ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶକ୍ତି ମହାନ୍ତି
ଭଗବତୀ ଚରଣ ପାଣିଗ୍ରାହୀ
ଜଗଦୀଶ ମହାନ୍ତି
କୃଷ୍ଣପ୍ରସାଦ ମିଶ୍ର
ଶୈଳେନ୍ଦ୍ର କୁମାର ଜେନା
ସେନାପତି ପ୍ରଦ୍ୟୁମ୍ନ କେଶରୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାଟର ଗୋବର୍ଦ୍ଧନ
 |- ଭୁବନେଶ୍ବର ବେହେରା
 
 
ତା: ସେପ୍ଟେମ୍ବର୍ ୨୭, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

କୌଣସି ଘଟଣାବଳୀର ଆଢ଼ୁଆଳରେ ଯଦି କାହାରି ହାତ ଛପି ରହିଥିବାର ସନ୍ଦେହ କରାଯାଏ ତେବେ ସେ ଅଦୃଶ୍ୟ ହାତର ଅଧିକାରୀକୁ ସନ୍ଦେହକାରୀମାନେ ‘ନାଟର ଗୋବର୍ଦ୍ଧନ’ ବୋଲି ବର୍ଣ୍ଣନା କରିଥାଆନ୍ତି୤ ନାଟର ଜଣେ ଗୋବର୍ଦ୍ଧନ କାହିଁକି ଦରକାର, ଗୋବର୍ଦ୍ଧନ ଠିକ୍‌ କଣ ସବୁ କରେ, ଆଉ ଏ ନାଁଟି କିଏ କେଉଁଥିପାଇଁ ପ୍ରଥମ କରିଦେଲା, ସେ ସମ୍ବନ୍ଧରେ ବିଶେଷ କିଛି କହି ହେଉନି ତେବେ ଧରି ନିଆଯାଇପାରେ ଯେ, ସିନେମାରେ ଡାଇରେକ୍ଟର ପରି ଏହି ନାଟର ଗୋବର୍ଦ୍ଧନ-ଲୋକଲୋଚନରେ ଅନ୍ତରାଳରେ ରହି ନାଟରେ ଭାଗ ନେଉଥିବା ଖେଳାଳୀମାନଙ୍କ ପାଇଁ ଭିନ୍ନ ଭିନ୍ନ ଚରିତ୍ର ବଣ୍ଟନ କରେ ଓ ସେମାନେ ଠିକ୍‌ କିପରି ଭାବରେ ନାଚିବେ ସେ ବିଷୟରେ ନିର୍ଦ୍ଦେଶ ଦିଏ ୤

ଏହି ‘ନାଟର ଗୋବର୍ଦ୍ଧନ’ ଆଖ୍ୟାଟି ସାଧାରଣତଃ ଭଲ ଅର୍ଥରେ ନିଆ ଯାଉଥିବାର ଶୁଣାଯାଏନି ୤ ‘ନାଟ ଲଗେଇଛି’ ବା ‘ପାଲା ଲଗେଇଛି’ ପରି ବିରକ୍ତି ବ୍ୟଞ୍ଜନ ଇଙ୍ଗିତ ପଛରେ କୌଣସି ଆକ୍ଷେପର ହିଁ ସୂଚନା ମିଳେ୤ ତେଣୁ ଲୋକଚକ୍ଷୁରେ ନାଟର ଗୋବର୍ଦ୍ଧନ ଏକ ଜାତୀୟ ଭିଲେନ୍‌, ଗୋଟିଏ ଖଳ ପ୍ରକୃତିର ନାୟକ୤

ନାଟ କହିଲେ ସାଧାରଣ ଭାବରେ ଦଣ୍ଡନାଟ, ସୁଆଙ୍ଗ, ପାଲା, ଦାସକାଠିଆ ଓ ଅପେରା ପ୍ରଭୃତି ବୁଝା ଯାଉଥିଲେ ହିଁ ଆମ ଭାଷାରେ ଏହି ଶବ୍ଦର ବହୁଳ ପ୍ରୟୋଗ ଦେଖିବାକୁ ମିଳେ୤ ରାଜନୀତିରେ କୁଆଡ଼େ କେହି କେହି ରୀତିମତ ନାଟ ଲଗାଉ ଥାଆନ୍ତି- କଳ କାରଖାନାମାନଙ୍କରେ ଧାରଣା, ଧର୍ମଘଟ ପ୍ରଭୃତି ନାଟ ତାମସା ଲାଗେ ଏବଂ ଅନେକ ସମୟରେ ଛାତ୍ରମାନେ ମଧ୍ୟ ସ୍କୁଲ କଲେଜମାନଙ୍କରେ ନାନା ରକମର ନାଟ ଲଗାଉଥିବା ଶୁଣାଯାଏ୤ ତେଣୁ ଏପରି ପ୍ରତ୍ୟେକ ନାଟରେ ଜଣେ ଲେଖାଏଁ ଗୋବର୍ଦ୍ଧନ ଥିବା ସ୍ବାଭାବିକ କଥା୤

ରାମାୟଣରେ ମନ୍ଥରା ଓ ମହାଭାରତରେ ଶକୁନିକୁ ‘ନାଟର ଗୋବର୍ଦ୍ଧନ’ ବୋଲି ଧରିନିଆଯାଇପାରେ୤
କାହାରି କାହରି ମତରେ ଏ ସଂସାର ଗୋଟିଏ ଖେଳଘର ଓ ସେଥିରେ ପ୍ରତ୍ୟେକ ମଣିଷ ତାର ନିର୍ଦ୍ଦିଷ୍ଟ ଭୂମିକାରେ ଅଭିନୟ କରି ଚାଲିଛି୤ ଏ ‘ଭବରଙ୍ଗ ଭୂମିତଳେ’ କୁଆଡ଼େ ‘କେହି ରହିନାହିଁ’ କିମ୍ବା ‘ରହିବେ ନାହିଁ’ ଆଉ ସମସ୍ତେ ‘ନିଜ ନିଜ ଅଭିନୟ ସାରି’ ଆପଣା ଆପଣା ଘରକୁ ଯଥା ସମୟରେ ବାହୁଡ଼ି ଯିବେ୤ ଏଥିରୁ କେଉଁ ଜଣେ ନଟକୁଟିଆ, ଗୋବର୍ଦ୍ଧନିଆ ଏ ସଂସାରରେ ସବୁ ପାଲା ଲଗେଇଛି ବୋଲି ଭାବିନେବା ସ୍ବାଭାବିକ କଥା୤ କିନ୍ତୁ ଏସବୁ ଭିତରେ ଗୋଟିଏ ଧାରାବାହିକା କ୍ରମାନ୍ବୟତା ଓ ମହାନ୍‌ ଉଦ୍ଦେଶ୍ୟର ସନ୍ଧାନ ପାଇ କେହି କେହି ‘ସଂସାରର ଲୀଳା ଖେଳା ସରିଲା ଆରମ୍ଭ’ ବୋଲି ଘୋଷଣା କରି ‘ମହାଯାତ୍ରା’ ଆରମ୍ଭ କରି ଦେଇଥିବା କଥା ମଧ୍ୟ ଶୁଣାଯାଏ୤ ଏପରି ସ୍ଥଳେ ଏ ଖେଳର ପରିଚାଳକଙ୍କୁ ନାଟର ଗୋବର୍ଦ୍ଧନ ବୋଲି କୁହାଯିବା ଉଚିତ୍‌ ହେବ କି ନାହିଁ ସେ ସମ୍ବନ୍ଧରେ ଭିନ୍ନ ଭିନ୍ନ ମତ ପୋଷଣ କରାଯାଇପାରେ୤ କିନ୍ତୁ ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ଜୀବନ ମୁଖ୍ୟତଃ ଗୋଟିଏ ଲେଖାଏଁ ନାଟ ହୋଇଥିବାରୁ ପ୍ରତ୍ୟେକ ମଣିଷ ଭିତରେ ଯେ ଜଣେ ଗୋବର୍ଦ୍ଧନ ଲୁଚି ରହିଛି ଏଥିରେ ସନ୍ଦେହ ନାହିଁ୤

ଜାଣିଲା ଲୋକ କହନ୍ତି ଯେ, ମଣିଷର ମନ ତାକୁ ଯେମିତି ନଚାଏ ସେ ବାଧ୍ୟ ହୋଇ ସେପରି ନାଚେ୤ ତେଣୁ ଏହି ମନକୁ ଗୋଟିଏ ନାଟର ଗୋବର୍ଦ୍ଧନ ବୋଲି ନିଃସନ୍ଦେହରେ କୁହାଯାଇପାରେ୤

ସ୍କୁଲରେ ଛାତ୍ର ବାପା ମା’ଙ୍କ କଥା ମାନି ପଢ଼ିବାକୁ ଚାହୁଁଥିଲେ ମଧ୍ୟ କ୍ଲାସ୍‌ ରୁମ୍‌ରେ ଶିକ୍ଷକ ଯେତେବେଳେ କିଛି ପଢ଼ାଉଥାନ୍ତି ଆଖି ବ୍ଲାକ୍‌ ବୋର୍ଡ଼କୁ ଅନାଇ ଥିଲେ ହେଁ ମନଯାଇ କେଉଁ ତେନ୍ତୁଳି ଗଛ, କଇଥ କିମ୍ବା ଆମ୍ବଗଛ ଚଢ଼ି ସାରିଥାଏ୤ ଶିକ୍ଷକଙ୍କ ବକ୍ତୃତା ଆଡ଼କୁ କାନେଇ ରହିଲେ ବି ମନ ନିଜେ ପେଁକାଳି ବଜାଇବାକୁ ଆରମ୍ଭ କରେ୤ କଲେଜରେ ସେମିତି ବ୍ଲାକ୍‌ବୋର୍ଡ଼ରେ ବିଜ୍ଞାନର କୌଣସି ଫର୍ମୁଲା ଦେଖୁଁ ଦେଖୁଁ ମନ ସେହି ଫର୍ମୁଲା ଉପରେ କୌଣସି ଚିତ୍ର ତାରକାର ମୁହଁ ଆଙ୍କିଦିଏ ନ ହେଲେ ହଠାତ୍‌ ବ୍ରେବେର୍ଣ୍ଣ ଷ୍ଟେଡ଼ିୟମ୍‌ କିମ୍ବା ଫିରୋଜ ସାହା କୋଟ୍‌ଲା ଗ୍ରାଉଣ୍ଡର କ୍ରିକେଟ ଫିଲ୍‌ଡ଼ରେ ପହଞ୍ଚିଯାଇ ନିଜେ ନିଜେ ବ୍ୟାଟିଂ ଆରମ୍ଭ କରିଦିଏ, କିମ୍ବା ଠିକ୍‌ ବହି ଖୋଲି ପଢ଼ି ବସିଲା ବେଳକୁ ସମାଜବାଦୀ ଜୀବନର ଆଦର୍ଶକୁ ବୃଦ୍ଧାଙ୍ଗୁଷ୍ଠ ଦେଖାଇ ଏହି ମନ ସୁନେଲି ସ୍ବପ୍ନରେ ମଣି ମୁକୁତାର ମୁକୁଟ ପିନ୍ଧାଇ ହାତୀର ସୁନା-ହାଉଦାରେ ବସାଏ ଆଉ ସ୍ବପ୍ନପୁରୀର ରାଜକନ୍ୟା ପାଖକୁ ‘ବରାତ୍‌’ ପ୍ରଶେସନ୍‌ ଆରମ୍ଭ କରିଦିଏ୤ ବୟସ ଯେମିତି ଗଡ଼ି ଗଡ଼ି ଯାଏ, ପଇସାଟିଏ ବେଙ୍କ୍‌ ବେଲେନ୍ସ ନଥିଲେ ମଧ୍ୟ ଖପରେଲି ଘରେ ରହୁଥିବା ପୌଢ଼ ଶିକ୍ଷକର ମନ ବିରାଟ ପ୍ରସାଦ ରଚିବାକୁ ଆରମ୍ଭ କରେ୤

ମଣିଷ ବୁଝେ ଯେ ଏହି ଶୟତାନ ମନକୁ ଆକଟ ନକଲେ ତାର ମଙ୍ଗଳ ନାହିଁ-ତେବେ ବି ସେ ନିରୁପାୟ ହୋଇଯାଏ୤ ମନକୁ ମଣ କରିବା କେତେ କଷ୍ଟ ସେ ସମ୍ବନ୍ଧରେ ଏଠାରେ ଗୋଟିଏ ଗଳ୍ପର ଅବତାରଣା କରାଯାଇପାରେ୤

ରାଜାଙ୍କ କିଛି ଅଭାବ ନଥିଲା- ବିଶାଳ ସାମ୍ରାଜ୍ୟ କୋଷାଗାର ଧନରତ୍ନରେ ଭରପୁର୤ ପୁଅ ଝିଅ, ହାତୀ ଘୋଡ଼ା, ସୈନ୍ୟ ସାମନ୍ତ, କେଉଁଥିରେ ଅଭାବ ନାହିଁ୤ ତେବେ ବି ରାଜାଙ୍କର ଗୋଟିଏ ବଡ଼ ଦୁଃଖ- ମୁଣ୍ଡରୁ ବାଳ ଉପୁଡ଼ି ଉପୁଡ଼ି ତାଳୁ ଉପରେ ଦେଖା ଦେଇଥିବା ‘ଠ’ ଟି ଧୀରେ ଧୀରେ ବଡ଼ ହେବାରେ ଲାଗିଥାଏ ଓ ଭୟ ହେଉଥାଏ ଯେ ବାଳ ଉପୁଡ଼ିବା ବନ୍ଦ ନହେଲେ ଓ ନୂଆବାଳ ନ ଗଜୁରିଲେ ସେ ଦିନେ ପୂରାପୂରି ଚନ୍ଦା ହୋଇଯିବେ୤

ରାଜ୍ୟର ବଡ଼ ବଡ଼ ଡାକ୍ତର, କବିରାଜ, ହାକିମ ସମସ୍ତେ ତାଙ୍କର ସବୁ ଉପାୟ ଶେଷ କରି ସାରିଥିଲେ୤ ଯବା କୁସୁମ, ଅଁଳା ଆଉ କେତେ ଫୁଲ ଫଳ ରସରୁ ତିଆରି ହୋଇଥିବା ତୈଳ ସବୁ କିଛି କାମ ଦେଖାଇ ପାରିଲାନି୤ କେଡ଼େ କେଡ଼େ ଭୃଙ୍ଗରାଜ, ନାରାୟଣ, ମହା ନାରାୟଣ ତୈଳ ସବୁ ଫେଲ୍‌ ମାରିଗଲେ୤ ବୃହତ୍‌ ଛାଗଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନାନା ଜାତୀୟ ଘୃତ ଆଉ କେତେ କେତେ ସାଲସା ମଧ୍ୟ କାମଦେଲାନି୤ ବରଂ ମୁଣ୍ଡ ଧୀରେ ଧୀରେ ଚକ୍‌ ଚକ୍‌ କରିବାକୁ ଆରମ୍ଭ କଲା୤ ରାଜାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା ଓ ସେ ରାଗରେ ଘୋଷଣା କଲେ ଯେ ଯଦି ମାସେ ଭିତରେ ତାଙ୍କର ଚନ୍ଦା ମୁଣ୍ଡରେ ବାଳ ନ ଉଠେ ତେବେ ରାଜ୍ୟର ସବୁ ଡାକ୍ତରଙ୍କ ମୁଣ୍ଡ କାଟ ହେବ୤

ଡାକ୍ତରମାନଙ୍କ ଭିତରେ ଭାଳେଣି ପଡ଼ିଗଲା ଏବଂ ଅନେକ ଆସନ୍ନ ବିପଦର ଆଶଙ୍କାରେ ଖାଇବା ପିଇବା ମଧ୍ୟ ଛାଡ଼ିଦେଲେ୤ ଜଣେ ଖୁସ୍‌ ମିଜାଜ ଓ ବେ’ପରବାଏ ଡାକ୍ତର କିନ୍ତୁ ରାଜାଙ୍କର ଏ ଚ୍ୟାଲେଞ୍ଜ ଗ୍ରହଣ କରି ଯଥା ସମୟରେ ଗୋଟିଏ ଶୁଭଦିନ ଓ ଶୁଭ ମୁହୂର୍ତ୍ତରେ ତାଙ୍କ ମହୌଷଧି ବାକ୍ସ ଧରି ରାଜାଙ୍କ ପାଖରେ ପହଞ୍ଚିଗଲେ୤ ବାକ୍ସ ଭିତରେ ନାନା ରଙ୍ଗର ଓ ନାନା ଢ଼ଙ୍ଗର ତୈଳ ଶିଶି ସବୁଥାଏ ୤ ଡାକ୍ତର ମହାଶୟ ରାଜାଙ୍କର ଚନ୍ଦାମୁଣ୍ଡ ତନ୍ନ ତନ୍ନ କରି ପରୀକ୍ଷା କଲେ କିମ୍ବା ଚୌଡ଼ା ମାପିଲେ, ମସୃଣତା ପରୀକ୍ଷା କଲେ-ରାଜାଙ୍କ ମୁଣ୍ଡରେ ନିଜ ପ୍ରତିବିମ୍ବ ଦିଶୁଛି ନା ନାହିଁ ପରଖି ନେଲେ-ଆଉ ଗମ୍ଭୀର ଭାବରେ ମୁଣ୍ଡ ଟୁଙ୍ଗାରି ଘୋଷଣା କଲେ ଯେ ୨୨ ଦିନରେ ରାଜାଙ୍କ ମୁଣ୍ଡରେ ଯେତେବାଳ ବାହାରିବ ସେଥିରୁ ଖଣ୍ଡିଏ ଗାଲିଚା ତିଆରି ହୋଇ ପାରିବ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଭୁବନେଶ୍ବର ବେହେରା
ଭୁବନେଶ୍ବର ବେହେରା
ଏକାଧାରରେ ଜଣେ ଖ୍ୟାତନାମା ଇଞ୍ଜିନିୟର୍‌, ସାହିତ୍ୟିକ, ଶିକ୍ଷାବିତ୍‌ ଓ ପ୍ରଶାସକ ଭାବେ ଭୁବନେଶ୍ବର ବେହେରା (୧୯୧୬-୨୦୦୧) ଏକ ପ୍ରତିଷ୍ଠିତ ନାମ୤ ରାଉରକେଲା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସହିତ ଏକାଧିକ କାର୍ଯ୍ୟରେ ଶ୍ରୀ ବେହେରା ପ୍ରଥମ ବ୍ୟକ୍ତି ଭାବେ ପରିଗଣିତ ହୋଇଥିଲେ୤ ସେହିପରି ହିରାକୁଦ ବନ୍ଧ ନିର୍ମାଣରେ ଜଣେ ପ୍ରମୁଖ ଇଞ୍ଜିନିୟର୍‌ ସହିତ ଓଡ଼ିଶାର ପ୍ରଥମ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟଭାବେ ବୁର୍ଲାଠାରେ ୟୁନିଭର୍‌ସିଟି କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ସ୍ଥାପନା କରିବାରେ ସେ ଥିଲେ ପ୍ରମୁଖ ବ୍ୟକ୍ତି୤ ବିଶେଷ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. akshaya kumar rout |  ସେପ୍ଟେମ୍ବର୍ ୨୭, ୨୦୧୨ - ୫:୩୨ ପୂର୍ବାହ୍ନ

    bhala hoechhi galpati

  • ୨. ରଶ୍ମି ରଞ୍ଜନ ପରିଡା, ତାଳଚେର ଓଡିଶା |  ଅକ୍ଟୋବର୍ ୧୦, ୨୦୧୨ - ୮:୨୭ ପୂର୍ବାହ୍ନ

    ବହୁତ ଖୁସି ଲାଗିଲା ୤ କିନ୍ତୁ ଆପଣ ଡକ୍ଟର ବେହେରାଙ୍କ ବିଷୟରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କିଛିଟା ତ୍ରୁଟି ଅଛି ୤
    ତାଙ୍କର ଆତ୍ମଜୀବନୀ ମୂଳକ ପୁସ୍ତକ ହେଉଛି “ଗାଁର ଡାକ” ୤
    ଅନ୍ୟ ଗୋଟିଏ ପୁସ୍ତକ ହେଉଛି “ପଶ୍ଚିମ ଆଫ୍ରିକାରେ ଓଡିଆ ଢିଙ୍କି” , “ପଶ୍ଚିମ ଓଡ଼ିଶାରେ ଓଡିଆ ଢିଙ୍କି” ନୁହଁ ୤
    ସାର୍ ମଧ୍ୟ ୟୁନିଭର୍ସିଟି କଲେଜ ଅଫ୍ ଇଂଜିନିୟରିଂ ବୁର୍ଲା ର ପ୍ରାଣ ପ୍ରତିଷ୍ଠାତା ଏବଂ ତାହାର ଦ୍ବିତୀୟ ଅଧ୍ୟକ୍ଷ ଅଟନ୍ତି ୤
    ହୀରାକୁଦ ବନ୍ଧ ସ୍ଥାପନା ରେ ତାଙ୍କର ବହୁତ ଅବଦାନ ଅଛି ୤
    ବୁର୍ଲା ଇଂଜିନିୟରିଂ କଲେଜରୁ ବିଦାୟ ନେଇ ସାର୍ ରାଉରକେଲା ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ, ତାପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁ ଆଜିର ସ୍ଥାନରେ ପ୍ରତିଷ୍ଠା କରାଇଥିଲେ ୤

  • ୩. ଡ. ଗଣେଶ ପ୍ରସାଦ ସାହୁ, କେନ୍ଦ୍ରୀୟ୍ ବିଶ୍ବ୍ ବିଦ୍ୟାଳୟ୍ କୋରାପୁଟ |  ମାର୍ଚ୍ଚ୍ ୧୫, ୨୦୧୩ - ୧୨:୦୯ ପୂର୍ବାହ୍ନ

    ଏ ଆଲୋଚନାର ଧାରା ଆମ ପ୍ରଦେଶ ନିମନ୍ତେ ଭଲ..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤