ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୃଷ୍ଣପ୍ରସାଦ ମିଶ୍ର
ତରୁଣକାନ୍ତି ମିଶ୍ର
ମହାପାତ୍ର ନୀଳମଣି ସାହୁ
ନୀଳକଣ୍ଠ ଦାସ
କେ.ଶ୍ୟାମବାବୁ ଦୋରା
ସୌଭାଗ୍ୟ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମିମିର ସାହିତ୍ୟ ଶିକ୍ଷା
 |- ବାମାଚରଣ ମିତ୍ର
 
 
ତା: ଜୁଲାଇ ୩, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଜୀବନବାବୁଙ୍କ ମନରେ ଭାରି କଷ୍ଟ୤ ତାଙ୍କର ଏକମାତ୍ର ସନ୍ତାନ, କନ୍ୟା ମିମି ହୋଇଛି ଭାରି ବୋକା୤ ପଢ଼ାରେ ତା’ର ମନ ନାହିଁ, ବହି ଧରି ବସିଲେ ଢୁଳାଏ୤ କିଛି ପ୍ରଶ୍ନ ପଚାରିଲେ ବୋକାଙ୍କ ଭଳି ଚାହିଁ ରହିଥାଏ୤

ଅଧଘଣ୍ଟାଏ ଧରି ବକର ବକର ହୋଇ ଜୀବନବାବୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ବୁଝାଇବାକୁ- ‘ଏ ହୃଦୟ ମୋର ଢାଳିଦେଲି ଆଜି ତୁମରି ପାଦେ ହେ ନାଥ୤’ ମିମି ପାଟିଟାକୁ ମେଲାକରି ବଡ଼ ବଡ଼ ଆଖିରେ ସବୁ ଯେମିତି ଗିଳିଯାଉଛି, ସବୁ ଯେମିତି ବୁଝି ପକାଇଛି ଏମିତି ଭାବରେ ଚାହିଁ ରହିଛି୤ ମଝିରେ ମଝିରେ ତା’ର କୁଞ୍ଚୁକୁଞ୍ଚିଆ ବାଳଗୁଡ଼ିକ ପବନରେ ଉଡ଼ିଆସି ଆଖି ଉପରେ ପଡ଼ିବାରୁ ମିମି ବିରକ୍ତ ହୋଇ ସେଗୁଡ଼ିକ ଉପରକୁ ଠେଲିଦେଇ ପୁଣି ସେମିତି ଚାହିଁ ରହୁଛି, ସତେ ଯେପରି ବାଳଗୁଡ଼ିକ ତା’ର ବୁଝିବାରେ ବ୍ୟାଘାତ ଜନ୍ମାଇବାରୁ ସେ ଭାରି ବିରକ୍ତ୤ ମିମିର ଭାବ ଦେଖି ଜୀବନବାବୁ ଅଧିକ ଉତ୍ସାହରେ ବୁଝାଇ ଚାଲିଛନ୍ତି୤ କିଛି ସମୟ ପରେ ମିମିର ବିସ୍ଫାରିତ ବଡ଼ ବଡ଼ ଆଖି ଯୋଡ଼ିକ କ୍ରମେ ଛୋଟ ହୋଇଆସିଲା୤ ପ୍ରାଣପଣେ ସେ ଉପର ପତାକୁ ଟେକି ରଖିବାକୁ ଚେଷ୍ଟା କରୁଚି୤ ଘଣ୍ଟାଏ ଧରି ଉକ୍ତ ପଙ୍କ୍ତିଟିକୁ ବୁଝାଇବା ପରେ ଜୀବନବାବୁ ମନରେ ସନ୍ତୋଷ ଲାଭ କଲେ ଯେ, ମିମିକୁ ତାହାର ସରଳାର୍ଥ ଓ ଭାବାର୍ଥ ହୃଦୟଙ୍ଗମ କରାଇ ପାରିଛନ୍ତି୤ ସନ୍ତୋଷ ର ହସ ହସି ସେ ଏଥର ପଚାରିଲେ ବୁଝିଲୁ ମା’?

ମିମି ପୁଣିଥରେ ମୁଣ୍ଡବାଳ ଟେକିଦେଇ ବାଁ ଆଡ଼ୁ ଡାହାଣକୁ ମୁଣ୍ଡକୁ ଯଥାସମ୍ଭବ ନୁଆଇଁ ମୁହଁରେ ହସ ଫୁଟାଇ ଜଣାଇଲା ଯେ, ସେ ସବୁ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିପାରିଚି; କିନ୍ତୁ ଆଖିରେ ତା’ର ଭୟ ଫୁଟି ଉଠିଲା୤ ଘୁମନ୍ତ ଆଖି ଯୋଡ଼ିକ ଭୟରେ ବଡ଼ ବଡ଼ ହୋଇଗଲା୤

ଜୀବନବାବୁ ରାଗିଯାଇ କହିଲେ, ‘ବୁଝିଚୁ ତ ବୋକାଙ୍କ ଭଳି ଚାହିଁ ରହିଚୁ କିଆଁ ? ବୁଝା କଅଣ ବୁଝିଲୁ, ବୁଝା !’
ମିମି ଦୁଇ ଚାରି ଢୋକ ଛେପ ଗିଳି ଆରମ୍ଭ କଲା, ‘ନାଥ ବୋଇଲେ ସ୍ବାମୀ କି ଭଗବାନ୍‌, ଯିଏ ଆମକୁ ସୁରୁଷ୍ଟି କରିଛନ୍ତି୤ ସିଏ ଭାରି ଭଲ ଲୋକ, କାହାରିକୁ କିଛି କହନ୍ତି ନାହିଁ, କାହାରି ଉପରେ ରାଗନ୍ତି ନାହିଁ, ଭା-ଆ-ଆ-ରି ଭଲ ଲୋକ ଜଣେ୤’

‘ଛେନାଟା ବୁଝିଚୁ, ବଦମାସ୍‌ କାହାଁକା୤ ଘଣ୍ଟାଏ ଧରି ବକର ବକର ହେଲି୤ ଶେଷରେ କହିଲୁ ଭଗବାନ୍‌ ଜଣେ ଭଲ ଲୋକ୤ ସୃଷ୍ଟି ମୁହଁରେ ପଶୁ ନାହିଁ, କହୁଛି ‘ସୁରୁଷ୍ଟି୤’ ଆହୁରି ପିଲା ହୋଇଯା’ମ ! ଆଠ ବର୍ଷର ଝୁଅ ହେଲାଣି, ପଞ୍ଚମ ଶ୍ରେଣୀରେ ବର୍ଷେ ଫେଲ୍‌ ହେଲାଣି… ଲାଜ ନାହିଁ ଟିକେ…୤’

ମିମି ଭୟରେ ପଛକୁ ଘୁଞ୍ଚିଯାଇ କହିଲା, ‘ନା, ନା, ଭଗବାନ୍‌ ଜଣେ… ଭଗବାନ ଜଣେ…୤’
‘କଅଣ ଭଗବାନ୍‌ ?’ ଜୀବନବାବୁ ସଗର୍ଜନେ ପଚାରିଲେ୤ ଦୋହରାଇ ତେହେରାଇ ମନେ ମନେ ନିଜକୁ ପଚାରିଲା, ଭଗବାନ୍‌ କଅଣ ? ବାପା କଅଣ କହିଲେଟି ? ଭଗବାନ୍‌ କଅଣ ? ଏହି ସମୟରେ ମିମିର ଗେଲବସର ଝୁଅ ଶଙ୍କି ଦୌଡ଼ି ଆସି ମିମିର କୋଳକୁ ଚଢ଼ିଯାଇ କହିଲା- ମ୍ୟାଉଁ, ମ୍ୟାଉଁ୤

ମିମିର ପାଟିରେ ପଶିଗଲା, ଭଗବାନ୍‌ ଜଣେ ମ୍ୟାଉଁ୤
ଜୀବନବାବୁଙ୍କର ଭୟଙ୍କର କ୍ରୋଧ ଜାତ ହେଲା୤ ସେ ଶଙ୍କିର ବେକକୁ ଧରି ଛାଟିଦେଇ, ରୋଷେଇଶାଳ ଆଡ଼କୁ ଚାହିଁ ପାଟିକରି କହିଲେ, ‘ପଚାଶ ଥର କହିଲିଣି ଯେ ଘରେ ବିରାଡ଼ି ଫିରାଡ଼ି ରଖନା, ପଢ଼ାରେ ଗୋଳମାଳ ହବ… ଦିନରାତି ସେଇ ବିରାଡ଼ି ସାଙ୍ଗରେ ଖେଳ୤ ଇସ୍କୁଲରୁ ଆସି ଘରେ ପାଦ ଦେବା ମାତ୍ରକେ ବହିପତ୍ର ଫୋପାଡ଼ିଦେଇ ଆଗେ ଖୋଜାହେବ ଶଙ୍କି କାହିଁ୤ ହ୍ୟାପ୍‌, ମାତୃ ଗୁଣେ ଦୁହିତା ହୋଇଚି ! ମଲୁ ନାହିଁ, ଦେଖିଲୁ ଶଶଧର ବାବୁଙ୍କ ଝିଅଙ୍କୁ, କେମିତି ପାଟି କରି ପଢ଼ୁଚି୤ ଦେଖିଲୁ ଲିଙ୍ଗରାଜ ବାବୁଙ୍କ ଝିଅକୁ, କେମିତି କ୍ଲାସ୍‌ରେ ପ୍ରଥମ ହେଉଚି୤ ମୋରି କପାଳକୁ ତୁ ଆସିଲୁ୤ ଏ ବଂଶରେ କେହି ଗୋଟାଏ ହେବେ ନାହିଁ, କେହି ଗୋଟାଏ ନାଁ ରଖିବେ ନାହିଁ୤ କପାଳ, କପାଳ ! ହ୍ୟାପ୍‌, ଆଉ ପରୀକ୍ଷାରେ ଖାତା ସବୁ ଡଙ୍ଗା କରି ଭସେଇ ଦେଇ ଚାଲିଆସିଲା୤ ମଲୁ ନାହିଁ ଯା’ ତୁ…୤’

ଗତ କ୍ଲାସ୍‌ ଉଠା ପରୀକ୍ଷାରେ ପରୀକ୍ଷା ଦେବାକୁ ମିମି ସ୍କୁଲ୍‌ରେ ବସିଚି, ଏହି ସମୟରେ ଘୋର ବର୍ଷା ହେଲା୤ ପାଣି ଇସ୍କୁଲର ବାରନ୍ଦା ଟପି ଘରର ଦୁଆରମୁହଁ ପର୍ଯ୍ୟନ୍ତ ଚାଲିଆସିଲା୤ ମିମିର ମନ ଆଉ ଠିକ୍‌ ରହିଲା ନାହିଁ୤ ପରୀକ୍ଷା ଦେଉଚି ସେ, ଏକଥା ଏକଦମ୍‌ ଭୁଲିଗଲା୤ ସେ ଧୀରେ ଧୀରେ ପରୀକ୍ଷା ଘରୁ ବାହାରି ଚାଲିଆସିଲା୤ ପରୀକ୍ଷା ଖାତା ପତର ପତର କରି ଚିରି ଡଙ୍ଗା କରି ଭସେଇ ଦେଲା୤ ଡଙ୍ଗାଗୁଡ଼ିକ ଥରିଥରି ଭାସିଗଲେ୤ ମିମି ମହା ତୃପ୍ତିର ସହିତ ଡଙ୍ଗାଗୁଡ଼ିକୁ ଚାହିଁ ବର୍ଷାରେ ଭିଜି ଘରକୁ ଫେରିଆସିଲା୤ ଘରକୁ ଆସି ତା’ର ମନେପଡ଼ିଲା ବାପାଙ୍କ କଥା୤ ବାପାଙ୍କ ଭୟରେ ତା’ର ଜର ଆସିଲା୤ ସେ ଜର ଛାଡ଼ିବାକୁ ଲାଗିଲା ଅନେକ ଦିନ୤ ମିମି ସେଥର ଫେଲ୍‌ ହେଲା ସତ; କିନ୍ତୁ ତା’ର ଜର ଯୋଗୁଁ ସେଥିରେ ତ୍ରାହି ପାଇଗଲା୤ ପରେ ଜୀବନବାବୁ ସବୁ ଜାଣିପାରି ଭାରି ରାଗିଯାଇ ବାଡ଼େଇଥିଲେ୤ ଆଜି ସେଇକଥା ମନେ ପଡ଼ିଯିବାରୁ ତାଙ୍କର ରାଗ ଦ୍ବିଗୁଣିତ ହେଲା୤ ଠାଏ କରି ଗୋଟିଏ ଚଟକଣି ଲଗେଇ ଦେଇ ସେ କହିଲେ, ‘ତୁ ନ ବୁଝାଇଲେ ତୋତେ ଛାଡ଼ୁନାହିଁ ମୁଁ୤ ଯେତେ ରାତି ହଉ୤ ଆଜି ତୋ’ର ଦିନେ କି ମୋର ଦିନେ୤ ଖାଇବା ଆଜି ବନ୍ଦ୤ ବୁଝା, ବୁଝା, ବୁଝାମ, କାନ୍ଦଣା ଥାଉ୤’

ରୋଷେଇଶାଳୁ ପାଟି ଶୁଭିଲା, ‘ତୁମେ ଝୁଅକୁ ପାଠ ପଢ଼େଇବ ନାହିଁ ଆଉ୤ ଯେତେବେଳେ ପଢ଼େଇ ବସିଲ ମାଡ଼ ଛଡ଼ା ଆଉ କିଛି ନାହିଁ୤ ଆମେ କଅଣ ଝୁଅକୁ ଖାଇବାକୁ ପିନ୍ଧିବାକୁ ଦେଉଚୁ ଯେ ତା’ଠୁଁ ଏତେ ଆଶା କରିବା ? ପଢ଼େଇ ତ ଜାଣ ନାହିଁ…୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବାମାଚରଣ ମିତ୍ର
ବାମାଚରଣ ମିତ୍ର
ଓଡ଼ିଆ ସାହିତ୍ୟରେ ଜଣେ ଖ୍ୟାତନାମା ଲେଖକ ଭାବେ ବାମାଚରଣ ମିତ୍ର(୧୯୧୫-୧୯୭୫)ବେଶ୍‌ ପରିଚିତ୤ ଜଣେ ଲେଖକ, ଔପନ୍ୟାସିକ ଓ ସମାଲୋଚକ ଭାବେ ଶ୍ରୀ ମିତ୍ରଙ୍କ ଅନେକ ପୁସ୍ତକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି୤ ତାଙ୍କର ଗଳ୍ପଗ୍ରନ୍ଥ ନରଛଞ୍ଚାଣ, ପରାଗ, ସ୍ବପ୍ନସିଦ୍ଧି, ପାଷାଣର ପ୍ରାଣ ସହିତ ଏଣୁଶ୍ଚ ତେଣୁଶ୍ଚ ଓ ମିତ୍ରକଳ୍ପ ଆଦି ରମ୍ୟ ରଚନା ଏବଂ ଜୀବନ ଓ କଳା ନାମରେ ଏକ ସମାଲୋଚନା ଗ୍ରନ୍ଥ ଆଦି ଅନ୍ୟତମ୤ ରମ୍ୟରଚନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ୤
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. ପ୍ରଶାନ୍ତ କୁମାର ପାଟଯୋଷୀ |  ଜୁଲାଇ ୯, ୨୦୧୨ - ୧:୪୧ ଅପରାହ୍ନ

    ଧନ୍ୟବାଦ ,ପ୍ରଥମ ଥର ଶିଖିଲି

  • ୨. rasmi |  ଅଗଷ୍ଟ୍ ୭, ୨୦୧୨ - ୧୨:୩୩ ଅପରାହ୍ନ

    ei gapaku aneka thara padhichchi. jetebrle bi padhe mo pilaa dina mane padijaae.
    susahitikya Bsma charana Mitraankara ehaa eka anabadya rachanaa

  • ୩. ଶଶୀ କାନ୍ତ ତ୍ରିପାଠୀ, ଭୁବନେସ୍ବର୍ |  ଅଗଷ୍ଟ୍ ୧୧, ୨୦୧୫ - ୯:୫୯ ପୂର୍ବାହ୍ନ

    ମୁ ଏଥିରେ ଥିବା ଗଣିତଟିର ଉତର କରି ପାରିଛି

  • ୪. ଆଦ୍ୟାଶା, Stuttgart,Germany |  ଏପ୍ରିଲ୍ ୧୯, ୨୦୧୬ - ୧୨:୩୭ ଅପରାହ୍ନ

    ଏ ପୁରୁଣା ଗଲ୍ପ ମାନଙ୍କୁ ସଜିବ କରିବା ପାଇଁ ଧନ୍ୟବାଦ୍ l

  • ୫. sthitapragyan rout, cuttack ,odisha |  ଡିସେମ୍ବର୍ ୧୪, ୨୦୧୬ - ୯:୨୯ ପୂର୍ବାହ୍ନ

    i have learnt many things from this story.

  • ୬. ଲକ୍ଷ୍ମୀ ଚାନ୍ଦ୍, ଭୁବନେଶ୍ବର |  ଜୁନ୍ ୬, ୨୦୧୮ - ୫:୩୮ ପୂର୍ବାହ୍ନ

    ବହୁତ ସୁନ୍ଦର ଗଳ୍ପ । ପଢି ଖୁସି ହେଲି।

  • ୭. Santosh Kumar Mohapatra, Jagiapada ,Sholapur, Athagarh |  ଅଗଷ୍ଟ୍ ୧, ୨୦୧୮ - ୧:୪୧ ଅପରାହ୍ନ

    କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ କୁ ଧନ୍ୟବାଦ ଯାହା ପାଇଁ ଆଜିର ସମୟରେ ଏ ଗପ ପଢିବାକୁ ସହାୟ ହେଇପାରିଛି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤