ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଦୀପକ ମିଶ୍ର
ଡ.ହରେକୃଷ୍ଣ ମହତାବ
ସହଦେବ ସାହୁ
ଅନନ୍ତ ପଟ୍ଟନାୟକ
ଫତୁରାନନ୍ଦ
ଶାରଦା ପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିସ୍ତରଙ୍ଗ
 |- ଆଶୋକ ଚନ୍ଦନ
 
 
ତା: ଅଗଷ୍ଟ୍ ୭, ୨୦୧୫  
 

ମିତା ! ବୋଧହୁଏ କାନ୍ଦି ପକାଇଥାନ୍ତା କିମ୍ବା ମନକୁ ମନ ହସିଥାନ୍ତା। ଅଥଚ ସେ କାନ୍ଦିଲାନି କି ହସିଲାନି। ବେଶ୍‌ କିଛିଦିନ ହେଲା ସେ ହସ ଓ କାନ୍ଦର ପାର୍ଥକ୍ୟ ଭୁଲିଯାଇଛି। ବରଂ ସେ ଅପରିଷ୍କାର ଅଗଣା ମଝିରେ ଖୁଣ୍ଟ ଭଳି ଛିଡ଼ା ହୋଇ ଆକାଶକୁ ଚାହିଁ ରହିଲା। ଚାହିଁ ଚାହିଁ ଆଖିମାନ କ୍ଳାନ୍ତ ହୋଇ ପଡ଼ିଲେ। ତା’ପରେ ସେ ଘର ଭିତରକୁ ଦୌଡ଼ି ଦୌଡ଼ି ପଳାଇଲା, ଯେପରି ତାକୁ କିଏ ଅଜାଣତରେ ଛୁଇଁ ଦେଇଛି। ଆକାଶ କିମ୍ବା ପବନ। ଶୀତଋତୁ ଯିବାପରେ ପୁଣି ଏକ ଭିନ୍ନ ପବନ ବହିବା ଆରମ୍ଭ କଲାଣି। ଗତବର୍ଷ ଠିକ୍‌ ଏହି ସମୟରେ ସେ ଅଗଣାରେ କେତୋଟି ଫୁଲ ଚାରା ପୋତିଥିଲା। ଚାରାଗୁଡ଼ିକରେ ଖୁବ୍‌ ଯତ୍ନରେ ପାଣି ଢାଳିଥିଲା। ଅଥଚ କିଛିଦିନ ପରେ କଅଁଳି ଆସୁଥିବା ପତ୍ରମାନେ ଆପେ ଝଡ଼ିଗଲେ। ଆଜି ସେଇ ଶୁଖିଲା ଗଛମାନଙ୍କୁ ହିଂସ୍ର ଭାବରେ ଉପାଡ଼ି ପକାଇବା ପରେ ହିଁ ସେ ହଠାତ୍‌ ଅନ୍ୟମନସ୍କା ହୋଇ ପଡ଼ିଥିଲା। ଏଇଘରେ ଚାରାଟିଏ ପୋତିଲେ ଝାଉଁଳି ଯାଉଛି। ହୁଏତ ଏ ଘରର ମଣିଷମାନଙ୍କ ନିଶ୍ୱାସରେ ସବୁକିଛି ଜଳିଯିବ।

ଘର ଭିତରେ କିନ୍ତୁ ମିତା ସତକୁ ସତ କାନ୍ଦି ପକାଇଲା। ଘରମାନେ କେତୋଟି କାନ୍ଥ ଓ ଗୋଟିଏ ଛାତ ବୋଲି ମାନିବାକୁ ସେ ପ୍ରସ୍ତୁତ ନୁହେଁ। ଆଉ ଟିକିଏ ପରେ ଏ ଘରର ସମସ୍ତ ଅଭିଶପ୍ତ ମଣିଷ ଫେରି ଆସିବେ। ତା ବୋଉ, ପାଞ୍ଚୋଟି ଭାଇ ଭଉଣୀ, ବାପା ଓ ତା’ର ଦୂର ସମ୍ପର୍କୀୟ କୁମୁଦ ଭାଇ। ତା’ପରେ ପୁଣି ସବୁକିଛି ପାରମ୍ପାରିକ। କଳି, କୋଳାହଳ। ସନ୍ଧ୍ୟା ବିତିଯିବା ପରେ ସମସ୍ତେ ଜାକି ଜୁକି ହୋଇ ଦୁଇଟି କୋଠରି ଭିତରେ ଶୋଇପଡ଼ିବେ। ସମବେତ ନିଶ୍ୱାସ, ପ୍ରଶ୍ୱାସ। ରାତିସାରା ମିତା ଚାହିଁ ରହିବ ଛାତର ଛିତ୍ରମାନଙ୍କୁ ଦେଇ ଆକାଶକୁ। ତା’ର ପରିଚିତ ନକ୍ଷତ୍ରକୁ, ସେଇ ନୀଳ ନକ୍ଷତ୍ରଟି ମିଟି ମିଟି କରି ଚାହିଁ ରହିଥିବ ତାକୁ। ହୁଏତ କିଛି କହିବା ପାଇଁ , ହୁଏତ କିଛି ଶୁଣିବା ପାଇଁ। କେତେବେଳେ ସେ ନକ୍ଷତ୍ରକୁ ଆହତ କରିଦେବ ପୁଳାଏ ଭସା ମେଘ। କିମ୍ବା ମିତାର ଆଖିକୁ ବନ୍ଦ କରିଦେବ କେଇବୁନ୍ଦା ଲୁହ।

ସହରକୁ ଚାକିରି ଖୋଜିବା ପାଇଁ କୁମୁଦ ଭାଇ ଆସିବା ଦିନଠୁ ମିତା ବୋଉ ପାଖରେ ଶୋଉଛି। ସେ ଏଠାକୁ ଆସିବା ଆଗରୁ ତାଙ୍କ ନାଆଁ ବା ପରିବାର ସମ୍ପର୍କରେ ମିତା କିଛି ଶୁଣି ନ ଥିଲା। ବେଶ୍‌ ଡେଙ୍ଗା ହୋଇ ଶ୍ୟାମଳ ବର୍ଣ୍ଣର ପଚିଶ ବର୍ଷର ଯୁବକ କୁମୁଦ ଭାଇ। ତାଙ୍କୁ ପ୍ରଥମ ଥର ଦେଖିବାବେଳେ ମିତା ଡରି ଯାଇଥିଲା। ତାଙ୍କର ଦୁଇଟି ଚିଲାଆଖି ଯେମିତି ସବୁବେଳେ କିଛି ଗୋଟାଏ ଝାମ୍ପି ନେବାକୁ ଅପେକ୍ଷା କରିଛି। ପ୍ରଥମେ ଭୟ, ତା’ପରେ ସଙ୍କୋଚ। ପାଖ କୋଠରିରେ କୁମୁଦ ଭାଇ ନିଶ୍ଚିନ୍ତରେ ଶୋଇ ହୁଏତ କୌଣସି ସୁଖ ସ୍ୱପ୍ନ ଦେଖୁଥିବେ, ଚାକିରି, କୋଠା, ପତ୍ନୀ, ସନ୍ତାନ। ଅଥଚ ବୋଉର ଧଇଁକାଶ ଯୋଗୁଁ ମିତା ରାତିସାରା ଅନିଦ୍ରା। ଏ କୋଠରିର ଛାତର ଛିଦ୍ରମାନଙ୍କ ଦେଇ ଅନେକ ନକ୍ଷତ୍ର ଦୃଶ୍ୟମାନ କେବଳ ସେଇ ପରିଚିତ ନୀଳ ନକ୍ଷତ୍ର ବ୍ୟତୀତ।

ଦୁଇ କୋଠରୀର ମଣିଷମାନେ ସକାଳ ହେଲେ ଝାଡ଼ି ଝୁଡ଼ି ହୋଇ ବାହାରିବେ ଓ କାଉ କୁକୁଡ଼ାଙ୍କ କୋଳାହଳକୁ ବଳିଯିବ ସେମାନଙ୍କ ପାଟିତୁଣ୍ଡ। ବାପା ଅପରିଷ୍କାର ଅଗଣାରେ ଦଉଡ଼ି ଖଟ ଉପରେ ବସି ପଢ଼ିବେ ପୁରୁଣା ଖବର କାଗଜ। ଅସନା ପୃଷ୍ଠାମାନଙ୍କରେ ତାଙ୍କର ଆଖିଦୁଇଟି ସ୍ଥିର ଥିବ ଓ ସେଇ ଅବସ୍ଥାରେ ବୋଉର ଅବିରତ ଗାଳି, ପ୍ରଶ୍ନ, ଦାବି ପ୍ରତିବାଦର ଉତ୍ତର ଦେଉଥିବେ। ଭାଇ ଭଉଣୀମାନେ ବାରଣ୍ଡାରେ ଘୋଷିବା ଆରମ୍ଭ କରିଦେବେ ପଣିକିଆ। କୋଳାହଳରେ ଫାଟି ପଡ଼ିବ ଘର। ମିତା ସେହି ମଣିଷମାନଙ୍କୁ ସହ୍ୟ କରିପାରେ ନାହିଁ। ସେ ଛାଟିପିଟି ହୋଇ ପଳାଇଯାଏ ବାଡ଼ିପଟକୁ। ସେଇଠି ସାମାନ୍ୟ ସାନ୍ତ୍ୱନା।

ତାଙ୍କ ଘରକୁ ଲାଗି ଏକାଟିଆ ଗୋଟିଏ ଘର। ବାଡ଼ ଆର କଡ଼ ଘରେ ସେ ଘରକୁ ଘେରିଥିବା ସୁସଜ୍ଜିତ ବଗିଚା। ଘର ଚୁନବୋଳା ସଫା କାନ୍ଥ। ପ୍ରଶସ୍ତ ବାରଣ୍ଡାରେ ଏକା ଏକା ଇଜି ଚେୟାର୍‌ରେ ବସିଥିବା ଜଣେ ଚିହ୍ନା ଲୋକ। ଗୋଟିଏ ଝାପ୍ସା ମୁହଁ। ଝାପ୍ସା ଝାପ୍ସା ଚିହ୍ନା। କେବଳ ଦୂର ଦେଖାରୁ। ମିତା ପ୍ରଥମେ ସେ ଘରକୁ ଦେଖି ଭାବିଥିଲା ତାଙ୍କ ନିଜ ଘରକୁ ବି ସେମିତି ସଜାଇବ। କିନ୍ତୁ ଏ ଘର ମଣିଷମାନଙ୍କ ନିଶ୍ୱାସରେ ଫୁଲ ଗଛର ଚାରାଟିଏ ବି ଜଳିଯିବ।

କୁମୁଦ ଭାଇ ଆସିବା ଦିନଠୁଁ ମିତାକୁ ନିଜ ଘରେ ବି ସଙ୍କୁଚିତ ଲାଗୁଛି। ତାଙ୍କର ଦୁଇଟି ଭୋକିଲା ଆଖି ସବୁବେଳେ ଯେପରି ତାକୁ ନିରେଖି ରଖିଛି। ପ୍ରଥମେ ସେ ଭାବିଥିଲା ତାଙ୍କୁ ସିଧାସଳଖ କହିଦେବ, କିନ୍ତୁ ତା ପାଟିରେ ଶବ୍ଦ ସ୍ଫୁରିବା ଆଗରୁ ଆଖିଏ ଲୁହ ଭର୍ତ୍ତି ହୋଇଗଲା। କୁମୁଦ ଭାଇ ଜାଣି ଜାଣି ବାରମ୍ବାର ଭୁଲ କରୁଛନ୍ତି। ଦିନ ଦଶଟାବେଳେ ସେ ଖାଇପାଇ ବାହାରକୁ ନଯିବା ଯାଏ ମିତା ଗାଧୋଇ ବି ପରୁନି। ବାଥ୍‌ରୁମ୍‌ ନାମରେ ତାଙ୍କର ଯେଉଁ ବାଉଁଶ ତାଟି ଘେରା ସନ୍ତସନ୍ତିଆ କୋଠରୀ, ସେଥିରେ ଦ୍ୱାରଟିଏ ବି ନାହିଁ। ସେ ବାଥ୍‌ରୁମ୍‌ରେ ଥିଲାବେଳେ ବାହାରୁ ଖଣ୍ଡିଏ ଅଖାରେ ପର୍ଦ୍ଦା ଟାଣିଦିଏ। ତିନିତିନି ଥର କିଛି ନଜାଣିଲା ପରି ଆସି ପୁଣି ଜିଭ କାମୁଡ଼ି ଚାଲି ଯାଇଛନ୍ତି। ତା’ଠାରୁ ସେ କ’ଣ ଚାହାଁନ୍ତି ମିତା ବୁଝିପାରେନି। ଚାକିରି ପାଇଲେ ସେ କୁଆଡ଼େ ମିତା ପାଇଁ ଖଣ୍ଡିଏ ଶାଢ଼ି କିଣିଦେବେ। କୁମୁଦ ଭାଇଙ୍କ ମିଛ ପ୍ରତିଶ୍ରୁତିକୁ ମନେ ପକାଇ ମିତା ହସିଲା, ବୋଧହୁଏ ବେକାର କୁମୁଦ ଭାଇଙ୍କ ପ୍ରତି ସହାନୁଭୂତିରେ। ମିତା ଠିକ୍‌ କରି ଜାଣେନା, କୁମୁଦ ଭାଇ ତା’ର କେତେ ଦୂରର ଭାଇ। ବୋଧହୁଏ ଦିନ ଦଶଟା ହେବ। ମିତା ପ୍ରଥମେ ଆକାଶ, ତା’ପରେ ଦିଗ୍‌ବଳୟ ଓ ଶେଷରେ ପାଖ ଘର ବଗିଚାକୁ ଚାହିଁ ସ୍ଥିର ହୋଇଗଲା। ସେହି ଘରେ ସେ ଏକା ରହନ୍ତି। ସେଠି କୌଣସି କୋଳାହଳ ନାହିଁ। ତାଙ୍କ ହାତ ଲାଗିଲେ ଶୁଖିଲା ଗଛରେ ଫୁଲ ଫୁଟେ। ମିତାର ମନ ଇର୍ଷାରେ ଜଳି ଉଠୁଥିଲା। ଜଣେ ଅନାତ୍ମୀୟଙ୍କୁ ବା ସେ କାହିଁକି ଇର୍ଷା କରିବ, କେଉଁ ଅଧିକାରରେ ? ଅଥଚ ଏକ ବିଚିତ୍ର ଉତ୍ତେଜନାରେ ମୂକ ବଧିର ପରି ସେପାଖ ଘରର ବଗିଚା ଓ ଧଳା କାନ୍ଥକୁ ଚାହିଁ ବିତାଇ ଦେଲା ସମଗ୍ର ଖରାବେଳ। ସନ୍ଧ୍ୟା ହେଲେ ଏଇ ଘର କୋଳାହଳରେ କମ୍ପିଉଠେ। କିନ୍ତୁ ମିତା ଅନୁଭବ କରେ, ସେ ଯେମିତି ଏକା, ଅନ୍ୟ କାହାରି କଥା ତାକୁ ଶୁଭେ ନାହିଁ ବା ତା ପାଟିରେ ଶବ୍ଦଟିଏ ବି ସ୍ଫୁରେ ନାହିଁ। ସନ୍ଧ୍ୟାବେଳେ ତା ଛାତି ତଳେ ସୃଷ୍ଟି ହେଉଥିବା ଲଘୁଚାପର ଏକମାତ୍ର କାରଣ, ତା ଆଖି ଆଗରୁ ଧିରେ ଧିରେ ଉଭେଇ ଯାଉଥିବା ସାମ୍ନାଘର କାନ୍ଥ ଓ ବଗିଚା। ବାଧ୍ୟ ହୋଇ ପରାଜିତ ଆଖିମାନେ ଫେରି ଆସନ୍ତି ପତା ତଳର ନିରାପତ୍ତାକୁ।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆଶୋକ ଚନ୍ଦନ
ବଲାଙ୍ଗୀରର ପାଟଣାଗଡ଼ରେ ଜନ୍ମ ହୋଇଥିବା ଗାଳ୍ପିକ ଅଶୋକ ଚନ୍ଦନ(୧୯୫୨-୧୯୮୪) ଓଡ଼ିଆ ଗଳ୍ପ ଜଗତରେ ଜଣେ ପରିଚିତ ନାମ। ମାତ୍ର ୩୨ ବର୍ଷର ଜୀବନ ମଧ୍ୟରେ ସେ ସୃଷ୍ଟି କରିଥିବା ଗଳ୍ପଗୁଡ଼ିକ ଓଡ଼ିଆ ଗଳ୍ପ ଜଗତରେ ବେଶ୍‌ ବାରି ହୋଇପଡ଼ନ୍ତି। ବିଶେଷ କରି ସାମାଜିକ ବ୍ୟବସ୍ଥା ଭିତରେ ଅଭାବ ଓ ଅସୁବିଧା ମଧ୍ୟରେ ବଞ୍ଚିଥିବା ଚରିତ୍ରମାନଙ୍କର ଭାବନା, ଆଶା ଓ ବେଦନାକୁ ନେଇ ତାଙ୍କର ଗଳ୍ପଗୁଡ଼ିକର ଚରିତ୍ର ପରିପୁଷ୍ଟ। ତାଙ୍କର ପ୍ରକାଶିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ଅଶୋକ ଏବଂ ଅଶୋକ’ ଓ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤