ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କିଶୋରୀକିଙ୍କର ଦାସ
କାହ୍ନୁଚରଣ ମହାନ୍ତି
ଦିଲ୍ଲୀପ ଦାସ
ଗୋଦାବରିଶ ମିଶ୍ର
ବୈକୁଣ୍ଠନାଥ ପଟ୍ଟନାୟକ
ଶକ୍ତି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୋ ଘର ଶ୍ରୀଜଙ୍ଗ
 |- ଡ.ହରେକୃଷ୍ଣ ମହତାବ
 
 
ତା: ଅଗଷ୍ଟ୍ ୩୧, ୨୦୧୩  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ହରିମୋହନଙ୍କ ମଟରକାର୍‌ ସେକ୍ରେଟାରୀଏଟ୍‌ ଫାଟକରେ ପହଞ୍ଚିବା ମାତ୍ରେ ଦୁଇଆଡ଼ୁ ଦୁଇଦଳ ବିକ୍ଷୋଭକାରୀ ଗାଡ଼ିକୁ ଘେରିଗଲେ୤ ଗୋଟିଏ ଦଳ ହେଉଛି ଶିକ୍ଷକମାନଙ୍କର, ଅନ୍ୟ ଦଳଟି ହେଉଛି ଅଣଗେଜେଟେଡ଼୍‌ କର୍ମଚାରୀମାନଙ୍କର୤ ପାଟିଗୋଳ ଭିତରେ କିଏ ଯେ କ’ଣ କହୁଛି ବା କାହାର କି ଅଭିଯୋଗ, ମନ୍ତ୍ରୀଙ୍କ ପାଖରୁ କିଏ କ’ଣ ଆଶା କରୁଛି କିଛି ଜଣାପଡ଼ୁ ନ ଥାଏ୤ ସାହସ କରି ହରିମୋହନ ଗାଡ଼ିରୁ ଓହ୍ଲାଇ କାହାର କ’ଣ କହିବାକୁ ଅଛି ପଚାରିବାକୁ ଚେଷ୍ଟା କଲେ୤ ଭିଡ଼ ଭିତରେ ତ କୌଣସି ଲୋକ ଚିନ୍ତା କରି କାର୍ଯ୍ୟ କରୁ ନଥାଏ୤ ପାଟିତୁଣ୍ଡ କରୁ କରୁ ଠେଲାପେଲା ଆରମ୍ଭ ହୋଇଗଲା୤ ଠେଲାପେଲା ଭିତରେ ହରିମୋହନଙ୍କ କୁରୁତା ମଧ୍ୟ ଚିରିଗଲା୤ ଶେଷରେ ଲାଠିଧାରୀ ପୋଲିସ୍‌ ଆସି ମୃଦୁ ଲାଠି ଚାଳନା କରି ଭିଡ଼ ଭାଙ୍ଗିଦେଲେ୤ ହରିମୋହନ ସେକ୍ରେଟାରୀଏଟ୍‌ ଭିତରକୁ ଗଲେ୤ ତାଙ୍କର ସ୍ନାୟୁ ଦୁର୍ବଳ ହୋଇ ଯାଇଥାଏ୤ ଗୋଡ଼ ଠିକ୍‌ ଭାବରେ ପଡ଼ୁ ନ ଥାଏ୤ ଏପରି ଭିଡ଼ରେ ପଡ଼ିଯିବେ ବୋଲି ସେ ଭାବି ନ ଥିଲେ୤ ନିଜ ଅଫିସ୍‌ରେ କିଛି ସମୟ ଚୁପ୍‌ ହୋଇ ବସି ରହିଲେ୤ ଘରୁ ଆଉ ଗୋଟିଏ କୁରୁତା ଅଣାଇ ନେଲେ୤ କେତେକ ଅଫିସର୍‌ ଦେଖା କରିବାକୁ ଚାହିଁବାରୁ ସେ ମନା କରିଦେଲେ ଏବଂ ପରେ ଆସିବା ପାଇଁ କହିଲେ୤ ତେଣେ ଯେ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ମିଳନୀରେ ସଭାପତିତ୍ବ କରିବାକୁ ହେବ ସେ ଭୁଲିଗଲେ୤

ପ୍ରାୟ ଘଣ୍ଟାକ ପରେ ତାଙ୍କ ପି.ଏ. ଭୟେ ଭୟେ ଆଗ କବାଟ ଫାଙ୍କରେ ଚାହିଁ ଧୀରେ ଧୀରେ କବାଟ ଖୋଲି ଘର ଭିତରକୁ ଆସି ଏକ ସ୍ଲିପ୍‌ ଆଗରେ ରଖିଦେଲେ୤ ସେତେବେଳ ପର୍ଯ୍ୟନ୍ତ ହରିମୋହନ ନିରବ, ନିସ୍ତବ୍ଧ, ଅନ୍ୟମନସ୍କ ହୋଇ ବସିଥା’ନ୍ତି୤ ହରିମୋହନ ସ୍ଲିପ୍‌କୁ ଉଠାଇ ଦେଖିଲେ ସମ୍ମିଳନୀକୁ ଯିବାକୁ ହେବ, ସେଠାରେ ଲୋକ ଅସ୍ଥିର ହେଲେଣି୤ ହରିମୋହନ ପି.ଏ.ଙ୍କୁ ପଚାରିଲେ, ‘ବାହାରେ ଭିଡ଼ ଭାଙ୍ଗିଲାଣି?’ ‘ହଁ, କେ କୁଅଡ଼େ ପଳାଇ ଗଲେଣି, ପୋଲିସ୍‌ ଅଛନ୍ତି୤’ ଏତେକ ଶୁଣି ହରିମୋହନ ଉଠିଲେ ସମ୍ମିଳନୀରେ ଯୋଗଦେବା ପାଇଁ୤ ଭାବିଥିଲେ ଦଶ ପନ୍ଦର ମିନିଟ୍‌ ଭାଷଣ ଦେଇ ସେ ଚାଲି ଆସିବେ; କିନ୍ତୁ ତାହା ହେଲା ନାହିଁ୤ ସେତେବେଳକୁ ସମ୍ମିଳନୀରେ ରାଷ୍ଟ୍ର ହୋଇଗଲାଣି ଯେ ସେକ୍ରେଟାରୀଏଟ୍‌ ସାମନାରେ ହରିମୋହନଙ୍କୁ ମାଡ଼ ହୋଇଛି, ସେ ଆସିବେ କି ନା ସନ୍ଦେହ୤ ଏ ଖବର ପହଞ୍ଚିବା ସଙ୍ଗେ ସଙ୍ଗେ ଗୋଳମାଳ ଆରମ୍ଭ ହୋଇଗଲା୤ ସଭାପତି କେହି ନ ଥିଲେ ମଧ୍ୟ ଜଣକ ପରେ ଜଣେ ଉଠି ବକ୍ତୃତା ଆରମ୍ଭ କରିଦେଲେ୤ ଆନ୍ଦୋଳନ ସମୟର କର୍ମୀମାନେ ଭଲ ବକ୍ତୃତା ଦେଇ ଜାଣନ୍ତି୤ କ୍ଷେତ୍ରମୋହନ ଠିଆ ହୋଇପଡ଼ି ମନ୍ତ୍ରୀଙ୍କୁ ଶୋଧିବାରେ ଲାଗିଲେ- ‘ଅଯୋଗ୍ୟ, ଅସମର୍ଥ’ ଇତ୍ୟାଦି ନାନା କଥା କହିଗଲେ୤ ରବୀନ୍ଦ୍ର ଛିଡ଼ାହୋଇ କ୍ଷେତ୍ରମୋହନଙ୍କୁ ସମାଲୋଚନା କରି କହିଲେ, ‘ଏ ଜଣେ କଣ୍ଟ୍ରାକ୍ଟର୍‌୤ ୟା’ଙ୍କ କଥା ନ ରହିବାରୁ ମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି୤’ ନିତ୍ୟାନନ୍ଦ ଉଠି ଭାଷଣ ଦେଲେ, ଏ ଯେଉଁ ସମ୍ମଳିନୀ ଏ କାହାର? ସ୍ବାଧୀନତା ଆନ୍ଦୋଳନରେ ଯେଉଁମାନେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ କେତେକ ବର୍ତ୍ତମାନ ସରକାରୀ କର୍ମଚାରୀ, ଉଚ୍ଚପଦସ୍ଥ ଅଫିସର୍‌, କେତେକ ବ୍ୟବସାୟୀ, କେତେକ ଓକିଲ, ଆଉ କିଏ କ’ଣ ହେଲାଣି୤ ଆମେ ଯେ ପଡ଼ି ରହିଛୁ, ଆନ୍ଦୋଳନରେ ପଢ଼ା ଛାଡ଼ିଛୁ, ଇଂରେଜୀ ପଢ଼ିନାହୁଁ୤ ଇଂରେଜ ଗଲେ, କିନ୍ତୁ ଇଂରେଜୀ ରହିଗଲା, ଆମେ ତ ଇଂରେଜଙ୍କୁ ବାହାର କଲୁ, ହେଲେ କ’ଣ ହେଲା? ଆମକୁ ତ ଇଂରେଜୀ ଛାଡ଼ୁନାହିଁ୤ ଇତ୍ୟାଦି ଇତ୍ୟାଦି୤

ଇତିମଧ୍ୟରେ ହରିମୋହନ ଆସି ପହଞ୍ଚିଗଲେ୤ ସମସ୍ତେ ଶାନ୍ତ ହୋଇଗଲେ୤ କିଛି ସମୟ ଆସନରେ ବସି ହରିମୋହନ ଛିଡ଼ା ହୋଇ କହିଲେ, ‘‘ମୋର ଆସିବା ବିଳମ୍ବ ହେଲା, ସେଥିପାଇଁ ମୁଁ ଦୁଖିତଃ୤ ଠିକ୍‌ ସମୟରେ ମୁଁ ଆସିଥା’ନ୍ତି, ମାତ୍ର ଚାରିଆଡ଼େ ଏତେ ବିଶୃଙ୍ଖଳା ସେଥିରେ ନିରୂପିତ ସମୟରେ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ହେଉଛି୤ ତା’ପରେ ସେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଉଚ୍ଚ ପ୍ରଶଂସା କରି ସେମାନଙ୍କ ତ୍ୟାଗ ଫଳରେ ଦେଶ କିପରି ସ୍ବାଧୀନ ହୋଇଛି ସେ ବର୍ଣ୍ଣନା କଲେ୤ ଏହି ବର୍ଣ୍ଣନା ଭିତରେ ସେ ନିଜର ସଂଗ୍ରାମୀ ଜୀବନରୁ କିଛି କହିଲେ୤ ଲବଣ ସତ୍ୟାଗ୍ରହ ବେଳେ ଶ୍ରୀଜଙ୍ଗରେ କିପରି ଲୋକେ ଶୃଙ୍ଖଳାବଦ୍ଧ ହୋଇ ପୋଲିସ୍‌ ବା କୌଣସି ସରକାରୀ କର୍ମଚାରୀଙ୍କୁ ଗ୍ରାମକୁ ଛାଡ଼ିଦେଇ ନଥିଲେ, କିପରି ଘରଦ୍ବାର ଲୁଟ୍‌ ହୋଇଗଲେ ମଧ୍ୟ ଲାଠିମାଡ଼ ଖାଇ ଜେଲ୍‌ ଯାଇ ଲୋକ ଦବିଲେ ନାହିଁ, ସେ ଘଟନା ସବୁ ବିସ୍ତୀର୍ଣ୍ଣ ଭାବରେ ବର୍ଣ୍ଣନା କଲେ୤ ଶେଷରେ ସେ କହିଲେ, ‘‘ମୁଁ ଆସିଛି ମୋର ସାଥୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ପାଇଁ୤ ଆପଣଙ୍କ ସମ୍ମିଳନୀ ଚାଲୁ୤ ଯାହା ସବୁ ପ୍ରସ୍ତାବ ହେବ ମୋ ପାଖକୁ ପଠାଇ ଦେବେ୤ ମୁଁ ବେଶି ସମୟ ରହିପାରୁ ନାହିଁ୤ ମୋତେ ଅଫିସ୍‌ ଯିବାକୁ ହେବ୤ ମୋତେ କ୍ଷମା କରିବେ୤’’ ଏତକ କହି ହରିମୋହନ ଚାଲିଯିବାକୁ ବାହାରିବାରୁ ଦୁଇ ତିନିଜଣ ଉଠିପଡ଼ି ଉଚ୍ଚ ସ୍ବରରେ କହିଲେ, ‘‘ଯିବେ କୁଆଡ଼େ ଏଠି ବସିବାକୁ ହେବ, ଆମ କଥା ଶୁଣିବାକୁ ହେବ୤ ଆମେ ଖାଲି କଥା ଶୁଣିବାକୁ ଆସିନାହୁଁ, କଥା ଶୁଣାଇବାକୁ ମଧ୍ୟ ଆସିଛୁ୤’’ ଏକେତ ହରିମୋହନ ବିବ୍ରତ ଅବସ୍ଥାରେ ସମ୍ମିଳନୀକୁ ଆସିଥିଲେ, ବସିରହି ଶୁଣିବା ପାଇଁ ପାଟିତୁଣ୍ଡ ହେବାରୁ ସେ ବାଧ୍ୟ ହେଇ ବସିପଡ଼ିଲେ୤ ପାଟିତୁଣ୍ଡ ବନ୍ଦ ହୋଇଯିବା ପରେ ଲୋକନାଥ ଛିଡ଼ାହେଲେ କିଛି କହିବା ପାଇଁ୤ ତାଙ୍କର ସ୍ବର ଏପରି ଗମ୍ଭୀର ଥିଲା ଏବଂ ତାଙ୍କ ଚେହେରାରେ ଆନ୍ତରିକତା ଏପରି ପରିସ୍ଫୁଟ ଥିଲା ଯେ ସମସ୍ତେ ନିରବ ହୋଇଯାଇ ତାଙ୍କ କଥା ଶୁଣିଲେ୤

ଲୋକନାଥ କହିଲେ, ‘‘ଆମେମାନେ ନିଜକୁ ସ୍ବାଧୀନତା ସଂଗ୍ରାମୀ ବୋଲି କହୁଛୁ୤ ଏଠାକୁ ଆସିଛୁ ମଧ୍ୟ ସେହି ନାମରେ୤ ଆମ୍ଭେମାନେ ସରକାରଙ୍କଠାରୁ ଭତ୍ତା ପାଇବା ପାଇଁ ଦାବି କରୁଛୁଁ୤ ଯେଉଁମାନେ ଭତ୍ତା ପାଇଗଲେଣି ସେମାନେ ସରକାରଙ୍କଠାରେ କୃତଜ୍ଞ୤ ଅନ୍ୟମାନେ ପ୍ରାର୍ଥୀ ହୋଇ ରହିଛନ୍ତି୤ କିନ୍ତୁ ସରକାର ପ୍ରକୃତରେ ଆମ ଜନସାଧାରଣଙ୍କର ହେଲାଣି କି ? ଗୋରାଙ୍କ ଜାଗାରେ କଳା ବସିଗଲେ ସରକାରଟା ଯେ ଆମର ହୋଇଗଲା ତା’ ନୁହେଁ୤ ଇଂରେଜମାନଙ୍କ ସମୟରେ ମଧ୍ୟ ଶାସନ ଗାଦିରେ କଳା ଲୋକ ବସୁଥିଲେ, ଇଂରେଜ ଶାସନ ଓ ସ୍ବରାଜ୍ୟ ଭିତରେ କ’ଣ କେବଳ ଏତିକି ପ୍ରଭେଦ ଯେ ଚୌକିରେ ଗୋରା କେତେ ବସିଲେ ଓ କଳା କେତେ ବସିଲେ୤ ଆନ୍ଦୋଳନ ବେଳେ ଆମେ କହୁଥିଲେ, ମୂଲିଆ ମାଲିକ ହେଲା ଦେଶରେ ସ୍ବରାଜ୍ୟ ହେବ୤ ଲୋକଙ୍କ ପାଖରୁ ଖଜଣା ଟିକସ୍‌ ଆଦାୟ ହୋଇ ସେଥିରୁ କର୍ମଚାରୀ, ମନ୍ତ୍ରୀ ସମସ୍ତେ ଦରମା ପାଉଛନ୍ତି୤ ସେମାନେ ହେଲେ ମୂଲିଆ୤ ଖଜଣା ଟିକସ ଦେଇଥିବା ଲୋକ ହେଲେ ମାଲିକ୤ କିନ୍ତୁ ଇଂରେଜ ସମୟରେ ଯେ ପ୍ରକୃତରେ ମାଲିକ, ସେମାନେ ମୂଲିଆ ହୋଇ ପଡ଼ିଥିଲେ, ଯେ ପ୍ରକୃତରେ ମୂଲିଆ ସେମାନେ ମାଲିକ ହୋଇ ବସିଥିଲେ୤ ଆଜି ମଧ୍ୟ ସେହି ସ୍ଥିତି ରହିଛି୤ ମନ୍ତ୍ରୀ ହୁଅନ୍ତୁ ଯେ ହୁଅନ୍ତୁ, ଗାଁର ତହସିଲଦାର୍‌ ପଛେ ହୁଅନ୍ତୁ, କେହି ନିଜର ଲୋକଙ୍କର ଚାକର ବୋଲି ମନେ କରୁଛନ୍ତି କି? ସମସ୍ତେ ତ ଲୋକଙ୍କର ପ୍ରଭୁ୤ ପ୍ରଭୁ ସୃଷ୍ଟି କରିବା ପାଇଁ ଆମ୍ଭେମାନେ ସ୍ବାଧୀନତା ସଂଗ୍ରାମ କରି ନଥିଲୁ୤ ପ୍ରଭୁଙ୍କଠାରୁ ଭତ୍ତା ନେବା ଦ୍ବାରା ଆମ୍ଭେମାନେ ଆମ୍ଭମାନଙ୍କର ପୁଣ୍ୟ ବିକ୍ରି କରିଦେଇଛୁ୤ ଯେତେ କଷ୍ଟ ହେଉ ପଛକେ ଆମ୍ଭେ ଅର୍ଜିଥିବା ପୁଣ୍ୟ ବିକିବା ନାହିଁ- ସ୍ବରାଜ୍ୟ କାମ ଶେଷ ହୋଇନାହିଁ୤ ସ୍ବରାଜ୍ୟ ହେଲେ ଆମେ ବା ଆମ ବଂଶଧର ଭତ୍ତା କଥା ଚିନ୍ତା କରିବେ୤’’ ଏପରି ଭାବପ୍ରବଣ ସ୍ବରରେ ଲୋକନାଥ ଭାଷଣ ଦେଲେ ଯେ, ସମସ୍ତେ କିଛିକ୍ଷଣ ତଳକୁ ନଇଁ ବସିଗଲେ୤ ସମ୍ମିଳନୀର ବାୟୁମଣ୍ଡଳ ବଦଳିଗଲା୤ ହରିମୋହନ ପଚାରିଲେ, ‘‘ଆପଣଙ୍କ ଘର?’’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ.ହରେକୃଷ୍ଣ ମହତାବ
ଡ.ହରେକୃଷ୍ଣ ମହତାବ
ଏକାଧାରରେ ଜଣେ ରାଜନେତା, ନୂତନ ଓଡ଼ିଶାର ନିର୍ମାତା, ସାମ୍ବାଦିକ, ସାହିତ୍ୟିକ ଆଦି ଭାବେ ଡ.ହରେକୃଷ୍ଣ ମହତାବ ଓଡ଼ିଆ ସାହିତ୍ୟରେ ଏକ ପ୍ରତିଷ୍ଠିତ ନାମ। ଜଣେ ପ୍ରାବନ୍ଧିକ, ଔପନ୍ୟାସିକ ତଥା ଗାଳ୍ପିକ ଭାବେ ତାଙ୍କର ଅନେକ ସଙ୍କଳନ ପ୍ରକାଶିତ ହୋଇ ଅଜସ୍ର ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ଦ୍ୱାରା ସ୍ଥାପିତ ଦୈନିକ ସମ୍ପାଦପତ୍ର ‘ପ୍ରଜାତନ୍ତ୍ର’ ସହିତ ଏକାଧିକ ପତ୍ରିକା ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା। ଓଡ଼ିଶାରେ ସାହିତ୍ୟର ପ୍ରଚାର, ପ୍ରସାର ଓ ଆଲୋଚନା ନିମନ୍ତେ ସେ ଆରମ୍ଭ କରିଥିବା ‘ବିଷୁବ... [ କ୍ରମେ ସବିଶେଷ ]
ଡ.ହରେକୃଷ୍ଣ ମହତାବଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ରଶ୍ମି |  ସେପ୍ଟେମ୍ବର୍ ୨୯, ୨୦୧୩ - ୬:୫୨ ପୂର୍ବାହ୍ନ

    କେତେ ବାସ୍ତବ ଏ ଗଳ୍ପ, ସେହି ଅଜଣା ଅଶୁଣା ସ୍ୱାଧୀନତା ସଂଗ୍ରାମୀ ମାନଂକୁ କୋଟି ନମସ୍କାର..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤