ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରମେଶ ଚନ୍ଦ୍ର ଦାସ
ଉତ୍କଳମଣି ଗୋପବନ୍ଧୁ ଦାସ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସୌଭାଗ୍ୟ ମିଶ୍ର
ସନ୍ଥକବି ଭୀମ ଭୋଇ
ତରୁଣକାନ୍ତି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାୟଗ୍ରା ଓ ଦେବଯାନୀ
 |- କୃଷ୍ଣପ୍ରସାଦ ମିଶ୍ର
 
 
ତା: ନଭେମ୍ବର୍ ୨୮, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ସମ୍ମୁଖରେ ଭୀମକାନ୍ତ ନାୟଗ୍ରା ପ୍ରପାତ ସ୍ବୟଂଭୁ ଶଙ୍କରଙ୍କ ମୌଳି ଉପରେ ଚତୁର୍ଥୀ ଚନ୍ଦ୍ର୤ ଚତୁର୍ଥୀ ଚନ୍ଦ୍ରର ଆକାର ନାୟାଗ୍ରା ପ୍ରପାତର୤
‘‘ପବନଃ ପବତାମସ୍ମି ରାମଃ ଶସ୍ତ୍ରଭୃତାମହମ୍‌ ଝଷାଣାଂ ମକଶ୍ଚାସ୍ମିଂ ସ୍ରୋତସାମସ୍ମି ଜାହ୍ନବୀ୤’’
ଜାହ୍ନବୀ କିଏ ? ନାୟଗ୍ରା କିଏ ?
ଗୋଟିଏ ସୌନ୍ଦର୍ଯ୍ୟର ଗୋଟିଏ ପ୍ରକାଶ୤

ନଚିକେତା ଓ ମୁଁ ଗଦ୍‌ଗଦ ଚିତ୍ତରେ ନମସ୍କାର କଲୁ୤ ଗାଢ଼ ନୀଳ ରଙ୍ଗର ନାୟଗ୍ରା ପ୍ରସ୍ତର ଚଟାଣ ଉପରୁ ପରମ ଉଲ୍ଲାସରେ ଡେଉଁଛି୤ କେତେ ତଳକୁ ? କାହିଁକି ? ଅଯଥା ପ୍ରଶ୍ନ୤ ନଟରାଜର ନୃତ୍ୟରେ ଅର୍ଥ ନାହିଁ, ସୌନ୍ଦର୍ଯ୍ୟ ଅଛି୤ ପ୍ରତ୍ୟେକ ପଦପାତରେ ତ ଲକ୍ଷ ବ୍ରହ୍ମାଣ୍ଡର ସୃଷ୍ଟି୤ ଡିବିଡିବି ନାଦର ପରମ ସଙ୍ଗୀତ୤ ହା ହା, ହୋ ହୋ, ହି ହି- ନାୟଗ୍ରାର ହସ, ଧାବବତୀ ନଦୀର ଉଚ୍ଛୃଙ୍ଖଳ ହସ୤ କୋଟି କୋଟି ଜଳକଣା ମଲ୍ଲୀକଢ଼ ପରି ଶୁଭ୍ର୤ ଫୁଲର ବାସ୍ନା, ଜଳକଣାର ସ୍ପର୍ଶ, ଅଧରାମୃତ ସ୍ବାଦୁ୤ ମହାକାଳ ଶ୍ବାସରୁଦ୍ଧ ହୋଇ ଠିଆହୋଇ ଯାଇଛି୤ ଅତ୍ୟଧିକ ଆନନ୍ଦରେ ପ୍ରମତ୍ତ ଦେବଦେବୀ – ଆକାଶ ବକ୍ଷରେ ଶ୍ବେତ ରଙ୍ଗର ଗୁଡ଼ାଏ ମେଘ୤ ଗଙ୍ଗା, ନାୟଗ୍ରା ନୀଳ ଶାଢ଼ୀ ପିନ୍ଧି ଶିବ ଦର୍ଶନରେ ସିନା ଆସିଥିଲେ ! ସୃଷ୍ଟିବେଳେ, ଲୀଳାମୟର ଲୀଳାବେଳେ ଆନନ୍ଦମୟ ଚେତନାର ବଜ୍ରାଲିଙ୍ଗନ ସମୟରେ-
ନୀଳଶାଢ଼ୀ ଅଙ୍ଗ ଛାଡ଼ି ଆକାଶରେ ବ୍ୟାପିଯାଇଛି,
ଉଲଗ୍ନା ନାୟଗ୍ରାର ଶଙ୍ଖମର୍ମର ପରି ଅବୟବ୤

ଅସଂଖ୍ୟ ଜନ୍ମର ଅବରୁଦ୍ଧ ଇଚ୍ଛା, ଆକାଂକ୍ଷା, କଳ୍ପନା, ଆବର୍ତ୍ତିତ ଜଳରାଶି- ନାୟଗ୍ରାର ବକ୍ଷ – ଲମ୍ଫ ପ୍ରଦାନ ପୂର୍ବରୁ ସ୍ଫୀତ ହୋଇଉଠିଛି କୋଣାର୍କର ମୃଦଙ୍ଗବାଦିକାର ସ୍ଫୀତ ବକ୍ଷପରି୤
ସୃଷ୍ଟି, ସୃଷ୍ଟି !! ହର ପାର୍ବତୀଙ୍କର ମିଳନ ସ୍ଥାନ୤
ଓଂ ନମଃ ଶିବାୟଃ !!!

ନଚିକେତା ଓ ମୁଁ ନମସ୍କାର କଲୁ୤ ପାଖରେ ଠିଆ ହୋଇଥିବା ଟୁରିଷ୍ଟ୍‌ କେତେଜଣ ଆମ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହୁଁଥାନ୍ତି୤ ପଚାରିବାକୁ ଅନେକ ପ୍ରଶ୍ନ ମନରେ୤ ହୃଦୟରେ ସଙ୍କୋଚ ଓ ଲଜ୍ଜା୤ କିଛି ସମୟ ଚାହିଁ ସେମାନେ ପୁଣି ନାୟଗ୍ରାର ଫଟୋ ଉଠାଇବେ୤ ଯୋଷିକା, କନିକା, ଫୁଜିକା, ଆଗଫା – ଆଗରୁ ନିଧାର୍ଯ୍ୟ ସମୟ ଭିତରେ ଫିଲ୍ମ ସାରିବାକୁ ହେବ୤ ପତ୍ନୀକୁ ତାଗିଦା, ରେଲିଂ ଉପରକୁ ଅଳ୍ପ ଆଉଜ, ବେଶୀ ନୁହେଁ-ଠିକ୍‌ ଅଛି୤ ବର୍ତ୍ତମାନ ହସ୤ ତା’ପରେ ହସ – କ୍ଲିକ୍‌୤ ନେକ୍‌ଷ୍ଟ – ପିଲାଏ ମା’ ପାଖକୁ ଦଉଡ଼, ଜଲଦି ଦଉଡ଼୤ ଡେରି ହୋଇଯାଉଛି, ବାଙ୍ଗ୍‌ଲୋ ଫେରିବାକୁ ହେବ୤ ପିଲାଏ ଦଉଡ଼ୁଛନ୍ତି ହାୱାନି ଉପରେ ଟୁଇଷ୍ଟ୍‌ ନୃତ୍ୟର ଛବି – ପିଲାଏ ଠିଆହେଲେ୤ କ୍ଲିକ୍‌ ୤ ସବୁ ଧରାବନ୍ଧା, ପୂର୍ବରୁ ନିଧାର୍ଯ୍ୟ୤ ନାୟଗ୍ରାରେ ଦୁଇ ଘଣ୍ଟା, ଗୋଟିଏ ଫିଲ୍ମ୤ ହୋଟେଲ୍‌ରେ ପଇଁଚାଳିଶ ମିନିଟ୍‌, ଡ୍ରାଇଭିଂ କରି ଘରେ ପହଁଚିବାକୁ ଦୁଇ ଘଣ୍ଟା୤ ସ୍ତ୍ରୀକୁ ହନି ବା ଡାର୍ଲିଂ ସମ୍ବୋଧନ କରାଯିବ, ପ୍ରେମିକାକୁ ବେବି ବା ସେହିପରି କିଛି୤ ସେହିପରି ଗିର୍ଜା ଭିତରେ ପ୍ରଭୁ, ବାହାରେ ସଂସାର୤ ଈଶ୍ବର ନୁହେଁ୤ ପ୍ରେମିକା, ପ୍ରେମିକ, ସ୍ତ୍ରୀ, ନାୟଗ୍ରା ନାୟଗ୍ରା; ପ୍ରଭୁ ଯିଶୁ ଯିଶୁ – ସବୁ ଅଲଗା, ଅଲଗା ସବୁରିର ସ୍ବତନ୍ତ୍ର ସ୍ଥାନ ନିଧାର୍ଯ୍ୟ୤

ନଚିକେତା ଓ ମୁଁ ରାସ୍ତାଠୁ କିଛି ଦୂରରେ ଯାଇ ବସିଥିଲୁ ଘାସଗୁଡ଼ାକ ଉପରେ୤ ନଚିକେତା ପଛଆଡ଼େ ଫ୍ଳୋରିଡ଼ା ଟାଇପ୍‌ ୱାଗେଲିଆ ଫୁଲ ଗଛର ଧାଡ଼ି, ତାକୁ ଲାଗି ପିଙ୍କ୍‌ ସ୍ଫିରିଆର ବେଦୀ୤ ସବୁ ଗଛରେ ଫୁଲ୤

ନଚିକେତା ! ପଛରେ ଫୁଲଗଛଗୁଡ଼ାକ, ଟିକିଏ ଆଗକୁ ଚାଲିଆ୤ ନଚିକେତା ଆଗକୁ ଘୁଞ୍ଚି ଆସିଲା୤ କିଛି ପଛରେ ମଟରକାର ପାର୍କିଂ ପାଇଁ ଜାଗା୤ ମଟରକାର୍‌ ଗୁଡ଼ାକ ଅସଂଖ୍ୟ-ଧାଡ଼ିଧାଡ଼ି ହୋଇ ପାର୍କିଂ ହୋଇଛି୤ ସାରା ବାତାମଣ୍ଡଳରେ ଯାତ୍ରା, ଉପଭୋଗର ଚେତନା୤ ନାୟଗ୍ରାକୁ କ୍ୟାମେରା ଭିତରକୁ ଆଣିସାରିବା ପରେ ପରସ୍ପରର ମୁଖ, ଅବକ୍ଷୟ, ବକ୍ଷ, ବେଶଭୂଷାକୁ ଚାହିଁବା ବା ରେସ୍ତୋରାଁ ଭିତରକୁ ପଶି କଫି ପିଇବା, ନଚେତ୍‌ କିଛି ଖାଇବା ପାଇଁ ସମସ୍ତଙ୍କର ଉଦ୍‌ଯୋଗ୤

ଦୁଇଜଣ ଆମେ ବ୍ୟତିକ୍ରମ ଥିଲୁ; ମୁଁ ଓ ମୋର ଏକମାତ୍ର ସନ୍ତାନ ନଚିକେତା୤ ନଚିକେତାକୁ ମୁଁ ବୁଝାଉଥିଲି ଜଣେ ଶିକ୍ଷିତ ଭାରତୀୟର ଜୀବନଦର୍ଶନ୤ ଆମମାନଙ୍କର ନମସ୍କାର ଏହି ପ୍ରପାତ – ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତାବିଶିଷ୍ଟ ଗୋଟିଏ ପ୍ରପାତ ପ୍ରତି ଉଦ୍ଦିଷ୍ଟ ନୁହେଁ୤ ପ୍ରପାତରେ ପ୍ରକାଶିତ ଚିରନ୍ତନ ଯେଉଁ ସୌନ୍ଦର୍ଯ୍ୟ ତା’ରି ପ୍ରତି ଆମେ ସମ୍ମାନ, ଶ୍ରଦ୍ଧା ଓ ଭକ୍ତି ଜଣାଉଛୁ୤ ସକଳ ସୌନ୍ଦର୍ଯ୍ୟର ଆଧାର ଈଶ୍ବର ବହୁ ରୂପରେ – ଉଷାରେ, ସନ୍ଧ୍ୟାରେ, ଅସୀମ ଆକାଶର ନୀଳିମାରେ, ଜ୍ୟୋତିର୍ମୟ ତାରକାପୁଞ୍ଜରେ ପ୍ରକାଶିତ୤ ମନ୍ଦିର, ମସ୍‌ଜିଦ୍‌, ଗିର୍ଜା, ସିନାଗଗ୍‌ – ଏଗୁଡ଼ାକର ସୃଷ୍ଟିରେ ଈଶ୍ବର ନାହାନ୍ତି୤ ଏଗୁଡ଼ାକର ସୃଷ୍ଟି ଯେବେଠୁ ଅସୀମକୁ ସସୀମ, ସୁନ୍ଦରକୁ ଅସୁନ୍ଦର କରିବାର ଚେଷ୍ଟା ସେଇଠୁଁ୤ ଋଷି ପାଇଁ ମନ୍ଦିର ନଥିଲା, ଯିଶୁ ପାଇଁ ଗିର୍ଜା ନଥିଲା କି ମହମ୍ମଦ ପାଇଁ ନଥିଲା ମସ୍‌ଜିଦ୍‌୤

ନଚିକେତା – ତ୍ରୟୋଦଶ ବର୍ଷର ମୋର ସନ୍ତାନ, ମୋ କଥାକୁ ବୁଝିବାକୁ ଚେଷ୍ଟା କରୁଥିଲା୤ ତା’ ମୁଖମଣ୍ଡଳରେ ମୁଁ ଦେବଯାନୀର ଆକୃତି ଦେଖୁଥିଲି୤ ଦେବଯାନୀର ନାକ ପରି ଅବିକଳ, ଦାନ୍ତଗୁଡ଼ାକ ବି ତା’ରି ପରି୤ ଦେବଯାନୀ ମରିଯାଇଚି, କିନ୍ତୁ ସେ ଥିଲାବେଳେ ବି ଠିକ୍‌ ଏହିପରି ବସି ଜୀବନଦର୍ଶନ ମୋର ଶୁଣୁଥିଲା, ମୁଁ କ୍ଳାନ୍ତ ହୋଇ ବନ୍ଦ କରିଦେଲେ କହୁଥିଲା – ଆଜି ଯେଉଁଠି ବନ୍ଦ କରୁଛ, କାଲି ସେହିଠାରୁ ଆରମ୍ଭ କରିବ୤ ଆଜି ତୁମେ ଯାହାସବୁ କହିଲ ସେସବୁ ଉପରେ ମୁଁ ଚିନ୍ତା ବି କରିଥିବି, କାଲି ପଚାରିବି୤ ତୁମର କଥା ଶୁଣିବାକୁ ମୋତେ ଭାରି ଭଲ ଲାଗୁଛି୤

ଦେବଯାନୀ ବୁଦ୍ଧିମତୀ ଥିଲା୤ ତା’ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋତେ ବହୁ ସମୟରେ ଭାବିବାକୁ ପଡ଼ୁଥିଲା୤ ଥରେ ସେ ପଚାରିଥିଲା – ମହୋଦଧିର ସୌନ୍ଦର୍ଯ୍ୟ ଓ ନରନାରୀର ଶରୀର-ସୁଷମା କ’ଣ ଏକ ଜାତୀୟ ? ସେ ତର୍କ କରିଥିଲା ସେ ଦୁଇଟିର ସୌନ୍ଦର୍ଯ୍ୟ ଏକ ଜାତୀୟ ନୁହେଁ ବୋଲି୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୃଷ୍ଣପ୍ରସାଦ ମିଶ୍ର
କୃଷ୍ଣପ୍ରସାଦ ମିଶ୍ର
କ୍ଷୁଦ୍ରତମ ଅନୁଭୂତି ମାଧ୍ୟମରେ ଗୋଟିଏ ବୃହତ୍ତର ଚିନ୍ତାରାଜ୍ୟର ଖୋରାକ ଯୋଗାଇବା ଦିଗରେ କୃଷ୍ଣପ୍ରସାଦ ମିଶ୍ର (୧୯୩୩-୧୯୯୪) ସୁପରିଚିତ୤ ସୂକ୍ଷ୍ମ ମନୋବୃତ୍ତିକୁ ଅଦ୍ଭୂତପୂର୍ବ ଭାବେ ଉପସ୍ଥାପନା କରିବା ତାଙ୍କ ଦୃଷ୍ଟିର ବିଶେଷତ୍ବ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଶ୍ରୀ ମିଶ୍ର ବିଶେଷ କରି ଜଣେ ଗାଳ୍ପିକ ଭାବେ ପରିଚିତ ଥିଲେ୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ‘କ୍ରୀତଦାସର କାବ୍ୟ’, ‘ ନାୟଗ୍ରା ଓ ଦେବଯାନୀ’, ‘ ଚିତ୍ରିତ ଚାଦର’ ଆଦି ଅନ୍ୟତମ୤ ଏହା ବ୍ୟତୀତ ତାଙ୍କ ଲିଖିତ ଉପନ୍ୟାସ ମଧ୍ୟରେ ‘ମୃଗତୃଷ୍ଣା’, ‘ ସିଂହକଟୀ’... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. rasmi parda, odisha |  ଫେବୃଆରୀ ୧୧, ୨୦୧୩ - ୩:୩୭ ପୂର୍ବାହ୍ନ

    Uttama

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤