ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କୃଷ୍ଣଚନ୍ଦ୍ର ତ୍ରିପାଠୀ
ଅଖିଳମୋହନ ପଟ୍ଟନାୟକ
କାମାକ୍ଷୀ ପ୍ରସାଦ ଦାଶ
ମନମୋହନ ମିଶ୍ର
ରମେଶ ଚନ୍ଦ୍ର ଦାସ
ରମାକାନ୍ତ ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଲକ୍ଷ ବିହଙ୍ଗ
 |- କିଶୋରୀ ଚରଣ ଦାସ
 
 
ତା: ମେ ୨୬, ୨୦୧୧  
 

ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା୤
ବିହଙ୍ଗମାନେ ଉନ୍ନୁଖ ଓ ସୁନ୍ଦର୤ ମିସେସ୍‌ ପୁରୀ ସମୃଦ୍ଧା ଓ ସୁନ୍ଦରୀ୤ ସୁନ୍ଦରୀ ବୋଲି ଧରିନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନ ଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ ଓ ଯନ୍ତ୍ର ଶିଳ୍ପର ସମ୍ଭାର ନ ଥାଆନ୍ତା୤ ଯଥା:- ଯାମିନୀ ରାୟ, ଭେନସ୍‌ଙ୍କର ଜନ୍ମ ଅଖ୍ୟାତ ଶିଳ୍ପୀର ନଈ ଓ ଡଙ୍ଗା, ହାତୀଦାନ୍ତର ଶ୍ରୀକୃଷ୍ଣ, ବାଉଁଶ, ବେଣାଚେର ଖଦଡ଼ କାଗଜ ଇତ୍ୟାଦିରେ ଗଢ଼ା ବୋଝ ବୋହିଥିବା ଚାଷୀ ଓ ତା’ର ସ୍ତ୍ରୀ, କୃଷ୍ଣକାୟ ଆଦିବାସୀର ନାଚ, ସାପୁଆ କେଳା ଇତ୍ୟାଦି୤ ତଦୁପରି ଇମ୍ପୋଟେଡ୍‌ ଉତ୍‌କୃଷ୍ଟ ଇଲେକ୍ଟ୍ରିକ୍‌ ଟୋଷ୍ଟର, ଟ୍ରାଞ୍ଜିଷ୍ଟର୍‌ ଓ କାଚ ଚାଇନା, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବିବିଧ ମନୋରମ ଦ୍ରବ୍ୟ, ଯାହାକୁ ଦେଖିବାକୁ ଭଲ ଲାଗେ, କିନ୍ତୁ ବ୍ୟବହାର କରିବା ମନା୤

ମିସେସ୍‌ ପୁରୀଙ୍କର ବେଡ୍‌ରୁମ୍‌୤ ମିସେସ୍‌ ପୁରୀ ଶୋଇଛନ୍ତି୤ ନିଦରେ ଶୋଇ ନାହାନ୍ତି, ବର୍ତ୍ତମାନ ଦିନ ଏଗାରଟା୤ ତେଣୁ ବିଛଣା ଚାଦର ନୁହେଁ, ରଙ୍ଗିନ୍‌ ବେଡ୍‌କଭର ଉପରେ ଶୋଇଛନ୍ତି୤ ରାତିପିନ୍ଧା ନୁହେଁ, ସିଲ୍‌କ୍‌ ଶାଢ଼ୀ ପିନ୍ଧି ଶୋଇଛନ୍ତି ଏବଂ ସେହି ଶାଢ଼ୀରେ ଲକ୍ଷ ବିହଙ୍ଗ ଉନ୍ନୁଖ, ଉଦ୍ୟତ ଓ ଆଗ୍ରହୀ୤

ମନେହେଉଛି ସେମାନେ ମୁହୂର୍ତ୍ତକରେ ଡେଣା ମେଲି ଉଡ଼ିଯିବେ୤ କିନ୍ତୁ ସେମାନେ ଉଡିଯିବାକୁ ଚାହୁଁ ନାହାନ୍ତି୤

ବାହାରେ ନେଳି ଆକାଶର ଅସୀମତା ସୂଚନା ଦେବ ଯେ, ଜୀବନ ସରେ ନାହିଁ, ଆଶା ପୂରେ ନାହିଁ ଏବଂ ତଳକୁ ଅନାଇଲେ ଦେଖାଯିବ ଯେ, ପୃଥିବୀ ଅଯଥାରେ ପେଲିହେଉଛି, ଧଇଁସଇଁ ହେଉଛି, ଭାବୁଛି ଜୀବନର ଅର୍ଥ ଅଛି୤ କେତେ ଝାଳ ଓ ନିଃଶ୍ବାସ, କେତେ ଧୂଆଁ ଓ ଧୂଳି ଜୀବନର ଅର୍ଥ ତିଆରି କରୁଛି, ପାରୁନାହିଁ୤

ବାହାରେ ପୃଥିବୀର ତାତି୤ ଉଦ୍ୟମ, ଯୁକ୍ତି କଳହର ତାତି୤ କେତେ କାଗଜ ଲେଖାହେଉଛି ଛିଣ୍ଡାହେଉଛି୤ କେତେ ସଭା ବସୁଛି, ଭାଙ୍ଗୁଛି୤ କେତେ ଚକ ଜିନିଷ ବୋହୁଛି, ମଣିଷ ବୋହୁଛି୤ ପ୍ରାଣୀମାନେ ଆଗଉଛନ୍ତି୤

ଏବଂ ପୃଥିବୀର ଥଣ୍ଡା୤ ଥଣ୍ଡା ମୂର୍ଦ୍ଦାର୤ …ମଲା ପ୍ରେମ୤ ଦରବୁଢ଼ୀ ସ୍ତ୍ରୀ ହାଣ୍ଡି ଗଡ଼େଇ ପେଜ ଗାଳୁଛି, ମଇଳା ଧଳା ପାଣି ପୁରୁଣା ପ୍ରେମକୁ ସାଙ୍ଗରେ ନେଇ ନଳାରେ ବହିଯାଉଛି୤ ରାତି ଅନ୍ଧାରରେ ସ୍ବାମୀ ତା’ ଦେହକୁ ଅଣ୍ଡାଳିହେବ ଓ କାମ ସରିଲା ପରେ ଘୁଙ୍ଗୁଡ଼ି ମାରିବ୤ …ମଲା ଜନ୍ମ୤ ସେମାନେ ଥୋକେ ଅଛନ୍ତି ଯେଉଁମାନେ ଜନ୍ମ ହୋଇ ମରିଯାଇଛନ୍ତି ହେଲେ ବଞ୍ଚିବାକୁ ଚାହାନ୍ତି୤ ସେମାନେ ବିକଳ ମନ ଓ ଲଙ୍ଗଳା ଦେହରେ ‘ମୁଁ ମଣିଷ, ମୁଁ ମଣିଷ ବୋଲି ଚିତ୍କାର କରୁଛନ୍ତି୤ ହସିବା କଥା୤ ସେମାନେ ସିଧା ହୋଇ ଚାଲି ଶିଖି ନାହାନ୍ତି, କଥା କହି ଜାଣି ନାହାନ୍ତି, ଧୋବପିନ୍ଧା ମଣିଷକୁ ଭଗବାନ୍‌ ବୋଲି ଭାବୁଛନ୍ତି ଓ ତଥାପି କହୁଛନ୍ତି- ଆମେ ବଞ୍ଚିବୁ ! …ମୃତ ଭଗବାନ୤ ଭଗବାନ୍‌ର ହାତରେ ଖଣ୍ଡା ଚକ୍‌ଚକ୍‌ କରୁନାହିଁ, ଫୁଲ ମହକୁନାହିଁ, କ୍ରୁଶରୁ ରକ୍ତ ଝରୁନାହିଁ୤ ଭଗବାନ୍‌ କାନ୍ଦୁନାହିଁ, ହସୁ ବି’ ନାହିଁ୤ ସେଥିପାଇଁ ଏତେ ଧରାପରା ଠେଲାପେଲା୤ -ଜୟ ହନୁମାନ ଜୀ ଜୟ ! ମୁଁ ମଲା ଭଗବାନ୍‌ଙ୍କୁ ଛୁଇଁଆସିଛି, ମୁଁ ଧଣ୍ଡା ପାଇଛି, ତେଣୁ ମୁଁ ବଞ୍ଚିବି୤

ତାତି ଓ ହେମାଳ୤ ଜ୍ଞାନ ଓ ଅଜ୍ଞାନ କ’ଣ ମିଳିବ ସେ ନିଉଛୁଣା ପୃଥିବୀକୁ ଚାହିଁ ? ଆଉ ଉପର ଆକାଶକୁ ଅନାଇଲେ ଶୋଷ, ଖାଲି ଶୋଷ୤ ସେ ଶୋଷରେ ତଣ୍ଟି ଶୁଖିଯିବ, ଦିଗନ୍ତ ଧରା ଦେବ ନାହିଁ୤ ବିହଙ୍ଗମାନେ ଉଡ଼ିବାକୁ ମନ କରୁନାହାନ୍ତି୤

…ମିସେସ୍‌ ପୁରୀ ‘ଜୋକ୍‌’ ବହି ପଢୁଛନ୍ତି୤ ବହିରେ ଅଛି ହଜାରଟି ଚିତ୍ର ସମ୍ବଳିତ ମଜା କଥା୤ କେତେଗୁଡ଼ିଏ ଜୋକ୍‌ ପଢ଼ି କିଛି ଭାବାନ୍ତର ଆସୁନାହିଁ୤ କେତେଗୁଡ଼ିକରେ ସାମାନ୍ୟ ହସିବାକୁ ଇଚ୍ଛା ହେଉଛି୤ ଏବଂ ବେଳେ ବେଳେ ଗୋଟିଏ ଜୋକ୍‌ ଏତେ ସୃଷ୍ଟିଛଡ଼ା ଲାଗୁଛି ଯେ, ମନେ ହେଉଛି ବ୍ରହ୍ମାଙ୍କ ଆସନ ଟଳିଯିବ, ପାଟି ମେଲାଇ ନ ହସିଲେ ରହିହେଉ ନାହିଁ୤

ଏହିପରି ଗୋଟିଏ ଜୋକ୍‌ ପଢ଼ି ମିସେସ୍‌ ପୁରୀ ପାଟି ମେଲାଇ ହସିଲେ୤ ଅଧାଉଠା ହୋଇ ପାଖ ତକିଆଟାକୁ କୋଳରେ ଆଣି ରଖିଲେ, ଆନନ୍ଦରେ ଗୋଟିଏ ବିଧା ମାରିଲେ ଓ ହସିଲେ୤ ହସରେ ପ୍ରଥମେ ଥିଲା ଉଦ୍‌ଗମର ଧ୍ବନି,- କଣ୍ଠଗତ ଓ ଗଭୀର୤ ତା’ପରେ ନାଲି ରଙ୍ଗବୋଳା ଓଠ ଦୁଇଟି ଅଲଗା ହୋଇଗଲେ ଓ ଦୁଇ ପାଟି ଦାନ୍ତର ବିସ୍ତାର ଦିଶିଗଲା ଏବଂ ହସର ସ୍ତର ପରେ ସ୍ତର ଢାଳିହୋଇଗଲା୤ ପ୍ରବାହ ଥମିଗଲାରୁ ମିସେସ୍‌ ପୁରୀ ମୁଣ୍ଡ ବାଳରେ ହାତ ଚଳେଇ, ଆନନ୍ଦକୁ ଚାକୁଳେଇ ପ୍ରସନ୍ନତା ଆଣିଲେ ଓ ପୁଣି ଖଟରେ ଲୋଟିଯାଇ ବହିର ପର ଜୋକ୍‌ଟିକୁ ଦେଖିଲେ୤

ବିହଙ୍ଗମାନେ କହିଲେ, ଚମତ୍କାର ! ଚମତ୍କାରିତା ତାଙ୍କ ହସିବାର ଚେହେରାରେ ନ ଥିଲା, ଭଙ୍ଗୀରେ ଥିଲା କି ନାହିଁ କହିହେବ ନାହିଁ୤ କିନ୍ତୁ ତାଙ୍କର ଭାବବ୍ୟଞ୍ଜନା ଅନୁପମ୤ ଘର ଭିତରେ ଏହି ଏକୁଟିଆ ହସ, ଆପଣା ଉପଭୋଗର ହସ, ଅନ୍ୟ କେଉଁ ଅତିରିକ୍ତ ମଣିଷକୁ ଶୁଣାଇବା ପାଇଁ ନୁହେଁ- ଏହି ହେଉଛି ବଞ୍ଚିବାର ଉପଯୋଗୀ ଛନ୍ଦ୤ ବିହଙ୍ଗମାନେ ମୁଗ୍ଧ ହେଲେ ଓ ଚାହିଁରହିଲେ୤

ସାଢ଼େ ଏଗାରଟା୤ କଫି ଖାଇବା ବେଳ ହେଲାଣି୤ ମିସେସ୍‌ ପୁରୀ ଟାଇମ୍‌ପିସ୍‌କୁ ଅନାଇଲେ ଓ ବହି ପଢ଼ାରେ ମନ ଦେଲେ୤
ଏଗାରଟା ବାଜି ପଇଁତିରିଶ୍‌ ମିନିଟ୍‌୤ ତଥାପି କଫି ଆସି ପହଞ୍ଚିନାହିଁ୤ କିନ୍ତୁ ମିସେସ୍‌ ପୁରୀ ଉଦ୍‌ବିଗ୍ନ ନୁହନ୍ତି୤ ଥରକୁଥର ଘଣ୍ଟା ଦେଖୁନାହାନ୍ତି୤ କଫି ଖାଇବା ବେଳ ଦୈନିକ ଜୀବନର ଗୋଟିଏ ଅବସ୍ଥା, ବିନ୍ଦୁ ନୁହେଁ୤ ଜଣାଶୁଣା ସମୟର ପରିସର ଭିତରେ ସେ ଘଟିବ, ସକାଳ ଦ୍ବିପ୍ରହର ସନ୍ଧ୍ୟା ପରି, ଘରେ ପୂଝାରୀ ଅଛି୤

ଏଗାରଟା ଚାଳିଶ୍‌ରେ ପୂଝାରୀ କଫି ଆଣି ପହଞ୍ଚାଇଲା୤ କଫି କପ୍‌ଟିକୁ ମିସେସ୍‌ ପୁରୀଙ୍କର ହାତ ପାହାନ୍ତାରେ ଟି-ପୟ ଉପରେ ରଖିଦେଲା୤ ରଖିସାରି ଟିକିଏ ଦୂରେଇହୋଇ ଛିଡ଼ାହେଲା୤

ମିସେସ୍‌ ପୁରୀ ଗୋଟିଏ ଜୋକ୍‌ର ଅଧାରେ ପହଞ୍ଚିଛନ୍ତି୤ ତେଣୁ ସେ ଅନ୍ୟମନସ୍କ ଭାବରେ ହାତ ବଢ଼ାଇ ଚାମୁଚରେ କଫିକୁ ଗୋଳାଇଲେ୤ କିଛି ସମୟ ଗୋଳାଇସାରିଲା ପରେ ଚାମୁଚେ କଫି ପାଟିକୁ ନେଲେ୤ ତା’ପରେ କହିଲେ, “ଚିନି”୤

ପୂଝାରୀ ବୁଝିଲା ଯେ ମାଲିକାଣୀ କହୁଛନ୍ତି ଚିନି କମ୍‌ ଅଛି୤ ଚିନି ବେଶି ଥିବାବେଳେ ମଧ୍ୟ ସେ କେବଳ ସେହି ଶବ୍ଦ ଉଚ୍ଚାରଣ କରନ୍ତି, କିନ୍ତୁ ତାଙ୍କ ମୁହଁର ଭଙ୍ଗୀ ଅନ୍ୟପ୍ରକାର ହୋଇଯାଏ୤ ପୂଝାରୀ ଚାଲିଗଲା ଆଉ ଚିନି ଆଣିବ ବୋଲି୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କିଶୋରୀ ଚରଣ ଦାସ
କିଶୋରୀ ଚରଣ ଦାସ
ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହିତ ଜଣେ ବଳିଷ୍ଠ ସାହିତ୍ୟିକ ଭାବେ କିଶୋରୀ ଚରଣ ଦାଶ(୧୯୨୪-୨୦୦୪)ଙ୍କ ଲେଖାଗୁଡ଼ିକ ଅଜସ୍ର ପାଠକୀୟ ସ୍ବୀକୃତି ଲାଭ କରିଛି୤ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଶ୍ରୀ ଦାଶ ଲେଖନୀ ଚାଳନା କରିବା ସହିତ ଜଣେ ଅନୁବାଦକ ଭାବେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲେ୤ ସରଳ ଓ ସାବଲୀଳ ଭାଷା ବ୍ୟବହାର କରୁଥିବା ଶ୍ରୀ ଦାଶଙ୍କର ସମସ୍ତ ଲେଖାରେ ସାଧାରଣ ଲୋକଙ୍କର ଜୀବନଶୈଳୀ ସହିତ ଦୈନନ୍ଦିନ ଜୀବନର ଅନୁଭୁତି ଓ ରୋମାଞ୍ଚ ଭରି ରହିଛି୤ ଓଡ଼ିଶା ସାହିତ୍ୟ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. Priya Ranjan Biswal |  ମେ ୨୯, ୨୦୧୧ - ୧:୨୧ ଅପରାହ୍ନ

    ମୋତେ ଓଡିଆ ପଢିବାକୁ ଭଲଲାଗେ । ଇଣ୍ଟେର୍ନେଟରେ ଓଡିଆ ଗପ ଉପଲବ୍ଧ କରାଇଥିବାରୁ ବହୁତ ଧନ୍ୟବାଦ ।

    ଇତି
    ପ୍ରିୟ ରଞ୍ଜନ ବିଶ୍ବାଳ (ଲିପୁ)

  • ୨. ଡକ୍ଟର ରବିନରୟଣ ମହାରଣା, କଟକ (ଓଡିଶା) |  ଜୁଲାଇ ୨୩, ୨୦୧୩ - ୧୨:୫୩ ଅପରାହ୍ନ

    ଅପ୍ରାନ୍ତ ଓଡିଆରେ ଏତେ ସୁନ୍ଦର ଲେଖି ହେଉଛି ଜାଣି ନଥିଲି୤ ଏବେ ଜଣିଲି୤ ବହୁତ ଧନ୍ୟବାଦ୤ ଏବଂ ତାହା ସାଙ୍ଗକୁ ଓଡିଆର ପତ୍ରିକା ଦେଖି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି୤ ମୁଁ ନିଶ୍ଚିତ ଭାବରେ ଲେଖା ପଠାଇବି୤ ଏହି କୌଶଳ ଆମ ଦେଶ ଓ ଜାତି ପାଇଁ ସବୁ ଠାରୁ ବଡ ଗୌରବ୤ ବନ୍ଦେ ଉତ୍କଳ ଜନନୀ୤

  • ୩. ହିତେଶ ପତି, କୋନ୍ଦ୍ରାପଡା |  ଡିସେମ୍ବର୍ ୨୧, ୨୦୧୪ - ୨:୫୯ ଅପରାହ୍ନ

    ବହୁତ ସୁନ୍ଦର ଲେଖା ପଢି ଖୁସିଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤