ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୌଭାଗ୍ୟ ମିଶ୍ର
ସଦାନନ୍ଦ ତ୍ରିପାଠୀ
ମଧୁସୂଦନ ଦାସ
ଗୋପୀନାଥ ମହାନ୍ତି
ଦୟାନିଧି ମିଶ୍ର
ଅନନ୍ତ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିରବ ଝଡ଼
 |- ଶାରଦା ପ୍ରସାଦ ମିଶ୍ର
 
 
ତା: ଅକ୍ଟୋବର୍ ୩୧, ୨୦୧୬  
 

ଦିନେ, ଘର କାମଦାମ ସାରି, ବାସନମାଜି, କବାଟ ଦେଇ ଶୋଇବାକୁ ଯାଇ ଦେଖିଲାବେଳକୁ ବଡ଼ଝିଅ ଚାହିଁଛି। ସାନଟା ବି ଚାହିଁଥାଏ କି କ’ଣ, ପାଞ୍ଚ ମିନିଟ୍‌ରେ ତିନିଥର କଡ଼ ଲେଉଟାଉଥାଏ। ଶାମା ବାରଣ୍ଡା କଡ଼କୁ ଏବେ ନୂଆ କରି ହୋଇଥିବା କଣି ବାଉଁଶ ଘେରା ଛୋଟିଆ ଘରଟିରେ ଶୋଇଥାଏ, ତା’ ଘୁଙ୍ଗୁଡ଼ି ସ୍ପଷ୍ଟ ଶୁଭୁଥାଏ।
ଶେଯରେ ବସି ଫାତିମା ଆଲ୍ଲାଙ୍କୁ ଡାକିଲା। ତୁମେ ହିଁ ମୋ ଝିଅମାନଙ୍କର ରକ୍ଷାକାରୀ। ତୁମେ ହିଁ ମୋ ପୁଅକୁ ଆଜିଯାଏ ଭଲ ବାଟରେ ରଖିଛ।
: ‘ଅମ୍ମି!’ ବଡ଼ଝିଅ ଧୀରେ ଡାକିଲା, ‘ଟିକେ ବାହାରକୁ ଯିବା।’
: ‘କାହିଁକି?’ ଫାତିମା ପଚାରିଲା।
: ‘ତମେ ଚାଲନା ଅମ୍ମି!’

ମା-ଝିଅ ଅଗଣାକୁ ଆସିଲେ। ତୋଫା ଜହ୍ନ ପଡ଼ିଛି। ଚାଳର ମଥାନ ଉପରୁ ଦିଶୁଚି ପଡ଼ିଶା ଘରର ନଡ଼ିଆଗଛ। କି ଗୋଟେ ବାସ୍ନା ଖେଳିବୁଲୁଚି ପବନରେ – ବୋଧେ ଆମ୍ବ ବଉଳର ବାସ୍ନା।

: ‘ମୁଁ କ’ଣ କହୁଚି, ବଡ଼ ଝିଅ ଆରମ୍ଭ କଲା, ‘ଏଥରକ ରହିମ୍‌ ଚାଚା ଆସିଲେ ତମେ ମନା କରିବନି ଅମ୍ମି, ଆଲିଗଡ଼ ହେଉ କି ଲକ୍ଷ୍ନୌ ହଉ, ମୁଁ ଯିବାକୁ ରାଜି। କିଛି ବିପଦ ଆସିବ ନାହିଁ। ଆଲ୍ଲା ଅଛନ୍ତି। ଯୋଉ ପନ୍ଦର/କୋଡ଼ିଏ ହଜାର ଟଙ୍କା ମିଳିବ, ଶାମାକୁ ଦେଲେ ସେ ନିଜର ଗୋଟେ ଗ୍ୟାରେଜ କରିବ। ତମେ ଏଥରକ ମନା କରିବନି ଅମ୍ମି।’
ଝିଅର ମୁହଁକୁ ଚାହିଁ ପାରୁନଥିଲା ଫାତିମା।
ଅଭାବ ଦୂର କରିବା ପାଇଁ ଏମିତି କଥା କହୁଥିଲା କି ସେ?
ନା ତିନିଝିଅ ବୋଝରୁ ନିଜକୁ ଆଡ଼େଇଦେଇ ବୋଝ ହାଲ୍‌କା କରିବାର ଇଚ୍ଛା?
ନା ସତକୁ ସତ ତା’ର ବାହା ହବାର ଇଚ୍ଛା ପ୍ରବଳ ହେଲାଣି?
‘ତୁ ଚିନ୍ତା କରନା ବେଟୀ’, ଫାତିମା ଝିଅର ମୁଣ୍ଡ ଆଉଁସି ଦେଉ ଦେଉ କହିଲା, ‘ମୁଁ ତମମାନଙ୍କ ପାଇଁ ଅଛି। କିଛି ନା କିଛି ରାସ୍ତା ନିକିଲିଯିବ। ଆଲ୍ଲା ମତେ ଏତେ ବାଟ ଆଣିବା ପରେ ନିଶ୍ଚେ କୂଳରେ ଲଗେଇବେ। କେତେ ଦୁଃଖ ଆଉ ଦେବେ ମତେ?’
ମା-ଝିଅ ଘର ଭିତରକୁ ଆସିଲେ।

ଦିନ ପରେ ଦିନ, ରାତି ପରେ ରାତି ବିତିଯିବାକୁ ଲାକିଲା।
ଦିନେ ମଝିଆଁ ଝିଅ ରାତିରେ ସେଇ ଏକା କଥା ମା’କୁ କହିଲା।
ସବୁ ଶୁଣି ଫାତିମା କେବଳ ମନେ ମନେ କହିଥିଲା : ‘ହେ ଆଲ୍ଲା!’
ମୁଁ ତ କେତେ ଦୁଃଖ ସହିଛି, କେତେ ବିପଦର ସାମ୍ନା କରିଛି, କେତେ ଗରିବୀ ଦେଖିଛି, ସବୁ ଏଇ ଅଙ୍ଗେ ନିଭେଇଚି, ଆଜି ହାରିଯିବି କାହିଁକି?
କଥାଟା ଅବଶ୍ୟ ଫାତିମା କେବେଠୁ ଶୁଣିଥିଲା। ପଡ଼ିଶା ଘରକୁ ଅଖ୍‌ବାର ଆସେ। ସେଇ କହୁଥିଲା କି କ’ଣ! ହେ ହାଲ୍ଲା, ତୁମେ ହିଁ ଭରସା, ତୁମେ ମୋତେ ସାହସ ଦିଅ।
ବହୁତ ଥର ଏଣିକି ଫାତିମାକୁ ଦେଖିବାକୁ ମିଳିଲା ଗାଁର ସରପଞ୍ଚ ସହ। ତାକୁ କୁହାବୋଲା କରି, ପୁଅଠୁ ପାଁଶ ଟଙ୍କା ଆଣି ବଜାରର ବ୍ୟାଙ୍କରେ ନିଜ ନାଁରେ ଗୋଟେ ଖାତା ଖୋଲିଲା।

ଶାମା ମଜାରେ କହିଲା; ‘ଅମ୍ମି, ଲୁଚେଇ ଲୁଚେଇ କେତେ ଟଙ୍କା ରଖିଚ?’
ଶାମା ତ ସକାଳୁ ଯାଏ, ରାତିରେ ଆସେ, ଅତି ଭଲ ନହେଲେ ବି ଭଲ ରୋଜଗାର ହଉଚି ତା’ର, ତା’ ପଇସା ସେ ତା’ର ବ୍ୟାଙ୍କରେ ରଖୁଚି, ଭଲ ଗ୍ୟାରେଜ କରିବ, ମଝିରେ ମଝିରେ ଭଉଣୀମାନଙ୍କ ପାଇଁ ଡ୍ରେସ୍‌ ଆଣୁଚି। ଗୋଟିଏ ଡ୍ରେସ୍‌ରେ ବର୍ଷ ବର୍ଷ ବିତେଇଥିବା ଭଉଣୀମାନେ ଟିକେ ଭଲରେ ତ ବାହାରକୁ ବାହାରି ପାରୁଛନ୍ତି।

ଝିଅମାନେ ଦେଖନ୍ତି : ଅନେକ ସମୟ ମା‌’ କରିମ୍‌ ଚାଚା, ହଲିମ୍‌ ଚାଚା, ପୁଣି ସରପଞ୍ଚ, ପୁଣି ଜମିଲ ଖାଁ – ସମସ୍ତଙ୍କ ସହ ମିଶି ଫୁସ୍‌ଫାସ୍‌ ଟୁପ୍‌ଟାପ୍‌ ହେଉଛି, କିଛି ଗୋଟେ ଯୋଜନା କରିବାରେ ଲାଗିଚି, ପଚାରିଲେ ‘ସବୁର୍‌ କର’ ବୋଲି କହି ମୂଳକଥାଟାକୁ ଆଡ଼େଇ ଯାଉଚି। କି ଯୋଜନାରେ ଅଛି କେଜାଣି!
ଶେଷରେ ଦିନେ ଫାତିମା ସକାଳୁ ସକାଳୁ ସଫା ଶାଢ଼ି ପିନ୍ଧି କୁଆଡ଼େ ବାହାରିଲା। ଶାମା ସେତେବେଳକୁ ଗ୍ୟାରେଜ୍‌କୁ ଯାଇ ସାରିଥିଲା।

ଝିଅମାନେ ପଚାରିଲେ : ‘କୁଆଡ଼େ ଯାଉଚ ଅମ୍ମି?’
ଫାତିମା କହିଲା, ‘ଗୋଟେ କାମରେ ଯାଉଚି, ସନ୍ଧ୍ୟାବେଳକୁ ଫେରିଆସିବି।’
କରିମ୍‌ ଚାଚା ଓ ଜମିଲ୍‌ ଖାଁ ବି ବାହାରିଥିଲେ।
ସେମାନେ ସେଦିନ ଫେରିଲେ ନାହିଁ। ତା’ ପରଦିନ ଫେରିଲେ ନାହିଁ।

ସାତଦିନ ପରେ ଗୋଟେ କାର୍‌ରେ ସେମାନେ ଫେରିଲେ। ଫାତିମାକୁ କରିମ୍‌ ଚାଚା ଧରି ଧରି ଘରକୁ ଆଣିଲେ। କହିଲେ, ‘ତା ’ର ଏବେ ଆଉ କିଛି ଦିନ ରେଷ୍ଟ ଦରକାର।’

ବୁଝାପଡ଼ିଲା, ଫାତିମା କଲିକତା ଯାଇଥିଲା। ନିଜର କିଡ଼୍‌ନୀ ଲକ୍ଷେ ଟଙ୍କାରେ ଓ ଗୋଟେ ଆଖି ଦେଢ଼ଲକ୍ଷ ଟଙ୍କାରେ ବିକିଦେଇ ଆସିଲା। ‘ଏଣିକି ମୋ ପିଲାଙ୍କର ଅଭାବ ଦୂର ହେବ!’ ସେ କହୁଥିଲା।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶାରଦା ପ୍ରସାଦ ମିଶ୍ର
ଶାରଦା ପ୍ରସାଦ ମିଶ୍ର
ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜ୍ୟପାଳମାନଙ୍କର ଲୋକସମ୍ପର୍କ ଅଧିକାରୀଭାବେ କାର୍ଯ୍ୟକରିବା ସହିତ ଶାରଦା ପ୍ରସାଦ ମିଶ୍ର(୧୯୬୩-୨୦୧୬) ନିଜର ଲେଖା ପାଇଁ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଜଣେ ସରକାରୀ କର୍ମଚାରୀଭାବେ କାର୍ଯ୍ୟରତ ଥିବା ସମୟରେ କର୍କଟ ପରି ଦୂରାରୋଗ୍ୟରେ ପୀଡ଼ିତ ଥାଇ ମାତ୍ର ୫୩ ବର୍ଷରେ ଇହଲୀଳା ସମ୍ବରଣ କରିଥିବା ଶ୍ରୀ ମିଶ୍ର ବିଶେଷଭାବେ ଜଣେ ଗାଳ୍ପିକ ଓ ଔପନ୍ୟାସିକଭାବେ ପରିଚିତ ଥିଲେ। ତାଙ୍କ ରଚିତ ଉପନ୍ୟାସ ମାଧ୍ୟରେ ‘ଉତ୍ତାନପାଦ’ ଏବଂ ଗଳ୍ପ ସଙ୍କଳନ ମଧ୍ୟରେ ‘ରାତ୍ରୀର ଅଜବ ଦୃଶ୍ୟ’... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ସଞ୍ଜୟ ରଥ, ଠାଣେ, ମହାରାଷ୍ତ୍ର |  ଡିସେମ୍ବର୍ ୧, ୨୦୧୬ - ୯:୫୦ ଅପରାହ୍ନ

    ଏପରି ନିରା‍ଶାଜନକ ପରିସ୍ଥିତି ନିରୋଳା ନହେଲେ ବି ବାସ୍ତବତାର ଅତି ନିକଟରେ ବି ନୁହେଂ। ଏପରି ପରାଜୟବାଦୀ ଗଳ୍ପ ସମାଜକୁ କି ବାର୍ତ୍ତା ଦେଉଛି କିମ୍ବା ସମାଜର କି କାମରେ ଆସିପାରିବ ବୁଝାପଡୁନି। ବରଂ ସରକାରଂକ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଭିତ୍ତିକରି ପ୍ରୋତ୍ସାହନକାରୀ ଗଳ୍ପ ଭଲ ଲାଗିଥାଆନ୍ତା।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤