀର ବିଳାସ-ଆସନରୁ ଖସି ଆସି ବାଗ୍‌ଦେବୀ ମୂର୍ଖ ନିରକ୍ଷର ଶୂଦ୍ର ଅଛୁଆଁ ସାଧାରଣ ମଣିଷ ସମାଜ ଭିତରେ ଆପଣା ମହିମା ବାଣ୍ଟି ଦେବାକୁ ଇଚ୍ଛାକଲେ୤ ତେଣୁ ତାଙ୍କର ପୂଜକ ମଧ୍ୟ ସେଇ ଶ୍ରେଣୀରୁ ବାହାରିଲେ୤ ବ୍ରାହ୍ମଣ ପୁରୋହିତ ଆଉ ଲୋଡ଼ା ହେଲେ ନାହିଁ୤ ଓଡ଼ିଆ ସାହିତ୍ୟର ଜନ୍ମ ବୃତ୍ତାନ୍ତ ଭିତରେ ଏଇ ତଥ୍ୟଟିକୁ ପାସୋରି ଦେଇ ହେବ ନାହିଁ୤ କାହିଁକି ନା, ସେତିକି ବେଳୁଁ ସଂସ୍କୃତର ଏକଛତ୍ର ରାଜତନ୍ତ୍ର ଓଡ଼ିଆ ସାହିତ୍ୟର ଗଣତନ୍ତ୍ର ଭିତରେ ଲୁଚିଯିବା ପାଇଁ ଆରମ୍ଭ କଲା୤ ଯେଉଁ ଭାଷାକୁ ଏ ଅଞ୍ଚଳର ମୂର୍ଖ ପଣ୍ଡିତ, ସ୍ତ୍ରୀ ପୁରୁଷ, ପିଲା ବୁଢ଼ା ସମସ୍ତେ କହନ୍ତି, ସମସ୍ତେ ବୁଝନ୍ତି, ସେ ଭାଷା ହେଲା ସାହିତ୍ୟର ସମ୍ପତ୍ତି୤ ଆଉ ସେ ସମ୍ପତ୍ତିର ପ୍ରଥମ ମାଲିକ ହେଲେ ଶୂଦ୍ରମୁନି ସାରଳା ଦାସ୤

ଆକୁମାରୀ ହିମାଳୟ ଆମର ଏଇ ଅତି ପୂରାଣ-ପବିତ୍ର ଭାରତବର୍ଷ ବିଶ୍ବ ସଭ୍ୟତାର ଆଲୋକଧାରୀ ହୋଇ ସେ ଚିର ବିଦ୍ୟମାନ୤ ହଜାର ହଜାର ବର୍ଷ ଆଗରୁ ସେଇ ଭାରତୁ କବୀଶ୍ବର ବ୍ୟାସଦେବ ମହାଭାରତ ରୂପରେ ଦେଖିଥିଲେ, ପୁଣି ଦେଖାଇଥିଲେ୤ ତାଙ୍କଠାରୁ ବଡ଼ ନାମକରଣ ଏ ଦେଶର କେହି କରିନାହିଁ୤ ସାରଳା ଦାସ ସେଇ ଭାରତକୁ ମହାନ୍‌ କରି ବାଣ୍ଟିଲେ ଓଡ଼ିଶାର ଘରେ ଘରେ୤ ମହାଭାରତକୁ ପରିଚୟ କରାଇଲେ ଓଡ଼ିଶାର ପୁରପଲ୍ଲୀରେ୤ ଓଡ଼ିଶା ଭୂଖଣ୍ଡର ସଂଯୋଗ ସ୍ଥାପନ କଲେ, ଋଷିଜନବନ୍ଦିତ ମହାଭାରତ ସହିତ୤ ଆଜି ଶହ ଶହ ବର୍ଷ ପରେ ସେହି ପ୍ରେରଣା ହିଁ ଆମକୁ ଉଦ୍‌ବୋଧନ ଦିଏ୤ ଆତ୍ମା ଭିତରେ ପରମାତ୍ମା, ଏକ ଭିତରେ ବହୁ, ପୁଣି ବହୁ ଭିତରେ ଏକର ଦର୍ଶନ, ଓଡ଼ିଶା ଭିତରେ ଭାରତ-ପୁଣି ଭାରତ ଭିତରେ ଓଡ଼ିଶାକୁ ଦେଖିବା ହେଲା ଓଡ଼ିଆ ମହାଭାରତର କବି ଶୂଦ୍ରମୁନି ସାରଳା ଦାସଙ୍କର ସାଧନା୤ ସେଇ ସାଧନା ହିଁ ଆମର ପୁଣ୍ୟ ପରମ୍ପରା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାଳିନ୍ଦି ଚରଣ ପାଣିଗ୍ରାହୀ
କାଳିନ୍ଦି ଚରଣ ପାଣିଗ୍ରାହୀ
ଓଡ଼ିଆ ସାହିତ୍ୟର ସବୁଜଗୋଷ୍ଠୀର ଲେଖକ ଭାବେ ପରିଚିତ କାଳିନ୍ଦୀ ଚରଣ ପାଣିଗ୍ରାହୀ(୧୯୦୧-୧୯୯୧) ଏକାଧାରରେ ଜଣେ ଗାଳ୍ପିକ, କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ନାଟ୍ୟକାର ଭାବେ ପ୍ରସିଦ୍ଧି ଲାଭ କରିଥିଲେ୤ ପଦ୍ମ ଭୂଷଣ ସମ୍ମାନ ସହିତ ସାହିତ୍ୟ ଏକାଡ଼େମୀର ଫେଲୋ ଭାବେ ଶ୍ରୀ ପାଣିଗ୍ରାହୀ ସମ୍ମାନିତ ହୋଇଥିଲାବେଳେ ତାଙ୍କର ରଚିତ ‘ମାଟିର ମଣିଷ’ ଉପନ୍ୟାସ ଏକ କାଳଜୟୀ କୃତି୤ ଏହା ଉପରେ ଏକ ଓଡିଆ ଚଳଚ୍ଚିତ୍ର ନିର୍ମାଣ ହୋଇ ପ୍ରଶଂସିତ ହୋଇଥିଲା୤ ଏହା ବ୍ୟତୀତ ତାଙ୍କ ରଚିତ ‘ ଲୁହାର ମଣିଷ’, ‘ମୁକ୍ତାଗଡ଼ର କ୍ଷୁଧା’... [ କ୍ରମେ ସବିଶେଷ ]
କାଳିନ୍ଦି ଚରଣ ପାଣିଗ୍ରାହୀଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤