ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବୈକୁଣ୍ଠନାଥ ପଟ୍ଟନାୟକ
ଗୋଦାବରୀଶ ମହାପାତ୍ର
ଅମିୟବାଳା ପଟ୍ଟନାୟକ
କାମାକ୍ଷୀ ପ୍ରସାଦ ଦାଶ
ରାଜକିଶୋର ରାୟ
ଅଶୋକ ଚନ୍ଦ୍ର ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିରବ ଝଡ଼
 |- ଶାରଦା ପ୍ରସାଦ ମିଶ୍ର
 
 
ତା: ଅକ୍ଟୋବର୍ ୩୧, ୨୦୧୬  
 

ଗୋଟେ ବୋଲି ପୁଅ। ଘରକୁ ନ ଫେରିବା ଯାଏଁ ବସିଥାଏ ଫାତିମା। ଚାରିଟାଯାକ ଝିଅ ଯାହାତାହା ଖାଇଦେଇ ଶୋଇବାକୁ ଚାଲିଯାନ୍ତି। ଶେଯକୁ ଯାଆନ୍ତି ସିନା, ତାଙ୍କୁ ନିଦ ନ ଥାଏ। ନିଜ ନିଜ ଭିତରେ କେତେ କ’ଣ ବଜର ବଜର ହେଉଥାନ୍ତି। ଫାତିମା କାନରେ କିଛି ପଡ଼େ, କିଛି ପଡ଼େନା। ଅତି ବିରକ୍ତ ଲାଗିଲେ ପାଟିକରେ, କିଛି ସମୟ ପାଇଁ ଘରଟା ଶୂନ୍‌ଶାନ୍‌ ହୋଇଯାଏ।

ଶବ୍ଦଗୁଡ଼ା ସତେ ଅବା ଚେମେଣିଆ ସାଜି ଗୁଞ୍ଜି ହୋଇଯାଆନ୍ତି ଚାଳସନ୍ଧିରେ।
ବଡ଼ ଝିଅକୁ ସତର। ତା ତଳକୁ ପନ୍ଦର। ତା ତଳ ତେର। ତା ତଳ ଏଗାର।
ପୁଅ- ଶାମସୁଦ୍ଦିନ, ସ୍ନେହରେ ଫାତିମା ଡାକେ ଶାମା, ନ ବର୍ଷ ଚାରିମାସ।
ଶାମାର ବାପା, ଗାଁର ଗୋଟେ ଲୋକ ସାଙ୍ଗରେ ଅଧିକ ରୋଜଗାର କରିବ ବୋଲି ସୁରଟ ଯାଇଛି, ଛ’ ମାସରୁ ବେଶୀ ହେଲାଣି। ନା ଟଙ୍କା ଆସୁଚି, ନା ସେ ନିଜେ। ନା ଚିଠି ଆସୁଚି, ନା କିଛି ଖବର।
ଏଇ ମାସେ ହବ ଫାତିମା ଚାରିଟା ଘର ଧରିଛି।

ବାସନ ମାଜୁଚି, ଲୁଗା କାଚୁଛି।
ଚାରିଘରୁ ପାଇଥିଲା ଛ’ଶ ଟଙ୍କା। ଗୋଟେ ମାଲିକାଣି ଦେଇଥିଲା ଖୁସିରେ ସେରେ ଚାଉଳ, ପୁରୁଣା ଫ୍ରକ୍‌। ଆଉ ଜଣେ ଦେଇଥିଲା ପୁରୁଣା ଶାଢ଼ିଟେ।
ଟୋକାଟା ସ୍କୁଲ ଯାଉଥିଲା। ଫାତିମାର ଇଚ୍ଛା ଥିଲା, ଯାହା ବି ହଉ, ଟୋକାଟାକୁ କିଛି ପଢ଼େଇବ। ଝିଅଗୁଡ଼ା ତେଣିକି କିଛି ନ ପଢ଼ିଲେ ନାଇଁ। ହେଲେ ଆଲ୍ଲାଙ୍କର ଦୟା ହେଲାନି।
ଟୋକାଟା ଦିନେ ଗେହ୍ଲେଇ ହେଇ କହିଲା, ‘ବୁଝିଲ ଅମ୍ମି, ମୁଁ ଆଉ ସ୍କୁଲ ଯିବିନାଇଁ।’
: ‘କ’ଣ କରିବୁ?’
: ‘ଗ୍ୟାରେଜରେ କାମ କରିବି, କାମ ଶିଖିବି, ବଡ଼ହେଲେ ନିଜର ଗ୍ୟାରେଜ୍‌ କରିବି।’

ଭିତରେ ଛାତି ଜଳୁଥିଲେ ବି ଫାତିମା କହିଲା, ‘ତୁ ଚାଲ, ଗ୍ୟାରେଜବାଲା ସହ ମୁଁ ପ୍ରଥମେ କଥାବାର୍ତ୍ତା କରି ଆସିବା, ପରେ ଯାହା ହବ।’
ଫାତିମା ଗଲା କମାଲୁଦ୍ଦିନ ମିଆଁ ଗ୍ୟାରେଜକୁ। ତାକୁ ସବୁ କହିଲା। ପୁଅ ଦେହରେ ଟିପ ନ ଲଗେଇବା ପାଇଁ କଡ଼ା କରି ତାକୁ କହିଲା। ମାସକୁ କେତେ ଦବ, ସେକଥା ଛିଣ୍ଡାଇଲା। ହେଲେ ସେକଥା ଉଠିବା ବେଳକୁ କମାଲମିଆଁ କହିଥିଲା, ‘ବେଟା ତ ଏବେ କାମ ଶିଖିବ, ଦବା ନବା କ’ଣ? ଖାଲି ଭଲକରି ଖାଇବାକୁ ଦେବି।’
ଗ୍ୟାରେଜରୁ ଆସିବାବେଳେ ଫାତିମା ଶେଷଥର ପାଇଁ ଶାମାର ପାପୁଲି ଦି’ଟାକୁ ଧରି ଦେଖିଥିଲା। ତା’ ଆଖି ଛଳଛଳ ହୋଇ ଆସିଥିଲା। ଫୁଲପରି ପାପୁଲି ଦି’ଟା ଆଉ ଫୁଲ ହୋଇ ରହିବ ନାହିଁ। ଧୀରେ ଧୀରେ ଟାଣ, ପଥର ହୋଇଯିବ। ନିତି କଳା ହବ। ଗ୍ୟାରେଜ୍‌ରେ ଯାବତୀୟ ବଜ୍ଜାତ୍‌ କଥା ଶିଖିବ।
ଆଲ୍ଲା-ତୁମେ ହିଁ ବଡ଼ ଲୋକ। ତୁମର ଇଚ୍ଛା ମହାନ୍‌।

ଝିଅଗୁଡ଼ାଙ୍କ କଥା ଭାବିଲେ ମୁଣ୍ଡ ଝାଇଁ ଝାଇଁ ହେଇଯାଏ। ରୋଜଗାର କରୁ ନ କରୁ, ମର୍ଦ୍ଦଟା ଘରେ ଥିଲେ କେତେ ସାହସ ଥାଆନ୍ତା। ଘରେ ମର୍ଦ୍ଦ ନଥିବା କଥା ଜାଣି ଲୋକମାନେ ଠାରରେ କେତେ କ’ଣ କହୁଛନ୍ତି। ଏବେ ଗାଁର ଗୋଟେ ଲୋକ ସାଙ୍ଗରେ ଆଲିଗଡ଼ର ଗୋଟେ ମିଆଁ ଆସିଥେଲେ। ବହୁତ ବୁଝାଇଥିଲା। ବଡ଼ଝିଅକୁ ସେ ନବ। ସିଆଡ଼େ ତା’ର ନିକାହ୍‌ ହବ, ବେଗମ ପରି ରହିବ। ଗାଡ଼ି-ଘୋଡ଼ା ସବୁର ମାଲିକାଣୀ ହବ।

ଫାତିମାର ସାହସ ହେଇ ନଥିଲା।
ଏଣିକି ରାତିରେ ଫାତିମାକୁ ଭଲ ନିଦ ହୁଏ ନାହିଁ। ରାତିରେ କେତେଥର ନିଦ ଭାଙ୍ଗିଯାଏ। ସତେ ଯେମିତି ଘର ଚାକିକଡ଼େ କିଏ ଚାଲବୁଲ କରୁଥିବା ପରି ଲାଗେ। ଜଣକର ନୁହେଁ, ଦୁଉ/ତିନିଜଣଙ୍କର ପାଦ ଶବ୍ଦ ଶୁଭେ। ପୁଣି ଲାଗେ, ସତେ ଅବା କେହି ଯେମିତି ଖୁବ୍‌ ଧୀରେ, ଫୁସ୍‌-ଫାସ୍‌ ହୋଇ କଥାବାର୍ତ୍ତା ହେଉଛି।

କିଏ?
ଆଲ୍ଲା ହିଁ ଜଗିଛନ୍ତି ମତେ, ମୋ ପୁଅକୁ, ମୋ ଝିଅମାନଙ୍କୁ।
ତୁମେ ସବୁ ଦେଖ ଆଲ୍ଲା, ତୁମେ ହିଁ ସବୁ କରାଉଥାଅ।
ତୁମେ ଆଉ କାହାର ନ ହୁଅ ପଛକେ, ତୁମେ ଗରିବର – ତୁମେ ଅସହାୟର ନିଶ୍ଚୟ।
ସେଇ ଗୋରା ତକ୍‌ତକ୍‌ ସୁନାମୁହାଁ ଟୋକାଟା ଦିନେ କହେ; ‘ଅମ୍ମି, ପୂରା ଗାଡ଼ିଧୁଆ ଶିଖିଗଲିଣି!’
କେତେଦିନ ପରେ କହେ, ‘ଅମ୍ମି, କ୍ଳଚ୍‌ ତାର ଲଗେଇ ପାରୁଚି।’
ପୁଣି କହେ, ‘ଚକା ଖୋଲି ଭିତରକାମ କରୁଚି ଅମ୍ମି।’

ସେ କେତେ କଣ କହେ। ଫାତିମା ଚାରଣା ବୁଝେ, ବାରଣା ବୁଝି ପାରେନା।
ମଝିରେ ମଝିରେ ଦଶଟଙ୍କା, କେବେ କୋଡ଼ିଏ ଟଙ୍କା ଦିଏ।
ମାସ ଶେଷରେ ଦରମା ଟଙ୍କା ଯେତିକି ପାଇଥାଏ, ସବୁତକ ଆଣି ଫାତିମା ହାତରେ ଦିଏ।
ବଡ଼ଝିଅକୁ ଏ ଭିତରେ ପଚିଶ ହେଲାଣି।
ତା ତଳକୁ ତେଇଶ।
ତା ତଳକୁ ଏକୋଇଶ।
ଲୋକ ଆସୁଛନ୍ତି, ଯାଉଛନ୍ତି ନିକାହ ହୋଇପାରୁନାହିଁ।

ଶାମାର ରୋଜଗାର ବଢ଼ୁଛି, ହେଲେ ସେ ତା ସ୍ବପ୍ନର ନିଜର ଗ୍ୟାରେଜ୍‌ କରିପାରି ନାହିଁ।
ଆଲିଗଡ଼, କାନପୁର, ଗାଜିଆବାଦରୁ ମଝିରେ ଲୋକ ଆସୁଛନ୍ତି। ଦଶ ହଜାର, କୋଡ଼ିଓ ହଜାର ଯାଚୁଛନ୍ତି। ଝିଅମାନେ ଯିବେ। ପ୍ରାସାଦରେ ରହିବେ, ରାଣୀ ବନିଯିବେ।
ଫାତିମା ଆକାଶକୁ ଚାହେଁ। ଗାଁ ଭିତରେ ଗଲାବେଳେ ମସ୍‌ଜିଦ୍‌କୁ ଚାହେଁ। ରାତିରେ ଝିଅମାନେ ଲଗାଲଗି ହୋଇ ଶୋଇଥିବାବେଳେ ସେମାନଙ୍କ ମୁହଁକୁ ଚାହେଁ। ଦଶବର୍ଷ ତଳେ ଝିଅମାନେ ଫୁଲ, ସକାଳର ଫୁଲ ପରି ସତେଜ ଦିଶୁଥିଲେ। ଏବେ କେତେଦିନ ହବ ବଡ଼ ଦି’ଟା କେତେ ଶୁଖିଲା ଦିଶୁଛନ୍ତି। ସେମାନେ ସବୁ ବୁଝୁଛନ୍ତି, ସବୁ ଜାଣୁଛନ୍ତି।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶାରଦା ପ୍ରସାଦ ମିଶ୍ର
ଶାରଦା ପ୍ରସାଦ ମିଶ୍ର
ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜ୍ୟପାଳମାନଙ୍କର ଲୋକସମ୍ପର୍କ ଅଧିକାରୀଭାବେ କାର୍ଯ୍ୟକରିବା ସହିତ ଶାରଦା ପ୍ରସାଦ ମିଶ୍ର(୧୯୬୩-୨୦୧୬) ନିଜର ଲେଖା ପାଇଁ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଜଣେ ସରକାରୀ କର୍ମଚାରୀଭାବେ କାର୍ଯ୍ୟରତ ଥିବା ସମୟରେ କର୍କଟ ପରି ଦୂରାରୋଗ୍ୟରେ ପୀଡ଼ିତ ଥାଇ ମାତ୍ର ୫୩ ବର୍ଷରେ ଇହଲୀଳା ସମ୍ବରଣ କରିଥିବା ଶ୍ରୀ ମିଶ୍ର ବିଶେଷଭାବେ ଜଣେ ଗାଳ୍ପିକ ଓ ଔପନ୍ୟାସିକଭାବେ ପରିଚିତ ଥିଲେ। ତାଙ୍କ ରଚିତ ଉପନ୍ୟାସ ମାଧ୍ୟରେ ‘ଉତ୍ତାନପାଦ’ ଏବଂ ଗଳ୍ପ ସଙ୍କଳନ ମଧ୍ୟରେ ‘ରାତ୍ରୀର ଅଜବ ଦୃଶ୍ୟ’... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ସଞ୍ଜୟ ରଥ, ଠାଣେ, ମହାରାଷ୍ତ୍ର |  ଡିସେମ୍ବର୍ ୧, ୨୦୧୬ - ୯:୫୦ ଅପରାହ୍ନ

    ଏପରି ନିରା‍ଶାଜନକ ପରିସ୍ଥିତି ନିରୋଳା ନହେଲେ ବି ବାସ୍ତବତାର ଅତି ନିକଟରେ ବି ନୁହେଂ। ଏପରି ପରାଜୟବାଦୀ ଗଳ୍ପ ସମାଜକୁ କି ବାର୍ତ୍ତା ଦେଉଛି କିମ୍ବା ସମାଜର କି କାମରେ ଆସିପାରିବ ବୁଝାପଡୁନି। ବରଂ ସରକାରଂକ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଭିତ୍ତିକରି ପ୍ରୋତ୍ସାହନକାରୀ ଗଳ୍ପ ଭଲ ଲାଗିଥାଆନ୍ତା।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤