ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
ଅଶୋକ ଚନ୍ଦ୍ର ମହାପାତ୍ର
ବ୍ରହ୍ମାନନ୍ଦ ପଣ୍ଡା
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ପ୍ରଦୀପ ନାୟକ
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମଶାଣିର ଫୁଲ
 |- ସଚ୍ଚି ରାଉତରାୟ
 
 
ତା: ସେପ୍ଟେମ୍ବର୍ ୧୫, ୨୦୧୨  
 

ରୋଜ୍‌ ସଞ୍ଜବୁଡ଼େ ଜଗୁ ତିଆଡ଼ି ଭାଗବତ ଘରେ ବସି ନିଜ ଅନୁଭବ କଥାଗୁଡ଼ାକ ସମସ୍ତିଙ୍କି ଥରେ ଲେଖାଏଁ କହି ଶୁଣାଏ, ଝିପିଝିପି ମେଘୁଆ ପାଗରେ ଅନେକ ଶ୍ରୋତା ତାକୁ ଘେରି ବସନ୍ତି୤ ଚିଲମରୁ ଦମେ ଟାଣି ଜଗୁ ପହିଲୁ ଗୋଟାଏ ଗଳା ଖଙ୍କାର ମାରେ୤ ଶ୍ରୋତାମାନେ ବୁଝିପାରନ୍ତି ଯେ ଗପ ଆରମ୍ଭ ହେବ୤

ଥରେ ଗୋଟାଏ ପୋଖତୀ ମଡ଼ା ଦାହ କରି ଫେରିଲାବେଳେ ମୁକ୍ତାଝରା ପାଖ ଦୋକାନିଆ ଆମ୍ବଗଛ ଡାହିରେ ବସି ଗୋଟାଏ ପିତାଶୁଣି କିମିତି ଏନ୍ତୁଡ଼ି ଜାଳି ତା’ ପିଲାକୁ ସେକୁଥିଲା- ତାହା ଏକ ନିପୁଣ ଚିତ୍ରକର ଭଳି ବର୍ଣ୍ଣନା କରିଯାଏ୤ ଶ୍ରୋତାମାନେ ଡରରେ ଟିକିଏ ଜାକିଜୁକି ହୋଇ କାନ୍ଥକୁ ଲାଗି ବସନ୍ତି୤

ଏହିପରି ଭାବରେ ସେଇ ଛୋଟ ବ୍ରାହ୍ମଣ ଶାସନଟିରେ ଜଗୁ ତିଆଡ଼ିର ଜୀବନ କଟେ୤
ଅଶିଣ ମାସ ରାତି୤ ସଞ୍ଜବେଳୁ କିମିତି ଟିକିଏ ମେଘୁଆ ହୋଇଛି୤ ଜଗୁ ତିଆଡ଼ିର ମୁଣ୍ଡଟା ଭାରି ବିନ୍ଧୁଥାଏ ନା କ’ଣ, ସେ ଦୁଇ କାନ ପାଖ କପାଳରେ ଟିପେ ଲେଖାଏଁ କଲିଚୁନ ବୋଳି ମୁଣ୍ଡରେ ମଫଲର ଗୁଡ଼ାଇ ଦାଣ୍ଡପଟ ଚାନ୍ଦନୀ ଉପରେ ବସି ହରିବଂଶ ଶୁଣୁଥିଲା୤
ଗାଆଁ ଭିତରେ କାନ୍ଦଣା ଶୁଣାଗଲା୤ ଆର ସାହି ଦୋକାନରୁ ପାନଗୁଆ,ଗୁଣ୍ଡି ଧରି କିଏ ଜଣେ ବାହୁଡ଼ୁଥିଲା୤ ସେ ଖବର ଦେଲା ଯେ ଜଟିଆ ମା’ ବୁଢ଼ୀର ବୋହୂଟି ମରିଯାଇଛି୤
ଚାହୁଁ ଚାହୁଁ ଗାଆଁ ଗୋଟାକରେ ହୁରି ଶବ୍ଦ ପଡ଼ିଗଲା୤ ଜଗୁ ତିଆଡ଼ି ବି’ ପଇସା ରୋଜଗାର ହେବ ଭାବି ମନେ ମନେ ଖୁସିଟାଏ ହେଲା୤
କେତେ ଲୋକ ଆସି କେତେ କଥା କହିଗଲେ୤ ସାହି ମାଇପେ ବାରକଥା ଫୁସ୍‌ଫାସ୍‌ ହେଲେ୤ କିଏ ସେ କହିଲା, ‘ପାପଗର୍ଭ ହୋଇଥିଲା’, ଅନ୍ୟ କିଏ କହିଲା, ‘ପେଟ ଭଙ୍ଗେଇବା ପାଇଁ କ’ଣ ଓଷଧି ମଉଷଧି ଖାଇଥିଲା-ବିଷ ଚହଟି ଯାଇ ଦିହ ଫଳିଗଲା୤’
ଜଗୁ ତିଆଡ଼ି ଗୁମ୍‌ ହୋଇ ସବୁ ଶୁଣିଲା, ମୁହଁ ବଙ୍କେଇ ଦେଲା୤ ଜାତିରେ ଅଟକ ହେବା ଭୟରେ ସେ ଏଡ଼େ ବଡ଼ ରୋଜଗାରର ସବୁ ଆଶା ଛାଡ଼ିଦେଲା୤
ଜଟିଆ ମା’ ବୁଢ଼ୀର ସଂସାରରେ କେହି ନାଇଁ – ଶାଶୂ ବୋହୂ ଦି’ଜଣ୤ ପୁଆଣୀ ହେବାର ମାସକ ପରେ ପୁଅ ଯାଇଥିଲା କଲିକତା-ଟଙ୍କା ରୋଜଗାର କରି ଦେଣା ଶୁଝିବ ବୋଲି୤ ତିନିବର୍ଷ ହେଲାଣି କିଛି ଖୋଜଖବର ନାଇଁ୤ ପ୍ରଥମେ ଚିଠି ଖଣ୍ଡେ ଖଣ୍ଡେ ଦଉଥିଲା୤ କିନ୍ତୁ ବର୍ଷେ ହେଲା ସେତକ ବି ବନ୍ଦ୤ ସେ ଗାଆଁର କେତେକ କଲିକତା ଫେରନ୍ତା ବ୍ରାହ୍ମଣ ପୂଝାରୀ କହନ୍ତି ଯେ, ସେ କେଉଁଠି ଗୋଟାଏ ମାଇକିନିଆ ଧରି କଲିକତା ମାଟିଆବୁରୁଜରେ ରହିଚି୤ ଘରେ ଥିଲା ଖାଲି ବୋହୂଟି୤ ଆଜି ସେ ତ ଗଲା, ସଙ୍ଗେ ସଙ୍ଗେ ବୁଢ଼ୀ ମୁଣ୍ଡରେ ଲଦିଦେଇ ଗଲା କାଳକାଳକୁ ଅପବାଦର ବୋଝ୤ ବୁଢ଼ୀ ବ୍ରାହ୍ମଣୀର ମୁଣ୍ଡରୁ ହାତ ଛାଡ଼ୁନାହିଁ୤

ତା’ର ଅବସ୍ଥା ସେଦିନ ଗାଆଣି ଗାଇଲେ ସରି ନ ଥା’ନ୍ତା, କିନ୍ତୁ କେତେଜଣ ଗାଆଁର ମୁରବି ମଣିଷ ବାହାରି କଥାଟାକୁ ସମ୍ଭାଳି ନେଲେ୤ ବଡ଼ ବଡ଼ ମୁରବିମାନେ ବୋହୂକୁ ଆଗରୁ ଯାବତା କରି ନ ଥିବା ଯୋଗୁଁ ଜଟିଆ ମା’କୁ ଗୁଡ଼ାଏ ଗାଳିମନ୍ଦ ଦେଲେ ମଧ୍ୟ ଶେଷକୁ ଫଇସଲା କରିଦେଇ କହିଲେ, ଜଲଦି ଲାସ୍‌ ଖତମ୍‌ କରିଦେବାକୁ ହେବ୤ ନୋହିଲେ ଛାଟିଆ ଥାନାରେ ଖବର ଦେଲେ ଗୋଟା ଶାସନ ନାଆଁରେ କଳଙ୍କ ରଟିବ, ସମସ୍ତେ ତ ପୁଣି ଝିଅବୋହୂ ଧରି ଘର କରିଛନ୍ତି୤

ଜଟିଆ ମା’ ବୁଢ଼ୀ ଦାନ୍ତରେ କୁଟା ଦେଇ ସମସ୍ତିଙ୍କି କୋଟି ପ୍ରଣାମ କଲା୤ ତାକୁ ଏ ଘୋର ବିପଦରୁ ରକ୍ଷା କରିଥିବା ଯୋଗୁଁ ସମସ୍ତଙ୍କ ପାଖରେ କେତେ କୃତଜ୍ଞତା ଜଣାଇଲା୤
ମଡ଼ା କାନ୍ଧେଇବା ପାଇଁ ଗାଆଁର ତିନି-ଚାରି ଜଣ ଭେଣ୍ଡିଆ ଆଗଭର ହୋଇ ବାହାରି ପଡ଼ିଲେ୤ ପାଳ ଦଉଡ଼ି ବଳା ହେଲା, କୋକେଇ ସଜଡ଼ା ହେଲା, କୁଲା, ଖପରା, ଶିକା, ଛାଞ୍ଚୁଣୀ, କାଠବାଡ଼ି ସବୁ ଆସି ଥୁଆ ହେଲା୤ ମୁର୍ଦ୍ଦାରର ଦିହ ମୁଣ୍ଡରେ ଲୁଗା ଗୁଡ଼ାଇ ସମସ୍ତେ ତାକୁ ଟେକିଆଣି କୋକେଇରେ ବାନ୍ଧିଲେ; ମାତ୍ର ଜଣେ ପୁରୁଖା ମାଲଭାଇ ନ ହେଲେ ନ ଚଳେ୤ ଅଧଘଣ୍ଟାକ ଭିତରେ ଲାସ୍‌ ଖତମ ନ କଲେ ବିପଦର ଆଶଙ୍କା; ଥାନା ବାବୁ ଖବର ପାଇବେ ତ ଗାଆଁଯାକ ସମସ୍ତେ ବନ୍ଧା ହୋଇଯିବେ୤ ଗାଆଁରେ ତ ଖଚୁଆ ଲୋକର ଅଭାବ ନାଇଁ୤

ମୁରବିମାନେ କହିଲେ- ‘ତିଆଡ଼ିଙ୍କି ଡାକ୤’ ତିଆଡ଼ି ନ ଗଲେ ଏଡ଼େ ବଡ଼ କାମ ସୁରୁଖୁରୁରେ ଛିଡ଼ିବ ନାଇଁ୤
ଜଗୁ ତିଆଡ଼ି ପାଖକୁ ଡକରା ଗଲା; ମାତ୍ର ଜଗୁ ତିଆଡ଼ି ଅମଙ୍ଗ୤ ସେ ଏକ ଜିଦ୍‌ ଧରି ବସିଲା୤ କହିଲା- ‘ପାପଗର୍ଭ ହୋଇ ମରିଚି୤ ମୁଁ ସେଟାକୁ ଛୁଇଁବି ? ଅସତୀ ଦେଚାରୁଣୀଟାକୁ ମୁଁ କାନ୍ଧରେ ବସେଇବି ?’
ସମସ୍ତେ ଫାଟିଫୁଟି ଗଲେ୤ ଜଗୁ ଅଚଳ, ଅଟଳ୤
ଶେଷରେ ଗାଆଁର ବୁଢ଼ା ବୁଢ଼ା ମୁରବିମାନେ ବହୁତ କୁହାବୋଲା କରିବାରୁ ଜଗୁ ତିଆଡ଼ି ମୁର୍ଦ୍ଦାର କାନ୍ଧେଇବାକୁ ରାଜି ହେଲା୤ ମାତ୍ର ପାଞ୍ଚଟଙ୍କା ନ ପାଇଲେ ସେ ଏତେବଡ଼ ପାପକର୍ମ କରିପାରିବ ନାହିଁ ବୋଲି ସଫା ଜଣାଇ ଦେଲା୤ ଜଟିଆ ମା’ ବୁଢ଼ୀର ସରାଗାତ ଖୋଳା ହୋଇ ଯାହା ବାହାରିଲା ତାହା କାଠ, କିରାସିନି, ଧୋବା ଭଣ୍ଡାରିକୁ ନିଅଣ୍ଟ୤ ଶେଷରେ କଥା ଛିଣ୍ଡିଲା ବୋହୂ ନାକଟିରେ ଯେଉଁ ସୁନା ଗୁଣାଟି ଅଛି, ସେଇଟାକୁ ଜଗୁ ତିଆଡ଼ି ପାଇବ୤

ଜଗୁ ତିଆଡ଼ି ଖୁସିହୋଇ ଡାକ ଛାଡ଼ିଲା- ‘ରାମନାମ ସତ୍ୟ ହେ୤’
ମଶାଣି ପଦା- ସନ୍ତସନ୍ତିଆ, ଅସନା୤ ହାଣ୍ଡି, କାଠ, ମଣିଷମୁଣ୍ଡ, କୁଲା, ଆଟିକା ପୋଡ଼ାଅଙ୍ଗାର ଭିତରେ ଗଦା ଗଦା ପାଉଁଶ ! ଚାରିଆଡୁ ଭାସିଆସୁଛି ଗୋଟାଏ ବିକଟ ଆଇଁଷିଣିଆ ଗନ୍ଧ !
‘ପଥଶ୍ରଦ୍ଧା’ ସଇଲା୤ ଜଗୁ ତିଆଡ଼ି ଗୋଟାଏ ମସ୍ତବଡ଼ ଚୁଲି ଖୋଳିଲା୤ ତା’ପରେ ମୁର୍ଦ୍ଦାରଟାକୁ ନେଇ କାଠଗଦା ଉପରେ ଚିତ୍‌କରି ଶୁଆଇଦେଇ ତା’ ମୁହଁରୁ ଲୁଗା କାଢ଼ିଦେଲା୤
ସୁ’କା ଭରି ଓଜନର ସୁନା୤ ଲଣ୍ଠଣ ଆଲୁଅରେ ଜଗୁ ତିଆଡ଼ି ଦେଖିଲା ଗୁଣାଟା ମୁର୍ଦ୍ଦାରର ନାକ ଉପରେ ଚିକ୍‌ଚିକ୍‌ କରୁଚି୤
ମେଘ କଟିଯାଇ ଆସ୍ତେ ଆସ୍ତେ ଜହ୍ନ ପଡ଼ିଚି, ମୁର୍ଦ୍ଦାରର ଶେତା ଧଳା ମୁହଁ ଉପରେ ଜହ୍ନ ଆଲୁଅର ଝାପ୍‌ସା ଛାଇ୤
ସଙ୍ଗୀ ଭାଇମାନେ କହିଲେ, ‘ଜଲଦି କାମ ସାର୤ ପୁଲିସ୍‌ ଆସିବ ତ ସବୁ ଭଣ୍ଡୁର ହୋଇଯିବ୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଚ୍ଚି ରାଉତରାୟ
ସଚ୍ଚିଦାନନ୍ଦ ରାଉତରାୟ ପୁରୀ ଜିଲ୍ଲା ଅର୍ନ୍ତଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ୤ ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତିତ୍ବ ଅବର୍ଣ୍ଣନୀୟ୤ ସେ ପଲ୍ଲୀର ସାଧାରଣ ଜୀବନକୁ କେନ୍ଦ୍ର କରି ରଚନା କରିଥିବା କବିତାଗୁଡିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ଭାବେ ସ୍ବୀକୃତ୤ ପାଥେୟ, ପଲ୍ଲୀଶ୍ରୀ, ପାଣ୍ଡୁଲିପି, ଅଭିଯାନ ପ୍ରଭୃତି ତାଙ୍କର ଉତ୍କୃଷ୍ଟ କବିତା ପୁସ୍ତକ୤ ତାଙ୍କର ବାଜି ରାଉତ କବିତା ସଙ୍କଳନ ବିଶେଷଭାବେ ଚର୍ଚ୍ଚିତ୤ ମଶାଣିର ଫୁଲ ଓ... [ କ୍ରମେ ସବିଶେଷ ]
ସଚ୍ଚି ରାଉତରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ରବିନ୍ଦ୍ର ନାଥ ନାୟକ |  ସେପ୍ଟେମ୍ବର୍ ୨୧, ୨୦୧୨ - ୧:୦୬ ଅପରାହ୍ନ

    ଭଲ ହେଇଛି!!
    ମୁ୍ଁ ଭାବୁଛି ଏହାର ଶେଷ ଆଉ କଣ ହେଇପାରିଥାନ୍ତା ?

  • ୨. kailash ch dehury, bbsr |  ମେ ୧୫, ୨୦୧୪ - ୩:୩୭ ପୂର୍ବାହ୍ନ

    masanira phula is an excellent story in odia literatureb ,,i think

  • ୩. Ajit panda, Bbsr |  ଜୁଲାଇ ୨୨, ୨୦୧୫ - ୭:୫୨ ପୂର୍ବାହ୍ନ

    I read Masani ra fulla .very clear writings

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤