ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମିୟବାଳା ପଟ୍ଟନାୟକ
ଫତୁରାନନ୍ଦ
ଭକ୍ତକବି ମଧୁସୂଦନ ରାଓ
ସୁଶାନ୍ତ ଦାଶ
ବାମାଚରଣ ମିତ୍ର
ସନ୍ୟାସୀ ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନେତାଙ୍କ ହାଟ
 |- ବରେନ୍ଦ୍ର କୃଷ୍ଣ ଧଳ
 
 
ତା: ନଭେମ୍ବର୍ ୧୪, ୨୦୧୬  
 

ବିଧାନସଭାର ଫଳ ଥିଲା ଅମୀମାଂସିତ । …କଂଗ୍ରେସ କିମ୍ବା ଜନ ସଂକେତ – କାହାରି ପାଖରେ ସେହି ମ୍ୟାଜିକ୍‌ ଏକାଅଶି ନଥିଲେ।
ଶହେ ଷାଠିଏ ସଭ୍ୟ ବିଶିଷ୍ଟ ବିଧାନସଭାରେ ଏକାଅଶି ଜଣ ହାତଟେକା ସଭ୍ୟ ନଥିଲେ ରାଜ୍ୟପାଳ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ଗଣକଂଗ୍ରେସ ନେତା ଜନ୍ମେଜୟ କିମ୍ବା ଜନ ସଂକେତ ନେତା ସନାତନ ବାବୁଙ୍କୁ ଡାକିବେ ନାହିଁ। ମନ୍ତ୍ରିମଣ୍ଡଳ ଗଢ଼ିବା ପାଇଁ ତ ନିର୍ବାଚନ, ଏତେ…

ଗତଥର ଅନ୍ୟ କେତୋଟି ସାନ ସାନ ଆଞ୍ଚଳିକ ଦଳର ସଭ୍ୟଙ୍କୁ ହାତ କରି ବିଧାନସଭାରେ ନିଜ ସପକ୍ଷରେ ୯୬ ଜଣ ଏମ୍‌.ଏଲ୍‌.ଏଙ୍କୁ ଏକାଠି କରି ଜନ୍ମେଜୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥର ନିଜର ଗଣକଂଗ୍ରେସ ଓ ଅନ୍ୟ ସହଯୋଗଦଳ ମିଶାଇ ନିର୍ବାଚିତ ଏମ୍‌.ଏଲ୍‌.ଏ ସଂଖ୍ୟା ୭୮ରେ ପହଞ୍ଚିଛି। …ପୁଣି ଜଣେ ମାତ୍ର ଆଠଟି ଅଧିକ ଭୋଟରେ ଜୟଯୁକ୍ତ ହୋଇଛି। ନିର୍ବାଚନ ମକଦ୍ଦମା ଅବଶ୍ୟମ୍ଭାବୀ। ଭୋଟ ଆଉଥରେ ଯଦି ଗଣାଯାଏ ଫଳ ବିପରୀତ ହୋଇପାରେ।
ଜନ ସଂକେତ ଅବସ୍ଥା ମଧ୍ୟ ତଦୃପ। ଦଳର ନେତା ବହୁ ତୁମ୍ବିତୋଫାନ କରି ଛଅସ୍ତରି ସ୍ଥାନ ଦାଖଲ କରିଛନ୍ତି। ଦୁଇଜଣ … ସ୍ବାଧୀନ ଭାବରେ ଲଢ଼େଇ କରି ଜିତି ଥିଲେ। ସେମାନଙ୍କ ଓଠ ହାତ ଧରି ମନ୍ତ୍ରିମଣ୍ଡଳ ଗଢ଼ାହେଲେ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ପୁଣି ଦଳକୁ ଫେରାଇ ଆଣିଛନ୍ତି। ମନ୍ତ୍ରିମଣ୍ଡଳ ଗଠନ କରିବାର ସମ୍ଭାବନା ଦେଖିଲେ ସେ ଦୁହେଁ ଜନ ସଂକେତ ଗୁହାଳରୁ ଡିଆଁ ମାରି ବିପକ୍ଷ ତମ୍ବୁରେ ପଶିଯାଇ ପାରନ୍ତି।

ନବକୋଶଳ ରାଜ୍ୟର ଏଇ ଜଟିଳ ରାଜନୈତିକ ପରିସ୍ଥିତିର ସମାଧାନର ଚାବିକାଠି ଭଂଜଗଡ଼ର ପଦ୍ମନାଭଙ୍କ ହାତରେ, ଚାରିଜଣ ଆଦିବାସୀ-ହରିଜନ ନିର୍ବାଚିତ ସଭ୍ୟ ପକେଟରେ ପୂରାଇ ସେ ବୁଲୁଛନ୍ତି। ସେଇ ଚାରିଜଣ ଯୋଉ ଦଳକୁ ସମର୍ଥନ କରିବେ ସେଇ ଦଳ ନବକୋଶଳ ରାଜ୍ୟରେ ମନ୍ତ୍ରିମଣ୍ଡଳ ଗଢ଼ିବ।
ଗଣ କଂଗ୍ରେସକୁ ସମର୍ଥନ କଲେ ଜନ୍ମେଜୟଙ୍କ ମୁଖ୍ୟମନ୍ତ୍ରୀ ଗାଦି ସୁରକ୍ଷିତ ହୋଇ ରହିବ। ଜନ ସଂକେତ ଦଳକୁ କଲେ ସନାତନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ। ସେଥିପାଇଁ ଭୋଟ ଗଣତିର ଟ୍ରେଣ୍ଡ ଜଣାପଡ଼ିବା ମାତ୍ରେ ଫଳାଫଳ ଘୋଷଣାକୁ ଅପେକ୍ଷା କରି ଦୁଇଦଳର ଦୂତ ଖେଦିଗଲେ ଭଂଜଗଡ଼।

ସନାତନ ପଟ୍ଟନାୟକଙ୍କ ଦୂତ ନିର୍ବାଚିତ ଚାରିଜଣଙ୍କୁ ଡାକି କହିଲା-ଦେଖ ଭାଇ! ତମେ ଚାରିଜଣ ବିରୋଧୀ ଦଳର ପ୍ରାର୍ଥୀଭାବରେ ଜିତିଛ। ଗଣ କଂଗ୍ରେସ ପ୍ରାର୍ଥୀଙ୍କ ବିରୁଦ୍ଧରେ ଲୋକେ ଭୋଟ ଦେଇ ତମକୁ ଜିତାଇଛନ୍ତି। ତେଣୁ ଏକ ବିକଳ୍ପ ଅଣ ଗଣ-କଂଗ୍ରେସୀ ମନ୍ତ୍ରିମଣ୍ଡଳ ଗଠନ ପାଇଁ ତମକୁ ଜନାଦେଶ ମିଳିଛି। ଏ ଜନାଦେଶ ମାନି ତମେ ଚାରିଜଣ ଜନସଂକେତ ଦଳକୁ ସମର୍ଥନ କରିବା ଦରକାର। ସନାତନ ବାବୁ ମୁଖ୍ୟମନ୍ତ୍ରୀ ହେଲେ ତମେ ଚାରିଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ। ତମେ ଯିଏ ଯେଉଁ ବିଭାଗ ଚାହିଁବ-ସେ ବିଭାଗ ଦିଆଯିବ। ମୁଁ ଗୋଟାଏ ଚିଠା ଲେଖି ଆଣିଛି। ତମେ ଚାରିଜଣ ଜନସଂକେତ ଦଳ ସରକାରକୁ ସମର୍ଥନ କରୁଛ ବୋଲି ଜଲ୍‌ଦି ଦସ୍ତଖତ କରିଦିଅ। ଜନ୍ମେଜୟ ବାବୁ ତମକୁ ନାନା ପ୍ରଲୋଭନ ଦେଖାଇବ। ଲୋଭରେ ନ ପଡ଼ିଲେ ପୋଲିସ୍‌ ପଠେଇ ଧମକେଇବ। ଭାଇଗଣ! ପ୍ରଲୋଭନ ଆଉ ଧମକ ଗଣତନ୍ତ୍ରର ଶତ୍ରୁ। ନବକୋଶଳ ରାଜ୍ୟରେ ଜନସଂକେତ ଦଳ ହିଁ ଲୋକପ୍ରିୟ ସରକାର ଗଢ଼ିପାରିବ। ଦିଅ ଦସ୍ତଖତ କରିଦିଅ-ଯେତେ ଶୀଘ୍ର, ସନାତନ ବାବୁ ମନ୍ତ୍ରିମଣ୍ଡଳ ଗଢ଼ିବେ, ତମେ ସବୁ ମନ୍ତ୍ରି ହେବ-ଧର କଲମ-ମାର ଦସ୍ତଖତ।

ସନାତନଙ୍କ ଦୂତ କହି କହି ଥକି ଗଲେ। ତାଙ୍କ ପାଟି ଘୋଳି ହୋଇଗଲା। କିନ୍ତୁ ଭଂଜଗଡ଼ର ସେଇ ଚାରି ମୂର୍ତ୍ତି ମୌନ ପାଲଟିଗଲେ। ହରିଜନ ଏମ୍‌.ଏଲ୍‌.ଏ ବହୁ କଷ୍ଟରେ କୁନ୍ଥେଇ କୁନ୍ଥେଇ କହିଲେ-ଆମେ ଦସ୍ତଖତ ଦେଇସାରିଛୁ।
ଦୂତ ବିଚଳିତ ହୋଇ ପଚାରିଲେ- ସେ ଦସ୍ତଖତ କାହା ପାଖର ଅଛି ?
ଅନ୍ୟ ତିନିଜଣ ଆଦିବାସୀ ଏମ୍‌.ଏଲ୍‌.ଏ ସମସ୍ବରରେ କହିଲେ-ଆମର ନେତା ପଦ୍ମନାଭ ନାୟକ। ତାଙ୍କ ପାଖରେ ଦସ୍ତଖତ କରି କାଗଜ ଦେଇ ଦେଇଛୁ। କାଗଜ ବନ୍ଧା ପଡ଼ିଛି। ଯିଏ ଟଙ୍କା ଦେଇ ମୁକୁଳାଇ ପାରିବ, ସେ ରାଜା ହେବ।

ନବକୋଶଳ ରାଜନୀତିର ଚାବିକାଠି ପଦ୍ମନାଭ ହାତକୁ ଚାଲି ଯାଇଛି ଜାଣି ସନାତନଙ୍କ ଦୂତ ପାଗଳ ଭଳି ତାକୁ ଖୋଜି ବୁଲିଲା।
ପଦ୍ମନାଭ ଆଦିବାସୀ। ହେଲେ ବିଚିତ୍ର ତା’ର କାରବାର। ଚରମ ଦାରିଦ୍ର୍ୟ ଭିତରେ ବଢ଼ିଥିଲେ ବି ପିଲାଦିନୁ ବଡ଼ଲୋକ ହେବା ପାଇଁ ଗୋଟିଏ ସ୍ୱପ୍ନ ସେ ମନରେ ପୋଷଣ କରି ଆସିଛି। ତାର ଗରିବ ବାପା ମାଆ ଜଣେ ଗୋରା ସାହେବଙ୍କ ପାଖରେ ଫାଇ ଫରମାସ ଖଟିବା ପାଇଁ ପଠାଇ ଦେଇଥିଲେ। ସେଇ ସାହେବ ଆଦିବାସୀ ପିଲାଟିକୁ ପାଠ ପଢ଼ାଇ ମଣିଷ କରିଦେଲେ। ପ୍ରଥମ ଶ୍ରେଣୀରେ ମାଟ୍ରିକ୍‌ ପାଶ୍‌ କଲା ପରେ ଭଂଜଗଡ଼ ଆଦିବାସୀ ଅଞ୍ଚଳରେ ମିଶନାରୀ କାମ କରୁଥିବା ସେଇ ସାହେବଙ୍କ ସହାୟତାରେ ସେ ସହରକୁ ଗଲା ପାଠ ପଢ଼ିବା ପାଇଁ। ବି.ଏ. ପାଶ୍‌ କରି ଏମ୍‌.ଏ. ପଢ଼ୁଥିବା ବେଳେ ଜଣେ ଆଇ.ଏ. ପରୀକ୍ଷାର୍ଥୀ ବ୍ରାହ୍ମଣ କନ୍ୟାକୁ ଟିଉସନ କରୁଥିଲା। ପାଠ ପଢ଼ାରୁ ପ୍ରେମ, ପଳାୟନ ଓ ଶେଷରେ ବିବାହ। ଏମ୍‌.ଏ. ପରୀକ୍ଷା ଆଉ ଦେଲା ନାହିଁ ପଦ୍ମନାଭ। ବ୍ରାହ୍ମଣୀ ପତ୍ନୀଙ୍କୁ ସାଙ୍ଗରେ ଧରି ଭଂଜଗଡ଼ ଫେରି ଆସିଲା। ପତ୍ନୀ ହିଁ ତା ମନରେ ଉପରକୁ ଉଠିବାର ଆଶା ଜଗାଇ ଦେଇଥିଲା। କଣ୍ଟ୍ରାକ୍ଟରୀ କରି କିଛି ଟଙ୍କା ଜମାଇଥିଲା। ନିର୍ବାଚନରେ ଏଇ ଚାରିଜଣ ପ୍ରାର୍ଥୀଙ୍କ ପାଇଁ ସେ କିଛି ଟଙ୍କା ଖଟେଇଥିଲା। ତାର ଭାଗ୍ୟ ଭଲ ଚାରିଜଣଯାକ ପ୍ରାର୍ଥୀ ଜିତିଗଲେ, ଆଉ ନିର୍ବାଚନ ଫଳ କୌଣସି ଦଳ ବା ଏକକ ମେଣ୍ଟକୁ ଏକକ ସଂଖ୍ୟା ଗରିଷ୍ଠତା ଦେଲା ନାହିଁ। ସେହି ସୁଯୋଗକୁ ବ୍ୟବହାର କରି ରାତାରାତି କୋଟିପତି ହୋଇଯିବାର ଏକ ଯୋଜନା ସେ କରିବସିଛି।

ସେ ଜାଣିଥିଲା ଏଇ ଚାରିଜଣ ଏମ୍‌.ଏଲ୍‌.ଏଙ୍କ ଦସ୍ତଖତର ସମର୍ଥନରେ ହିଁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବ। ଦେଶକୁ ଲୁଟି କରିବ। ଏଇ ଚାରିଜଣ ହାଣ କୁରାଢ଼ିର ବେଣ୍ଟ ହେବେ। ତାହାହେଲେ ସେ କାହିଁକି ନିଜର ମୁନାଫା ଉଠାଇ ନେବ ନାହିଁ? ପ୍ରତି ଏମ୍‌.ଏଲ୍‌.ଏଙ୍କ ସମର୍ଥନ ପାଇଁ ସେ ଯଦି କୋଡ଼ିଏ, ପଚିଶି ଲକ୍ଷ ଦାବି କରେ – ଦାବି ପୂରଣ କରିବାକୁ ସନାତନ କିମ୍ବା ଜନ୍ମେଜୟ କେହି ମନା କରିପାରିବେ ନାହିଁ। ଟଙ୍କା ଦେଇ ଏମ୍‌.ଏଲ୍‌.ଏ କିଣିଲେ ତ ଦେଶକୁ ଲୁଟି କରିବାର ଛାଡ଼ପତ୍ର ମିଳିବ।
ସେ ନିଜର ଅନୁଗତ ଚାରିଜମ ଏମ୍‌.ଏଲ୍‌.ଏଙ୍କୁ ଡାକି କହିଲା-ଦେଖ ଗଦାଧର, ବୀରବର, ବାଇଧର, ହଳଧର! ସେମାନେ ସମସ୍ତେ ତମକୁ ମନ୍ତ୍ରୀ କରିବାର ପ୍ରତିଶ୍ରୁତି ଦେବେ। କିନ୍ତୁ ମନ୍ତ୍ରୀତ୍ୱ ହେଲା… ଗଛର ଛାଇ- ଏଇ ଅଛି ଏଇ ନାହଁ। ଦି’ମାସ ପରେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଇ ପୁଣି ନିର୍ବାଚନ ହେଲେ ଲଢ଼ିବା ପାଇଁ ତମେ ଟଙ୍କା ପାଇବ କେଉଁଠୁ? ଅସଲ ହେଲା ନଗଦ ନାରାୟଣ। ତମେ କାଗଜ ଦସ୍ତଖତ କରି ମତେ ଦେଇଦିଅ-ମୁଁ ଜଣ ପିଛା ଦଶଲକ୍ଷ ଆଣିଦେବି। ତମକୁ ନିଜ ଖର୍ଚ୍ଚରେ ସବୁ ତୀର୍ଥ ଦର୍ଶନ କରାଇ ଆଣିବି । ରାଜି?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବରେନ୍ଦ୍ର କୃଷ୍ଣ ଧଳ
ବରେନ୍ଦ୍ର କୃଷ୍ଣ ଧଳ
ଏକାଧାରରେ ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକଭାବେ ବରେନ୍ଦ୍ରକୃଷ୍ଣ ଧଳ( ୧୯୩୯-୨୦୧୬) ପ୍ରତିଷ୍ଠାଲାଭ କରିଥିଲେ। ଏହା ସହିତ ଓଡ଼ିଶା ଲେଖକ ସାମୁଖ୍ୟ ଏବଂ ଭୁବନେଶ୍ୱର ପୁସ୍ତକ ମେଳା କମିଟି ପରିଚାଳନା ଆଦି କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରି ସେ ଜଣେ ଉତ୍ତମ ସଙ୍ଗଠକଭାବେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲେ। ତାଙ୍କର ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ସନ୍ଧ୍ୟାର ମୂକୁର’, ‘ବିଦଗ୍ଧ ବିହଙ୍ଗୀ’, ‘କବଚ’, ‘ନାୟିକା’ - ଉପନ୍ୟାସ, ‘ପାଣିଗାର’ , ଏକାକୀ ଅଭିମନ୍ୟୁ’ - ଗଳ୍ପ ସଙ୍କଳନ, ‘ମୁକ୍ତ ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤