ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଭୂପେନ୍‌ ମହାପାତ୍ର
ଲକ୍ଷ୍ମୀଧର ନାୟକ
ଗନ୍ତାୟତ ଶିବପ୍ରସାଦ
ମୃଣାଳ
ବ୍ରହ୍ମାନନ୍ଦ ପଣ୍ଡା
କୁନ୍ତଳା କୁମାରୀ ସାବତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଗୁଣିର ଶଗଡ଼
 |- ଗୋଦାବରୀଶ ମହାପାତ୍ର
 
 
ତା: ଅକ୍ଟୋବର୍ ୧୦, ୨୦୧୧  
 

ଖଲିକୋଟର ଦୁଇଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି୤ କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି୤ ଏ ଖବର ରଖୁଛନ୍ତି ଗୃହ-ପରିବାର ବା ସାଇପଡ଼ିଶାର ଲୋକେ୤ କିନ୍ତୁ ଯେଉଁଦିନ ମାଗୁଣି ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା୤ ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା, “ମାଗୁଣି ଚାଲିଗଲା ? ଆହା-ବିଚରା ଚାଲିଗଲା୤”

ମାଗୁଣି କିଏ ? ଖଲିକୋଟର ସେ ରାଜା ନୁହେଁ, ଏ କଥା ନିଶ୍ଚୟ୤ ସେ ରାଜ୍ୟର ରଜା ନୁହେଁ, ଏ କଥା ସମସ୍ତେ କହିବେ୤ ସେ କର୍ମୀ ନୁହେଁ, ଏ କଥା ସମସ୍ତେ ଜାଣନ୍ତି୤ ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ୤ ତା ବେକରେ କିଏ ଫୁଲମାଳ ଲମ୍ବାଇନାହିଁ କି ସେ କାହା ଗଳାରେ ମାଳା ଲମ୍ବାଇଦେବା ଦରକାର ପଡ଼ିନାହିଁ୤ ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇନାହିଁ୤ ସେ କେବଳ କରିଛି ଗୋଟିଏ କାମ-ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନପଥରେ ଲଢ଼େଇ କରିଛି୤ ସେ ଲଢ଼େଇ ଦେଶ ପାଇଁ ନୁହେଁ, ଜାତି ପାଇଁ ନୁହେଁ, ତାହା ନିଜର ପେଟ ଚାଖଣ୍ଡକ ପାଇଁ୤ ତଥାପି ମାଗୁଣିର ମୃତ୍ୟୁଖବର ପାଇ ସମସ୍ତେ କହିଲେ, “ଆହା-ବିଚରା ଚାଲିଗଲା୤”

ଗଡ଼ରେ ପଚାରିଲେ ସମସ୍ତେ କହିବେ ମାଗୁଣି କିଏ, ଦୂର ଜଙ୍ଗଲ ତଳ ପଲ୍ଲୀଗାଁରେ ମଧ୍ୟ ତାର ପରିଚୟ ମିଳିପାରିବ୤ ମାଗୁଣି ଖଲିକୋଟର କେହି ନୁହେଁ- ସେ ଜଣେ ଶଗଡ଼ିଆ, ଦୁଇଟା ବଳଦ ଓ ସେ- ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲା, ଯାହା କି ଦୁଇଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା୤

ପ୍ରତିଦିନ ଖଲିକୋଟ ଗଡ଼ରେ ସୂର୍ଯ୍ୟ ଉଏଁ ଓ ସୂର୍ଯ୍ୟ ଅସ୍ତ ହୁଏ୤ ଘନଘୋର ବର୍ଷାଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣିକି ଦେଖି ବେଳ ଜାଣନ୍ତି୤ ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ିଘାଡ଼ି ହୋଇ ଲୋକେ ବସିଥିବାବେଳେ ମାଗୁଣି ନିଜ ପରିଚିତ ସାଙ୍ଗ ଦୁଇଟିକୁ ଶଗଡ଼ରେ ଯୋଚି ପାହାଡ଼ତଳେ ଗୀତ ବୋଲି ଚାଲିଯାଏ୤ ଲୋକେ କହନ୍ତି ମାଗୁଣି ସେମାନଙ୍କର ଗୋଟାଏ ଘଣ୍ଟା୤ ବର୍ଷାଦିନେ ବର୍ଷା ଘୁଞ୍ଚିଯାଇ ପାରେ, ଖରାଦିନେ ଖରା ତାତି ଊଣା ହୋଇପାରେ, କିନ୍ତୁ ମାଗୁଣିର ଶଗଡ଼ ଦିନେ ହେଲେ ବନ୍ଦ ହୁଏ ନାହିଁ୤ ସେ କହେ ରଜାଘରେ ଯୋଡ଼ା ମୋଟରକାର୍‌ ଅଛି ସତ, କିନ୍ତୁ ତା ପରି ଇଞ୍ଜିନିୟର ନାହାନ୍ତି୤ ତା ଶଗଡ଼ ରଜାଘର ମୋଟରଠୁଁ ବଳେ୤ ବାରବର୍ଷର ଅତି ପରିଚିତ ସାଥୀ କାଳିଆ ଓ କଷରା, ବଳଦ ଉପରେ ସେ ହାତ ମାରି ଆଉଁସିଦେଲେ ତା ଗାଡ଼ିରେ ପକ୍ଷ ଦିଆହୁଏ୤ ଯେତେବେଳେ ସେ ଶଗଡ଼ ଉପରେ ହସି ଗୀତ ପଦେ ବୋଲିଦିଏ, “ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି”, ତାର ମୋଟର ଚାଲେ୤ ସେତେବେଳେ ଶ୍ୟାମଳ ତରୁ ପତ୍ରତଳେ, ଗିରି କନ୍ଦରା ଭିତରେ ପ୍ରତିଧ୍ବନି ଉଠେ୤ ଅର୍ଦ୍ଧସୁପ୍ତ କୁକ୍‌କୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି, ପଲ୍ଲୀର ବୁଲା କୁକୁରଦଳ ଚମକି ଉଠି ଗାଁରେ ଚହଳ ପକାଇଦିଅନ୍ତି୤ ଘଡ଼ ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ୤

ପଚାଶ ବର୍ଷର ମାଗୁଣି ବାରବର୍ଷର ସାଥୀ ବଳଦଙ୍କୁ ଧରି ଯେତେବେଳେ ଭଡ଼ା ବୋହି ଚାଲେ, ସତୁରି ଅଶୀବର୍ଷ ତଳର କାହାଣୀ ପରି ବହିଯାଏ୤ ସେ କହେ ଆଗ ତା ନିଜ କଥା-ତାର କେବେ ବାପାମା’ ଥିଲେ, ସେ କେବେ ସୁଖରେ ବଢ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି ଦୁଇଓଳି ପେଟ ପୂରାଇ ଖାଉଥିଲା, ଆଉ ଜଣଙ୍କର ମଧୁର ବଚନ ଶୁଣି ଜୀବନର ସକଳ ଦୁଃଖ ଭୁଲିଯାଇଥିଲା୤ ସେ ଗଢ଼ିଥିଲା ଗୋଟେ ସ୍ବପ୍ନରାଜ୍ୟ୤ ସେ ରାଜ୍ୟରେ ସେ ଥିଲା ରାଜା୤ ରାଣୀ କରି ଯାହାକୁ ଆଣିଥିଲା, ଜୀବନଟାକୁ ସେ ହସାଇ ହସାଇ ନଚାଉଥିଲା୤ ତାର ଅଧର ତଳେ ସେ ଅମୃତ ପିଉଥିଲା, ତାର ଚାହାଣୀ ଭିତରେ ସେ ଜଗତ ଦେଖୁଥିଲା, ତାର ନିଃଶ୍ବାସରେ ସେ ସୁବାସ ବାରୁଥିଲା ଓ ତାର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା୤ କିନ୍ତୁ ସେ ସ୍ବପ୍ନ ତାର ବେଶି ଦିନ ରହିଲା ନାହିଁ୤ ସ୍ବପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେପାଖକୁ୤ ଏପାଖେ ଏ ଦୁଇଟି ବଳଦ ଗାଁରୁ ଷ୍ଟେସନକୁ ଓ ଷ୍ଟେସନରୁ ଗାଁକୁ ଦିନକେ ଦୁଇଥର ଯାଇ ତାକୁ ଆର ଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା୤

ଶଗଡ଼ ବୋହିଲାବେଳେ ଏ କଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ, ନିଜେ ଦୁଇଟୋପା ଲୁହ ନିଜର ଚିରା କାନିରେ ପୋଛିଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟାଏ ଗଳ୍ପ୤ ଲୋକଙ୍କ ବାଟ ସରିଯାଏ, କିନ୍ତୁ ତାର ଗଳ୍ପ ସରେ ନାହିଁ୤ ସେ କହେ ତା ଶଗଡ଼ରେ ନ ବସିଚି କିଏ ? ବସି ନ ଥିଲେ, ବସି ନ ଥିବେ ଖଲିକୋଟର ରାଜା୤ କିନ୍ତୁ ଦେବାନ୍‌ କହ, ମ୍ୟାନେଜର୍‌ କହ, ଓକିଲ କହ, ମହାଜନ କହ, ଏପରି କି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ ସମସ୍ତେ ବସିଛନ୍ତି ତା ଶଗଡ଼ରେ୤ ଏସବୁ କଥା କହିଲାବେଳେ ସେ ଏଡ଼େ ଉତ୍ସାହରେ କହେ ଯେ, ବେଳେବେଳେ ବଳଦ ଦୁଇଟା ଠିଆ ହୋଇଗଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାହିଁ୤ ଜାଣି ପାରିଲେ କହେ-ଏ ପଶୁଗୁଡ଼ାକ ମଧ୍ୟ ଏ କଥା ଶୁଣିବାକୁ କାନଉଛନ୍ତି୤

ମାଗୁଣିର ଶଗଡ଼ ଓ ବଳଦ ଖଲିକୋଟର ଗୋଟିଏ ବିରାଟ ଇତିହାସ ନ ହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା୤ ସେ ଇତିହାସ କହେ, ଏ ଶଗଡ଼ ରାଜ୍ୟର ସମସ୍ତିଙ୍କି ଚିହ୍ନିଛି୤ କେତେ ବାଳବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି୤ କେତେ ସୁହାସିନୀ କୁଳବଧୂ ବାପଘରକୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି୤ ଖଜଣା ଗଣ୍ଡାକ ଦେଇ ନ ପାରି ଯେଉଁଦିନ ମଣ୍ଡଳ ଗାଁର ଗଦା ରାଉଳ ଜେଲ୍‌ ଗଲା, ସେଇଦିନ ତା ଘରର ଛାଞ୍ଚୁଣିମୁଣ୍ଡା ଆଦି ଏଇ ଶଗଡ଼ରେ ବୁହାହୋଇ ଆସି ରଜାଘର କଚିରି ଦୁଆରେ ଜମା ହୋଇଥିଲା୤ ଯେଉଁଦିନ ବେନ୍ଦାଳିଆ ଗାଆଁର ମଧୁ ରଥେ ନରହତ୍ୟା ଅପରାଧରେ ଧରାହେଲେ, ସେଦିନ ସେ ଏଇ ଗାଡ଼ିରେ ବସି ଯାଇଥିଲେ୤ ଏଇ ଗାଡ଼ିରେ ବସି ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି୤ ଏଇ ଗାଡ଼ିରେ ରଇତ ନେତାଏ ହାତକଡ଼ା ପଡ଼ି କଚିରିକି ଯାଇଛନ୍ତି୤ ଏଇ ଗାଡ଼ି ସୁଖ ଦେଖିଛି-ଦୁଃଖ ଦେଖିଛି୤ ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳର ଗଦି ଓଦା ହୋଇଯାଇଛି, ହସରୋଳରେ ଏଇ ଗାଡ଼ି କେତେ କମ୍ପିଛି୤

ଏଇସବୁ କଥା କହି ମାଗୁଣି ଯେତେବେଳେ ଗାଡ଼ି ଚଳାଏ, ମନେହୁଏ ମାଗୁଣି ଗୋଟାଏ ଜୀବନ୍ତ ଇତିହାସ୤ ଏପରି ଦଶ ପାଞ୍ଚଟା ଇତିହାସକୁ ଏକାଠି କଲେ ଓଡ଼ିଶାର ଗୋଟାଏ କୋଣାର୍କ ତିଆରି ହୁଅନ୍ତା୤

ଦିନେ ମାଗୁଣି ଶୁଣିଲା, ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ; କାରଣ ସିଂହଘର ଗୋଟାଏ ମୋଟର ବାସ୍ ଆଣୁଛନ୍ତି୤ ଶୁଣିଲାମାତ୍ରେ ସେ ହସି ହସି ଆକାଶ ଫଟାଇ ଦେଲା୤ କହିଲା- “ମୋଟର ବାସ୍ ! ତା କଣ ମୋ କାଳିଆ କଷରାକୁ ଟପି ଯିବ ?” ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି ଲୋକେ କଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବେ ? ଏ କଥା ଶୁଣି ସମସ୍ତେ ହସିଲେ ସତ, ମାତ୍ର ସେ ଖାତିରି କଲା ନାହିଁ୤ ଦୁଇ ଚାରି ଦିନ ଗଲା୤ ଦେଖୁ ଦେଖୁ ଗଡ଼ରେ ମୋଟର ବାସ୍‌ ପହଞ୍ଚିଲା୤ ଲୋକେ କହିଲେ- ଏଥର ମାଗୁଣିର ବ୍ୟବସାୟ ବୁଡ଼ିଲା୤ ଏକାବେଳେ କୋଡ଼ିଏ ଜଣଙ୍କୁ ଧରି ଘଣ୍ଟାକେ ଚାଳିଶ ମାଇଲ ଯିବ୤ ମାଗୁଣି କି ତାକୁ ବଳିଯିବ ?

କଥା ସତ୤ ଦୈତ୍ୟଦାନବ ପରି ଗଡ଼ରେ ମୋଟର ବସ୍ଟାକୁ ଦେଖି ମାଗୁଣିର ମନରେ ଛନକା ପଶିଗଲା୤ ସେ କାନ୍ଦି ପାରିଲା ନାହିଁ ସତ, କିନ୍ତୁ କାନ୍ଦ କାନ୍ଦ ହୋଇ ଭାବିଲା- ସେଦିନ ଯାଇଥିଲି କୋଦଳା ସଭାକୁ୤ କିଏ କହୁଥିଲେ- କଳ ଜିନିଷଠୁଁ ହାତଜିନିଷ ଭଲ୤ ତାହେଲେ ମୋଟର କଳଠୁଁ କ’ଣ ମୋ ଶଗଡ଼ ଭଲ ନୁହେଁ ? ଏତେ ଲୋକ ତ ସଭାରେ ବସି ଶୁଣୁଥିଲେ, ସେମାନେ କ’ଣ ମୋର ଦୁଃଖ ବୁଝିବେ ନାହିଁ ? କର୍ମୀ ନ ବୁଝିଲେ ଯିବି ଗାନ୍ଧିଙ୍କ ପାଖକୁ୤ ଦରିଦ୍ରର ସାଥୀ ସେ, ଗରିବଙ୍କ ବନ୍ଧୁ ସେ୤ ସେ କଣ କହିବେ ମାଗୁଣି ମରିଯାଉ, ଆଉ ଏ ସିଂହେ ବଞ୍ଚନ୍ତୁ ?

ଷ୍ଟେସନରୁ ଗଡ଼କୁ ସିଂହଙ୍କ ବସ୍‌ ଚାଲିଲା୤ ମାଗୁଣିର ଶଗଡ଼ ମଧ୍ୟ ଚାଲିଲା୤ କିନ୍ତୁ ବସ୍‌ ପୂର୍ଣ୍ଣ, ଶଗଡ଼ ଖାଲି୤ ମାଗୁଣି ଯେତେ ଆଗରୁ ରାତିଅଧରୁ ଉଠି ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍‌ରେ୤ ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଲେ ବସ୍‌ ମୁହଁକୁ୤ ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକେ ଚାହିଁଲେ ବସ୍ ଆଡ଼କୁ୤ ଦିନେ ଗଲା, ଦୁଇ ଦିନ ଗଲା୤ ସେ ଦୁଇଓଳି ଖାଇକରି ଆସୁଥିଲା, ଓଳିଏ ଖାଇ ଆସିଲା୤ ସେ ଭାତ ଖାଇ ଆସୁଥିଲା, ତୋରାଣି ପିଇ ଆସିଲା୤ ସେ ଦୁଇ ଓଳିରେ ଥରେ ପିଇ ଆସୁଥିଲା- କ୍ରମେ ତିନି ଓଳି ଚୁଲି ଲାଗିଲା ନାହିଁ୤ କାଳିଆ-କଷରା ଛାତି ହାଡ଼ ଦିଶିଲା୤ ସେମାନଙ୍କୁ ଧରି ଯେତେବେଳେ କାନ୍ଦିଲା- କିଏ କହିଲା ପାଗଳ, କିଏ କହିଲା ବାୟା୤

ତା ପରେ ଯେଉଁ ଦିନ ମାଗୁଣିର କୁଡ଼ିଆ ଦୁଆର ଭାଙ୍ଗି ଗାଁଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ ପାଞ୍ଚଣ ବାଡ଼ି ଖଣ୍ଡିକ ଶୁଆଇଦେଇ ମାଗୁଣି ଆଖି ବୁଜିଦେଇଛି୤ ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ୤ ପୃଥିବୀର ଦୁଇଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- “ଆହା, ମାଗୁଣି ଚାଲିଗଲା !”

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋଦାବରୀଶ ମହାପାତ୍ର
ଗୋଦାବରୀଶ ମହାପାତ୍ର
ଜଣେ ବିଶିଷ୍ଟ ସମାଳୋଚନାମୂଳକ ସାହିତ୍ୟିକ ଭାବେ ସୁପରିଚିତ ସ୍ବର୍ଗତ ଗୋଦାବରିଶ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ଅଦ୍ବିତୀୟ ସ୍ରଷ୍ଟା୤ ନିଆଁଖୁଣ୍ଟା ନାମକ ପତ୍ରିକା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଥିବା ଶ୍ରୀ ମହାପାତ୍ର ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ ଏବଂ ଶିଶୁ ସାହିତ୍ୟିକ୤ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଶ୍ରୀ ମହାପାତ୍ରଙ୍କ ଅନେକ ଲେଖା ରାଜନୈତିକ ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ୤ ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ ଉଠକଙ୍କାଳ, ବଙ୍କା ଓ... [ କ୍ରମେ ସବିଶେଷ ]
ଗୋଦାବରୀଶ ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୨ ଆପଣଙ୍କ ମତାମତ ?

  • ୧. ପୂର୍ଣ୍ଣ ଚନ୍ଦ୍ର ରଥ |  ଅକ୍ଟୋବର୍ ୧୩, ୨୦୧୧ - ୬:୧୨ ପୂର୍ବାହ୍ନ

    ମୋ ଗାଁ ଖଲ୍ଲିକୋଟର ଗୋଟିଏ ସତ୍ୟ କାହାଣୀ ପୁଣି ପଢି ଭାବାନ୍ତର ସୃଷ୍ଟି ହେଲା୤ ଗୋଦାବରୀଶ ମହାପାତ୍ରଙ୍କ ଅଧିକାଂଶ କାହାଣୀ ସତ୍ୟ ଉପରେ ପର୍ଯ୍ୟବେଷିତ ଥିଲା ୤ ଏଥିରେ ବର୍ଣିତ ସିଂହ ହେଉଛନ୍ତି ଲୋକନାଥ୍ଗ ସିଂହ ୤ ଦିଲିପ୍ କୁମାରଙ୍କ ନୟା ଦୌର୍ ସିନେମା ପ୍ରସ୍ତୁତ ହେବାର ବହୁ ପୂର୍ବରୁ ଏହି କାହାଣୀ ଲେଖା ହୋଇଥିଲା୤ ସିଂହ ଘର ବସ୍ ଟି କୋଇଲାରେ ଚାଲୁଥିଲା ୤ ସେହି ବସ୍ ର୍ କିଛି ଭଗ୍ନଯନ୍ତ୍ରାଂଶ ଏବେ ମଧ୍ୟ ସିଂହ ଘରେ ଅଛି୤

  • ୨. ସୁରେନ୍ଦ୍ର କୁମର ମିସ୍ର |  ଅକ୍ଟୋବର୍ ୧୪, ୨୦୧୧ - ୮:୩୩ ପୂର୍ବାହ୍ନ

    DanyaBad Odia Sahitya…………………………

  • ୩. ତନ୍ମୟ ମିଶ୍ର |  ଅକ୍ଟୋବର୍ ୧୪, ୨୦୧୧ - ୮:୩୫ ପୂର୍ବାହ୍ନ

    ଏକ ଅତି ଉତ୍ତମ ପରିପ୍ରକାଶ, ଏହି ଗପଟି ପଢିବାକୁ ବହୁତ ଦିନରୁ ଇଚ୍ଛା ଥିଲା, ଆଜି ପୂରଣ ହେଲା, ବହୁତ ଧନ୍ୟବାଦ୤

  • ୪. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୧୫, ୨୦୧୧ - ୩:୪୦ ପୂର୍ବାହ୍ନ

    ଧନ୍ଯବାଦ୍ , ଭଲ ଲାଗିଲା

  • ୫. ସୁଦାମବଂଧୁ ଭଟ୍ଟମିଶ୍ର |  ଅକ୍ଟୋବର୍ ୨୬, ୨୦୧୧ - ୧୨:୫୯ ପୂର୍ବାହ୍ନ

    ମାଗୁଣିର ଶଗଡ଼, ଓଡ଼ିଆ ଗଳ୍ପ ସାହିତ୍ୟର କ୍ଳାସିକ୍‌୤ ଏମିତି ଆହୁରି କିଛି ବଛା ବଛା ଗପ ଦିଅନ୍ତୁ୤ ଖୁବ୍‌ ଭଲ ଲାଗିଲା୤

  • ୬. BIBHU DUTTA PADHY |  ନଭେମ୍ବର୍ ୭, ୨୦୧୧ - ୧୧:୧୪ ଅପରାହ୍ନ

    A HEART TOUCHING STORY INDEED

  • ୭. Abhimanyu Rout |  ନଭେମ୍ବର୍ ୧୪, ୨୦୧୧ - ୬:୪୫ ପୂର୍ବାହ୍ନ

    ଗ୍ଲପ ‍ ବହୁତ୍ ଭଲ ଲାଗିଲା ,ଏମିତି ଆହୁରି କିଛି ବଛା ବଛା ଗପ ଦିଅନ୍ତୁ

  • ୮. Santosh Kumar Panda |  ଜୁଲାଇ ୨୧, ୨୦୧୨ - ୭:୦୨ ପୂର୍ବାହ୍ନ

    Truely a heart touching story & tears in the eyes….salute to the master writer…

  • ୯. Trilochan Das |  ଡିସେମ୍ବର୍ ୨୦, ୨୦୧୨ - ୩:୧୩ ପୂର୍ବାହ୍ନ

    Gapa ti oriya sahitya ra eka amulya ratna.

  • ୧୦. Dilip kumar Acharya |  ଏପ୍ରିଲ୍ ୧୮, ୨୦୧୩ - ୧୧:୨୭ ଅପରାହ୍ନ

    ବହୁତ ଭଲ ଲାଗିଲା ୤

  • ୧୧. ଧିରେନ୍ ମାଟିଆରୀ, ସାହେବୀ,ସମ୍ବଲ ପୁର |  ଜାନୁଆରୀ ୨୨, ୨୦୧୬ - ୪:୨୫ ପୂର୍ବାହ୍ନ

    ଗଳ୍ପକୁ ପଡ଼ି ମତେ ବହୁତ ଭଲ ଲାଗିଲା।Mo ହୃଦୟରେ ଦୁଃଖ ଖେଳିଗଲା।

  • ୧୨. ସୁଶାନ୍ତ ସାହୁ, ତାଳପଡା ଖଲିକୋଟ |  ଜୁଲାଇ ୧୧, ୨୦୧୬ - ୪:୫୭ ପୂର୍ବାହ୍ନ

    ମାଗୁଣୀ ର ଶଗଡ ଗପ ବହୁତ ଭଲଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤