ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମୃଣାଳ
ବ୍ରଜନାଥ ରଥ
ରମାକାନ୍ତ ରଥ
କନକଲତା ସାହୁ
ବରେନ୍ଦ୍ର କୃଷ୍ଣ ଧଳ
ଫନି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୁଣ୍ଡି ସାହାଡ଼ା
 |- କାହ୍ନୁଚରଣ ମହାନ୍ତି
 
 
ତା: ଅକ୍ଟୋବର୍ ୨୯, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି୤ ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର୤ ତେଣିକି ଗାଁ ଦାଣ୍ଡ୤ ଛୋଟ ଗାଁଟିର ନାମ ବିକ୍ରମପୁର୤ ବାହୁଦା ନଈର କୂଳରେ୤ ଗାଁ ମଝିରେ ମାନ୍ଦ୍ରାଜ ଓ ଓଡ଼ିଶାର ସୀମା୤ ଇଚ୍ଛାପୁରକୁ ବାଟ ତିନି କୋଶ ହେବ କି ନାହିଁ?

ରାଜନୀତି ସେ ବୁଝେ ନାହିଁ୤ ଇଚ୍ଛାପୁର କି ବିଜୟନଗର ଓଡ଼ିଶାରେ ମିଶିବା ଉଚିତ୍‌ କି ନୁହେଁ, ବ୍ରହ୍ମପୁର କି କଟକ ଆନ୍ଧ୍ର ପ୍ରଦେଶରେ ମିଶିବି କି ନାହିଁ ସେ କଥା ସେ କେବେ ବିଚାର କରି ନାହିଁ୤ ସେ ଜାଣେ, ସେ ଇଚ୍ଛାପୁରର ଝିଅ, ବିକ୍ରମପୁରର ବୋହୂ୤ ଇଚ୍ଛାପୁର ତା’ର ଜନ୍ମଭୂମି୤ ବିକ୍ରମପୁର ତା’ର କର୍ମଭୂମି୤ ପୂରା ପଚିଶଟି ବର୍ଷ କଟିଗଲା୤ ଘର ଆଗରେ ରାସ୍ତା କଡ଼ରେ ଯେଉଁ ମୁଣ୍ଡି ସାହାଡ଼ା ଗଛ, ସେଇ ତା’ର ସାକ୍ଷୀ୤ ବାହୁଦା ନଈର ବାଲି, ନଈ ସେପାରି ପାହାଡ଼ ଧାଡ଼ି, ଆଉ ଶେଷକୁ ତା’ର ଆଖି ଦୁଇଟା-ଏମାନେ ବି ତା’ର ସାକ୍ଷୀ୤

ଚଷାଘରର ଝିଅ୤ ବୋହୂ ହୋଇ ଯେତେବେଳେ ପନ୍ଦର ବର୍ଷର ଝିଅ ବିକ୍ରମପୁରରେ ଗୋଡ଼ ଦେଲା, ସେତେବେଳେ ଗାଁ ମଝିରେ ତା’ର ଦରଭଙ୍ଗା କୁଡ଼ିଆ ନଥିଲା୤ ଶାଶୁ ଶଶୁର, ଗେରସ୍ତ ଦିଅର ନଣନ୍ଦ ସମସ୍ତେ ଥିଲେ୤ ହଳ, ବଳଦ, ଗାଈ ମଇଁଷି, ଛେଳି, କୁକୁର ସମସ୍ତେ ସେ ଘରେ ଆଶ୍ରା ନେଇଥିଲେ୤ ଜମି ବାଡ଼ି ଧାନ ଅମାର୤

ରାଧାକୁ ଦେଖି ସମସ୍ତେ ଭାରି ଖୁସି ହୋଇଥିଲେ୤ ତା’ର ରୂପରେ କିଛି ବିଶେଷତ୍ବ ନ ଥିଲା, ଢଙ୍ଗରେ ବି୤ ଶ୍ୟାମଳ ବର୍ଣ୍ଣ- ପୁରପଲ୍ଲୀର ଶହ ଶହ ଝିଅ ବୋହୂଙ୍କ ପରି ସ୍ବାସ୍ଥ୍ୟଟି ଭଲ୤ ଘରକାମ କରିବାରେ ନିପୁଣ୤ କ୍ଲାନ୍ତି ଜାଣେ ନାହିଁ୤ ଖିଆ ପିଆରେ ଆପତ୍ତି ଓଜର ନ ଥାଏ୤ ଘରର ବୋହୂ, ପେଜ ପାଣି ଯାହା ମିଳେ ଖାଇଦେଇ ସମସ୍ତଙ୍କ ସଙ୍ଗେ ଯୋଗ ଦେଇ କାମ କରେ- ଘରର ମଙ୍ଗଳ ପାଇଁ୤

ଘର ଆଗରେ ସେ ଯେଉଁ ମୁଣ୍ଡି ସାହାଡ଼ା- ବଢ଼େ ନାହିଁ କି ଛିଡ଼େ ନାହିଁ୤ ପୁରୁଷେ ଉଞ୍ଚା ଝଙ୍କାଳିଆ୤ ଟିକି ଟିକି ପତର୤ ତା’ରି ଗଣ୍ଡିର ଗୋଟିଏ ଜାଗାରେ ସିନ୍ଦୂର ଲାଗିଛି୤ ସେଇ ଗଛରେ ଠାକୁରାଣୀ ଆଶ୍ରା କରିଛନ୍ତି୤ ଗଛ ପଛକୁ ତିନି ଶାଖିଆ ହୁଙ୍କା୤ ଛଅ ମାସ ସେ ବଢ଼ି ବଢ଼ି ଉପରକୁ ଉଠେ୤ ମୁଣ୍ଡି-ସାହାଡ଼ାର ମଥା ଛୁଏଁ୤ ବର୍ଷା କାଳରେ ପୁଣି ଛିଡ଼ି ଛିଡ଼ି ଯାଏ୤ ମୁଣ୍ଡି ସାହାଡ଼ର ଅଧାଯାଏ ଖସି ଆସେ୤ ହୁଙ୍କା ମୂଳରେ ଗାଡ଼୤ ବେଳେ ବେଳେ ନାଗସାପ ବାହାରି ଠାକୁରାଣୀଙ୍କୁ ପ୍ରଦକ୍ଷିଣ କରେ୤ ପୁଣି ଗାଡ଼ରେ ପଶେ୤

ବାସୁକିର ପ୍ର-ପଣ-ନାତି ସେ୤ ଶିବଙ୍କର ପଇତା୤ ମୁଣ୍ଡିସାହାଡ଼ାରେ ହରପ୍ରିୟା ଠାକୁରାଣୀ କି ତାଙ୍କର କେଉଁ ପୋଇଲି-ପରିବାରର ଅଂଶ ବିରାଜମାନ୤ ତାଙ୍କର ଦେହ-ରକ୍ଷୀ ରୂପେ ଶିବଙ୍କ ନାଗର ଚାକର ବାକର କେଉଁ ହରିଜନ-ନାଗ ପିଲାର ନାତି-ପଣନାତି ନାଗ ବଚ୍ଚା ଠାକୁରାଣୀଙ୍କୁ ଜଗି ରହିଛି୤ ପଛରେ ପୁଣି କୈଳାସପର୍ବତର ନମୂନା୤

ରାଧା ଯେଉଁଦିନ ବୋହୂ ହୋଇ ଆସିଥିଲା, ମୁଣ୍ଡି-ସାହାଡ଼ାକୁ ପ୍ରଣାମ କରିଥିଲା୤ ଠାକୁରାଣୀଙ୍କ ପାଖରେ ପୂଜା, ବାଜା, ଭୋଗରାଗ ମଧ୍ୟ ହୋଇଥିଲା୤ ପଚିଶ ବର୍ଷ କାଳ ସେ ଏଇଆ ଦେଖି ଆସିଛି୤ ଭଲ ମନ୍ଦ ସବୁ କାମରେ୤ ହିସାବ କଲେ ଜଣା ପଡ଼ିବ-କେତେ ଛେଳି, ମେଣ୍ଢା, କୁକୁଡ଼ାର ରକ୍ତ ମୁଣ୍ଡି-ସାହାଡ଼ା ତଳେ ଢଳା ହୋଇଛି୤ ଠାକୁରାଣୀଙ୍କୁ ସନ୍ତୋଷ କରା ହୋଇଚି୤ ଗଛରେ ଯେତେ ପତର ସେତିକି ଆତ୍ମା ସେଥିରେ ଆଶ୍ରା ନେଇଛନ୍ତି୤ ସମସ୍ତେ କଲ୍ୟାଣ କରୁଛନ୍ତି-ବିକ୍ରମପୁରର ମଙ୍ଗଳ ହେଉ୤

କାହାର କ’ଣ ମଙ୍ଗଳ ହୋଇଛି କି ନାହିଁ; ରାଧିର ମଙ୍ଗଳ ତା’ର ଖଣ୍ଡିଆ କୁଡ଼ିଆରୁ ଜଣାଯାଏ୤ ମୁଣ୍ଡରେ କେରା କେରା ବାଳ ପାଚିଲାଣି୤ ଦାନ୍ତ କେତୋଟି ହଲିଲାଣି୤ ଦେହ ହେଲାଣି ପଥୁରିଆ୤ ମନ ହେଲାଣି ଟାଣ-ଠିକ୍‌ ଯେମିତି ନଈ ସେପାରୀ ପାହାଡ଼ ଉପରର ପଥର୤ ଜୀବନଟା ଏଇ ବାହୁଦା ନଈର ରୁକ୍ଷ ବାଲି ପନ୍ତାର ପରି ନିରସ, ଅନୁର୍ବର, ଅନାବଶ୍ୟକ୤

ପଚିଶି ବର୍ଷର ଇତିହାସ-ଆଜି ରାଧିକୁ କରିଛି ମୂଲିଆଣୀ୤ ସେ ବି ହୋଇଛି ଠିକ୍‌ ଏଇ ମୁଣ୍ଡି-ସାହାଡ଼ା ପରି୤ ଦୁଇ କୂଳରେ ତା’ର ଆଉ କେହି ନାହିଁ୤ ସବୁ ସେ ସହିଛି୤ ତଥାପି ସେ ବଞ୍ଚିଛି୤ ବଞ୍ଚିବା ପାଇଁ ମୁଲ ଲାଗୁଛି୤ ଭବିଷ୍ୟତ ପାଇଁ ପୁଣି ସଞ୍ଚି ରଖୁଛି୤ ଭବିଷ୍ୟତ୤ ଆହୁରି ତହିଁରେ ଆସ୍ଥା୤

ପଚିଶ ବର୍ଷର କରୁଣ ଇତିହାସ୤ ସମସ୍ତେ ତା’ର ମରି ହଜିଗଲେ୤ ଗୋଟିକ ପରେ ଗୋଟିଏ୤ ଠାକୁରାଣୀଙ୍କୁ ସନ୍ତୋଷ କରିବାକୁ ଜଣକର ମରଣ ପରେ ସେଇ ମୁଣ୍ଡି-ସାହାଡ଼ା ତଳେ ବୋଦା ରକ୍ତ ଢାଳିଛି୤ କାକୁତି ମିନତି ହୋଇ ଆଖିର ଲୁହ ନିଗାଡ଼ିଛି୤ ତଥାପି ଦେବତା ଶୁଣିନାହିଁ୤ କିଏ ଆଗରେ ଗଲା୤ କିଏ କାହା ପଛରେ୤ କ’ଣ ହୋଇଥିଲା, କାହିଁରେ ଗଲେ, ଏସବୁ ବର୍ଣ୍ଣନା କରି ଲାଭ ନାହିଁ୤ ସମସ୍ତେ ଗଲେ୤ ଦଶବର୍ଷ ତଳେ ସେଇ ଅଲକ୍ଷଣୀ୤ ଘରେ ରହିଗଲେ ଦିଓଟି ବିଧବା-ରାଧା ଓ ତା’ର ଜା’ ମୋତି ସତର ବର୍ଷର ଟୋକୀ୤

ସେଇ ବର୍ଷ ବିକ୍ରମପୁରରେ ଲାଗିଲା ନିଆଁ୤ ଅନେକ ଘର ପୋଡ଼ି ଜଳି ପାଉଁଶ ହେଲା୤ ରାଧିର ଘର ବି୤ ସମସ୍ତେ ଭଲ ଘର ତୋଳିଲେ୤ ରାଧି ତୋଳିଲା ଦୁଇବଖରା କୁଡ଼ିଆ୤ ବଡ଼ଘର ତା’ର ହେବ କ’ଣ ? କିଏ ଭୋଗ କରିବେ ? ଶଶୁର ଇପାରି କୃଷ୍ଣମୂର୍ତ୍ତ କୁମୁଟି ଠାରୁ କରଜ ଆଣି ଦୁଇ ପୁଅଙ୍କର ବାହାଘର କରିଥିଲେ୤ ଗେରସ୍ତ ଓ ଦିଅର ବିଶି ପାତ୍ରଠାରୁ କରଜ ଆଣି ବାପ ମା’ଙ୍କର ଶୁଦ୍ଧି ଓ ଭଉଣୀର ବାହାଘର କଲେ୤ ସ୍ବାମୀ ଓ ଦିଅରଙ୍କର ଚିକିତ୍ସା ପାଇଁ ଓ ପୁଣି ପ୍ରେତ କ୍ରିୟା ପାଇଁ ରାମ ପଟ୍ଟନାୟକ ଘରେ କାଗଜ ସନ୍ତକ କରି ରାଧି ଓ ମୋତି ଟଙ୍କା ଆଣିଥିଲେ୤

କୁମୁଟି, ବ୍ରାହ୍ମଣ ଓ କରଣ ତିନିହେଁ ବିଚାର କରି ରାଧି ମୋତିଙ୍କର ସମ୍ପତ୍ତି ବାଡ଼ି ବଣ୍ଟାବଣ୍ଟି କରି ନେଲେ୤ ଖାଲି ଘର ଡିହ ଓ ଏଇ ଦରଭଙ୍ଗା କୁଡ଼ିଆ ଖଣ୍ଡ ଛାଡ଼ି ଦେଲେ୤ ଭବିଷ୍ୟତରେ ନେବେ ବୋଲି ଆଶା ଥାଏ୤ ସବୁ ଦଶବରଷ ତଳର ଘଟଣା୤

ଦିନେ ରାତିରେ-
ସେଇ କୁଡ଼ିଆ ଘରେ୤ ମୋତିର ମୁଣ୍ଡକୁ କୋଳରେ ପୁରେଇ ରାଧା ଶୋଇ ସପନ ଦେଖୁଛି୤ ସବୁ ଦୁଃଖର ସପନ୤ ଅଙ୍ଗେ ନିଭେଇଲା କଥା୤ ନିଦ ଭାଙ୍ଗିଲା୤ ଆଖିରୁ ଗଡ଼ି ଆସୁଥିବା ଲୁହ ପୋଛିଲା୤ ଅନ୍ଧାରରେ ମୋତିର ମୁଣ୍ଡ ଆଉଁଷିଲା୤

ମୋତିର ନିଦ ଭାଙ୍ଗିଲା୤ ପଚାରିଲା, କ’ଣ ଅପା ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାହ୍ନୁଚରଣ ମହାନ୍ତି
କାହ୍ନୁଚରଣ ମହାନ୍ତି
କାହ୍ନୁଚରଣ ମହାନ୍ତିଙ୍କୁ(୧୯୦୬-୧୯୯୪) ଓଡ଼ିଆ ଉପନ୍ୟାସ ସାହିତ୍ୟର ଜନକ ବୋଲି ବିଚାର କରାଯାଏ୤ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରୁ ସେ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ଲେଖା ଆରମ୍ଭ କରି ୮୦ ଦଶକର ଶେଷ ପର୍ଯ୍ୟନ୍ତ ଲେଖନୀ ଚାଳନା ଜାରି ରଖିଥିଲେ୤ ତାଙ୍କର ଅନେକ ଲେଖା ମୁଖ୍ୟତଃ ସେତେବେଳର ଉପକୂଳ ଓଡ଼ିଶାର ମଧ୍ୟବିତ୍ତ ପରିବାରର ସାମାଜିକ ଜୀବନ ଉପରେ ଆଧାରିତ୤ ବୋଧହୁଏ ସେ ହେଉଛନ୍ତି ଏକମାତ୍ର ସାହିତ୍ୟିକ ଯାହାଙ୍କ ଲେଖାଗୁଡ଼ିକୁ ନେଇ ସର୍ବାଧିକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି୤ ସେ ତାଙ୍କ ସମୟର ଜଣେ ପରିଚିତ ଏବଂ... [ କ୍ରମେ ସବିଶେଷ ]
କାହ୍ନୁଚରଣ ମହାନ୍ତିଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤