ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମଶାଣିର ଫୁଲ
 |- ସଚ୍ଚି ରାଉତରାୟ
 
 
ତା: ସେପ୍ଟେମ୍ବର୍ ୧୫, ୨୦୧୨  
 

ପୋଡ଼ାବସନ୍ତ ଶାସନର ଜଗୁ ତିଆଡ଼ି କୀର୍ତ୍ତନ କରେ, ମୃଦଙ୍ଗ ବଜାଏ, ଗଞ୍ଜେଇ ଖାଏ, ଆଉ ମୁର୍ଦ୍ଦାର ପୋଡ଼େ୤ ଭଲ ମଡ଼ାଚଣ୍ଡିଆ ଭାବରେ ସେ ଖଣ୍ଡମଣ୍ଡଳରେ ଜଗୁର ବେଶ୍‌ ଗୋଟାଏ ନାଆଁ ବି ଅଛି୤
ମୁର୍ଦ୍ଦାରଟା ଯେବେ ଜୁଇ ନିଆଁ ଉପରେ ସେଁ ସେଁ କରେ କି ତା’ର ଗୋଡ଼ଟା ନିଆଁ ସେକରେ ଡେଙ୍ଗା ହୋଇ ଉପରକୁ ବାହାରିପଡ଼େ କିମ୍ବା ପେଟ ଭିତରେ ଅନ୍ତବୁଜୁଳାଗୁଡ଼ାକରୁ ପାଣି ନିଗିଡ଼ି ନିଆଁ ଧରେ ନାଇଁ, ତେବେ ଅନ୍ୟ ମାଲଭାଇମାନେ ଜଗୁ ତିଆଡ଼ି ମୁହଁକୁ ଅନାନ୍ତି, ତା’ର ପରାମର୍ଶ ଲୋଡ଼ନ୍ତି୤
ଗଞ୍ଜେଇ ନିଶାରେ ଟିକିଏ ବେହୁସିଆର ହୋଇ ଜଗୁ ହୁଏତ ମଶାଣିପଦାରେ ଖଣ୍ଡେ ଦୂରରେ ବସି ଢୁଳାଉଥାଏ୤ ସେ ଧଡ଼ପଡ଼ ହୋଇ ଉଠିପଡ଼ି ଠିଆହୁଏ, ତା’ପରେ କୋକେଇ ଭିତରୁ ଗୋଟାଏ ତିନିହାତିଆ ବାଉଁଶ ଓଟାରି ଆଣି ‘ମାରମାର’ କହି ମୁର୍ଦ୍ଦାର ଉପରେ ବସାଇଦିଏ ତିନି-ଚାରିଟା ପାହାର୤
ମୁର୍ଦ୍ଦାରର ମୁଣ୍ଡଟା ହୁଏତ ଚୂନା ଚୂନା ହୋଇଯାଏ-ଦହି ବାହାରି ପଡ଼ି ଖଣ୍ଡେ ଚଉଡ଼ାରେ ନିଆଁ ଲିଭିଯାଏ୤ ଅମାନିଆ ଗୋଡ଼ଟା ଠେଙ୍ଗା ମାଡ଼ରେ ଆଣ୍ଠୁଠୁ ଭାଙ୍ଗିପଡ଼ି ଲୋଟେ ତଳେ କାଠ ସନ୍ଧିରେ୤ ପେଟଟା ଫାଟି ହୋଇଯାଏ ଦି’ଫାଳ, ଅନ୍ତନାଡ଼ି ଭିତରେ ଭିତରେ ନିଆଁର ଲହଲହ ଜିଭ ଚାଉଁ ଚାଉଁ ଖେଳିଯାଏ୤ ଆଖି ପିଛୁଳାକରେ ସବୁ ଜଳିପୋଡ଼ି ହୋଇଯାଏ ପାଉଁଶ୤
ଆଣ୍ଠୁଏ ପାଉଁଶ, କୁଲା, ଛାଞ୍ଚୁଣୀ, ହାଣ୍ଡି, ଖପରା, ଛିଣ୍ଡା କତରା ସନ୍ତସନ୍ତିଆ ମଶାଣିପଦା୤ ନଖ, ବାଳ, ଟିକି ଟିକି ହାତ, ଅଲରା ବଲରା ଅସନା !!
ଜଗୁ ତିଆଡ଼ି ଖୁସି ହେଇ ଫେରିଆସେ୤ ପୋଖରୀ ତୁଠରେ ତେଲ ଲଗାଉ ଲଗାଉ ଜଙ୍ଘ ଉପରେ ଚାପୁଡ଼ା ମାରି ଆରାମରେ କହେ, ‘ଦିଅଁଙ୍କ କୃପାରୁ କାମଟା ସୁରୁଖୁରୁରେ ବଢ଼ିଗଲା୤’

ଗାଁଆରେ ଯେତେବେଳେ ଝାଡ଼ାବାନ୍ତି ବ୍ୟାପେ- ଠାକୁରାଣୀ ପଡ଼ନ୍ତି-ମଢ଼ କୁଢ଼ କୁଢ଼ ହୁଏ, ଜଗୁ ତିଆଡ଼ିର ଖାତିର ସେତେବେଳେ ଗାଁରେ ଭାରି ବଢ଼ିଯାଏ୤ ସମସ୍ତେ ଆସି ତାକୁ ଖୁସାମତ କରନ୍ତି୤
କିଏ ଆଖିରୁ ଲୁହ ଗଡ଼ାଏ, କିଏ ଖୋଷଣୀରୁ ପଇସା ବାହାର କରେ, କିଏ ବା ହାତଓଠ ଧରି ‘ବାପଲୋ ଧନଲୋ’ କରେ୤ ଜଗୁ ତିଆଡ଼ି ବଡ଼ ଗମ୍ଭୀର ହୋଇ ସଭିଙ୍କ ନେଉରା କଥା ଶୁଣେ, କିନ୍ତୁ ହଠାତ୍‌ କିଛି କହେ ନାହିଁ୤
‘କାଲି ରାତିଠୁଁ ଘର ଭିତରେ ମଡ଼ା ପଡ଼ି ଗନ୍ଧେଇ ଗଲାଣି୤’
‘ଭୁଆସୁଣୀ ବୋହୂଟା ଦୁଇଦିନ ହେଲା ଘର କୋଣରେ ମରି ଶଢ଼ୁଚି…୤’ ଏହିପରି ନାନା ଭଳି ଅଳି ଅଝଟ ଜଗୁ ପାଖରେ ଆସି ପହଞ୍ଚେ୤
ଜଗୁ ତା’ର ପାଉଣାପତ୍ର ବିଷୟରେ ଜମା କାହାରି ଉପ୍ରୋଧ ରଖେ ନାଇଁ୤ ଭରିଏ ଗଞ୍ଜେଇ, ଟେଳାଏ ଅଫିମ, ଚାରିଅଣା ଅଣ୍ଟାଖୋଷା ନ ହେଲେ ସେ କୁଆଡ଼କୁ ଚଙ୍କିବ ନାଇଁ୤ ଏହାଛଡ଼ା କଷାଭାତ, ତୁଠଲୁଗା, ଦଶଘର ନିମିତା ଇତ୍ୟାଦି ଉପୁରି ଲାଭ ରହିଚି୤

ସଧବା ସ୍ତିରିଲା ମଡ଼ା ହେଲେ ଜଗୁର ଟିକିଏ ଲାଭ ବେଶି୤ ଥିଲାଘର ହୋଇଥିଲେ କାନର ଡ଼ୋଳିଟା, ମଲକଡ଼ିଟା, କିମ୍ବା ନାକର ଗୁଣାଟା ଆଉ ନ ଥିଲା ଘର ହୋଇଥିଲେ ଗୋଡ଼ ଆଙ୍ଗୁଠିର ରୂପାମୁଦିଟା ଜଗୁକୁ ଭାଇ ଦକ୍ଷିଣା ମିଳେ୤ ମୁର୍ଦ୍ଦାରଟାକୁ ନିଆଁରେ ଚଢ଼ାଇବା ଆଗରୁ ସେ ତା’ ଦିହଟାକୁ ଖିନ୍‌ଭିନ୍‌ କରି ପରଖି ନେଇ କେଉଁଠି ଅଳଙ୍କାରପତ୍ର କିଛି ଅଛି କି ନାଇଁ ଦେଖେ, ଥିଲେ କାଢ଼ି ରଖେ୤ ବେଳେବେଳେ ମଡ଼ା ଦେହରୁ ନୋଳି, ମଲକଡ଼ି କି ଗୁଣା, ବସଣି ସହଜରେ ନ ବାହାରିଲେ ଜଗୁ ତିଆଡ଼ି ବିରକ୍ତ ହୋଇ ଦାନ୍ତ କାମୁଡ଼ି ବହୁତ ଝିଙ୍କା ଓଟରା କରି ଅଳଙ୍କାରଗୁଡ଼ାକ ମୁର୍ଦ୍ଦାରର ନାକରୁ, କାନରୁ ଛିଣ୍ଡାଇ ଆଣେ୤ ନାକଦଣ୍ଡିଯାଏଁ କାନଟା ଖଣ୍ଡିଆ ହୋଇଯାଏ, ନେଳିଆ ନେଳିଆ ପାଣିଆ ରକ୍ତ ବୋହିଆସି ଶବଟାର ମୁହଁଯାକ ସାଲୁବାଲୁ ହୋଇଯାଏ; କିନ୍ତୁ ଜଗୁ ତିଆଡ଼ିର ସେଥିପ୍ରତି ଖାତିର ନ ଥାଏ୤ ଏଇଟା ତା’ର ନିତିଦିନିଆ ଦେହଘଷିଆ କାମ, ଏକପ୍ରକାର ଉପୁରି ବୃତ୍ତି୤ ଇମିତି କରି କରି ସେ ପଥର ପାଲଟି ଯାଇଚି୤

ପୋଖତୀ ମୁର୍ଦ୍ଦାର ମିଳିଲେ ଜଗୁ ତିଆଡ଼ି ଧୋବଲୀ ଚକିଟିଏ ଅଣ୍ଟାରେ ନ ଖୋଷିଲେ କାନ୍ଧକୁ କୋକେଇ ଉଠାଇବ ନାଇଁ୤ ତା’ ପାଉଣାରୁ ଟିକିଏ ଏପାଖ ସେପାଖ ହେଲେ ସେ ବାସିମଡ଼ା କରିଦେବ ବୋଲି ଧମକ ଦିଏ- ଅନ୍ୟ ମାଲଭାଇମାନଙ୍କୁ ଶିଖେଇ ମଡ଼େଇ ମେଳିବାନ୍ଧି ଅଡ଼ିବସେ୤
ଟଙ୍କାଟିଏ ମିଳିଲେ ଅହ୍ୟ ଡେଙ୍ଗୁରାର ତାଳେ ତାଳେ ପାଦ ପକାଇ ‘ରାମ ନାମ ସତ୍ୟ ହେ’ ପାଟିକରି ଜଗୁ ତିଆଡ଼ି ବଡ଼ ପତିଆରାରେ ଦାଣ୍ଡ ମଝିରେ ପାହୁଲ ପକାଇ ଚାଲେ୤ ତା’ର ମୁଗୁନି ପଥର ପରି କଳା ଦିହରେ ଧଳା ପଇତା ଖିଅକ ଦୂରରୁ ଜକଜକ ଦିଶୁଥାଏ…୤
ତା’ର ବଡ଼ ପାଟିରେ ଗାଆଁସାରା ଉଛୁଳି ପଡ଼େ୤ ସାହିଯାକର ମରଦ ମାଇପେ ଆସି ଦାଣ୍ଡରେ ଗଦା ହୋଇଯା’ନ୍ତି୤ ସାନ ସାନ ପିଲାଗୁଡ଼ାକ ଡର ଭୟରେ ଯାଇ ଲୁଚନ୍ତି ଘରେ୤

ମଶାଣିରେ ଧୋବା ଗୋଟାଏ ନହୁରୁଣୀରେ ଗର୍ଭିଣୀ ମାଇପିର ପେଟ ଫାଡ଼ି ପିଲାଟାକୁ ବାହାର କରିଦେଲେ ଜଗୁ ତିଆଡ଼ି ଦୁଇଟା ଚୁଲି ଖୋଳି ମା’ ପିଲା ଦୁହିଁଙ୍କୁ ବିତ୍‌ପଟାଙ୍ଗ୍‌ କରି ଶୁଆଇ ଦିଏ୤ କେବେ କେବ ପୁଣି ଗୋଟାଏ ଜୁଇରେ ଦୁହିଁଙ୍କି ଲଗାଲଗି କରି ଏକାଠି ଶୁଆଇ ଦେଇ ନିଆଁ ଲଗାଇ ଦିଏ୤ ଗୋଟାକରେ ଜାଗା ନ ହେଲେ କେଞ୍ଚଣାକାଠି ଖଣ୍ଡକରେ ସେ ପିଲାକୁ ଲୋଚାକୋଚା କରି ମାଉଁସ ପିଣ୍ଡୁଳାଏ ପରି ଜଳନ୍ତା କାଠ ସନ୍ଧିରେ ଫୋପାଡ଼ି ଦିଏ୤
ଏହିପରି ଭାବରେ ଜଗୁ ତିଆଡ଼ି ଅମଳ ହୋଇଥିବା ଧାନ କେତେ ଭରଣ ବାଦ ବେଳେ ବେଳେ ଉପୁରି ଦି’ପିଇସା ରୋଜଗାର କରି ନିଜେ ଚଳେ, ଘର ଚଳାଏ, ଦବାନବା ବାହା ବେଭାର କରେ୤
କେହି ତାକୁ ମୁହଁ ଫିଟାଇ କିଛି କହିପାରନ୍ତି ନାଇଁ୤ ସେ ଗାଁରେ ଜଗୁ ଛଡ଼ା ଅନ୍ୟ ପୋଖତ ଜାଣିଲାବାଲା ବ୍ରାହ୍ମଣ ମାଲଭାଇ ଆଉ କେହି ନାହାନ୍ତି୤

କେହି ଜଗୁର ପାଉଣା କମାଇବାକୁ ବସିଲେ ଜଗୁ ନିଜର କୃତିତ୍ବ ତୁଳନାରେ ସେ ଦାବି କରୁଥିବା ପାଉଣା କିଛି ନୁହେଁ ବୋଲି ନାନା ପ୍ରକାର ଯୁକ୍ତି ଦେଖାଏ୤ ନିଜର ପତିଆରା ଦେଖାଇବାକୁ ଯାଇ ସେ ଅତୀତର ନାନା ଘଟନାର ପୁନରାବୃତ୍ତି କରି ପ୍ରମାଣ କରେ ଯେ ତା’ ଭଳି ମୁର୍ଦ୍ଦାର ପୋଡ଼ିବା ଲୋକ ଏ ଜଗତରେ ଦୁଇଜଣ ନାହାନ୍ତି୤ ସେ ଭାରି ଗର୍ବ ଅନୁଭବ କରେ୤
ଗତ ସାଲ୍‌ରେ ନରସିଂହ ମିଶ୍ରଙ୍କ ଭାରିଯାକୁ କିମିତି ଢୁ ଢୁ ଅଚାନକ ମେଘବର୍ଷାରେ ପୋଡ଼ିଦେଇ ଅଇଲା, ଅଇଲାବେଳେ ସାତଗଛିଆ ତୋଟା ମୁଣ୍ଡରେ କିମିତି ଗୋଟାଏ ବେକକଟା ମାଦଳ ହାବୁଡ଼ରେ ପଡ଼ିଲା, ତା’ପରେ ପୁଷୁମାସିଆ ଶୀତଦିନ ରାତିରେ କିମିତି ଜଳଓଦରି ବେମାରିରେ ମରିଥିବା ନାଥ ବ୍ରହ୍ମାକୁ ପୋଡ଼ିଲାବେଳେ ମୁର୍ଦ୍ଦାର ପେଟରୁ ଦୁଇ ମାଠିଆ ପାଣି ବାହାରି ଆସି ଜୁଇ ନିଆଁ ଲିଭାଇ ଦେଲା, ଜଗୁ ପୁଣି କିମିତି କୌଶଳ କରି ଏତେବଡ଼ ଅସାଧ୍ୟ ମଡ଼ାକୁ ପୋଡ଼ିପାରିଲା, ଏହିସବୁ ପୁରୁଣା କାହାଣୀଗୁଡ଼ାକ ବଡ଼ ଦକ୍ଷ ଭାବରେ ସେ ବର୍ଣ୍ଣନା କରିଯାଏ୤
ଜଗୁ ତିଆଡ଼ିର ଅଭିଜ୍ଞତା ଓ ମୁର୍ଦ୍ଦାର ଡାହ ବିଦ୍ୟାର ଅଗାଧତା ଯେ କେତେ ବେଶି ତାହା ଯେକୌଣସି ଗ୍ରାହକ ତା’ ସହିତ ଘଡ଼ିଏ କଥାଭାଷା ହେଲେ ବେଶ୍‌ ବୁଝିପାରିବ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଚ୍ଚି ରାଉତରାୟ
ସଚ୍ଚିଦାନନ୍ଦ ରାଉତରାୟ ପୁରୀ ଜିଲ୍ଲା ଅର୍ନ୍ତଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ୤ ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତିତ୍ବ ଅବର୍ଣ୍ଣନୀୟ୤ ସେ ପଲ୍ଲୀର ସାଧାରଣ ଜୀବନକୁ କେନ୍ଦ୍ର କରି ରଚନା କରିଥିବା କବିତାଗୁଡିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ଭାବେ ସ୍ବୀକୃତ୤ ପାଥେୟ, ପଲ୍ଲୀଶ୍ରୀ, ପାଣ୍ଡୁଲିପି, ଅଭିଯାନ ପ୍ରଭୃତି ତାଙ୍କର ଉତ୍କୃଷ୍ଟ କବିତା ପୁସ୍ତକ୤ ତାଙ୍କର ବାଜି ରାଉତ କବିତା ସଙ୍କଳନ ବିଶେଷଭାବେ ଚର୍ଚ୍ଚିତ୤ ମଶାଣିର ଫୁଲ ଓ... [ କ୍ରମେ ସବିଶେଷ ]
ସଚ୍ଚି ରାଉତରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ରବିନ୍ଦ୍ର ନାଥ ନାୟକ |  ସେପ୍ଟେମ୍ବର୍ ୨୧, ୨୦୧୨ - ୧:୦୬ ଅପରାହ୍ନ

    ଭଲ ହେଇଛି!!
    ମୁ୍ଁ ଭାବୁଛି ଏହାର ଶେଷ ଆଉ କଣ ହେଇପାରିଥାନ୍ତା ?

  • ୨. kailash ch dehury, bbsr |  ମେ ୧୫, ୨୦୧୪ - ୩:୩୭ ପୂର୍ବାହ୍ନ

    masanira phula is an excellent story in odia literatureb ,,i think

  • ୩. Ajit panda, Bbsr |  ଜୁଲାଇ ୨୨, ୨୦୧୫ - ୭:୫୨ ପୂର୍ବାହ୍ନ

    I read Masani ra fulla .very clear writings

  • ୪. Barsharani Samal, Kendrapada |  ମେ ୨, ୨୦୧୯ - ୪:୧୫ ପୂର୍ବାହ୍ନ

    MASANI PHULA Padhiba samayre lage sate jemiti mu ama gan masanire a sabu heuthibara dekhuchi,jaha satare kebe dekhinahi.Vabe Sachi sir kemiti ete nichaka katha lekhanti

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤