ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ବୈକୁଣ୍ଠନାଥ ପଟ୍ଟନାୟକ
ମହାପାତ୍ର ନୀଳମଣି ସାହୁ
ରବି ଶତପଥୀ
ଅକ୍ଷୟ ମହାନ୍ତି
କିଶୋରୀକିଙ୍କର ଦାସ
ସୁଶାନ୍ତ ଦାଶ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାୟଗ୍ରା ଓ ଦେବଯାନୀ
 |- କୃଷ୍ଣପ୍ରସାଦ ମିଶ୍ର
 
 
ତା: ନଭେମ୍ବର୍ ୨୮, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଦେବଯାନୀ ମୋର କଥା ଶୁଣୁଥିଲା, ସବୁ ବୁଝୁଥିଲା; କିନ୍ତୁ କଥାଗୁଡ଼ାକୁ ପାଳୁଥିଲା ଖୁବ୍‌ କମ୍‌; ଦର୍ଶନକୁ ବ୍ୟବହାର କ୍ଷେତ୍ରକୁ ଆଣିବାକୁ ସେ ଆଦୌ ଯେପରି ଇଚ୍ଛୁକ ନଥିଲା୤ ବୋଧହୁଏ ସେ ମୋଠୁ ବେଶୀ ଧାର୍ମିକ ଥିଲା ଓ ପ୍ରାକ୍‌ଟିକାଲ, ମୁଁ ତା’ ତୁଳନାରେ ସମ୍ଭବତଃ ପାପୀ, ଥିଓରେଟିକାଲ ତ ନିଶ୍ଚୟ, ମୁଁ ତାକୁ ବାରମ୍ବାର କହୁଥିଲି – ଯାନୀ ! ପର୍ବପର୍ବାଣିରେ ତୁମେ ମନ୍ଦିରକୁ କାହିଁକି ଯାଉଛ ? ସେ ଭୟଙ୍କର ଭିଡ଼ରେ, ଯେତେବେଳେ ତୁମ ପାଦର ଭୂମି ସ୍ପର୍ଶ କରିବାର ସମ୍ଭାବନା ରହେନାହିଁ, ସେ ଭିଡ଼ରେ ପଶି ତୁମେ କେଉଁ ଦେବସତ୍ତା ଉପଲବ୍ଧି କରିପାରୁଛ ? ମଣିଷ ମନ୍ଦିରକୁ ନଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ଜାଗାକୁ ଯିବା ଉଚିତ୍‌ – ସମୁଦ୍ରକୂଳ, ଗିରିପ୍ରପାତ, ଘୋର ଅରଣ୍ୟ, ନଦୀସଙ୍ଗମ ବା ଉତ୍ତୁଙ୍ଗ ଶିଖର୤ ଦେବତା ସେହିସବୁ ସ୍ଥାନରେ ଥାଆନ୍ତି ଯାନୀ, ତୁମର ଶିଳା ସିମେଣ୍ଟର ମନ୍ଦିର କି ମସ୍‌ଜିଦ୍‌ରେ ନୁହେଁ୤ ମହୋଦଧି ପାଖରେ ଥାଉ ଥାଉ…

ଦେବଯାନୀ ସବୁ ଶୁଣେ, ସମ୍ମତ ହୁଏ, ହସେ; କିନ୍ତୁ ଠିକ୍‌ବେଳକୁ ମୋତେ ନକହି ସେ ମନ୍ଦିରକୁ ଚାଲିଯାଇଥାଏ – ସବୁ ପର୍ବରେ ପ୍ରାୟ ଓ ସବୁ ଗୁରୁବାର ଦିନ୤ ଶ୍ରୀମନ୍ଦିର ପ୍ରତି ତା’ର ମୋହ ଦେଖି ମୁଁ ଆଶ୍ଚର୍ଯ୍ୟ ହୁଏ, କିଛି ବୁଝିପାରେ ନାହିଁ୤ ଦିନେ ତାକୁ ପଚାରିଲି – ଦେବଯାନୀ, ତୁମେ ମୋତେ କ’ଣ ବୋଲି ଭାବୁଛ୤
ଦେବଯାନୀ କହିଲା – ତୁମେ ମୋର ଦେବତା୤
ମୁଁ ଦେବଭକ୍ତ ନା ନୁହେଁ ? ମୁଁ ଆସ୍ତିକ ନା ନାସ୍ତିକ, ତୁମ ମତରେ ?
ଦେବଯାନୀ କିଛି ନକହି ଚୁପ୍‌ ହୋଇଗଲେ୤ ମୁଁ ଉତ୍ତେଜିତ ହୋଇଗଲି୤ ମୁ କହିଲି – ଦେବଯାନୀ, ମୁଁ ମନ୍ଦିରକୁ ନଗଲେ ମଧ୍ୟ ମୁଁ ଆସ୍ତିକ୤ ମୁଁ ଶିବଭକ୍ତ, କୈଳାସ ଶିଖର ମୋର ଶିବଲିଙ୍ଗ୤ ମୁଁ ପରମ ବୈଷ୍ଣବ, ଅନନ୍ତ ସାଗର ମୋର ନାରାୟଣ୤ ମୁଁ ଗାଣପତ୍ୟ, ମୁଁ ବାଲ୍ମିକୀ, ବ୍ୟାସ, କାଳିଦାସ, ଭବଭୂତି, ସେକ୍ସ୍‌ପିୟରର ଲେଖା ପଢ଼ିଛି୤ ଦିଗନ୍ତର ବିସ୍ତାରରେ ମୁଁ ଜଗନ୍ନାଥଙ୍କର ଭ୍ରୂଭଙ୍ଗୀ ଦେଖେ, ମୁଁ…

ଦେବଯାନୀର ଚୁମ୍ବନରେ ମୁଁ ଆଉ କିଛି କହିପାରିଲି ନାହିଁ୤ ସେ ବ୍ୟାକୁଳ ହୋଇ ମୋତେ ଆଲିଙ୍ଗନ କରି ପକାଇ କହୁଥିଲା – ଆଉ କିଛି କହିବାର ଦରକାର ନାହିଁ୤ ତୁମର ଆସ୍ତିକ କି ନାସ୍ତିକ କିଛି ହେବା ଦରକାର ନାହିଁ୤ ତୁମେ ନିଜେ ତ ଦେବତା, ଦେବତା ପାଇଁ ପୁଣି ଆଉ ଦେବତା କ’ଣ ?

ଦିନେ ଥଟ୍ଟା କରି ତାକୁ ମୁଁ କହିଲି – ତମେ ବୋଧେ ମନ୍ଦିର ଗାତ୍ରରେ କୌଣସି ପିତୁଳା – ମଣିଷ ହୋଇଯାଇଛ କିପରି ? ମନ୍ଦିରଭକ୍ତି ତୁମର ଯେପରି ପରଜନ୍ମରେ ଦେବ-ସାନ୍ନିଧ୍ୟ ପାଇବ ସେହିପରି ପିତୁଳା ହୋଇଯାଇଛ୤ ମୋ କଥାରେ ତୀବ୍ର ବ୍ୟଙ୍ଗ ପ୍ରଚ୍ଛନ୍ନ ଥିଲା, କିନ୍ତୁ ମୋଠୁ ବ୍ୟଙ୍ଗ ଶୁଣିବା ଦେବଯାନୀର ଅଭ୍ୟାସ୤ ସେ ହସିଦେଇ କହିଲା- ଈଶ୍ବର ଅଣୁ ଅଣୁରେ ବିଦ୍ୟମାନ୤ ଜଡ଼ ଅଶିବ, ଅସୁନ୍ଦର କ’ଣ ତାଙ୍କଠୁ ଅଲଗା ?

ବାସ୍‌ ସେତିକି୤ ମୋତେ ସେ ସ୍ଥାଣୁ କରିଦେଇ ଗୃହର ନିତ୍ୟକର୍ମ ସାରିବାକୁ ଚାଲିଗଲା୤ ତାକୁ ମୁଁ ତ କିଛିଦିନ ତଳେ କହିଥିଲି ଓ ଯାହାକୁ ଶୁଣି ଖୁସିରେ କାନ୍ଦି ପକାଇଲା୤ ‘‘ଯୋ ମାଂ ପଶ୍ୟତି ସର୍ବତ୍ର, ସର୍ବଞ୍ଚ ମୟି ପଶ୍ୟତି’’, ମୋତେ ଯିଏ ସବୁଠି ଦେଖେ ଏବଂ ମୁଁ ସବୁକୁ ମୋ ଭିତରେ ଦେଖେ !

ନଚିକେତାର ଜନ୍ମ ପରେ ଦେବଯାନୀ ସହିତ ମୋର କଳହ ବଢ଼ିଲା ‘ମନ୍ଦିର ନା ମହୋଦଧିକୂଳ’ର ଅଛିଣ୍ଡା ତର୍କ ନେଇ୤ ନଚିକେତାର ପ୍ରତି ଜନ୍ମଦିନେ ନିଶ୍ଚୟ, ଆଉ ବାକି ଦିନମାନଙ୍କରେ ସୁବିଧା ଦେଖି, ସେ ଜିଦ୍‌ କରି ତାକୁ ମନ୍ଦିରକୁ ନେଇଯାଏ ବଡ଼ ହେଲେ ସେ ଧାର୍ମିକ, ସତ୍‌ଚରିତ୍ର ଓ ନ୍ୟାୟପରାୟଣ ହେବ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ୤ ମୁଁ ଯୁକ୍ତି କରେ – ଛୋଟ ପିଲାକୁ ମନ୍ଦିରକୁ କାହିଁକି ନେଉଛ, ଚାଲ ତାକୁ ସମୁଦ୍ରକୂଳକୁ ନେବା୤ ପୂର୍ଣ୍ଣମୀ ତିଥିରେ ଜନ୍ମ ହୋଇଛି, ପୌର୍ଣ୍ଣମାସୀ ସମୁଦ୍ରର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ୤ ସେଇଠି ସେ ସୌନ୍ଦର୍ଯ୍ୟମୟ ଭଗବାନଙ୍କୁ ଦେଖିବ୤

ଦେବଯାନୀ ହଁ କରେ୤ କହେ, ସେ ତ ରାତି କଥା୤ ବହୁତ ଡେରି ଅଛି ରାତି ହେବାକୁ୤ ବନ୍ଦାପନା ସାରି ମୁଁ ତାକୁ ଆଗ ମନ୍ଦିରରୁ ବୁଲାଇ ଆଣେ୤ ଦେବତା ଆଶୀର୍ବାଦ, ବ୍ରାହ୍ମଣ ଆଶୀର୍ବାଦ ତାକୁ ଦୀର୍ଘାୟୁଷ କରିବ୤ ମୋର ବାରଣ ସତ୍ତ୍ବେ ସେ ତାକୁ ମନ୍ଦିରକୁ ନିଏ୤ ମନ୍ଦିରରେ କ’ଣ କ’ଣ କରେ କେଜାଣି, ଫେରୁଫେରୁ ଦ୍ବିପ୍ରହର ହୋଇଯାଇଥାଏ୤ ଲୋକଗହଳି- ରୁଗ୍‌ଣ, ଦୁଃଖୀ, ଦରିଦ୍ର, ଅଶାଳୀନ ଗୁଡ଼ାଏ ଲୋକଙ୍କ ସମାବେଶ୤ ମୋତେ କେଶ୍‌ରେ ଜିତାଅ, ମୋତେ ସ୍ବାସ୍ଥ୍ୟବାନ କର, ମୋର ପ୍ରେମିକାର ସାନ୍ନିଧ୍ୟ ମୁଁ ପାଏ, ପରୀକ୍ଷାରେ ମୁଁ ପାସ୍‌ କରେ, ହେ ପ୍ରଭୁ, ମୋ ସ୍ବାମୀ ମୋତେ ଯେପରି ଭଲପାଆନ୍ତୁ – ଗୁଡ଼ାଏ କିମ୍ଭୂତକିମାକାର ପ୍ରାର୍ଥନା ଓ ଭକ୍ତଙ୍କ ଜମାଟ, ଅନ୍ଧକାର ହାଉଯାଉ, ସନ୍ତସନ୍ତିଆ ଭୂମିତଳ, ରୁଗ୍‌ଣ ଅସୁନ୍ଦର ଅଶିକ୍ଷିତ ପଣ୍ଡା ପଢ଼ିହାରୀ – ମୋର ମନ ବିଦ୍ରୋହ କରି ଉଠେ ଦେବଯାନୀର କାର୍ଯ୍ୟରେ୤ ଛୋଟ ପିଲାଟାର ମନରେ କି ପ୍ରକାର ସଂସ୍କାର ପଡୁଥିବ କେଜାଣି୤ ଦେବଯାନୀ ସହିତ କଜିଆ ହୁଏ ସେ ଫେରିବା ପରେ୤ କଳହ ବେଶୀ ବଢ଼ିଲେ ସେ ପୁନଃର୍ବାର ମନ୍ଦିର ଚାଲିଯାଏ ନଚିକେତାକୁ ଶୁଆଇଦେଇ୤ ନଚିକେତାକୁ ନିଦରୁ ମୁଁ ଉଠାଏ ନାହିଁ, ସମୁଦ୍ର କୂଳ ଯିବା କିପରି ବା ସମ୍ଭବ ହୁଅନ୍ତା ?

ନଚିକେତାର ଷଷ୍ଠ ଜନ୍ମୋତ୍ସବ ଦିନ କିନ୍ତୁ ଦେବଯାନୀ ସହିତ ମୋର କଳହ ହୋଇ ନଥିଲା୤ ସକାଳର ବନ୍ଦାପନା ଓ ହୋମ ପରେ ସେ ନଚିକେତାକୁ ଧରି ମନ୍ଦିର ଗଲାନାହିଁ୤ ମୁଁ ବିସ୍ମିତ ହେଲି, ପଚାରିଲି – ଦେବଯାନୀ, ଆଜି ତୁମର କ’ଣ ହୋଇଛି ? ମନ୍ଦିର ଯିବନାହିଁ ?

ନା, ମୁଁ ଆଜି ମନ୍ଦିର ଯାଉନାହିଁ୤ ସ୍ତ୍ରୀ ହୋଇ କ’ଣ ସାରା ଜୀବନଟାଯାକ ସ୍ବାମୀର ଅବାଧ୍ୟ ହେଉଥିବି୤ ଆଜି ସମସ୍ତେ ମହୋଦଧି ନିକଟକୁ ଯିବା୤ ମୁଁ ଜଲ୍‌ଦି ଖିଆପିଆର ବନ୍ଦୋବସ୍ତ କରିଦେଉଛି୤

ଦେବଯାନୀର କଥାରେ ମୁଁ ଖୁସିରେ ପାଗଳ ପରି ହୋଇଗଲି୤ ଦେବଯାନୀକୁ ଆଲିଙ୍ଗନ କରି ବାରମ୍ବାର ଚୁମା ଦେଇ କହିଲି, ଦେଖିବ ଦେବଯାନୀ, ଆଜି ଚନ୍ଦ୍ର, ଆକାଶ, ସାଗର, ଉର୍ମି ସମସ୍ତେ କିପରି ତୁମକୁ ସ୍ବାଗତ କରିବେ୤ ସାଗରରେ ଜୁଆର କିଛି ବଢ଼ିଯିବ, ଚନ୍ଦ୍ରରେ ଉଜ୍ଜ୍ବଳତା, ତରଙ୍ଗରେ ବିଶାଳତା୤ ଦେବଯାନୀ ହସି କହିଲା – ତୁମେ ଏବେ ଅଧୀର ହୁଅନାହିଁ୤ ମୁଁ କିବା ମଣିଷ ଯେ, ସାରା ପ୍ରକୃତି ମୋ ଉପସ୍ଥିତିରେ ଖୁସି ହେବ୤ ପ୍ରକୃତି ନୁହେଁ ଯାନୀ, ପ୍ରକୃତି ତ ଜଡ଼୤ ଚେତନାମୟ ଈଶ୍ବର ଖୁସିହେବେ, ପ୍ରକୃତିରେ ପ୍ରକାଶିତ ଈଶ୍ବର ତାଙ୍କର ଭକ୍ତକୁ ଦେଖି ଖୁସିହେବେ୤

ନଚିକେତା ବି ସମୁଦ୍ରକୂଳକୁ ଯିବ ବୋଲି ଶୁଣି ଖୁସି ହୋଇଗଲା୤ ବାଲିରେ ଦଉଡ଼ାଦଉଡ଼ି କରି ଶାମୁକା ସଂଗ୍ରହ କରିବାରେ କ’ଣ କମ୍‌ ଆନନ୍ଦ ଅଛି ? ସେଦିନର ଆନନ୍ଦ, ଆମ ତିନି ପ୍ରାଣୀଙ୍କର ଆହ୍ଲାଦ ବର୍ଣ୍ଣନାତୀତ୤ ନଚିକେତା ତ ଦଉଡ଼ାଦଉଡ଼ି ପରେ କ୍ଳାନ୍ତ ହୋଇ ଶୋଇଗଲା, କିନ୍ତୁ ଆମେ ଦୁହେଁ କଥାହେଲୁ, ଖୁସିରେ ଦଉଡ଼ିଲୁ, ନାଚିଲୁ, ଶେଷରେ ଅର୍ଦ୍ଧମୂର୍ଚ୍ଛିତ ପ୍ରାୟ ପଡ଼ିଯାଇ ଚନ୍ଦ୍ର, ସମୁଦ୍ରର ଘୋ ଘୋ ଶବ୍ଦ ଓ ସୁ ସୁ ହୋଇ ବହୁଥିବା ପବନ ସହିତ ନିଜକୁ ମିଶାଇବାକୁ ଚେଷ୍ଟା କଲୁ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୃଷ୍ଣପ୍ରସାଦ ମିଶ୍ର
କୃଷ୍ଣପ୍ରସାଦ ମିଶ୍ର
କ୍ଷୁଦ୍ରତମ ଅନୁଭୂତି ମାଧ୍ୟମରେ ଗୋଟିଏ ବୃହତ୍ତର ଚିନ୍ତାରାଜ୍ୟର ଖୋରାକ ଯୋଗାଇବା ଦିଗରେ କୃଷ୍ଣପ୍ରସାଦ ମିଶ୍ର (୧୯୩୩-୧୯୯୪) ସୁପରିଚିତ୤ ସୂକ୍ଷ୍ମ ମନୋବୃତ୍ତିକୁ ଅଦ୍ଭୂତପୂର୍ବ ଭାବେ ଉପସ୍ଥାପନା କରିବା ତାଙ୍କ ଦୃଷ୍ଟିର ବିଶେଷତ୍ବ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଶ୍ରୀ ମିଶ୍ର ବିଶେଷ କରି ଜଣେ ଗାଳ୍ପିକ ଭାବେ ପରିଚିତ ଥିଲେ୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ‘କ୍ରୀତଦାସର କାବ୍ୟ’, ‘ ନାୟଗ୍ରା ଓ ଦେବଯାନୀ’, ‘ ଚିତ୍ରିତ ଚାଦର’ ଆଦି ଅନ୍ୟତମ୤ ଏହା ବ୍ୟତୀତ ତାଙ୍କ ଲିଖିତ ଉପନ୍ୟାସ ମଧ୍ୟରେ ‘ମୃଗତୃଷ୍ଣା’, ‘ ସିଂହକଟୀ’... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. rasmi parda, odisha |  ଫେବୃଆରୀ ୧୧, ୨୦୧୩ - ୩:୩୭ ପୂର୍ବାହ୍ନ

    Uttama

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤